ପାରମ୍ପରିକ ଭାରତୀୟ ଖେଳନା କେବଳ ପୁରୁଣା ସ୍ମୃତିର କଳାକୃତି କିମ୍ବା ସଂସ୍କୃତିର ପ୍ରତୀକ ନୁହେଁ, ବରଂ ସେଗୁଡ଼ିକ ପ୍ରାରମ୍ଭିକ ଶିକ୍ଷାକୁ ପରିବର୍ତ୍ତନ କରିବାରେ ସକ୍ରିୟ ଶିକ୍ଷାଦାନ ଉପକରଣ । ପ୍ରାରମ୍ଭିକ ଶିକ୍ଷାଠାରୁ ଆରମ୍ଭ କରି ଉଚ୍ଚ ପ୍ରାଥମିକ ଶିକ୍ଷା ପର୍ଯ୍ୟନ୍ତ, ପାରମ୍ପରିକ ଖେଳନାକୁ ବ୍ୟବସ୍ଥିତ ଭାବେ ଶିକ୍ଷାଦାନରେ ସାମିଲ କରି ଆମେ ଏକ ଆନନ୍ଦଦାୟକ, ମୂଳ, ସମାବେଶୀ ଏବଂ ସାମଗ୍ରିକ ଶିକ୍ଷଣର ରୂପ ସୁନିଶ୍ଚିତ କରିପାରିବା ।
ପିଲାଦିନ ସ୍ମୃତିର ଏକ ଅବିଚ୍ଛିନ୍ନ ପୃଷ୍ଠା ହେଲା ଖେଳନା ଓ ଖେଳିବା । ଚଟାଣ ଉପରେ ବିଛାଡ଼ି ହୋଇ ପଡ଼ିଥିବା ଖେଳନା, ଘରେ ପିଲାଙ୍କ ଉପସ୍ଥିତିର ପ୍ରମାଣ । ପିଲାଙ୍କ ପାଇଁ ଖେଳନା କେବଳ ଏକ ଖେଳନା ନୁହେଁ, ବରଂ ତାହା ପିଲାଙ୍କର ବନ୍ଧୁ, କାହାଣୀକାର, ସୁପରହିରୋ ବା କହିବାକୁ ଗଲେ ପିଲାଙ୍କର ସମ୍ପୂର୍ଣ୍ଣ ଏକ ଦୁନିଆ । ପିଲାମାନେ ସେମାନଙ୍କ ଖେଳନାକୁ ନିଜ କଳ୍ପନା ସହିତ ତୁଳନା କରିଥାନ୍ତି । ସେମାନେ ଖେଳନା ସହିତ କଥାବାର୍ତ୍ତା କରନ୍ତି, ତାକୁ ପାଖରେ ଶୁଆଇଥାନ୍ତି ଏବଂ ତାହା ସହିତ ନିଜର ଭାବନା ମଧ୍ୟ ବାଣ୍ଟିଥାନ୍ତି । ଖେଳନା ନିରବ ସାଥୀ ହୋଇ ପିଲାଙ୍କ ପାଖରେ ଥାଏ । ଖେଳନା ପିଲାମାନଙ୍କୁ ସେହି ଆବେଗକୁ ପ୍ରକାଶ କରିବାରେ ସାହାଯ୍ୟ କରେ, ଯାହାପାଇଁ ସେମାନଙ୍କ ପାଖରେ ଶବ୍ଦ ନଥାଏ । ଖେଳନା ଖେଳିବା ମାଧ୍ୟମରେ ପିଲାମାନେ ସେମାନଙ୍କର ନିଜସ୍ୱ କାହାଣୀ ସୃଷ୍ଟି କରନ୍ତି, ସାମାଜିକ କୌଶଳ ଶିଖନ୍ତି ଏବଂ ସେମାନଙ୍କ ଚାରିପାଖରେ ଥିବା ବିଶ୍ୱକୁ ବୁଝନ୍ତି । ପିଲା ଏବଂ ଖେଳନା ମଧ୍ୟରେ ଥିବା ବନ୍ଧନ କେବଳ ଆମୋଦଦାୟକ ନୁହେଁ, ବରଂ ପିଲାଙ୍କର ସାମଗ୍ରିକ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ମଧ୍ୟ ।
