ଭୁବନେଶ୍ୱର,୧୯/୦୬: ନଦୀ, କେନାଲ ଏବଂ ସମୁଦ୍ରରେ ବୁଡ଼ି ପ୍ରତିବର୍ଷ ଶହ ଶହ ଲୋକଙ୍କ ଜୀବନ ଯାଉଛି । ଗତ ୫ ବର୍ଷରେ ପାଣିରେ ବୁଡ଼ି ଯିବା ଯୋଗୁ ଓଡ଼ିଶାରୁ ପ୍ରାୟ୯ ହଜାର ଲୋକ ମରିଛନ୍ତି । ଏହି ଚିନ୍ତାଜନକ ପରିସଂଖ୍ୟନକୁ ଗୁରୁତର ସହ ନେଇଛନ୍ତି ସରକାର । ନିଷ୍ପତ୍ତି ନେଇଛନ୍ତି, ଏଣିକି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀଙ୍କୁ ପହଁରା ଶିଖାଯିବ । ଏହାସହ ଜଳାଶୟର ବିପଦସଂକୁଳ ପଏଣ୍ଟରେ ଲାଇଫ୍ ଗାର୍ଡ ମୁତୟନ କରାଯିବ ।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡ. ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ରିଲିଫ୍ କମିଶନର ପଦ୍ମନାଭ ବେହେରା ରହି ପାଣିରେ ବୁଡ଼ି ମୃତ୍ୟୁର କାରଣ ଓ ପ୍ରତିକାରାତ୍ମକ ପଦକ୍ଷେପ ନେଇ ଆଲୋଚନା କରିଥିଲେ । ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ପାଣିରେ ବୁଡ଼ି ମୃତ୍ୟୁକୁ ରୋକିବା ପାଇଁ ପ୍ରତିକାରାତ୍ମକ ବ୍ୟବସ୍ଥା ଗ୍ରହଣ କରିବାକୁ ପଡ଼ିବ । ଆଗାମୀ ଦିନରେ ସହରଠୁ ଗାଁ ଯାଏ ବ୍ୟାପକ ଜନସେଚତନତା ସୃଷ୍ଟି କରାଯିବ । ଭୌଗୋଳିକ ସ୍ଥିତି ଓ ଜଳାଶୟର ପ୍ରକୃତି ଆଧାରରେ ତଥ୍ୟ ବିଶ୍ଲେଷଣ କରାଯାଇ ବିପଦପୂର୍ଣ୍ଣ ସ୍ଥାନ ବା ବୁଡ଼ି ପ୍ରବଣ ବ୍ଲାକ୍ ସ୍ପଟ୍କୁ ଚିହ୍ନଟ କରାଯିବ । ସେଠାରେ ସତର୍କ ସଙ୍କେତ, ସୁରକ୍ଷା ରେଲିଂ, ବ୍ୟାରିକେଡ୍ କରାଯିବ । ଖୋଲା କୂଅରେ ଆବରଣଯୁକ୍ତ ତାରଜାଲି ବିଛାଯିବ ।
ଅଧିକ ପଢ଼ନ୍ତୁ :- Ancient History: ବୁଢ଼ାବଳଙ୍ଗ ନଦୀ ଗର୍ଭରେ ଲୁଚି ରହିଛି ପ୍ରାଚୀନତମ ଇତିହାସ; ବାରିପଦାରେ ଖେଳୁଥିଲେ ବିଶାଳ ସାର୍କ ମାଛ
ପ୍ରତି ଗ୍ରାମ ପଞ୍ଚାୟତରେ ଅତିକମ୍ରେ ଜଣେ କି ଦୁଇଜଣଙ୍କୁ ଜୀବନ ରକ୍ଷକ (ଲାଇଫ୍ଗାର୍ଡ) ଭାବେ ପ୍ରଶିକ୍ଷଣ ଦିଆଯିବ । ପର୍ଯ୍ୟଟନସ୍ଥଳୀରେ ଥିବା ଜଳାଶୟରେ ଲାଇଫ୍ଗାର୍ଡ ମୁତୟନ କରାଯିବ । ଏନ୍ସିସି, ସିଭିଲ ଡିଫେନ୍ସ ଓ ଯୁବ ସଂଗଠନର ସ୍ୱେଚ୍ଛାସେବୀଙ୍କୁ ଜଳରୁ ଉଦ୍ଧାର କାର୍ଯ୍ୟ ଓ ପ୍ରାଥମିକ ଚିକିତ୍ସା ନେଇ ପ୍ରଶିକ୍ଷଣ ଦିଆଯିବ । ଏହି ଅଭିଯାନକୁ ସଫଳ କରିବା ପାଇଁ ଅଗ୍ନିଶମ ସେବା, ପୁଲିସ, ରାଜ୍ୟ ଅପରାଧ ଅଭିଲେଖ ବ୍ୟୁରୋ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ସ୍ୱତନ୍ତ୍ର ରିଲିଫ କମିଶନର, ଜଳସମ୍ପଦ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମିଳିତ ଭାବେ ଏକ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରିବାକୁ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି ।