ଭୁବନେଶ୍ୱର, ୧୮/୦୫: ଅର୍ବାନର କାହାଣୀ ବଖାଣିଥାନ୍ତା । ସହର ଆଉ ସହରୀକରଣର କଥା କହିଥାନ୍ତା । ସହରର ଜନ୍ମରୁ ବର୍ତ୍ତମାନ ପର୍ଯ୍ୟନ୍ତ, ଅର୍ଥାତ୍ ଅତୀତ ସହ ବର୍ତ୍ତମାନକୁ ଯୋଡ଼ିଥାନ୍ତା । ଉତ୍ତରପିଢ଼ି ପାଇଁ ସାଇତି ରଖିଥାନ୍ତା ସହରର ନିର୍ମାଣର ସାଉଁଟା ସ୍ମୃତିସବୁ । ସ୍ମାର୍ଟ ଯୁଗରେ ସ୍ମାର୍ଟ ସିଟି ପ୍ରକଳ୍ପ ଅଧୀନରେ ଏମିତି କିଛି ପରିକଳ୍ପନା ହୋଇଥିଲା ‘ଷ୍ଟେଟ୍ ଅଫ୍ ଦି ଆର୍ଟ ଅର୍ବାନ୍ ହେରିଟେଜ୍ ମ୍ୟୁଜିୟମ୍’କୁ ନେଇ। ଯାହାର ଉତ୍ତର କାହାରି ପାଖରେ ନାହିଁ । ଯଦିଓ ଦଶନ୍ଧି ମଧ୍ୟରେ ସ୍ମାର୍ଟ ସିଟି ପ୍ରକଳ୍ପର ଭୁବନେଶ୍ୱରରେ ୯୦%ରୁ ଅଧିକ କାମ ଶେଷ ହୋଇସାରିଛି । ୨୦୧୬ ମସିହାରେ ସ୍ମାର୍ଟ ସିଟିରେ ଭୁବନେଶ୍ୱର ଯୋଡ଼ି ହେଲା ପରେ ୨୦୧୭ ମସିହାରେ ଅର୍ବାନ୍ ମ୍ୟୁଜିୟମ୍ ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଓଡ଼ିଶା ସରକାର ସରକାର ।
ବର୍ଷ ବର୍ଷ ଧରି ଗଢ଼ିହୋଇ ଆସିଥିବା ସହରର ବିକାଶଧାରା, ଏଠିକାର ସ୍ଥାନୀୟ ସଂସ୍କୃତି, ଐତିହ୍ୟ ସାଙ୍ଗକୁ ସ୍ଥାନ ପାଇଥାନ୍ତା ସ୍ମାର୍ଟ ସିଟି ପ୍ରକଳ୍ପର ରୂପରେଖ । ଭୁବନେଶ୍ୱରକୁ ଆସୁଥିବା ଲୋକେ ଭୁବନେଶ୍ୱର ବିଷୟରେ ଜାଣିବା ପାଇଁ କୁଆଡ଼େ ନଯାଇ ଯଦି ଏହି ସଂଗ୍ରହାଳୟକୁ ଆସନ୍ତି, ତେବେ ସବୁକିଛି ଜାଣିଯିବେ । ତାକୁ ଦୃଷ୍ଟିରେ ରଖି ବର୍ତ୍ତମାନକୁ ନେଇ ଅତୀତର କାହାଣୀ ବଖାଣିଥାନ୍ତା ଏହି ସଂଗ୍ରହାଳୟ । ସେଥିପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ୟୁନିଟ୍-୬ ଏଜି ଛକ ନିକଟ ନେହେରୁ ଯୁବ ପ୍ରତିଷ୍ଠାନ ପାଖରେ ଜମି ଚିହ୍ନଟ ସରିଥିଲା । ଅଢ଼େଇ ଏକର ଜମିରେ ନିର୍ମାଣ ହୋଇଥାନ୍ତା ଏହି ସଂଗ୍ରହାଳୟ । କିଛି ଜମି ଜବରଦଖଲରେ ଥିବାରୁ ତାକୁ ଉଚ୍ଛେଦ କରି ବିଡିଏ ନିଜ ଅଧୀନକୁ ଆଣି ପାଚେରି ବି ବୁଲାଇଥିଲା । ଏଠାରେ ବହୁତଳ କୋଠା ସାଙ୍ଗକୁ ସହରର ଅତୀତ ଏବଂ ବର୍ତ୍ତମାନକୁ ଉପସ୍ଥାପିତ କରିବା ଲାଗି ପରିକଳ୍ପନା କରାଯାଇଥିଲା ।
