ପ୍ରମୂଖ ଖବର
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

'ପ୍ରୋଜେକ୍ଟ ବିଷ୍ଣୁ’ରେ ଭାରତର ନୂଆ ହାଇପରସୋନିକ୍‌ ମିସାଇଲ; ଶବ୍ଦ ବେଗଠାରୁ ୮ ଗୁଣା ଗତି, ରେଞ୍ଜ୍‌ ୧୫ଶହ କିମି

Published By : Prameya | July 17, 2025 9:57 AM

ନୂଆଦିଲ୍ଲୀ,୧୭/୦୭: ଅପରେସନ  ସିନ୍ଦୂର ପରେ ଭାରତ ଏହାର ପ୍ରତିରକ୍ଷା କ୍ଷେତ୍ରକୁ ମଜଭୁତ କରିବାରେ ଲାଗିଛି । ସଦ୍ୟ ଘଟଣାରେ  ଏହା ଏକ ନୂଆ ହାଇପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌  ପ୍ରସ୍ତୁତ କରିଛି । ଯାହା ବ୍ରହ୍ମୋସଠାରୁ ଅଧିକ ଦ୍ରୁତ ଏବଂ ଅଗ୍ନି କ୍ଷେପଣାସ୍ତ୍ରଠାରୁ ଅଧିକ ଘାତକ । ଏହାର ଗତି ଶବ୍ଦ ବେଗଠାରୁ ୮ ଗୁଣା ଅଧିକ ।  ୧୫ ଶହ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରି  ଏହା ଶତ୍ରୁପକ୍ଷକୁ ଟାର୍ଗେଟ୍‌ କରିପାରିବ। 

‘ପ୍ରୋଜେକ୍ଟ ବିଷ୍ଣୁ’ ଅଧୀନରେ ଏହି  ‘ଏକ୍ସଟେଣ୍ଡେଡ୍‌ ଟ୍ରାଜେକ୍ଟୋରି ଲଙ୍ଗ୍‌ ଡ୍ୟୁରେସନ  ହାଇପରସୋନିକ୍‌ କ୍ରୁଜ ମିସାଇଲ୍‌ ବା ଇଟି-ଏଲ୍‌ଡିଏଚ୍‌ସିଏମ୍‌’କୁ ପ୍ରତିରକ୍ଷା ଗବେଷଣା ଓ  ବିକାଶ ସଙ୍ଗଠନ (ଡିଆରଡିଓ) ଦ୍ୱାରା ପ୍ରସ୍ତୁତ  କରାଯାଇଛି । ପହଲଗାମ୍‌ ଆତଙ୍କୀ ଆକ୍ରମଣ ପରେ  ପାକିସ୍ତାନ ବିରୋଧରେ ଭାରତ ଅପରେସନ  ସିନ୍ଦୂର ଚଳାଇଥିଲା । ଏହାପରେ ଦୁଇଦେଶ  ମଧ୍ୟରେ ସଂକ୍ଷିପ୍ତ ମୁହାଁମୁହିଁ ହୋଇ ଯୁଦ୍ଧବିରତି  ହୋଇଥିଲା । ସେବେଠାରୁ ଭାରତ ଏହାର  ପ୍ରତିରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବାରେ ଲାଗିଛି ।  ଆଧୁନିକୀକରଣକୁ ଅଧିକ ଫୋକସ୍‌ କରୁଛି । ଏହି କ୍ରମରେ ବ୍ରହ୍ମୋସ, ଅଗ୍ନି-୫ ଓ ଆକାଶ  ସିଷ୍ଟମ୍‌ ଆଦିର ବିକଶିତ ଭର୍ସନ ଅଣାଯାଉଛି ।  ଇଟି-ଏଲ୍‌ଡିଏଚ୍‌ସିଏମ୍‌ରେ ‘ସ୍କ୍ରାମ୍‌ଜେଟ୍‌ ଇଞ୍ଜିନ୍‌’  ରହିଛି, ଯାହା ‘ଏୟାର-ବ୍ରିଦିଙ୍ଗ୍‌ ପ୍ରପଲ୍‌ସନ୍‌’କୁ  ବ୍ୟବହାର କରିଛି । ପାରମ୍ପରିକ କମ୍ପ୍ରେସର  ବଦଳରେ ଏହା ବାୟୁମଣ୍ଡଳୀୟ ଅମ୍ଳଜାନ ଉପରେ  ଅଧିକ ନିର୍ଭରଶୀଳ । ଏହାଦ୍ୱାରା ମିସାଇଲ୍‌ଟି ମାକ୍‌-୮ ବା ଶବ୍ଦର ୮ ଗୁଣା ଅର୍ଥାତ ଘଣ୍ଟା ପିଛା ୧୧ ହଜାର କିଲୋମିଟର ବେଗରେ ଗତି କରିପାରିବ ।  