ଆଜିକାଲି କିନ୍ତୁ ପିଲା, ପିଲାଦିନ, ଖେଳ ଓ ଖେଳନାର ଚିତ୍ର କିଛି ଭିନ୍ନ । ସରିଯାଇଥିବା ଦିଆସିଲି ଖୋଳ ଯୋଡ଼ି ଟ୍ରେନ କରିବାକୁ ପିଲା ଚାହିଁଲେ, ବାପା-ମାଆ ଟ୍ରାକ୍ ଉପରେ ବିଭିନ୍ନ ଧ୍ୱନି ଓ ଆଲୁଅ ବାହାର କରି ଚାଲୁଥିବା ବ୍ୟାଟେରୀ ଟ୍ରେନ ପିଲାଙ୍କୁ ଧରେଇ ଦେଉଛନ୍ତି । ପିଲାମାନେ ଗୁଡ଼ି ଉଡ଼େଇବାକୁ ଚାହିଁଲେ ତାଙ୍କୁ ଡ୍ରୋନ୍ ମିଳିଯାଉଛି । କାଗଜରେ ରକେଟ୍ ବନେଇ ଉଡ଼େଇବାକୁ ଚାହିଁଲେ ବ୍ୟାଟେରୀଚାଳିତ ଆକାଶରେ ଉଡୁଥିବା ଅତ୍ୟାଧୁନିକ ଖେଳନା ହେଲିକପ୍ଟର ମିଳିଯାଉଛି । ପିଲାଙ୍କ ଖେଳନା ଘରୁ ଉଭା ହୋଇଗଲେଣି କାଠଘୋଡା, କପଡ଼ା ତିଆରି କଣ୍ଢେଇ, ମାଟି ତିଆରି ଖେଳନା ହାଣ୍ଡି-କଡ଼େଇ, କାଗଜ ତିଆରି ଫଳ-ଫୁଲ ଇତ୍ୟାଦି ଇତ୍ୟାଦି । ଖାଲି ଖେଳନା କାହିଁକି, ବରଂ ସେଇ ଖେଳନା ତିଆରି କରିବା କାରିଗର ମଧ୍ୟ ଉଭା ହୋଇଗଲେଣି । ବର୍ତ୍ତମାନର ଆଧୁନିକୀକରଣ ଯୁଗରେ ସମସ୍ତେ ଆମଦାନୀ ହୋଇଥିବା ଖେଳନା ପ୍ରତି ଆଗ୍ରହୀ । ହଟ୍ହୁଇଲ୍ସ, ଲେଗୋ, ବାର୍ବି, ଫନ୍ସକୁଲ୍ ଭଳି ଖେଳନା ବ୍ରାଣ୍ଡ ସହିତ ପ୍ରାୟ ସମସ୍ତେ ପରିଚିତ, ହେଲେ ଆମ ପାରମ୍ପରିକ ଖେଳନାର ସ୍ଥାନ, ଚାହିଦା ତାଲିକାରେ ନଥିବ । ପାରମ୍ପରିକ ଖେଳନା ପ୍ରତି ଆଗ୍ରହ କମି କମି ଚାଲିଛି । ଭାରତରେ ଡିଜିଟାଲ ଏବଂ ପ୍ଲାଷ୍ଟିକ୍ ଖେଳନାର ଆଗମନ ସହିତ ପାରମ୍ପରିକ ଖେଳନାର ସମୃଦ୍ଧ ଐତିହ୍ୟ ହ୍ରାସ ପାଇଚାଲିଛି, ଯାହା ଜମା ଏକ ଶୁଭ ସଙ୍କେତ ନୁହେଁ ।
ପାରମ୍ପରିକ ଖେଳନା, ଯାହାର ମୂଳଦୁଆ ଶହ ଶହ ବର୍ଷ ପୁରୁଣା କାରିଗରୀ ଏବଂ ସ୍ୱଦେଶୀ ଜ୍ଞାନ ପ୍ରଣାଳୀରେ ଗଢ଼ା, ତାହା ଶିଶୁ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ପାରମ୍ପରିକ ଖେଳନା କେବଳ ଐତିହ୍ୟର ପ୍ରତୀକ ବା ମନୋରଞ୍ଜନର ବସ୍ତୁ ନୁହେଁ, ବରଂ ସେଗୁଡ଼ିକ ହେଉଛି