ଭୁବନେଶ୍ୱର,୧୮/୦୬: ରାଜ୍ୟରେ ମୌସୁମୀ  ପ୍ରବେଶ ସତ୍ତେ୍ୱ ଗରମ ପ୍ରକୋପ ଜାରି ରହିଛି ।  ପୂର୍ବାନୁମାନ ଯାହା, ଏବେ ରାଜ୍ୟରେ ବଡ଼ ଧରଣର ବର୍ଷା  ସମ୍ଭାବନା ନାହିଁ । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏଭଳି  ଅସହ୍ୟ ଗରମ, ଗୁଳୁଗୁଳିରୁ ନିସ୍ତାର ସମ୍ଭାବନା କମ୍‌ ।

କୃଷି ପାଣିପାଗ ବିଶାରଦ ପ୍ରଫେସର  ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ ଆସନ୍ତା  ୨୧ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ସହ  ଅସହ୍ୟ ଗରମ ହେବ । ରାତିରେ ମଧ୍ୟ ଗରମରୁ  ନିସ୍ତାର ମିଳିନପାରେ । ପଶ୍ଚିମ ଓ ଆଭ୍ୟନ୍ତରୀଣ  ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଭୀଷଣ ଗରମ ଜାରି  ରହିବ । ଏହି ସମୟରେ ସାରା ରାଜ୍ୟରେ ବ୍ୟାପକ  ବର୍ଷା ହେବ । କେତେକ ଜାଗାରେ ବିଜୁଳି ଘଡ଼ଘଡ଼ି  ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।  

୨୨ରୁ ୨୪ ଜୁନ୍‌ ମଧ୍ୟରେ ରାଜ୍ୟରେ ମୌସୁମୀ  ଫେରିବାର ପ୍ରାରମ୍ଭିକ ସଙ୍କେତ ମିଳିପାରେ ।  ଆକାଶରେ ମେଘର ପରିମାଣ ଧୀରେ ଧୀରେ  ବଢ଼ିବ । ଏହା ସହିତ ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ବଢ଼ିପାରେ । ଏହି ସମୟରେ  ମୌସୁମୀ ବାୟୁ ପ୍ରବାହ ଧୀରେ ଧୀରେ ଶକ୍ତିଶାଳୀ  ହୋଇପାରେ । ୨୩ରୁ ୨୭ ତାରିଖ ମଧ୍ୟରେ ଓଡ଼ିଶାର  କେତେକ ଅଞ୍ଚଳରେ ଅଧିକ ବର୍ଷା ହେବା ସମ୍ଭାବନା  ଅଛି । ଉପକୂଳ, ଉତ୍ତର ଏବଂ କେନ୍ଦ୍ରୀୟ ଓଡ଼ିଶାର  ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ହୋଇପାରେ ।  ଏହି ବର୍ଷାର ପ୍ରଭାବ ଧୀରେ ଧୀରେ ପଶ୍ଚିମ ଓଡ଼ିଶା  ଆଡ଼କୁ ମଧ୍ୟ ବଢ଼ିବ ।

ମୌସୁମୀ ବାୟୁ ଅନୁକୂଳ  ହେବା ଫଳରେ ପଶ୍ଚିମ ଓଡ଼ିଶାର ତାପମାତ୍ରା କ୍ରମଶଃ  କମିବ । ଶକ୍ତିଶାଳୀ ହେଉଥିବା ମୌସୁମୀ ବାୟୁ  ପ୍ରବାହ ଏହି ସମୟରେ ଓଡ଼ିଶାର ପଡ଼ୋଶୀ ଅଞ୍ଚଳ  ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ  ମଧ୍ୟ ପ୍ରଭାବିତ କରିବା ଆରମ୍ଭ କରିବ । ଅନେକ  ଆନ୍ତର୍ଜାତିକ ପାଣିପାଗ ମଡେଲ୍‌ ଅନୁଯାୟୀ, ୨୮ରୁ  ୩୦ ଜୁନ୍‌ ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ  ବାୟୁମଣ୍ଡଳୀୟ ଚାପରେ ପରିବର୍ତ୍ତନ ଘଟି ଏକ  ଲଘୁଚାପ ବଳୟ ସୃଷ୍ଟି ହେବାର ସଙ୍କେତ ମିଳୁଛି ।  ହେଲେ ଏହା କେତେ ଘନୀଭୂତ ହେବ, ସେ ନେଇ  ଏବେଠାରୁ ସମ୍ପୂର୍ଣ୍ଣ ସ୍ପଷ୍ଟତା ଆସିନାହିଁ । ତଥାପି ଜୁନ୍‌  ଶେଷ ସପ୍ତାହ ଆଡ଼କୁ ଓଡ଼ିଶାରେ ଚାଲିଥିବା ଦୁର୍ବଳ  ମୌସୁମୀ ପାଗ ବଦଳି ଏକ ସକ୍ରିୟ ବର୍ଷା ପର୍ଯ୍ୟାୟ  ଆରମ୍ଭ ହେବା ନେଇ ମଧ୍ୟମ ଆଶା ରହିଛି । ୨୩  ତାରିଖବେଳକୁ ଏ ନେଇ ଅଧିକ ସ୍ପଷ୍ଟ ସୂଚନା  ମିଳିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।  

ଅଧିକ ପଢ଼ନ୍ତୁ :-  Industrial Projects : ରାଜ୍ୟରେ ୨୦ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ, ୭୬ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ

ବୁଧବାର ମଧ୍ୟ ବୌଦ୍ଧ ରାଜ୍ୟରେ ସବୁଠାରୁ ଉତ୍ତପ୍ତ  ଥିଲା । ବୌଦ୍ଧରେ ପାରଦ ୪୨.୭ ଡିଗ୍ରୀ ସେଲସିୟସ୍‌,  ସମ୍ବଲପୁର ୪୧.୫, ହୀରାକୁଦ ୪୧.୪ ଡିଗ୍ରୀ ଥିଲା ।  ଭୁବନେଶ୍ୱରରେ ତାପମାତ୍ରା ୩୮.୬ ଡିଗ୍ରୀ ଥିବାବେଳେ  ଗୁଳୁଗୁଳି ଅସହ୍ୟ ହୋଇ ପଡ଼ିଥିଲା । ପାଣିପାଗ ବିଭାଗ  ଆକଳନ କରିଛି, ରାଜ୍ୟରେ ଏବେ ନିୟମିତ ବିଭିନ୍ନ  ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।  ୨୧ ତାରିଖ ଯାଏଁ ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ  ସମେତ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ଗରମ ସହ ଗୁଳୁଗୁଳି  ପ୍ରକୋପ ଲାଗି ରହିବ । ଗୁରୁବାର ଝାରସୁଗୁଡ଼ା ଓ  ବଲାଙ୍ଗୀରରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିପାରେ ।  ୧୯ରୁ କିଛି ସ୍ଥାନରେ ବର୍ଷା ଅଧିକ ହୋଇପାରେ ।