ବ୍ରହ୍ମୋସ କ୍ଷେତ୍ରରେ ଏହା ମାକ୍‌-୩ ବା ପାଖାପାଖି  ଘଣ୍ଟା ପିଛା ୩ ହଜାର ୬୭୫ କିମି ରହିଛି । ବ୍ରହ୍ମୋସ କ୍ଷେପଣାସ୍ତ୍ରର ରେଞ୍ଜ୍‌ ଘଣ୍ଟା ପିଛା ୨୯୦ରୁ ୪୫୦ କିଲୋମିଟର ହୋଇଥିବା ବେଳେ  ନୂଆ ହାଇପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ର ରେଞ୍ଜ  ୧୫୦୦ କିଲୋମିଟର । ଏହାଦ୍ୱାରା ଭାରତର  ରଣନୀତିକ ଷ୍ଟ୍ରାଇକ୍‌ ରେଞ୍ଜ୍‌ ବୃଦ୍ଧି ହୋଇପାରିବ ।  ଏହି ମିସାଇଲ୍‌ ୧ ହଜାରରୁ ୨ ହଜାର କିଲୋଗ୍ରାମ୍‌  ଓଜନର ପେ-ଲୋଡ୍‌ ବହନ କରିପାରିବ ।  ଉଭୟ ପାରମ୍ପରିକ ଓ ପରମାଣୁ ୱାରହେଡ୍‌  ନେଇପାରିବ । ଏହାର ‘ଲୋ-ଆଲ୍‌ଟିଚ୍ୟୁଡ୍‌  ଫ୍ଲାଇଟ୍‌’ (କମ୍‌ ଉଚ୍ଚତାରେ ଉଡ଼ାଣ) କ୍ଷମତା  ରହିଛି । ଫଳରେ ଏହା ଶତ୍ରୁପକ୍ଷର ରାଡାର୍‌  ଡିଟେକ୍ସନ୍‌ ବ୍ୟବସ୍ଥାକୁ ଚକ୍‌ମା ଦେଇପାରିବ ।  ଏହାଛଡ଼ା ଏଥିରେ ‘ହାଇ-ପ୍ରିସିଜନ୍‌’ କ୍ଷମତା  ଥିବାରୁ ଏହା ଆଦୌ ବାଟବଣା ନ ହୋଇ  ଶତ୍ରୁପକ୍ଷର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି (ସେନା କିମ୍ବା  ଆତଙ୍କୀ ଠିକଣା)କୁ ଧ୍ୱଂସ କରିଦେଇ ପାରିବ । 

ଆହୁରି ମଧ୍ୟ ଏହି ହାଇପରସୋନିକ୍‌ ମିସାଇଲ୍‌କୁ ଭୂମି, ସମୁଦ୍ର ଓ ବାୟୁରୁ ମାଡ଼ କରାଯାଇ ପାରିବ । ସବୁଠୁ ବଡ଼ କଥା ହେଲା  ଏହା ବାୟୁରେ ଗତି କରୁଥିବା ବେଳେ ମଧ୍ୟ ଏହାର  ଲକ୍ଷ୍ୟକୁ ବଦଳାଇହେବ । ଫଳରେ କୌଣସି  କ୍ଷତି ନ ଘଟାଇ ଏହା ଟାର୍ଗେଟ୍‌ ସ୍ଥଳକୁ ଧ୍ୱଂସ କରିଦେବ । ପ୍ରତିକୂଳ ପାଣିପାଗରେ ବି ଏହା କାର୍ଯ୍ୟ  କରିପାରିବ । ହାଇପରସୋନିକ୍‌ ଯାତ୍ରା ବେଳେ  ତାପମାତ୍ରା ଯଦି ୨୦୦୦ ଡିଗ୍ରୀ ପର୍ଯ୍ୟନ୍ତ ଛୁଏଁ, ତଥାପି ଏହି ମିସାଇଲ୍‌ ତା’ର କାର୍ଯ୍ୟ କରିଚାଲିବ । 

ବର୍ତ୍ତମାନ କେବଳ ରୁଷ୍‌, ଆମେରିକା ଓ  ଚୀନ୍‌ ପାଖରେ ହାଇପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌  ଟେକ୍ନୋଲୋଜି ରହିଛି । ଯଦି ଭାରତର ଇଟି-ଏଲ୍‌ଡିଏଚ୍‌ସିଏମ୍‌ ପରୀକ୍ଷଣ ସଫଳ ହୁଏ, ତେବେ ଏହା ସ୍ୱଦେଶୀ ହାଇପରସୋନିକ୍‌  କ୍ଷମତା ସହ ଉକ୍ତ କ୍ଷୁଦ୍ର ଗୋଷ୍ଠୀରେ ସାମିଲ ହୋଇପାରିବ । ପାକିସ୍ତାନ ଓ ଚୀନ୍‌ ସହ ସମ୍ପର୍କ  ଦିନକୁ ଦିନ ଖରାପ ହେଉଥିବାରୁ ଭାରତ ପାଇଁ  ଏହି ମିସାଇଲ୍‌ ବିଶେଷ ସହାୟକ ହୋଇପାରିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.