ସଂଗ୍ରହାଳୟ ହୋଇଥିଲେ ତା’ ପରିସରରେ ପରିଦର୍ଶକ କେନ୍ଦ୍ର, ପାର୍କିଂସ୍ଥଳ, ଶୋଭେନିୟର୍ ସପ୍, କଫି ସପ୍, ହସ୍ତକଳା ପ୍ରଦର୍ଶନୀ ଓ ବିକ୍ରୟ କେନ୍ଦ୍ର, ଅଡିଓ ଭିଜୁଆଲ୍ ଶୋ’, ସୂଚନା ବୋର୍ଡ, ଚିତ୍ରଭିତ୍ତିକ ଉପସ୍ଥାପନ ଏବଂ କିଛି ବିରଳ ସାମଗ୍ରୀ ଓ ଚିତ୍ର ପ୍ରଦର୍ଶିତ ହେବାର ଥିଲା । ୧୦୦ ବର୍ଷ ତଳେ ଏକାମ୍ର କ୍ଷେତ୍ର ଭାବେ ପ୍ରସିଦ୍ଧ ପୁରୁଣା ଭୁବନେଶ୍ୱର କିପରି ଥିଲା ଏବଂ ଏବେକାର ସହର କେମିତି ଅଛି, ପର୍ଯ୍ୟଟକଙ୍କୁ ତା’ର ଅନୁଭବ ଦେବା ପାଇଁ ଏକ ସୁନ୍ଦର ଯୋଜନା ହୋଇଥିଲା । ଏହାର ନିର୍ମାଣ ଏବଂ କାନ୍ଥବାଡ଼କୁ ଐତିହ୍ୟ ଛାପ ଦେବାକୁ ମଧ୍ୟ ନିଷ୍ପତ୍ତି ସରିଥିଲା । ସଂଗ୍ରହାଳୟକୁ ଅଧିକ ଲୋକପ୍ରିୟ ବା ଏହାର ନିର୍ମାଣଶୈଳୀକୁ ନେଇ ସେତେବେଳେ ଖୁବ୍ ଜୋର୍ରେ କାମ ଚାଲିବା ସହିତ ପଥ ଉତ୍ସବ, ରାହାଗିରିରେ ଜନସାଧାରଣଙ୍କ ମତାମତ ନିଆଯାଇଥିଲା । ବିଡଏ ତରଫରୁ ସଂଗ୍ରହାଳୟର ସମ୍ପୂର୍ଣ୍ଣ ରୂପରେଖ ସ୍ଥିର ହେବା ସହ ତାରକା ହୋଟେଲ୍ରେ ଗୋଟିଏ ଦୁଇଟି ସେମିନାରରେ ଖୋଲାଖୋଲି ଆଲୋଚନା ମଧ୍ୟ ହୋଇଥିଲା ।
କିନ୍ତୁ ବୁଝାପଡ଼ୁନି, ଏତେସବୁ ପରେ ବି ଆଜି ପର୍ଯ୍ୟନ୍ତ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ପଡ଼ପାରିଲାନି କାହିଁକି? ଏ ଯୋଜନା ଯେଉଁଠୁ ଆରମ୍ଭ ହୋଇଥିଲା ସେଇଠି ରହିଛି । ସମୟକ୍ରମେ ସେ ଯୋଜନା, ବ୍ଲୁ-ପ୍ରିଣ୍ଟ ସବୁ ସ୍ମାର୍ଟ ସିଟି ନକ୍ସାରୁ ଉଭେଇ ଗଲା । ଏଭଳି ଏକ ସୁନ୍ଦର ପରିକଳ୍ପନା ରୂପ ନେବା ପୂର୍ବରୁ ସତେ ଯେମିତି ସମାଧି ନେଇଗଲା । ସେଥିପାଇଁ ଆଜି ଯାହାକୁ ଏ କଥା ପଚାରିଲା ବେଳକୁ ଯେମିତି କେହି କିଛି ଜାଣିନାହାନ୍ତି ଯେ ଏମିତି ଏକ ଯୋଜନା ହୋଇଥିଲା ।