ଭୁବନେଶ୍ୱର,୨୮/୦୪(ମନୋରଞ୍ଜନ ମହାନ୍ତି): ଓଡ଼ିଆ  ସିନେମାର ୮୯ ବର୍ଷ ହୋଇଗଲା । ୧୯୩୬ ଏପ୍ରିଲ୍‌ ୨୮  ତାରିଖରେ ଓଡ଼ିଆ ସିନେମାର ଜନକ ପ୍ରଭୁପାଦ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା  ବିବାହ’ ନିର୍ମାଣ କରିଥିଲେ । ବହୁ ଘାତ ପ୍ରତିଘାତ ଭିତରେ କାଳୀ ଫିଲ୍ମସ ଆନୁକୂଲ୍ୟରେ ଗୋସ୍ୱାମୀଙ୍କ ପ୍ରଯୋଜନାରେ  ‘ସୀତା ବିବାହ’ ପୁରୀ ଲକ୍ଷ୍ମୀ ଟକିଜ୍‌ରେ ସଫଳତାର  ସହିତ ମୁକ୍ତିଲାଭ କରିଥିଲା । 

କିନ୍ତୁ ଏ ଭିତରେ କୁହାଯାଉଛି  କି, ଓଡ଼ିଆ ସିନେମା ତା’ର ସୁବର୍ଣ୍ଣ ଯୁଗ ଦେଖିଛି । ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଆମ  ପ୍ରଯୋଜକ, ନିର୍ମାତାମାନେ ଓଡ଼ିଆ  ସିନେମାକୁ ଏ ସମୟରେ ଗୋଟିଏ  ଉଚ୍ଚସ୍ତରକୁ ନେଇ ଆସିପାରିଛନ୍ତି । ଏଥିରେ ନିର୍ଦ୍ଦେଶକମାନଙ୍କର ମଧ୍ୟ ବଳିଷ୍ଠ ଭୂମିକା ରହିଛି । ଆମର କଳାକାରମାନଙ୍କ  ଅବଦାନ ବି କିଛି କମ୍‌ ନୁହେଁ । ଏହାବାଦ ସଙ୍ଗୀତରେ ଯାଦୁଗରୀ ସ୍ପର୍ଶ ଏବଂ ଟେକ୍ନିସିଆନମାନ ଯୋଗଦାନ  ଆମ ସିନେମା ଯାତ୍ରାକୁ ଆହୁରି ସମୃଦ୍ଧ କରିଛି । ଆଜି  ଓଡ଼ିଆ ସିନେମାକୁ ଏ ସ୍ତରରେ ପହଞ୍ଚାଇବାରେ ଗୁଣ୍ଡୁଚି  ମୂଷା ଭଳି ସମସ୍ତଙ୍କ ଅବଦାନକୁ ଭୁଲିହେବନି ।  ବଡ଼ କଥା ହେଲା, ପୂର୍ବରୁ ଓଡ଼ିଆ ସିନେମାରେ ଯେପରି କପି ପେଷ୍ଟ୍‌ ହେଉଥିବାର ଅଭିଯୋଗ ହେଉଥିଲା,  ସେହି ଅଭିଯୋଗ ପ୍ରାୟ ଆଉ ନାହିଁ କହିଲେ ଚଳେ ।  

୨୦୨୨ ପରଠାରୁ ମୌଳିକ ସିନେମାର ଧାରା କ୍ରମାଗତ  ଭାବେ ଆରମ୍ଭ ହୋଇଛି । କିନ୍ତୁ ଯେତେବେଳେ ଓଡ଼ିଆ  ସିନେମାର ୮୯ ବର୍ଷ ପାଳିତ ହେଉଛି, ମନକୁ ଅନେକ ପ୍ରଶ୍ନ ଆସୁଛି । ସେଗୁଡିକ ହେଲା, ଗତ ଏପ୍ରିଲ ୧୧  ତାରିଖରେ ୩ଟି ଓଡ଼ିଆ ସିନେମା ରିଲିଜ୍‌ ହେଲା । ସମସ୍ତେ ସମସ୍ତଙ୍କ ସିନେମା ଦେଖିବାକୁ ଯାଇ ଉଦାହରଣ  ସୃଷ୍ଟି କଲେ । ‘ଆମ ଭାଇଚାରା...’, ‘ସିନେମା  ମହାମିଳନ...’, ‘ଓଡ଼ିଆ ସିନେମାର ସୁବର୍ଣ୍ଣ  ଯୁଗ ଆସିଲା...’ ଇତ୍ୟାଦି କୁହାଗଲା । ୩ଟି ଯାକ ସିନେମା ବହୁତ ଭଲ ଥିଲା ।  ‘ଆଜିର ରେବତୀ’, ‘ପାଦେ ଆକାଶ’ ଓ  ‘ଡଷ୍ଟବିନ୍‌’ । ସବୁଯାକ ଭଲ ହୋଇଥିଲେ  ମଧ୍ୟ ନିଜ ନିଜ ମଧ୍ୟରେ ପ୍ରତିଯୋଗିତା ପାଇଁ  ଦର୍ଶକ ସବୁ ଫିଲ୍ମ ଦେଖିବାକୁ ଆସିପାରିଲେ  ନାହିଁ । ବାଉଳା ହେଲେ କିଏ କେଉଁଟା ଦେଖିବେ ।  

