ଭୁବନେଶ୍ୱର, ୧୮/୦୫:  ଅର୍ବାନର କାହାଣୀ ବଖାଣିଥାନ୍ତା । ସହର  ଆଉ ସହରୀକରଣର କଥା କହିଥାନ୍ତା । ସହରର ଜନ୍ମରୁ ବର୍ତ୍ତମାନ ପର୍ଯ୍ୟନ୍ତ, ଅର୍ଥାତ୍‌ ଅତୀତ ସହ ବର୍ତ୍ତମାନକୁ ଯୋଡ଼ିଥାନ୍ତା । ଉତ୍ତରପିଢ଼ି ପାଇଁ ସାଇତି  ରଖିଥାନ୍ତା ସହରର ନିର୍ମାଣର ସାଉଁଟା  ସ୍ମୃତିସବୁ । ସ୍ମାର୍ଟ ଯୁଗରେ ସ୍ମାର୍ଟ ସିଟି ପ୍ରକଳ୍ପ  ଅଧୀନରେ ଏମିତି କିଛି ପରିକଳ୍ପନା  ହୋଇଥିଲା ‘ଷ୍ଟେଟ୍‌ ଅଫ୍‌ ଦି ଆର୍ଟ ଅର୍ବାନ୍‌  ହେରିଟେଜ୍‌ ମ୍ୟୁଜିୟମ୍‌’କୁ ନେଇ। ଯାହାର ଉତ୍ତର କାହାରି ପାଖରେ ନାହିଁ । ଯଦିଓ ଦଶନ୍ଧି ମଧ୍ୟରେ ସ୍ମାର୍ଟ ସିଟି ପ୍ରକଳ୍ପର  ଭୁବନେଶ୍ୱରରେ ୯୦%ରୁ ଅଧିକ  କାମ ଶେଷ ହୋଇସାରିଛି । ୨୦୧୬  ମସିହାରେ ସ୍ମାର୍ଟ ସିଟିରେ ଭୁବନେଶ୍ୱର  ଯୋଡ଼ି ହେଲା ପରେ ୨୦୧୭ ମସିହାରେ  ଅର୍ବାନ୍‌ ମ୍ୟୁଜିୟମ୍‌ ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ  କରିଥିଲେ ଓଡ଼ିଶା ସରକାର ସରକାର ।  

ବର୍ଷ ବର୍ଷ ଧରି ଗଢ଼ିହୋଇ  ଆସିଥିବା ସହରର ବିକାଶଧାରା,  ଏଠିକାର ସ୍ଥାନୀୟ ସଂସ୍କୃତି, ଐତିହ୍ୟ  ସାଙ୍ଗକୁ ସ୍ଥାନ ପାଇଥାନ୍ତା ସ୍ମାର୍ଟ ସିଟି ପ୍ରକଳ୍ପର ରୂପରେଖ । ଭୁବନେଶ୍ୱରକୁ  ଆସୁଥିବା ଲୋକେ ଭୁବନେଶ୍ୱର  ବିଷୟରେ ଜାଣିବା ପାଇଁ କୁଆଡ଼େ  ନଯାଇ ଯଦି ଏହି ସଂଗ୍ରହାଳୟକୁ ଆସନ୍ତି, ତେବେ ସବୁକିଛି ଜାଣିଯିବେ ।  ତାକୁ ଦୃଷ୍ଟିରେ ରଖି ବର୍ତ୍ତମାନକୁ ନେଇ  ଅତୀତର କାହାଣୀ ବଖାଣିଥାନ୍ତା ଏହି  ସଂଗ୍ରହାଳୟ । ସେଥିପାଇଁ ଭୁବନେଶ୍ୱର  ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ  ୟୁନିଟ୍‌-୬ ଏଜି ଛକ ନିକଟ ନେହେରୁ  ଯୁବ ପ୍ରତିଷ୍ଠାନ ପାଖରେ ଜମି ଚିହ୍ନଟ ସରିଥିଲା । ଅଢ଼େଇ ଏକର ଜମିରେ  ନିର୍ମାଣ ହୋଇଥାନ୍ତା ଏହି ସଂଗ୍ରହାଳୟ ।  କିଛି ଜମି ଜବରଦଖଲରେ ଥିବାରୁ ତାକୁ  ଉଚ୍ଛେଦ କରି ବିଡିଏ ନିଜ ଅଧୀନକୁ  ଆଣି ପାଚେରି ବି ବୁଲାଇଥିଲା । ଏଠାରେ  ବହୁତଳ କୋଠା ସାଙ୍ଗକୁ ସହରର  ଅତୀତ ଏବଂ ବର୍ତ୍ତମାନକୁ ଉପସ୍ଥାପିତ କରିବା ଲାଗି ପରିକଳ୍ପନା କରାଯାଇଥିଲା ।  

