ପ୍ରମୂଖ ଖବର
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ମୁଡିସ୍‌ ଆକଳନ: ଏ ବର୍ଷ ୭.୨% ବଢ଼ିବ ଜିଡିପି, ଆର୍‌ବିଆଇ ଜାରି ରଖିପାରେ କଠୋର ମୁଦ୍ରାନୀତି

Published By : Prameya | November 16, 2024 2:24 PM

ନୂଆଦିଲ୍ଲୀ,୧୬/୧୧: ଚଳିତ ବର୍ଷ ଭାରତର ଅର୍ଥନୈତିକ ବିକାଶ ହାର  ୭.୨% ରହିପାରେ । ଏଭଳି ଅନୁମାନ  କରିଛି ରେଟିଙ୍ଗ୍‌ ଏଜେନ୍ସି ମୁଡିସ୍‌ । ଏହା  ପ୍ରକାଶ କରିଛି ଯେ, ଭାରତ ବର୍ତ୍ତମାନ  ଉତ୍ତମ ସ୍ଥାନରେ ଅଛି । ଦେଶର ଅଭିବୃଦ୍ଧି  ମଜଭୂତ ରହିଛି । ତେବେ ମୁଦ୍ରାସ୍ଫୀତି ରିସ୍କ ଯୋଗୁ  ଚଳିତ ବର୍ଷ ଭାରତୀୟ ରିଜର୍ଭ  ବ୍ୟାଙ୍କ(ଆର୍‌ବିଆଇ) ଏହାର କଠୋର  ମୁଦ୍ରାନୀତିକୁ ଜାରି ରଖିପାରେ ବୋଲି  ମୁଡିସ୍‌ ଅନୁମାନ କରିଛି ।  

ରେଟିଙ୍ଗ୍‌ ଏଜେନ୍ସି ଆହୁରି କହିଛି  ଯେ, ସମ୍ପ୍ରତି ଭାରତରେ ମୁଦ୍ରାସ୍ଫୀତି  ବଢୁଛି ସତ କିନ୍ତୁ ଅଧିକ ଉତ୍ପାଦନ ଏବଂ  ଶସ୍ୟର ଉପଯୁକ୍ତ ବଫର ଷ୍ଟକ୍‌ ଯୋଗୁ  ଆଗାମୀ ମାସଗୁଡ଼ିକରେ ଖାଦ୍ୟ ସାମଗ୍ରୀ  ଦର ଖସିବ । ଏଥିସହିତ ମୁଦ୍ରାସ୍ଫୀତି  ଆର୍‌ବିଆଇ ଦ୍ୱାରା ଧାର୍ଯ୍ୟ ସୀମା ତଳକୁ  ଖସିଯିବ ।  

ପ୍ରକାଶଯୋଗ୍ୟ, ପନିପରିବା ଦର  ବଢ଼ିବା ଫଳରେ ଚଳିତବର୍ଷ ଅକ୍ଟୋବର  ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି  ୧୪ ମାସର ସର୍ବୋଚ୍ଚ ସ୍ତର ୬.୨୧%କୁ  ବୃଦ୍ଧି ପାଇଛି । ଏଥିସହିତ ମୁଦ୍ରାସ୍ଫୀତି  ଆର୍‌ବିଆଇ ଦ୍ୱାରା ଧାର୍ଯ୍ୟ ୬% ସୀମାକୁ  ପାର୍‌ କରିଛି । ଭୁ-ରାଜନୈତିକ ସମସ୍ୟା ଏବଂ  ଜଳବାୟୁ ସମସ୍ୟା ଯୋଗୁ ମୁଦ୍ରାସ୍ଫୀତି  ଚାପ ରହୁଛି । ଯଦିଓ ଆର୍‌ବିଆଇ  ଏହାର ମୁଦ୍ରାନୀତି ଆଭିମୁଖ୍ୟକୁ ନିରପେକ୍ଷ  ରଖିଛି ଏବଂ ସୁଧ ହାରକୁ ଅପରିବର୍ତ୍ତିତ  ରଖିଆସୁଛି ଆଗକୁ ଏହା କଠୋର  ମୁଦ୍ରାନୀତି ପଦକ୍ଷେପକୁ ଜାରି ରଖିପାରେ  ବୋଲି ମୁଡିସ୍‌ ଅନୁମାନ କରିଛି । ଆସନ୍ତା ମାସ ଆର୍‌ବିଆଇର  ମୁଦ୍ରାନୀତି ସମୀକ୍ଷା ବୈଠକ ହେବାକୁ  ଯାଉଛି । ବର୍ତ୍ତମାନ ମୁଦ୍ରାସ୍ଫୀତି ଉଚ୍ଚ  ଥିବାବେଳେ ସର୍ବୋଚ୍ଚ ବ୍ୟାଙ୍କ ଏହାର  ପ୍ରମୁଖ ସୁଧ ହାର ରେପୋରେଟ୍‌ରେ ହ୍ରାସ  କରି ନ ପାରେ ବୋଲି ବିଶେଷଜ୍ଞମାନେ  ଅନୁମାନ କରିଛନ୍ତି ।  

