ଭୁବନେଶ୍ୱର, ୧୮/୦୫: ସମବାୟ କ୍ଷେତ୍ର  ହେବ ଅଧିକ ସକ୍ରିୟ ଓ ଚଳଚଞ୍ଚଳ । କେବଳ  କୃଷିଋଣ ଲଗାଣରେ ଆଉ ସୀମିତ ରହିବନି ସମବାୟ ସମିତି । ଏହାକୁ ସଶକ୍ତ କରାଯିବ । ଲୋକ ପାଇବେ ବହୁମୁଖୀ ସେବା । ଏଥିପାଇଁ  ରାଜ୍ୟରେ ଅଧିକ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ  ଖୋଲିବାକୁ ନିଷ୍ପତ୍ତି କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସମବାୟ ମନ୍ତ୍ରାଳୟର ଅନୁମୋଦନକ୍ରମେ  ନାବାର୍ଡ ୧୪ଟି ନୂଆ କେନ୍ଦ୍ର ସମବାୟ ବ୍ୟାଙ୍କ  (ଡିସିସିବି)ଶାଖା ଖୋଲିବାକୁ ଯାଉଛି । ଏହି ବ୍ୟାଙ୍କ  ଖୋଲିବା ଦ୍ୱାରା ଗ୍ରାମାଞ୍ଚଳ ଅର୍ଥନୀତି ଅଧିକ ସକ୍ରିୟ  ହେବ । ଗାଁ ଅର୍ଥନୀତିର ଇଞ୍ଜିନ ସାଜିବ ସମବାୟ  ସଂସ୍ଥା । କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସମବାୟ ସମିତିର  କୃଷିଋଣ ଲଗାଣରୁ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ଅନୁଧ୍ୟାନ କରିପାରିବେ ।  

ରାଜ୍ୟରେ ୧୭ଟି କେନ୍ଦ୍ର ସମବାୟ ବ୍ୟାଙ୍କ  ଅଛି । ଏଥିରୁ ୧୪ଟି ପୁରୁଣା ଜିଲ୍ଲାର ମୁଖ୍ୟାଳୟରେ  ଅବସ୍ଥିତ । ଦୀର୍ଘବର୍ଷ ହେବ ରାଜ୍ୟରେ ଜିଲ୍ଲା ସଂଖ୍ୟା ବଢ଼ି ୩୦ରେ ପହଞ୍ଚିଛି । ପାକ୍ସଗୁଡ଼ିକ  ସହ କେନ୍ଦ୍ର ସମବାୟ ବ୍ୟାଙ୍କର ଯୋଗାଯୋଗ  ସମବାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୮ଟି ଜିଲ୍ଲା  କେନ୍ଦ୍ର ସମବାୟ ବ୍ୟାଙ୍କକୁ ବିଭକ୍ତ କରାଯାଇ  ୧୪ଟି ଡିସିସିବି କରାଯିବ । ଏହାଦ୍ୱାରା ରାଜ୍ୟରେ ଡିସିସିବି ସଂଖ୍ୟା ୩୧ ଛୁଇଁବ । କଟକ, ଅନୁଗୁଳ,  ବାଲେଶ୍ୱର, ଭବାନୀପାଟଣା, ବାଲେଶ୍ୱର, ବୌଦ୍ଧ,  କୋରାପୁଟ ଏବଂ ସମ୍ବଲପୁର କେନ୍ଦ୍ର ସମବାୟ ବ୍ୟାଙ୍କର ପୁନର୍ଗଠନ ହେବ । ଜଗତସିଂହପୁର, ଯାଜପୁର,  କେନ୍ଦ୍ରାପଡ଼ା, ଢେଙ୍କାନାଳ, ଭଦ୍ରକ, ନୂଆପଡ଼ା, ସୁବର୍ଣ୍ଣପୁରରେ ଖୋଲିବ କେନ୍ଦ୍ରୀୟ ବ୍ୟାଙ୍କ । ଏହାଛଡ଼ା କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର,  ରାୟଗଡ଼ା, ବରଗଡ଼, ଦେବଗଡ଼ ଓ ଝାରସୁଗୁଡ଼ାରେ ମଧ୍ୟ ନୂଆ ଡିସିସିବି  ଖୋଲିବ । ଏହାଦ୍ୱାରା ରାଜ୍ୟର ଚାଷୀକୁଳ ବେଶ ଲାଭବାନ ହେବେ । 

