ନୂଆଦିଲ୍ଲୀ,୧୬/୦୭: ବୈଜ୍ଞାନିକମାନେ ପରସ୍ପର ଧକ୍କା ହେଉଥିବା ଦୁଇଟି ବ୍ଲାକ୍‌ହୋଲ୍‌ର ଅଦ୍ୟାବଧିର ସର୍ବବୃହତ ବିଲୟ ଚିହ୍ନଟ କରିଛନ୍ତି । ବ୍ରହ୍ମାଣ୍ଡରେ ଏଭଳି ବିଶାଳକାୟ ପିଣ୍ଡର ବୃଦ୍ଧି କିଭଳି ହୁଏ, ତାହା ବୁଝିବାକୁ ସଦ୍ୟ ଆବିଷ୍କାର ବୈଜ୍ଞାନିକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ ଖୋଲିଛି । କନେକ୍ଟିକଟ୍‌ର ନ୍ୟୁ ହେଭେନ୍‌ ସ୍ଥିତ ୟେଲ୍‌ ବିଶ୍ୱବିଦ୍ୟାଳୟର ନକ୍ଷତ୍ରବିଜ୍ଞାନୀ ପ୍ରିୟମ୍ବଦା ନଟରାଜନ୍‌ କହିଛନ୍ତି, ଏହା ଅତ୍ୟନ୍ତ ଉତ୍ସାହଜନକ । ଦୁଇ ବିଶାଳକାୟ ବ୍ଲାକ୍‌ହୋଲ ମଧ୍ୟରେ ବିଲୟ ଏତେ ବଡ଼ ଥିଲା ଯେ ଏହାର ବର୍ଣ୍ଣନା କରିବା ବୈଜ୍ଞାନିକଙ୍କ ପାଇଁ ସହଜ ହୋଇଛି । ସେମାନେ ଏହି ବିଶାଳକାୟ ଦୁଇ ବ୍ଲାକ୍‌ହୋଲକୁ ଦେଖିପାରୁଛନ୍ତି । ଲେଜର୍‌ ଇଣ୍ଟରଫେରୋମିଟର ଗ୍ରାଭିଟେସନାଲ୍‌ୱେଭ୍‌ ଅବ୍‌ଜର୍ଭେଟୋରୀ (ଲିଗୋ) ସାହାଯ୍ୟରେ ଏହି ଆବିଷ୍କାର କରାଯାଇଛି । 

ଏହାର ତଥ୍ୟ ବ୍ରିଟେନର ଗ୍ଲାସ୍‌ଗୋ ସ୍ଥିତ ଜିଆର୍‌-ଆମାଲଡି ଗ୍ରାଭିଟେସ୍‌ନାଲୱେଭ୍‌ସ ବୈଠକରେ ଉପସ୍ଥାପନ କରାଯାଇଛି । ଲିଗୋ ନିଜର ଲମ୍ବା, ଏଲ୍‌-ଆକୃତିର ବାହୁରେ ଲେଜର୍‌ ପକାଇ ଲିଗୋ ମାଧ୍ୟାକର୍ଷଣ ତରଙ୍ଗ ଚିହ୍ନଟ କରେ । ବାହୁର ଲମ୍ବରେ ସୂକ୍ଷ୍ମ ପରିବର୍ତ୍ତନ ଗ୍ରହ ଜରିଆରେ ମାଧ୍ୟାକର୍ଷଣ ତରଙ୍ଗର ମାର୍ଗ ଉନ୍ମୋଚନ କରେ । ଏହି ତରଙ୍ଗ ମହାକାଶ-ସମୟରେ ଲହଡ଼ି । ଦୁଇ ବିଶାଳ ଉତ୍ତେଜକ ବ୍ଲାକ୍‌ହୋଲ କିମ୍ବା ନ୍ୟୁଟ୍ରନ୍‌ ନକ୍ଷତ୍ରଙ୍କର ଯେତେବେଳେ ବିଲୟ ହୁଏ, ଏହି ତରଙ୍ଗ ଉତ୍ପନ୍ନ ହୁଏ । ୨୦୧୫ ମସିହାରେ ଲିଗୋ ପ୍ରଥମେ ଏଭଳି ବିଲୟ ଚିହ୍ନଟ କରିଥିଲା । ସେବେଠୁ ମାଧ୍ୟାକର୍ଷଣ ତରଙ୍ଗ ପ୍ରୟୋଗ ଜରିଆରେ ଶତାଧିକ ବିଲୟ ଘଟଣା ଅବଲୋକନ କରାଯାଇଛି । କିନ୍ତୁ ନଭେମ୍ବର, ୨୦୨୩ରେ ହୋଇଥିବା ସଦ୍ୟତମ ଆବିଷ୍କାର ସବୁଠୁ ବିଶାଳ । ଲିଗୋ ଦ୍ୱାରା ଚିହ୍ନଟ ସଙ୍କେତର ମଡେଲିଂ ଜରିଆରେ ବୈଜ୍ଞାନିକମାନେ ଆକଳନ କଲେ, ‘ଜିଡବ୍ଲ୍ୟୁ୨୩୧୧୨୩’ ନାମକ ଏହି ଘଟଣା ସୂର୍ଯ୍ୟଠୁ ୧୦୦-୧୪୦ ଗୁଣ ବିଶାଳ ଦୁଇ ବ୍ଲାକ୍‌ହୋଲ ଯୋଗୁ ହୋଇଛି ।