ନିଜର ଗ୍ଲୋବାଲ ମାକ୍ରୋ ଆଉଟ୍‌ଲୁକ୍‌  ୨୦୨୫-୨୬ରେ ଆମେରିକାଭିତ୍ତିକ ରେଟିଂ  ଏଜେନ୍ସି ମୁଡିସ୍‌ ପ୍ରକାଶ କରିଛି ଯେ,  ପାର୍ବଣ ଯୋଗୁ ବ୍ୟୟ ବୃଦ୍ଧି ଯୋଗୁ ଘରୋଇ  ଚାହିଦା ବିଶେଷକରି ଗ୍ରାମାଞ୍ଚଳରେ ଚାହିଦା  ବଢ଼ିପାରେ । ଅନ୍ୟପକ୍ଷରେ, କ୍ଷମତାର  ସର୍ବୋଚ୍ଚ ବ୍ୟବହାର, ଉତ୍ତମ ବିଜ୍‌ନେସ୍‌  ସେଣ୍ଟିମେଣ୍ଟ ଏବଂ ଭିତ୍ତିଭୂମି ବ୍ୟୟ  ଉପରେ ସରକାରଙ୍କ ପ୍ରାଥମିକତା ଦ୍ୱାରା  ଘରୋଇ ନିବେଶ ତ୍ୱରାନ୍ୱିତ ହେବ ।

ପ୍ରକାଶଯୋଗ୍ୟ, ୨୦୨୪ର ଦ୍ୱିତୀୟ  ତ୍ରୟମାସରେ ଦେଶର ବାସ୍ତବ ଜିଡିପି  ବାର୍ଷିକ ଆଧାରରେ ୬.୭% ବୃଦ୍ଧି ପାଇଛି ।  ବିଶେଷ କରି ଘରୋଇ ଚାହିଦା ବଢ଼ିବା  ସହିତ, ନିବେଶ ବୃଦ୍ଧି ଏବଂ ମଜଭୂତ  ବିନିର୍ମାଣ ଗତିବିଧି ଯୋଗୁ ଏହା ସମ୍ଭବ  ହୋଇଛି । ମାକ୍ରୋ-ଅର୍ଥନୈତିକ ଦୃଷ୍ଟିକୋଣରୁ  ଭାରତୀୟ ଅର୍ଥନୀତି ଏବେ ଉତ୍ତମ  ସ୍ଥାନରେ ଅଛି । ୨୦୨୪ରେ ଦେଶର  ଅର୍ଥନୈତିକ ବିକାଶ ହାର ୭.୨%  ରହିବ ଏବଂ ୨୦୨୫ରେ ଏହା ୬.୬%  ରହିପାରେ । ୨୦୨୬ରେ ଭାରତ ୬.୫%  ବଢ଼ିବ ବୋଲି ମୁଡିସ୍‌ ଏହାର ରିପୋର୍ଟରେ  ପ୍ରକାଶ କରିଛି । ଦେଶର ଅର୍ଥନୈତିକ ମୂଳଦୂଆ  ମଜଭୂତ ରହିଛି । ମଜଭୂତ କର୍ପୋରେଟ  ଏବଂ ବ୍ୟାଙ୍କ ବାଲାନ୍ସ ସିଟ୍‌ ଓ ଦୃଢ଼  ବୈଦେଶିକ ମୁଦ୍ରା ଭଣ୍ଡାର ଦେଶର  ଅର୍ଥନୈତିକ ଅଭିବୃଦ୍ଧି ସମ୍ଭାବନାକୁ  ବଢ଼ାଉଥିବା ମୁଡିସ୍‌ ପ୍ରକାଶ କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.