ସେହି ସିନେମାଗୁଡିକ ୪ ସପ୍ତାହ ଛୁଇଁବା ପୂର୍ବରୁ ପୁଣି ଏପ୍ରିଲ୍‌ ୨୫ ତାରିଖ ଶୁକ୍ରବାର ଦିନ ଦୁଇଟି ଓଡ଼ିଆ  ସିନେମା ରିଲିଜ୍‌ ହେଲା ‘ରାକେଟ୍‌’ ଓ ‘୧୯୯୯’ ।  କିନ୍ତୁ ଏଠି ସିନେମା ଟିକଟ ଦାମ୍‌ ଯାହା ୨/୩ ସପ୍ତାହ  ଭିତରେ ଓଡ଼ିଆ ସିନେମା ଦେଖିବାକୁ ଇଚ୍ଛା ଥିଲେ ବି ବଡ଼  ମଲ୍‌ରେ ଥିବା ମଲ୍ଟିସ୍କ୍ରିନ୍‌କୁ ପରିବାର ସହିତ ଏକାଠି ଗଲେ  ଥରକେ ୨ ହଜାରରୁ ଅଧିକ ଖର୍ଚ୍ଚ ହେଉଛି । ୩ ସପ୍ତାହ  ଭିତରେ ଯଦି ୫ଟି ଓଡ଼ିଆ ସିନେମା ଆସିଲେ, ତେବେ  ୫ଟି ଯାକ ସିନେମା ପରିବାର ସହିତ ଗଲେ ସର୍ବନିମ୍ନ  ୧୦ ହଜାର ଖର୍ଚ୍ଚ ହେବ । ଏ ସମସ୍ୟା କଥା ପ୍ରଯୋଜକ  ଯେଉଁଦିନ ବୁଝିଯିବେ, ସେହିଦିନ ପ୍ରଯୋଜକ, ଓଡ଼ିଆ  ଦର୍ଶକ ଏବଂ ସିନେପ୍ରେମୀଙ୍କ ପାଇଁ ଭଲ ଦିନ ହେବ । ତେବେ ମୋହନ ଗୋସ୍ୱାମୀ ‘ସୀତା ବିବାହ’ ପାଇଁ  ସେ ସମୟରେ ଘର ବନ୍ଧା ପକାଇଦେଲେ । 

ଆଜି ୮୯  ବର୍ଷ ସରିବାକୁ ବସିଛି, ଏ ଭିତରେ କେତେ ପ୍ରଯୋଜକ ସିନେମା ଚଲାଇ ନ ପାରି ଘର ବାଡ଼ି ବିକି ସାରିଲେଣି  ଏବଂ କେତେ ହତାଶ ହୋଇ ଦୁନିଆରୁ ଚାଲି ଗଲେଣି ।  ମାତ୍ର ପ୍ରଶ୍ନ ଲାଭ କାହାର ହେଲା? ତେଣୁ ଏତେ ସବୁ  ପରେ ଏବେ ଚିନ୍ତା କରନ୍ତୁ, କ’ଣ ଆମେ ସତରେ ଓଡ଼ିଆ  ସିନେମାର ସୁବର୍ଣ୍ଣ ଯୁଗ ଆସିଛି ବୋଲି କହିପାରିବା କି?  ମାତ୍ର ପୂର୍ବରୁ ଯେପରି ପ୍ରଯୋଜକ ଏବଂ  ବିତରକମାନଙ୍କର ସିଣ୍ଡିକେଟ୍‌ ଥିଲା, ଆଲୋଚନା କରି ଓଡ଼ିଆ ସିନେମା ରିଲିଜ୍‌ କରୁଥିଲେ, ସେହିପରି  ଆଉ ଏକ ସିଣ୍ଡିକେଟ୍‌ର ଆବଶ୍ୟକତା ଅନୁଭବ  ହେଉଛି। ନଚେତ୍‌ କାହାଣୀ, ସଂଳାପ, ସଂଗୀତ,  ଚିତ୍ରୋତ୍ତଳନ ଏବଂ ନିର୍ଦ୍ଦେଶକ ଭଲ ଥାଇ ମଧ୍ୟ  ସିନେମା ସୀମିତ ହଲ୍‌ରେ ଦୀର୍ଘଦିନ ଚାଲିବା ଅସମ୍ଭବ  ହୋଇପଡ଼ିବ । ସରକାରୀ ସ୍ତରରେ ଫିଲ୍ମ ହଲ୍‌ ସହିତ  ପ୍ରଯୋଜକମାନଙ୍କୁ ପ୍ରୋତ୍ସାହନ ଅର୍ଥ ପ୍ରଦାନ କରାଗଲେ  ଓଡ଼ିଆ ଚଳଚ୍ଚିତ୍ର ନିର୍ମାତାମାନେ କିଛିଟା ଲାଭବାନ  ହୋଇପାରନ୍ତେ ବୋଲି ସିନେ ବିଶେଷଜ୍ଞ ମତ ରଖିଛନ୍ତି ।  