ସଂଗ୍ରହାଳୟ ହୋଇଥିଲେ ତା’  ପରିସରରେ ପରିଦର୍ଶକ କେନ୍ଦ୍ର, ପାର୍କିଂସ୍ଥଳ, ଶୋଭେନିୟର୍‌ ସପ୍‌, କଫି  ସପ୍‌, ହସ୍ତକଳା ପ୍ରଦର୍ଶନୀ ଓ ବିକ୍ରୟ କେନ୍ଦ୍ର, ଅଡିଓ ଭିଜୁଆଲ୍‌ ଶୋ’, ସୂଚନା ବୋର୍ଡ, ଚିତ୍ରଭିତ୍ତିକ ଉପସ୍ଥାପନ ଏବଂ  କିଛି ବିରଳ ସାମଗ୍ରୀ ଓ ଚିତ୍ର ପ୍ରଦର୍ଶିତ  ହେବାର ଥିଲା । ୧୦୦ ବର୍ଷ ତଳେ ଏକାମ୍ର  କ୍ଷେତ୍ର ଭାବେ ପ୍ରସିଦ୍ଧ ପୁରୁଣା ଭୁବନେଶ୍ୱର  କିପରି ଥିଲା ଏବଂ ଏବେକାର ସହର  କେମିତି ଅଛି, ପର୍ଯ୍ୟଟକଙ୍କୁ ତା’ର  ଅନୁଭବ ଦେବା ପାଇଁ ଏକ ସୁନ୍ଦର  ଯୋଜନା ହୋଇଥିଲା । ଏହାର ନିର୍ମାଣ  ଏବଂ କାନ୍ଥବାଡ଼କୁ ଐତିହ୍ୟ ଛାପ ଦେବାକୁ  ମଧ୍ୟ ନିଷ୍ପତ୍ତି ସରିଥିଲା । ସଂଗ୍ରହାଳୟକୁ  ଅଧିକ ଲୋକପ୍ରିୟ ବା ଏହାର  ନିର୍ମାଣଶୈଳୀକୁ ନେଇ ସେତେବେଳେ  ଖୁବ୍‌ ଜୋର୍‌ରେ କାମ ଚାଲିବା ସହିତ ପଥ  ଉତ୍ସବ, ରାହାଗିରିରେ ଜନସାଧାରଣଙ୍କ  ମତାମତ ନିଆଯାଇଥିଲା । ବିଡଏ  ତରଫରୁ ସଂଗ୍ରହାଳୟର ସମ୍ପୂର୍ଣ୍ଣ  ରୂପରେଖ ସ୍ଥିର ହେବା ସହ ତାରକା  ହୋଟେଲ୍‌ରେ ଗୋଟିଏ ଦୁଇଟି  ସେମିନାରରେ ଖୋଲାଖୋଲି  ଆଲୋଚନା ମଧ୍ୟ ହୋଇଥିଲା ।  

କିନ୍ତୁ ବୁଝାପଡ଼ୁନି, ଏତେସବୁ ପରେ  ବି ଆଜି ପର୍ଯ୍ୟନ୍ତ ସଂଗ୍ରହାଳୟ ପ୍ରତିଷ୍ଠା  ପାଇଁ ଭିତ୍ତିପ୍ରସ୍ତର ପଡ଼ପାରିଲାନି କାହିଁକି?  ଏ ଯୋଜନା ଯେଉଁଠୁ ଆରମ୍ଭ ହୋଇଥିଲା  ସେଇଠି ରହିଛି । ସମୟକ୍ରମେ ସେ  ଯୋଜନା, ବ୍ଲୁ-ପ୍ରିଣ୍ଟ ସବୁ ସ୍ମାର୍ଟ ସିଟି ନକ୍ସାରୁ  ଉଭେଇ ଗଲା । ଏଭଳି ଏକ ସୁନ୍ଦର ପରିକଳ୍ପନା ରୂପ ନେବା ପୂର୍ବରୁ ସତେ  ଯେମିତି ସମାଧି ନେଇଗଲା । ସେଥିପାଇଁ  ଆଜି ଯାହାକୁ ଏ କଥା ପଚାରିଲା ବେଳକୁ  ଯେମିତି କେହି କିଛି ଜାଣିନାହାନ୍ତି ଯେ  ଏମିତି ଏକ ଯୋଜନା ହୋଇଥିଲା ।