ନୂଆଦିଲ୍ଲୀ,୦୬/୦୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ଖରାପ ହୋଇଯାଇଛି। ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଭାରତୀୟ ସେନା କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛି। ପାକିସ୍ତାନୀ ସେନା ମୁଖ୍ୟ ତାଙ୍କ ବୟାନ ମାଧ୍ୟମରେ ଉତ୍ତେଜନା ନିଆଁରେ ଘିଅ ଢାଳିବାରେ ଲଗାତାର ଲାଗି ରହିଛନ୍ତି। ଏହାରି ଭିତରେ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ୧ ମେ ଅର୍ଥାତ୍ ବୁଧବାର ଦିନ ଏକ ନାଗରିକ ପ୍ରତିରକ୍ଷା ମକ୍ ଡ୍ରିଲ୍ କରାଯିବ। ଯୁଦ୍ଧ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଏପରି ଅଭ୍ୟାସ କରାଯାଏ। ଏହି ସମୟ ମଧ୍ୟରେ, ବିମାନ ଆକ୍ରମଣ ସତର୍କୀକରଣ ସାଇରନ ବାଜିଥାଏ। ବ୍ଲାକଆଉଟ୍ ପ୍ରୋଟୋକଲ୍ ଅନୁସରଣ କରି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚିବା ପାଇଁ ତାଲିମ ଦିଆଯାଏ।
ଆପଣଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚୟ ଉଠୁଥିବ ଯେ ଏପରି କାହିଁକି ହେଉଛି? ସତରେ କ’ଣ ଯୁଦ୍ଧ ହେବ? ଏବଂ ଏହିପରି ଏକ ଡ୍ରିଲ୍ ଶେଷ ଥର କେବେ କରାଯାଇଥିଲା? ସିଭିଲ ଡିଫେନ୍ସ ମକ୍ ଡ୍ରିଲ୍ କ'ଣ? ଏଥିରେ କଣ ଅଛି? ଆସନ୍ତୁ ଜାଣିବା ଏ ବିଷୟରେ...
ଦେଶରେ ପ୍ରଥମ ଥର ପାଇଁ, ୧୯୭୧ ଯୁଦ୍ଧ ସମୟରେ ଏପରି ଏକ ମକ୍ ଡ୍ରିଲ୍ କରାଯାଇଥିଲା, ସେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା। ତେବେ ଏହି ମକ୍ ଡ୍ରିଲ୍ ୭ ମଇ, ୨୦୨୫ରେ ସାରା ଦେଶରେ ସରକାରୀ ଭାବରେ ନିର୍ଦ୍ଦିଷ୍ଟ ଜିଲ୍ଲା ଏବଂ ବିଭାଗଗୁଡ଼ିକରେ କରାଯିବ। ଏଥିପାଇଁ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନାଗରିକ ପ୍ରତିରକ୍ଷା ମକ୍ ଡ୍ରିଲ୍ ଆୟୋଜନ ଏବଂ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ସ୍ଥାନୀୟ ପ୍ରଶାସନ, ନାଗରିକ ପ୍ରତିରକ୍ଷା ୱାର୍ଡେନ, ଗୃହରକ୍ଷୀ, ଜାତୀୟ କ୍ୟାଡେଟ୍ କୋର୍ପସ (NCC), ଜାତୀୟ ସେବା ଯୋଜନା (NSS)ର ସ୍ୱେଚ୍ଛାସେବକ, ନେହେରୁ ଯୁବ କେନ୍ଦ୍ର ସଂଗଠନ (NYKS) ସଦସ୍ୟ ଏବଂ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀମାନେ ସାମିଲ ହେବେ।