ଏହି ପ୍ରସଙ୍ଗରେ ସିନେ ସମୀକ୍ଷକ ଓ ଲେଖକ  ଶ୍ୟାମା ପ୍ରସାଦ ମିଶ୍ର କହିଛନ୍ତି, ବର୍ତ୍ତମାନ ସମୟରେ ଖୁବ  ସୁନ୍ଦର ଓଡ଼ିଆ ଚଳଚ୍ଚିତ୍ର ହେଉଛି । ପ୍ରଯୋଜକମାନେ  ୫କୋଟି ପର୍ଯ୍ୟନ୍ତ ଅର୍ଥ ଲଗାଇ ପାରୁଛନ୍ତି । ମାତ୍ର ସରକାରୀ  ପ୍ରୋତ୍ସାହନର ଘୋର ଅଭାବ, ସୀମିତ ହଲ୍‌, କଳିଙ୍ଗ ଷ୍ଟୁଡିଓ  ସହଭାଗିତାର ଅଭାବ ଏବଂ ନିଜ ନିଜ ଭିତରେ ବିବାଦ ଓ  ସମନ୍ୱୟର ଅଭାବ ପାଇଁ ଓଡ଼ିଆ ସିନେମା ବ୍ୟବସାୟିକ  କ୍ଷତି ସହୁଛି । ହଲ୍‌ରେ ଏବେ ୩ଟି ସିନେମା ଥିବାବେଳେ  ଆଉ ଦୁଇଟି ସିନେମା ରିଲିଜ୍‌ କରି ପ୍ରଯୋଜକମାନେ  କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ? 

ଏହି ପ୍ରତିଯୋଗିତାରୁ  ସେମାନଙ୍କୁ ଲାଭ କି କ୍ଷତି ହେଉଛି ତାହା ତାଙ୍କୁ ବୁଝିବାକୁ ହେବ । ଏଠି ଆମ ନିଜର ରିଲିଜ୍‌ ପଲିସି ଠିକ୍‌ ନାହିଁ, ଆମେ ସରକାରଙ୍କୁ ସିନେମା ପଲିସି ନାହିଁ ବୋଲି କହି କାହିଁକି  ଦାୟୀ କରିବା? ତେଣୁ ଏକାବେଳେ ପ୍ରତିଯୋଗିତାମୂଳକ  ରିଲିଜ୍‌ ଛାଡ଼ି ସହଯୋଗିତା ଭିତିରେ ରିଲିଜ କଲେ  ଫାଇଦା ବେଶି ବୋଲି ବୁଝିବାକୁ ହେବ । ସବୁ ପରେ  ଆମକୁ ସଂକଳ୍ପ ନେବାକୁ ହେବ, ଗୋଡ଼ ଟଣାଟଣିରୁ  ବିରତି ନେଇ ଭଲ ଓଡ଼ିଆ ସିନେମା ଏବଂ ଆଗାମୀ  ପିଢ଼ିର ସିନେମା ପାଇଁ ଚିନ୍ତା କରିବା ହେବ । ଏଥିସହିତ  ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ, ଓଡ଼ିଶା ସରକାର ଆଜିର  ଦିନରେ ଓଡ଼ିଆ ସିନେମାକୁ ଟିକସ ମୁକ୍ତ ଘୋଷଣା କରନ୍ତୁ ।