ନୂଆଦିଲ୍ଲୀ,୧୭/୦୭: ଅପରେସନ  ସିନ୍ଦୂର ପରେ ଭାରତ ଏହାର ପ୍ରତିରକ୍ଷା କ୍ଷେତ୍ରକୁ ମଜଭୁତ କରିବାରେ ଲାଗିଛି । ସଦ୍ୟ ଘଟଣାରେ  ଏହା ଏକ ନୂଆ ହାଇପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌  ପ୍ରସ୍ତୁତ କରିଛି । ଯାହା ବ୍ରହ୍ମୋସଠାରୁ ଅଧିକ ଦ୍ରୁତ ଏବଂ ଅଗ୍ନି କ୍ଷେପଣାସ୍ତ୍ରଠାରୁ ଅଧିକ ଘାତକ । ଏହାର ଗତି ଶବ୍ଦ ବେଗଠାରୁ ୮ ଗୁଣା ଅଧିକ ।  ୧୫ ଶହ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରି  ଏହା ଶତ୍ରୁପକ୍ଷକୁ ଟାର୍ଗେଟ୍‌ କରିପାରିବ। 

‘ପ୍ରୋଜେକ୍ଟ ବିଷ୍ଣୁ’ ଅଧୀନରେ ଏହି  ‘ଏକ୍ସଟେଣ୍ଡେଡ୍‌ ଟ୍ରାଜେକ୍ଟୋରି ଲଙ୍ଗ୍‌ ଡ୍ୟୁରେସନ  ହାଇପରସୋନିକ୍‌ କ୍ରୁଜ ମିସାଇଲ୍‌ ବା ଇଟି-ଏଲ୍‌ଡିଏଚ୍‌ସିଏମ୍‌’କୁ ପ୍ରତିରକ୍ଷା ଗବେଷଣା ଓ  ବିକାଶ ସଙ୍ଗଠନ (ଡିଆରଡିଓ) ଦ୍ୱାରା ପ୍ରସ୍ତୁତ  କରାଯାଇଛି । ପହଲଗାମ୍‌ ଆତଙ୍କୀ ଆକ୍ରମଣ ପରେ  ପାକିସ୍ତାନ ବିରୋଧରେ ଭାରତ ଅପରେସନ  ସିନ୍ଦୂର ଚଳାଇଥିଲା । ଏହାପରେ ଦୁଇଦେଶ  ମଧ୍ୟରେ ସଂକ୍ଷିପ୍ତ ମୁହାଁମୁହିଁ ହୋଇ ଯୁଦ୍ଧବିରତି  ହୋଇଥିଲା । ସେବେଠାରୁ ଭାରତ ଏହାର  ପ୍ରତିରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବାରେ ଲାଗିଛି ।  ଆଧୁନିକୀକରଣକୁ ଅଧିକ ଫୋକସ୍‌ କରୁଛି । ଏହି କ୍ରମରେ ବ୍ରହ୍ମୋସ, ଅଗ୍ନି-୫ ଓ ଆକାଶ  ସିଷ୍ଟମ୍‌ ଆଦିର ବିକଶିତ ଭର୍ସନ ଅଣାଯାଉଛି ।  ଇଟି-ଏଲ୍‌ଡିଏଚ୍‌ସିଏମ୍‌ରେ ‘ସ୍କ୍ରାମ୍‌ଜେଟ୍‌ ଇଞ୍ଜିନ୍‌’  ରହିଛି, ଯାହା ‘ଏୟାର-ବ୍ରିଦିଙ୍ଗ୍‌ ପ୍ରପଲ୍‌ସନ୍‌’କୁ  ବ୍ୟବହାର କରିଛି । ପାରମ୍ପରିକ କମ୍ପ୍ରେସର  ବଦଳରେ ଏହା ବାୟୁମଣ୍ଡଳୀୟ ଅମ୍ଳଜାନ ଉପରେ  ଅଧିକ ନିର୍ଭରଶୀଳ । ଏହାଦ୍ୱାରା ମିସାଇଲ୍‌ଟି ମାକ୍‌-୮ ବା ଶବ୍ଦର ୮ ଗୁଣା ଅର୍ଥାତ ଘଣ୍ଟା ପିଛା ୧୧ ହଜାର କିଲୋମିଟର ବେଗରେ ଗତି କରିପାରିବ ।  