ରାଜ୍ୟରେ ସମବାୟ ସଂସ୍ଥା ଉପରେ ଲୋକଙ୍କ ଆସ୍ଥା ଫେରାଇ ଆଣିବା ସହ  ଏହାକୁ ଗ୍ରାମ୍ୟ ଅର୍ଥନୀତିର ମେରୁଦଣ୍ଡ କରିବାକୁ ନୂଆ ସରକାର ଅଗ୍ରାଧିକାର  ଦେଉଛନ୍ତି । ନିକଟରେ ରାଜ୍ୟରେ ୧୫୪୨ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ  ସମିତିର ଶୁଭାରମ୍ଭ ହୋଇଛି । ପାକ୍ସ ଓ ଲାମ୍ପ୍‌ସରେ ସାର, ବିହନ ଯୋଗାଣ, ଜନ  ଔଷଧି କେନ୍ଦ୍ର ଓ କମନ୍‌ ସର୍ଭିସ ସେଣ୍ଟର ସ୍ଥାପନ, କୃଷି ସେବା କେନ୍ଦ୍ର ସ୍ଥାପନ ଓ  ବୈଜ୍ଞାନିକ ପଦ୍ଧତିରେ ଶସ୍ୟ ସଂରକ୍ଷଣ କେନ୍ଦ୍ର ସ୍ଥାପନକୁ ଗୁରୁତ୍ୱ ଦିଆଯାଉଛି ।  ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୭୭ଟି ପ୍ୟାକ୍ସକୁ ମଡେଲ୍‌ ପ୍ୟାକ୍ସ ଭାବରେ  ବିକଶିତ କରିବା ପାଇଁ କାମ ଆରମ୍ଭ କରିଛନ୍ତି । ରାଜ୍ୟରେ ୪୨୫୩ ପାକ୍ସ ରହିଛି । 

ଇତିମଧ୍ୟରେ ସମବାୟ ଋଣ ବଣ୍ଟନରେ ସଂସ୍କାର ଆସିଛି । ସମବାୟ  ବିଭାଗ ନିଷ୍ପତ୍ତି ନେଇଛି, କୁକୁଡ଼ା ଓ ବତକ ଫାର୍ମ ପାଇଁ ପାକ୍ସ ଓ ଲାମ୍ପ୍‌ସଗୁଡିକ  ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେଇପାରିବେ । ସବ୍‌ସିଡି ପାଇବାକୁ ଡିସିସିବିର ଅନୁମତି କିନ୍ତୁ ବାଧ୍ୟତାମୂଳକ । ଡିସିସିବି ସିଧାସଳଖ କୁକୁଡ଼ା ଓ ବତକ ଫାର୍ମ  ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେଇପାରିବ । ସମବାୟ ବ୍ୟାଙ୍କ ସ୍କୁଟର, ମୋଟରସାଇକେଲ୍‌ ସମେତ ବ୍ୟାଟେରୀ ଚାଳିତ ଦୁଇ ଚକିଆ ଯାନ ପାଇଁ ଋଣ  ପ୍ରଦାନ କରିପାରିବେ । ବ୍ୟାବସାୟିକ ଯାନ, ମତ୍ସ୍ୟପାଳନ, ଗୋପାଳନ ଆଦି  କ୍ଷେତ୍ର ପାଇଁ ଋଣ ମଧ୍ୟ ମିଳିବ । ଅଧିକ ଡିସିସିବି ପ୍ରତିଷ୍ଠା ହେଲେ ଋଣ ଲଗାଣ  ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହୋଇପାରିବ ବୋଲି ସମବାୟବିତ୍‌ ମତ ରଖୁଛନ୍ତି ।