ନୂଆଦିଲ୍ଲୀ, ୦୯/୦୭ : ୨୦୧୯ ପୁଲୱାମା ଆକ୍ରମଣ ନେଇ ଚାଞ୍ଚଲ୍ୟକର ଖୁଲାସା। ଇ-କମର୍ସ ୱେବସାଇଟ ଆମାଜନ୍ରୁ କିଣାଯାଇଥିଲା ବିସ୍ଫୋରକ। ବିଶ୍ୱବ୍ୟାପୀ ଆତଙ୍କବାଦୀ ପାଣ୍ଠି ଯୋଗାଣ ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍ଏଟିଏଫ୍) ନିଜର ଏକ ସଦ୍ୟ ରିପୋର୍ଟରେ ଏହା ଖୁଲାସା କରିଛି । ଏଫ୍ଏଟିଏଫ୍ ଏହାର ରିପୋର୍ଟରେ ଉତ୍ତର ପ୍ରଦେଶର ଗୋରଖପୁରସ୍ଥିତ ଗୋରେଖନାଥ ମନ୍ଦିର ଉପରେ ହୋଇଥିବା ହମ୍ଲା ବାବଦରେ ମଧ୍ୟ ଚାଞ୍ଚଲ୍ୟକର ଖୁଲାସା କରିଛି । ଏହି ମନ୍ଦିର ଉପରେ ଯେଉଁ ଆତଙ୍କବାଦୀ ଆକ୍ରମଣ କରିଥିଲା, ତାକୁ ‘ପେ-ପାଲ୍’ ଜରିଆରେ ପେମେଣ୍ଟ କରାଯାଇଥିଲା । ଏହି ଦୁଇଟି ଘଟଣାକୁ ଦୃଷ୍ଟିରେ ରଖି ଏଫ୍ଏଟିଏଫ୍ ଦର୍ଶାଇଛି ଯେ ଇ-କମର୍ସ ଓ ଡିଜିଟାଲ ପେମେଣ୍ଟ ସେବା ଯଦି ଭୁଲ ଲୋକଙ୍କ ହାତରେ ପଡ଼େ, ତେବେ ସେମାନେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବାର ମାଧ୍ୟମ ସାଜିପାରନ୍ତି ।
୧୩୧ ପୃଷ୍ଠାବିଶିଷ୍ଟ ରିପୋର୍ଟରେ କୁହାଯାଇଛି ଯେ, ଆତଙ୍କବାଦୀ ସଙ୍ଗଠନ ଏବେ ପାରମ୍ପରିକ ଉପାୟ ସହ ଅନ୍ଲାଇନ୍ ପେମେଣ୍ଟ, ଗେମିଙ୍ଗ୍ ପ୍ଲାଟଫର୍ମ, ସୋସିଆଲ ମିଡିଆ ଏବଂ ଇ-କମର୍ସ ସାଇଟ୍ ଭଳି ଡିଜିଟାଲ ମାଧ୍ୟମର ମଧ୍ୟ ଉପଯୋଗ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏଫ୍ଏଟିଏଫ୍ ବିଭିନ୍ନ ଦେଶର ସରକାର ଓ ଡିଜିଟାଲ କମ୍ପାନିଗୁଡ଼ିକୁ ଏହିସବୁ ପ୍ଲାଟଫର୍ମର ଦୁରୁପଯୋଗକୁ ରୋକିବା ଲାଗି ଆହ୍ୱାନ ଦେଇଛି । ଏହାକୁ କିଭଳି ରୋକାଯାଇ ପାରିବ, ତାହାର ଉପାୟ ବାହାର କରିବାକୁ କୁହାଯାଇଛି । କାରଣ ଆତଙ୍କୀ ସଙ୍ଗଠନଗୁଡ଼ିକ ଲାଗି ଏହା ଏକ ନୂଆ ତଥା ପ୍ରଭାବଶାଳୀ ମାଧ୍ୟମ ହେବାକୁ ଯାଉଛି । ବର୍ତ୍ତମାନ ଅନେକ ଦେଶ ଆତଙ୍କବାଦ ପାଣ୍ଠି ଯୋଗାଣକୁ ବୁଝିବା ଏବଂ ଏହାକୁ ରୋକିବା ନେଇ ସଶକ୍ତ ହୋଇନାହାନ୍ତି । ଯଦି ଠିକଣା ସମୟରେ ସେମାନେ ଏ ଦିଗରେ ଦକ୍ଷତାସମ୍ପନ୍ନ ନ ହୁଅନ୍ତି, ତେବେ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ଏହାର ଫାଇଦା ଉଠାଇବେ ।
ଉଲ୍ଲେଖଯୋଗ୍ୟ, ୨୦୧୯ ଫେବ୍ରୁଆରୀ ୧୪ରେ ଶ୍ରୀନଗର-ଜମ୍ମୁ ରାଜପଥ ଦେଇ ସିଆରପିଏଫ୍ ଯବାନଙ୍କ ଗାଡ଼ିଗୁଡ଼ିକ ଯାଉଥିଲା । ଗାଡ଼ିଗୁଡ଼ିକ ପୁଲୱାମା ନିକଟରେ ପହଞ୍ଚିବା ପରେ ତାହା ଉପରେ ଆତ୍ମଘାତୀ ଆତଙ୍କୀ ଆକ୍ରମଣ ହୋଇଥିଲା । ଜଣେ ଆତଙ୍କୀ ୨୦୦ କିଲୋଗ୍ରାମ ଓଜନର ବିସ୍ଫୋଟକ ବୋଝେଇ ମାରୁତି ଇକୋ କାର୍ ସହ ଆସି ସିଆର୍ପିଏଫ୍ ଗାଡ଼ିଗୁଡ଼ିକ ସହ ଧକ୍କା ଦେଇଥିଲା । ଏହାଯୋଗୁ ଭୟଙ୍କର ବିସ୍ଫୋରଣ ଘଟି ୪୦ ଯବାନ ସହିଦ ହୋଇଥିଲେ । ସେମାନଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇ ଏଣେତେଣେ ଛିଟିକି ପଡ଼ିଥିଲା । ପାକିସ୍ତାନ ଭିତ୍ତିକ ଆତଙ୍କୀ ସଙ୍ଗଠନ ଜୈସ-ଏ-ମହମ୍ମଦ (ଜେଇଏମ୍) ଏହି ଆକ୍ରମଣ କରିଥିଲା ।