ଶକ୍ତିଶାଳୀ ଶିକ୍ଷାଗତ ଉପକରଣ, ଯାହା ଜ୍ଞାନ, ବ୍ୟବହାର, ସଂସ୍କୃତି ଏବଂ କଳ୍ପନାକୁ ଆକାର ଦିଏ । ହେଲେ ଯେଉଁଠି ଭାରତ ଭଳି ବିଶାଳ ବିବିଧତା, ସଭ୍ୟ ଓ ଭବ୍ୟ କଳା ସଂସ୍କୃତି, ସମୃଦ୍ଧ ଐତିହ୍ୟ, ରଙ୍ଗୀନ ପ୍ରାଚୀନ ପରମ୍ପରା, ଶିକ୍ଷା ଓ ଦୀକ୍ଷାର ଭିନ୍ନ ଓ ଅନନ୍ୟ ଧାରଣାକୁ ସୃଷ୍ଟିକରେ, ଯେଉଁଠି ଭାରତୀୟ ସଭ୍ୟତା ଓ ଜ୍ଞାନ ପ୍ରସାରଣର ପ୍ରଣାଳୀ ଅନେକ ପାରମ୍ପରିକ କଳା, ଲୋକକଥା ଏବଂ ଅନୌପଚାରିକ ଶିକ୍ଷାର ଉପକରଣକୁ ଜନ୍ମ ଦେଇପାରିଛି, ସେଇଠି ପାରମ୍ପରିକ ଖେଳନାର ମହତ୍ତ୍ୱ ଓ ଅସ୍ତିତ୍ୱ କ୍ଷୀଣ ହୋଇଯିବାଟା ଏକ ଆହ୍ୱାନ । ତେବେ, ବିଶେଷକରି ପ୍ରାରମ୍ଭିକ ବାଲ୍ୟକାଳ ଓ ଶିକ୍ଷା କ୍ଷେତ୍ରରେ ପାରମ୍ପରିକ ଖେଳନାର ବ୍ୟାପକ ଶିକ୍ଷାଗତ ମୂଲ୍ୟକୁ ସ୍ୱୀକୃତି ଦେଇ ଜାତୀୟ ଶିକ୍ଷା ନୀତି-୨୦୨୦, ଲିଭି ଲିଭି ଯାଉଥିବା ସ୍ୱର୍ଣ୍ଣିମ ଜ୍ଞାନକୌଶଳକୁ ପୁନର୍ଜୀବିତ କରିବାର ପ୍ରୟାସ କରିଛି ।
ପ୍ରାରମ୍ଭିକ ବାଲ୍ୟକାଳ, ଯାହାକୁ ଜନ୍ମଠାରୁ ୬ବର୍ଷ ମଧ୍ୟରେ ଥିବା ବୟସ ଭାବରେ ବ୍ୟାଖ୍ୟା କରାଯାଇଛି, ତାହା ଦ୍ରୁତ ମସ୍ତିଷ୍କ ବିକାଶର ଏକ ସମୟ । ୟୁନିସେଫ୍ ଏବଂ ସ୍ନାୟୁବିଜ୍ଞାନ ଅଧ୍ୟୟନ ଅନୁଯାୟୀ, ଏହି ପ୍ରାରମ୍ଭିକ ବର୍ଷଗୁଡ଼ିକରେ ଶିଶୁର ମସ୍ତିଷ୍କ ୮୫-୯୦% ବିକଶିତ ହୁଏ । ଏହି ପର୍ଯ୍ୟାୟରେ ପିଲାମାନେ ଅନୁଭବ ଓ ଅନୁଭୂତି, ପାରସ୍ପରିକ କ୍ରିୟାଗୁଡ଼ିକୁ ଖେଳ ମାଧ୍ୟମରେ ସର୍ବୋତ୍ତମ ଶିଖିଥାନ୍ତି । ପାରମ୍ପରିକ ଖେଳନା, ନିଜର ଭିନ୍ନ ଭିନ୍ନ ଆକାର, ରଙ୍ଗ, ଗଠନଶୈଳୀ ଓ ସାମଗ୍ରୀ ଦ୍ୱାରା ପିଲାଙ୍କର ସାମଗ୍ରିକ ବିକାଶକୁ ସମର୍ଥନ କରିଥାଏ । ଏକ ସାମାନ୍ୟ ନଟୁଟିଏ ସୂକ୍ଷ୍ମ ମାଂସପେଶୀ ସମନ୍ୱୟକୁ ବୃଦ୍ଧି କରିଥାଏ, କଣ୍ଢେଇ ନାଚ, ଭାଷା ବିକାଶ ଏବଂ ସାମାଜିକ ଦକ୍ଷତାକୁ ବୃଦ୍ଧି କରିଥାଏ, କାଦୁଅ ଖେଳନା ସ୍ଥାନିକ ସଚେତନତା ଏବଂ କଳ୍ପନାକୁ ପ୍ରୋତ୍ସାହିତ କରିଥାଏ । ଏହି ଖେଳନାଗୁଡ଼ିକ ଯେତେବେଳେ ଚିନ୍ତାଶୀଳ ଭାବରେ ବ୍ୟବହୃତ ହୁଏ, ଶିକ୍ଷଣର ଅତ୍ୟାବଶ୍ୟକ ଉପକରଣରେ ପରିଣତ ହୁଅନ୍ତି ।
