ନୂଆଦିଲ୍ଲୀ, ୧୬।୭: ଜାତିସଂଘର ଏକ ସ୍ୱତନ୍ତ୍ର ସଂସ୍ଥା, ବିଶ୍ୱ ପାଣିପାଗ ସଂଗଠନ (WMO)ଏକ ଚକିତ କଲା ଭଳି ରିପୋର୍ଟ ଦେଇଛି । ବାଲି ଏବଂ ଧୂଳି ଝଡ଼ ୧୫୦ରୁ ଅଧିକ ଦେଶର ପ୍ରାୟ ୩୩୦ ନିୟୁତ ଲୋକଙ୍କୁ ପ୍ରଭାବିତ କରୁଛି । ଯାହା ସ୍ୱାସ୍ଥ୍ୟ, ଅର୍ଥନୀତି ଏବଂ ପରିବେଶ ଉପରେ ଗମ୍ଭୀର ପ୍ରଭାବ ପକାଉଛି । WMO ପ୍ରତିନିଧି ଲୌରା ପାଟରସନଙ୍କ ଜାତିସଂଘ ସାଧାରଣ ସଭାରେ କହିଥିଲେ ଯେ, ପ୍ରତିବର୍ଷ ପ୍ରାୟ ୨ ବିଲିୟନ ଟନ୍ ଧୂଳି ନିର୍ଗତ ହୁଏ । ଯାହା ଇଜିପ୍ଟ ମିଶରର ୩୦୦ ଗିଜା ପିରାମିଡ୍ ସହିତ ସମାନ । ସେ କହିଥିଲେ ଯେ, ବିଶ୍ୱର ୮୦%ରୁ ଅଧିକ ଧୂଳି ଉତ୍ତର ଆଫ୍ରିକା ଏବଂ ମଧ୍ୟପ୍ରାଚ୍ୟ ମରୁଭୂମିରୁ ଆସିଥାଏ । ଏହା ମହାଦେଶ ଏବଂ ମହାସାଗର ଅତିକ୍ରମ କରି ହଜାର ହଜାର କିମି ବ୍ୟାପିଥାଏ ।
୨୦୨୫ରୁ ୨୦୩୪ ପର୍ଯ୍ୟନ୍ତ ବାଲି ଏବଂ ଧୂଳି ଝଡ଼ ମୁକାବିଲା ପାଇଁ ଜାତିସଂଘ ଦଶନ୍ଧି ଘୋଷଣା କରିଥିଲା । ସାଧାରଣ ସଭାର ସଭାପତି ଫିଲେମନ ୟାଙ୍ଗ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ, ମୃତ୍ତିକା କ୍ଷୟ ଯୋଗୁଁ ଏହି ଧୂଳିବାଲି ଝଡ଼ ବିଶ୍ୱ ପାଇଁ କ୍ରମଶଃ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ସେ କହିଛନ୍ତି ଯେ, ଏହି ଝଡ଼ ଦ୍ୱାରା ସୃଷ୍ଟି ହେଉଥିବା ଧୂଳିକଣିକାଗୁଡ଼ିକ ପ୍ରତିବର୍ଷ ୭୦ଲକ୍ଷ ଅକାଳ ମୃତ୍ୟୁର କାରଣ ହୁଏ । ଏହା ଶ୍ୱାସ ରୋଗ ଏବଂ ହୃଦରୋଗ ବୃଦ୍ଧି କରେ । ଏଗୁଡ଼ିକ ଫସଲ ଉତ୍ପାଦନ ୨୫% ହ୍ରାସ କରେ, ଯାହା କ୍ଷୁଧା ଏବଂ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହେବା ସମସ୍ୟାକୁ ବୃଦ୍ଧି କରେ ।
କେତେ କ୍ଷତି କରୁଛି ଧୂଳିବାଲି ଝଡ଼ ?
ପଶ୍ଚିମ ଏସିଆ ପାଇଁ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ କମିଶନର ମୁଖ୍ୟ ରୋଲା ଏଏଚ ଦସ୍ତି କହିଛନ୍ତି, "ମଧ୍ୟପ୍ରାଚ୍ୟ ଏବଂ ଉତ୍ତର ଆଫ୍ରିକାରେ ଏହି ଝଡ଼ର ମୁକାବିଲା ପାଇଁ ବାର୍ଷିକ ଖର୍ଚ୍ଚ ୧୫୦ ବିଲିୟନ ଡଲାର, ଯାହା ଜିଡିପିର ପ୍ରାୟ ୨.୫% ।" ସେ କହିଥିଲେ ଯେ, ଆରବ ଅଞ୍ଚଳରେ ଧୂଳିଝଡ଼ ଯୋଗୁଁ ଇରାକର ଡାକ୍ତରଖାନାଗୁଡ଼ିକରେ ଶ୍ୱାସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । କୁଏତ୍ ଏବଂ ଇରାନରେ ସ୍କୁଲ ଏବଂ କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ କରିବାକୁ ବାଧ୍ୟ କରାଯାଇଥିଲା । ଦାସ୍ତି ଗୁରୁତ୍ୱାରୋପ କରିଥିଲେ ଯେ, ବିଶ୍ୱ ଏବଂ ଜାତୀୟ କାର୍ଯ୍ୟସୂଚୀରେ ବାଲି ଏବଂ ଧୂଳି ଝଡ଼କୁ ଅନ୍ତର୍ଭୁକ୍ତ କରିବା ଗୁରୁତ୍ୱପୂର୍ଣ୍ଣ । ଭୂମି ପୁନରୁଦ୍ଧାର, ସ୍ଥାୟୀ କୃଷି ଏବଂ ସମନ୍ୱିତ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା ଭଳି ସମାଧାନ କାର୍ଯ୍ୟକାରୀ କରିବା ପାଇଁ ସାମୂହିକ ଇଚ୍ଛାଶକ୍ତି ଏବଂ ପାଣ୍ଠିର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।