ବ୍ରହ୍ମୋସ କ୍ଷେତ୍ରରେ ଏହା ମାକ୍‌-୩ ବା ପାଖାପାଖି  ଘଣ୍ଟା ପିଛା ୩ ହଜାର ୬୭୫ କିମି ରହିଛି । ବ୍ରହ୍ମୋସ କ୍ଷେପଣାସ୍ତ୍ରର ରେଞ୍ଜ୍‌ ଘଣ୍ଟା ପିଛା ୨୯୦ରୁ ୪୫୦ କିଲୋମିଟର ହୋଇଥିବା ବେଳେ  ନୂଆ ହାଇପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ର ରେଞ୍ଜ  ୧୫୦୦ କିଲୋମିଟର । ଏହାଦ୍ୱାରା ଭାରତର  ରଣନୀତିକ ଷ୍ଟ୍ରାଇକ୍‌ ରେଞ୍ଜ୍‌ ବୃଦ୍ଧି ହୋଇପାରିବ ।  ଏହି ମିସାଇଲ୍‌ ୧ ହଜାରରୁ ୨ ହଜାର କିଲୋଗ୍ରାମ୍‌  ଓଜନର ପେ-ଲୋଡ୍‌ ବହନ କରିପାରିବ ।  ଉଭୟ ପାରମ୍ପରିକ ଓ ପରମାଣୁ ୱାରହେଡ୍‌  ନେଇପାରିବ । ଏହାର ‘ଲୋ-ଆଲ୍‌ଟିଚ୍ୟୁଡ୍‌  ଫ୍ଲାଇଟ୍‌’ (କମ୍‌ ଉଚ୍ଚତାରେ ଉଡ଼ାଣ) କ୍ଷମତା  ରହିଛି । ଫଳରେ ଏହା ଶତ୍ରୁପକ୍ଷର ରାଡାର୍‌  ଡିଟେକ୍ସନ୍‌ ବ୍ୟବସ୍ଥାକୁ ଚକ୍‌ମା ଦେଇପାରିବ ।  ଏହାଛଡ଼ା ଏଥିରେ ‘ହାଇ-ପ୍ରିସିଜନ୍‌’ କ୍ଷମତା  ଥିବାରୁ ଏହା ଆଦୌ ବାଟବଣା ନ ହୋଇ  ଶତ୍ରୁପକ୍ଷର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି (ସେନା କିମ୍ବା  ଆତଙ୍କୀ ଠିକଣା)କୁ ଧ୍ୱଂସ କରିଦେଇ ପାରିବ । 

ଆହୁରି ମଧ୍ୟ ଏହି ହାଇପରସୋନିକ୍‌ ମିସାଇଲ୍‌କୁ ଭୂମି, ସମୁଦ୍ର ଓ ବାୟୁରୁ ମାଡ଼ କରାଯାଇ ପାରିବ । ସବୁଠୁ ବଡ଼ କଥା ହେଲା  ଏହା ବାୟୁରେ ଗତି କରୁଥିବା ବେଳେ ମଧ୍ୟ ଏହାର  ଲକ୍ଷ୍ୟକୁ ବଦଳାଇହେବ । ଫଳରେ କୌଣସି  କ୍ଷତି ନ ଘଟାଇ ଏହା ଟାର୍ଗେଟ୍‌ ସ୍ଥଳକୁ ଧ୍ୱଂସ କରିଦେବ । ପ୍ରତିକୂଳ ପାଣିପାଗରେ ବି ଏହା କାର୍ଯ୍ୟ  କରିପାରିବ । ହାଇପରସୋନିକ୍‌ ଯାତ୍ରା ବେଳେ  ତାପମାତ୍ରା ଯଦି ୨୦୦୦ ଡିଗ୍ରୀ ପର୍ଯ୍ୟନ୍ତ ଛୁଏଁ, ତଥାପି ଏହି ମିସାଇଲ୍‌ ତା’ର କାର୍ଯ୍ୟ କରିଚାଲିବ । 

ବର୍ତ୍ତମାନ କେବଳ ରୁଷ୍‌, ଆମେରିକା ଓ  ଚୀନ୍‌ ପାଖରେ ହାଇପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌  ଟେକ୍ନୋଲୋଜି ରହିଛି । ଯଦି ଭାରତର ଇଟି-ଏଲ୍‌ଡିଏଚ୍‌ସିଏମ୍‌ ପରୀକ୍ଷଣ ସଫଳ ହୁଏ, ତେବେ ଏହା ସ୍ୱଦେଶୀ ହାଇପରସୋନିକ୍‌  କ୍ଷମତା ସହ ଉକ୍ତ କ୍ଷୁଦ୍ର ଗୋଷ୍ଠୀରେ ସାମିଲ ହୋଇପାରିବ । ପାକିସ୍ତାନ ଓ ଚୀନ୍‌ ସହ ସମ୍ପର୍କ  ଦିନକୁ ଦିନ ଖରାପ ହେଉଥିବାରୁ ଭାରତ ପାଇଁ  ଏହି ମିସାଇଲ୍‌ ବିଶେଷ ସହାୟକ ହୋଇପାରିବ।