ଜାତୀୟ ଶିକ୍ଷା ନୀତି୨୦୨୦, ଗୁରୁତ୍ୱାରୋପ କରେ ଯେ ଛୋଟ ପିଲାମାନେ "ଖେଳ, କାର୍ଯ୍ୟକଳାପ ଏବଂ ଅନୁସନ୍ଧାନ’ ମାଧ୍ୟମରେ ସର୍ବୋତ୍ତମ ଶିଖନ୍ତି, ଯାହା ପାରମ୍ପରିକ ଖେଳନାର ଶିକ୍ଷାଗତ ସମ୍ଭାବନା ସହ ଦୃଢ଼ ପ୍ରତିଧ୍ୱନିତ କରେ । ବାସ୍ତବରେ ଜାତୀୟ ଶିକ୍ଷା ନୀତି-୨୦୨୦ ସ୍ୱଦେଶୀ ଖେଳନା, ସ୍ଥାନୀୟ କାହାଣୀ, ଲୋକଗୀତ ଏବଂ ସାଂସ୍କୃତିକ ଖେଳକୁ ପ୍ରାରମ୍ଭିକ ଶିକ୍ଷା ବ୍ୟବସ୍ଥାର ପ୍ରମୁଖ ଉପାଦାନ ଭାବରେ ଅନ୍ତର୍ଭୁକ୍ତ କରିବାକୁ ଆଭିମୁଖ୍ୟ ରଖୁଛି । ବିଦ୍ୟାଳୟମାନଙ୍କର ପାଠ୍ୟକ୍ରମରେ "ଗବେଷଣାମୂଳକ ଶିକ୍ଷା’ ଓ "କଳା, ସଂସ୍କୃତି ଏବଂ ସ୍ଥାନୀୟ ଜ୍ଞାନ ବ୍ୟବସ୍ଥାର' ଏକୀକରଣ ଉପରେ ଜାତୀୟ ଶିକ୍ଷା ନୀତି-୨୦୨୦ର ଗୁରୁତ୍ୱ ଏକ ବ୍ୟାପକ ପ୍ରସଙ୍ଗ ପ୍ରଦାନ କରେ, ଯେଉଁଥିରେ ପାରମ୍ପରିକ ଖେଳନା ଏକ ପ୍ରମୁଖ ଭୂମିକା ଗ୍ରହଣ କରେ । ଏହି ଖେଳନାଗୁଡ଼ିକୁ ପ୍ରାରମ୍ଭିକ ବାଲ୍ୟକାଳ ମଧ୍ୟରେ ସୀମିତ ରଖାନଯାଇ, ପରବର୍ତ୍ତୀ ପର୍ଯ୍ୟାୟରେ ବିଜ୍ଞାନ, ଗଣିତ ଏବଂ ପରିବେଶ ଅଧ୍ୟୟନର ଶିକ୍ଷାଦାନରେ ନିରବଚ୍ଛିନ୍ନ ଭାବରେ ବ୍ୟବହୃତ କରାଯାଇପାରିବ । ପାରମ୍ପରିକ ଖେଳନା, ସାଂସ୍କୃତିକ ବର୍ଣ୍ଣନା ସହିତ ଖେଳ, କାହାଣୀ ଏବଂ ଅନ୍ୱେଷଣ ମାଧ୍ୟମରେ ଶିକ୍ଷାକୁ ଆଗକୁ ନେଇପାରିବ । ପାରମ୍ପରିକ ଖେଳନା ସ୍ଥାନୀୟ ସାମଗ୍ରୀ, ଲୋକକଥା ଏବଂ ମୂଲ୍ୟବୋଧକୁ ପ୍ରତିଫଳିତ କରିଥାଏ, ଯାହା ପିଲାମାନଙ୍କ ପାଇଁ ସାଂସ୍କୃତିକ ସେତୁ ଭାବେ କାର୍ଯ୍ୟ କରିଥାଏ । ଶିକ୍ଷା କ୍ଷେତ୍ରରେ ଖେଳନା ଅନୌପଚାରିକ ଓ ଆନନ୍ଦଦାୟକ ଉପାୟରେ ସୃଜନଶୀଳତାର