ଆଜି ଦିଲ୍ଲୀରେ ସିଭିଲ ଡିଫେନ୍ସ ମକ୍ ଡ୍ରିଲ୍ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ରାଜ୍ୟଗୁଡ଼ିକର ମୁଖ୍ୟ ସଚିବ ଏବଂ ସେନା ମୁଖ୍ୟଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଗୃହ ମନ୍ତ୍ରଣାଳୟ ଯୁଦ୍ଧ ସମୟରେ ବଞ୍ଚିବାର ପଦ୍ଧତି ଉପରେ ଅଭ୍ୟାସ ପାଇଁ ଦେଶର କିଛି ଜିଲ୍ଲା ଚିହ୍ନଟ କରିଛି। ସମ୍ବେଦନଶୀଳତା ଆଧାରରେ ସିଭିଲ ଡିଫେନ୍ସ ଜିଲ୍ଲାଗୁଡ଼ିକୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି।
କାଟେଗୋରୀ ୧- ସବୁଠୁ ଅଧିକ ସମ୍ବେଦନଶୀଳ
କାଟେଗୋରୀ ୨- ସମ୍ବେଦନଶୀଳ
କାଟେଗୋରୀ ୩- କମ୍ ସମ୍ବେଦନଶୀଳ
ଏୟାରଷ୍ଟ୍ରାଇକ ସାଇରନ୍:
ମକ୍ ଡ୍ରିଲ୍ ସମୟରେ, ଏୟାର ଷ୍ଟ୍ରାଇକ ଆକ୍ରମଣ ଚେତାବନୀ ସାଇରନ୍ ବାଜିବ। ଜରୁରୀକାଳୀନ ପରିସ୍ଥିତିରେ, ଏହି ଆଲାର୍ମ ସିଷ୍ଟମଗୁଡ଼ିକ ଲୋକଙ୍କୁ ଆକାଶମାର୍ଗରୁ ଆକ୍ରମଣ ବିଷୟରେ ସତର୍କ କରାଏ ଯାହା ଦ୍ୱାରା ଲୋକମାନେ ଏକ ସୁରକ୍ଷିତ ସ୍ଥାନରେ ପହଞ୍ଚିପାରିବେ।
ନାଗରିକଙ୍କୁ ଟ୍ରେନିଂ:
ସ୍କୁଲ, କାର୍ଯ୍ୟାଳୟ ଏବଂ କମ୍ୟୁନିଟି ସେଣ୍ଟର ଗୁଡ଼ିକରେ ସାଧାରଣ ଜନତାଙ୍କ ପାଇଁ କର୍ମଶାଳା ଆୟୋଜନ କରାଯିବ। ଆକ୍ରମଣ ସମୟରେ କ'ଣ କରିବାକୁ ହେବ ତାହା ଏଠାରେ ଆପଣଙ୍କୁ ଶିଖାଯିବ। ଉଦାହରଣ ସ୍ୱରୂପ, 'ଡ୍ରପ୍ ଆଣ୍ଡ୍ କଭର' କୌଶଳ (କୌଣସି ଏକ ନିରାପଦ ସ୍ଥାନରେ ମୁହଁ ତଳକୁ କରି କାନକୁ ଘୋଡାଇ ରଖନ୍ତୁ), ନିକଟତମ ଆଶ୍ରୟସ୍ଥଳର ସ୍ଥାନ ଚିହ୍ନଟ କରିବା, ପ୍ରାଥମିକ ଚିକିତ୍ସା ପ୍ରଦାନ କରିବା ଏବଂ ଚାପପୂର୍ଣ୍ଣ ସମୟରେ ଶାନ୍ତ ରହିବା ଶିକ୍ଷା ଦିଆଯିବ।
କ୍ରାସ୍ ବ୍ଲାକଆଉଟ୍:
ଦେଶରେ ହଠାତ୍ ବ୍ଲାକଆଉଟ୍ ଅଭ୍ୟାସ କରାଯିବ। ଏଥିରେ ବିଦ୍ୟୁତ୍ କାଟ କରାଯିବ। ବିମାନ ଆକ୍ରମଣ ସମୟରେ ଶତ୍ରୁଙ୍କ ନଜର ଏଡ଼ାଇବା ପାଇଁ ସମସ୍ତ ଆଲୋକୀକରଣ ଉପକରଣ ବନ୍ଦ କରିଦିଆଯିବ। ୧୯୭୧ ମସିହାରେ ବାଂଲାଦେଶ ମୁକ୍ତି ଯୁଦ୍ଧ ସମୟରେ କ୍ରାସ୍ ବ୍ଲାକଆଉଟ୍ ବ୍ୟାପକ ଭାବରେ ଅନୁସରଣ କରାଯାଇଥିଲା। କାମ୍ଫ୍ଳୋଜ୍ ଏକ୍ସରସାଇଜ୍ ଅର୍ଥାତ୍ ସାମରିକ ଘାଟି, ସଂସଦ, ଯୋଗାଯୋଗ ଟାୱାର ଏବଂ ବିଦ୍ୟୁତ୍ ପ୍ଲାଣ୍ଟ ଭଳି ରଣନୈତିକ କୋଠା ଏବଂ ପ୍ରତିଷ୍ଠାନଗୁଡ଼ିକୁ ଏପରି ଭାବରେ ଆଚ୍ଛାଦିତ କରାଯିବ ଯେ ସେଗୁଡ଼ିକୁ ସାଟେଲାଇଟ୍ କିମ୍ବା ଆକାଶ ମାର୍ଗରେ ନିରୀକ୍ଷଣ ସମୟରେ ଚିହ୍ନଟ କରାଯାଇପାରିବ ନାହିଁ।