ନୂଆଦିଲ୍ଲୀ,୨୧/୧୦: ନଭେମ୍ବର ୧ ରେ ହେବ ମୁହୁର୍ତ୍ତ ଟ୍ରେଡିଂ । ସଂଧ୍ୟା ୬ଟା ୧୫ରୁ ୭ଟା ୧୫ ଯାଏ ଏକ ଘଣ୍ଟା ଦେଶର ପୁଞ୍ଜି ବଜାରରେ ହେବ ସ୍ପେଶାଲ ସେସନ । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଏବଂ ନ୍ୟାଶନାଲ ଷ୍ଟକ୍ସ ଏକ୍ସଚେଞ୍ଜ ପକ୍ଷରୁ ଏ ସମ୍ପର୍କରେ ଘୋଷଣା କରାଯାଇଛି । ଦେଶର ପୁଞ୍ଜି ବଜାରରେ ଦୀପାବଳି ଅବସରରେ ମୁହୁର୍ତ୍ତ ଟ୍ରେଡିଂର ପରମ୍ପରା ରହିଛି । ଷ୍ଟକ ବଜାର ଏହି ଦିନ ଛୁଟି ରହିଥିଲେ ମଧ୍ୟ ସଂଧ୍ୟା ସମୟରେ ୧ ଘଣ୍ଟା ଲାଗି ବିଶେଷ ଟ୍ରେଡିଂ ହୋଇଥାଏ ।
ଏହି ମୁହୂର୍ତ୍ତ ଟ୍ରେଡିଂ ସହିତ ହିନ୍ଦୁ କ୍ୟାଲେଣ୍ଡରର ନୂଆବର୍ଷ ସମ୍ବତ ୨୦୮୧ର ପ୍ରାରମ୍ଭ ହେବ। ଦୀପାବଳି ଦିନ ନିୟମିତ ଟ୍ରେଡିଂ ବନ୍ଦ ରହିବ। ତେବେ ସନ୍ଧ୍ୟାରେ ଏହି ଘଣ୍ଟିକିଆ ଟ୍ରେଡିଂ ଅଧିବେଶନ ଖୋଲାଯିବ।ମୂହୂର୍ତ୍ତ ଟ୍ରେଡିଂ ପରମ୍ପରା ଜ୍ୟୋତିଷୀୟ ଆଧାରରେ କରାଯାଇଛି, ଯେତେବେଳେ ଗ୍ରହଙ୍କ ସ୍ଥିତି ବ୍ୟବସାୟ ଅନୁକୂଳ କରିବା ପାଇଁ ଶୁଭ ଥାଏ ସେତେବେଳେ ଟ୍ରେଡିଂ କରାଯାଏ।
ଏହି ଅଧିବେଶନ କାଳରେ ନିବେଶକ ଦୀପର ଆଲୋକ ଓ ରଙ୍ଗୀନ ଝୋଟିରେ ସେମାନଙ୍କ ନିବେଶ ଆରମ୍ଭ କରନ୍ତି। ଏହାକୁ ସମୃଦ୍ଧି ଓ ସଫଳତାର ପ୍ରତୀକ ମନେ କରାଯାଏ। ଇତିହାସ ଦେଖିଲେ ମୁହୂର୍ତ୍ତ ଟ୍ରେଡିଂରେ କରାଯାଇଥିବା ନିବେଶ ପ୍ରାୟତଃ ନିବେଶକଙ୍କୁ ଭଲ ରିଟର୍ଣ୍ଣ ଦେଇଛି। ଗତ ୧୭ଟି ଅଧିବେଶନରୁ ୧୩ଟିରେ ବିଏସଇ ସେନସେକ୍ସ ସକରାତ୍ମକ ନୋଟ୍ରେ ବନ୍ଦ ହୋଇଛି। ତେବେ ଏହା ଏକ ଘଣ୍ଟିକିଆ ଟ୍ରେଡିଂ ହୋଇଥିବାରୁ ଟ୍ରେଡିଂର ଭଲ୍ୟୁମ କମ ହୋଇଥାଏ, ଏହା ସତ୍ତ୍ୱେ ମଧ୍ୟ ନିବେଶକ ଲାଭ ଅର୍ଜନ କରନ୍ତି।
ଉଲ୍ଲେଖଯୋଗ୍ୟ ଯେ ୨୦୦୮ ମସିହା ଏକ ଅପବାଦ ଥିଲା, ଯେଉଁଥିରେ ସେନସେକ୍ସ ମୁହୂର୍ତ୍ତ ଟ୍ରେଡିଂର ଘଣ୍ଟାକ ମଧ୍ୟରେ ୫.୮୬ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିଲା। ସେଦିନ ସେନସେକ୍ସ ୯୦୦୮ପଏଣ୍ଟରେ ବନ୍ଦ ହୋଇଥିଲା। ତେବେ ବୈଶ୍ୱିକ ଆର୍ଥିକ ସଂକଟ ସାମ୍ନାକୁ ଅସିବା କାରଣରୁ ବଜାର ବର୍ଷତମାମ ସୀମିତ ପରିସରରେ ରହିଥିଲା। ୨୦୧୨ରୁ ଏ ପର୍ଯ୍ୟନ୍ତ ୧୨ ଥରରୁ ୯ ଥର ସେନସେକ୍ସ ମୁହୂର୍ତ୍ତ ଟ୍ରେଡିଂରେ ବୃଦ୍ଧିର ସହ ବନ୍ଦ ହୋଇଛି। ଗତବର୍ଷ ଅର୍ଥାତ ୧୨ ନଭେମ୍ବର ୨୦୨୩ରେ ସେନସେକ୍ସରେ ୩୫୫ ପଏଣ୍ଟ (୦.୫୫ପ୍ରତିଶତ) ବୃଦ୍ଧି ହୋଇଥିଲା।
ତେବେ ଗତ ୧୧ ବର୍ଷରେ ୭ ଥର ମୁହୂର୍ତ୍ତ ଟ୍ରେଡିଂ ପରେ ବଜାର ତଳମୁହାଁ ହୋଇଛି ଓ ସେନସେକ୍ସ ତଳକୁ ଖସିଛି। ତେବେ ମୁହୂର୍ତ୍ତ ଟ୍ରେଡିଂ ଭାରତରେ ଷ୍ଟକ୍ ବ୍ରୋକରଙ୍କ ଲାଗି ନୂଆ ଆର୍ଥିକ ବର୍ଷର ପ୍ରାରମ୍ଭର ପ୍ରତୀକ। କୁହାଯାଏ ଏହି ଅବଧିରେ କରାଯାଇଥିବା ନିବେଶ ପୁରା ବର୍ଷ ପାଇଁ ସମୃଦ୍ଧି ଓ ଭଲ ରିଟର୍ଣ୍ଣ ଦେଇଥାଏ। ଏହା ଛଡା ଏହା ଟ୍ରେଡରଙ୍କୁ ସେମାନଙ୍କ ପୋର୍ଟଫୋଲିଓରେ ବିବିଧତା ଆଣିବା ଓ ନୂଆ ସେଟେଲମେଣ୍ଟ ଆକାଉଣ୍ଟ ଖୋଲିବାକୁ ମଧ୍ୟ ଅବସର ଦେଇଥାଏ।