ଉଦ୍ଦୀପନାରେ ସାହାଯ୍ୟ କରିପାରିବ । ଖେଳନା ତିଆରି ମଧ୍ୟ ପାଠ୍ୟକ୍ରମରେ ଏକ ଧନ୍ଦାମୂଳକ ବିଷୟ ହୋଇପାରିବ, ଯାହା ଜୀବିକା ନିର୍ବାହ ଏବଂ ଐତିହ୍ୟ ହସ୍ତଶିଳ୍ପର ସଂରକ୍ଷଣ କରିପାରିବ । ପାରମ୍ପରିକ ଖେଳନା ପ୍ରସ୍ତୁତିକୁ ପୁନର୍ଜୀବିତ ଏବଂ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରୟାସ ମଧ୍ୟ ପ୍ରଶଂସନୀୟ । ୨୦୨୦ରେ ଜାତୀୟ ଖେଳନା କାର୍ଯ୍ୟ ଯୋଜନାର ଶୁଭାରମ୍ଭ, ଟୟକାଥନ୍ ଇନାଭେସନ୍ ଚ୍ୟାଲେଞ୍ଜ ଏବଂ ଜାତୀୟ ଖେଳନା ମେଳାର ଆୟୋଜନ ଏହି ଦିଗରେ ଉଲ୍ଲେଖନୀୟ ପଦକ୍ଷେପ, ଯାହା କେବଳ ବିଦେଶ ଉତ୍ପାଦିତ ବା ଆମଦାନୀ ହୋଇଥିବା ପ୍ଲାଷ୍ଟିକ୍ ଖେଳନା ଉପରେ ନିର୍ଭରଶୀଳତାକୁ ହ୍ରାସ କରିବନାହିଁ ବରଂ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ସ୍ୱଦେଶୀ ଖେଳନାର ମୂଲ୍ୟକୁ ବୃଦ୍ଧି କରିବ ।
ଉଲ୍ଲେଖନୀୟ କଥା ହେଉଛି, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ଶିକ୍ଷା ମନ୍ତ୍ରଣାଳୟ ମିଳିତ ଭାବରେ ପାରମ୍ପରିକ ଖେଳନାକୁ ଅଙ୍ଗନବାଡ଼ି ସେବାରେ ଏକୀକୃତ କରିବା ପାଇଁ କାର୍ଯ୍ୟ କରିଛନ୍ତି, ଯାହା "ନିପୁଣ ଭାରତ ମିଶନ’ର ସଫଳତାରେ ଯୋଗଦାନ ଦେଇପାରିବ । ତେବେ ପାରମ୍ପରିକ ଖେଳନାକୁ ମୁଖ୍ୟଧାରାର ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବାରେ ଅନେକ ବାଧାବିଘ୍ନ ରହୁଛି । ଯେପରି ସହରୀକରଣ ଏବଂ ଜଗତୀକରଣ ଯୋଗୁଁ ପ୍ଲାଷ୍ଟିକ୍, ବ୍ୟାଟେରୀଚାଳିତ ଖେଳନାର ଚାହିଦା ବୃଦ୍ଧି ପାଉଛି । ଚାହିଦା ଏବଂ ସଂସ୍ଥାଗତ ସହାୟତାର ଅଭାବ ହେତୁ ପାରମ୍ପରିକ ଖେଳନା ତିଆରି ସମ୍ପ୍ରଦାୟ ଧୀରେ ଧୀରେ ବିଲୁପ୍ତମାନ ଅବସ୍ଥାରେ । ଶିକ୍ଷକମାନେ, ବିଶେଷକରି ସହରାଞ୍ଚଳରେ, ପ୍ରାୟତଃ ପାରମ୍ପରିକ ଖେଳନାର ଶିକ୍ଷାଗତ ସମ୍ଭାବନା ସହିତ ଅପରିଚିତ ଏବଂ ଆନୁଷ୍ଠାନିକ ଶିକ୍ଷକ ତାଲିମ ପର୍ଯ୍ୟାପ୍ତ ନୁହେଁ । ପାଠ୍ୟପୁସ୍ତକ କିମ୍ବା ସରକାରୀ ଶିକ୍ଷଣ ସାମଗ୍ରୀରେ ସ୍ୱଦେଶୀ ଖେଳନାର ସର୍ବନିମ୍ନ ପ୍ରତିନିଧିତ୍ୱ ମଧ୍ୟ ପାରମ୍ପରିକ ଖେଳନାର ଅବକ୍ଷୟର ଅନ୍ୟ ଏକ କାରଣ। ଶିକ୍ଷାରେ ପାରମ୍ପରିକ ଖେଳନାର ପୂର୍ଣ୍ଣ ସମ୍ଭାବନାକୁ ଉପଯୋଗ କରିବାପାଇଁ ସୁଚିନ୍ତିତ ଓ ବ୍ୟବସ୍ଥିତ ପ୍ରୟାସର ଆବଶ୍ୟକତା ରହିଛି । ପ୍ରଥମତଃ, ଶିକ୍ଷା କାର୍ଯ୍ୟକ୍ରମରେ ଖେଳ ଆଧାରିତ ଶିକ୍ଷାଦାନ ଏବଂ ଶିକ୍ଷାଦାନ ଉଦ୍ଦେଶ୍ୟରେ ପାରମ୍ପରିକ ଖେଳନାର ବ୍ୟବହାର ଉପରେ ପାଠ୍ୟକ୍ରମ ଓ ଢାଞ୍ଚା ଅନ୍ତର୍ଭୁକ୍ତ ହେବା ଆବଶ୍ୟକ । ଏହି ଖେଳନାଗୁଡିକ କେବଳ ଖେଳ ଉଦ୍ଦେଶ୍ୟରେ ନୁହେଁ, ବରଂ ତାହା କିପରି ପାଠ୍ୟକ୍ରମ ସଂଯୁକ୍ତ ଧାରଣାଗୁଡ଼ିକୁ ଏକ ଆକର୍ଷଣୀୟ ଢଙ୍ଗରେ ବ୍ୟାଖ୍ୟା କରି ବ୍ୟବହୃତ କରାଯାଇପାରିବ, ତାହା ଶିକ୍ଷକମାନେ ବୁଝିବା ଆବଶ୍ୟକ । ପାଠ୍ୟକ୍ରମ ବିକାଶକାରୀମାନେ ପାରମ୍ପରିକ ଖେଳ ଏବଂ ଖେଳନାକୁ ପାଠ ଯୋଜନାରେ, ବିଶେଷକରି ମୌଳିକ ଏବଂ ପ୍ରସ୍ତୁତିମୂଳକ ପର୍ଯ୍ୟାୟରେ କିପରି ଅନ୍ତର୍ଭୁକ୍ତ କରାଯାଇପାରିବ ସେଥିପ୍ରତି ଧ୍ୟାନଦେବା ଉଚିତ । ଜାତୀୟ ଏବଂ ରାଜ୍ୟ ଶିକ୍ଷା ବୋର୍ଡ ପାରମ୍ପରିକ ଖେଳନାର ପ୍ରାସଙ୍ଗିକ ଏବଂ ଆଞ୍ଚଳିକ ଭାବକୁ ସମନ୍ୱିତ କରୁଥିବା ପାଠ୍ୟପୁସ୍ତକ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ।
ପାରମ୍ପରିକ ଖେଳନାର ଶିକ୍ଷାଗତ ମୂଲ୍ୟର ଦସ୍ତାବିଜକରଣ ଏବଂ ଅନୁସନ୍ଧାନମୂଳକ କାର୍ଯ୍ୟକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି । ଶିଶୁ ବିକାଶ ବିଶେଷଜ୍ଞ, ଶିକ୍ଷାବିତ୍, ନୃତତ୍ତ୍ୱବିତ୍ ଏବଂ କାରିଗରମାନଙ୍କୁ ନେଇ ଆନ୍ତଃବିଷୟକ ଅଧ୍ୟୟନ ଆବଶ୍ୟକ, ଯାହା ପାରମ୍ପରିକ ଖେଳନା କିପରି ବିଭିନ୍ନ ବିକାଶମୂଳକ କ୍ଷେତ୍ରକୁ ପ୍ରଭାବିତ କରିଥାଏ, ସେଇ ବିଷୟରେ ଏକ ସଂରଚିତ ବୁଝାମଣା ସୃଷ୍ଟି କରିବାରେ ସାହାଯ୍ୟ କରିପାରିବ । ବିଭିନ୍ନ ଅଞ୍ଚଳର ଖେଳନା ଏବଂ ଖେଳର ଏକ ଜାତୀୟ ଭଣ୍ଡାର ଲୋଡ଼ା, ଯାହା ଖେଳନାଗୁଡ଼ିକର ବ୍ୟବହାର ଏବଂ ଶିକ୍ଷଣ ଫଳାଫଳ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରୁଥିବ । ପାରମ୍ପରିକ ଖେଳନା, ବ୍ୟାପକ ଉତ୍ପାଦିତ ପ୍ଲାଷ୍ଟିକ୍ ଖେଳନା ତୁଳନାରେ ବାୟୋଡିଗ୍ରେଡେବଲ୍ ଓ ଅଣ-ବିଷାକ୍ତ ସାମଗ୍ରୀରୁ ତିଆରି । ଏଭଳି ଖେଳନାକୁ ପ୍ରୋତ୍ସାହିତ କରିବା ଦ୍ୱାରା ପରିବେଶ ଚେତନା ସହିତ ମେଳ ଖୁଆଇ, ଏକବିଂଶ ଶତାବ୍ଦୀରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ସ୍ଥାୟୀ ଶିକ୍ଷା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିହେବ ।
ପରିଶେଷରେ, ପାରମ୍ପରିକ ଭାରତୀୟ ଖେଳନା କେବଳ ପୁରୁଣା ସ୍ମୃତିର କଳାକୃତି କିମ୍ବା ସଂସ୍କୃତିର ପ୍ରତୀକ ନୁହେଁ, ବରଂ ସେଗୁଡ଼ିକ ପ୍ରାରମ୍ଭିକ ଶିକ୍ଷାକୁ ପରିବର୍ତ୍ତନ କରିବାରେ ସକ୍ରିୟ ଶିକ୍ଷାଦାନ ଉପକରଣ । ପ୍ରାରମ୍ଭିକ ଶିକ୍ଷାଠାରୁ ଆରମ୍ଭ କରି ଉଚ୍ଚ ପ୍ରାଥମିକ ଶିକ୍ଷା ପର୍ଯ୍ୟନ୍ତ, ପାରମ୍ପରିକ ଖେଳନାକୁ ବ୍ୟବସ୍ଥିତ ଭାବେ ଶିକ୍ଷାଦାନରେ ସାମିଲ କରି ଆମେ ଏକ ଆନନ୍ଦଦାୟକ, ମୂଳ, ସମାବେଶୀ ଏବଂ ସାମଗ୍ରିକ ଶିକ୍ଷଣର ରୂପ ସୁନିଶ୍ଚିତ କରିପାରିବା । ଏଥିସହିତ ଆମେ ଆମର ସଂସ୍କୃତି ଓ ପରମ୍ପରାକୁ ପୁନର୍ଜୀବିତ କରିପାରିବା, ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିପାରିବା ଏବଂ ଆଗାମୀ ପିଢ଼ିକୁ ନିଜ ପରମ୍ପରା ଓ ସଂସ୍କୃତିର ଏକ ଉନ୍ନତ ସ୍ମାରକ ପ୍ରଦାନ କରିପାରିବା । ଏହାଦ୍ୱାରା ଆମେ ସାକ୍ଷରତା ସହ ପ୍ରକୃତ ଶିକ୍ଷାକୁ ପ୍ରୋତ୍ସାହିତ କରିପାରିବା ।