୨୨୫ ସୌର ଘନତ୍ୱଯୁକ୍ତ ଏକ ଚୂଡ଼ାନ୍ତ ବିଶାଳକାୟ ବ୍ଲାକ୍‌ହୋଲ ସୃଷ୍ଟି କରିବାକୁ ଦୁଇ ବ୍ଲାକ୍‌ହୋଲଙ୍କର ପରସ୍ପର ମଧ୍ୟରେ ବିଲୟ ହେଉଛି । ଲିଗୋ ଅନ୍ତର୍ଗତ ମାଧ୍ୟାକର୍ଷଣ-ତରଙ୍ଗର ଏକ ବ୍ୟାପକ ନେଟ୍‌ୱର୍କ ଏଲ୍‌ଭିକେ କୋଲାବରେସନ୍‌ର ସଦସ୍ୟ ବ୍ରିଟେନର କାର୍ଡିଫ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ମାର୍କ ହନମ୍‌ କହିଛନ୍ତି, ଏହି ବିଲୟ ଏପର୍ଯ୍ୟନ୍ତର ସବୁଠୁ ବଡ଼ ଘଟଣା । ପୂର୍ବର ସର୍ବବୃହତ ବିଲୟ ଘଟଣାର ଏହା ପ୍ରାୟ ୫୦ ପ୍ରତିଶତ ବିଶାଳ । ଲିଗୋ ଦ୍ୱାରା କଏଦ ହୋଇଥିବା ଅଧିକାଂଶ ଘଟଣାରେ ବ୍ଲାକ୍‌ହୋଲଗୁଡ଼ିକ ନିଜ ନକ୍ଷତ୍ର (ସୂର୍ଯ୍ୟ)ର ପ୍ରାୟ ୧୦୦ ଗୁଣ ବିଶାଳ । ବିଶାଳ ନକ୍ଷତ୍ରଙ୍କର ଯେତେବେଳେ ସୁପର୍‌ନୋଭା ଭାବେ ଜୀବନ ଶେଷ ହୁଏ, ସେତେବେଳେ ବ୍ଲାକ୍‌ହୋଲ ସୃଷ୍ଟି ହୁଏ ବୋଲି କୁହାଯାଏ ।

 ତେବେ ଜିଡବ୍ଲ୍ୟୁ୨୩୧୧୨୩ ଘଟଣାରେ ସମ୍ପୃକ୍ତ ଏହି ଦୁଇ ବ୍ଲାକ୍‌ହୋଲ ୬୦-୧୩୦ ସୌର ଘନତ୍ୱର ଆନୁମାନିକ ସୀମା କିମ୍ବା ତା’ର ପାଖାପାଖି ସୀମାରେ ଆସନ୍ତି । ଉକ୍ତ ସୀମାରେ ଏହି ପ୍ରକ୍ରିୟା କାମ କରେ ନାହିଁ । ତେଣୁ ସେମାନଙ୍କର ଉତ୍ପତ୍ତି ବୋଧହୁଏ ଏହି ସ୍ୱାଭାବିକ ତନ୍ତ୍ର ଜରିଆରେ ହୋଇନାହିଁ ବୋଲି ହନମ୍‌ କହିଛନ୍ତି । ଦୁଇ ବ୍ଲାକ୍‌ହୋଲ ସମ୍ଭବତଃ ପୂର୍ବର ବିଲୟ ଘଟଣାରୁ ସୃଷ୍ଟି ହୋଇଥିଲେ, ଯାହା ୨୩୦ରୁ ୧୩୪୦ କୋଟି ଆଲୋକ ବର୍ଷ ଦୂରରେ ଘଟିଛି । ଅର୍ଥାତ୍‌ ୪ ଜେଜେବାପା ଦୁଇ ଅଭିଭାବକରେ ବିଲୟ ହେଉଛନ୍ତି ଏବଂ ସେହି ଦୁଇଜଣ ଗୋଟିଏ ଶିଶୁ ବ୍ଲାକ୍‌ହୋଲରେ ବିଲୟ ହେଉଛନ୍ତି । ଏଲ୍‌ଭିକେ କୋଲାବରେସନ୍‌ର ଅନ୍ୟତମ ସଦସ୍ୟ କାଲିଫର୍ଣ୍ଣିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ବୈଜ୍ଞାନିକ ଆଲାନ ୱିନ୍‌ଷ୍ଟିନ୍‌ କହିଛନ୍ତି । ବ୍ଲାକ୍‌ହୋଲଙ୍କର ମଡେଲ ମଧ୍ୟ ଦର୍ଶାଇଛି ଯେ ସେମାନେ ଅତ୍ୟନ୍ତ ଦ୍ରୁତ ବେଗରେ ଘୂରୁଥିଲେ, ସେକେଣ୍ଡ୍‌କୁ ପ୍ରାୟ ୪୦ ଗୁଣ । ଏମାନଙ୍କର ଘୂର୍ଣ୍ଣନ ଓ ଘନତ୍ୱ ବ୍ରହ୍ମାଣ୍ଡରେ ବ୍ଲାକ୍‌ହୋଲଗୁଡ଼ିକର ବୃଦ୍ଧି ସମ୍ପର୍କରେ ସଙ୍କେତ ଦେଇପାରିବେ । ନକ୍ଷତ୍ରବିଜ୍ଞାନରେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ମିଲ୍‌କି ୱେ ଭଳି ଆକାଶଗଙ୍ଗାଗୁଡ଼ିକର କେନ୍ଦ୍ରରେ ଚିହ୍ନଟ ହୋଇଥିବା ସର୍ବବୃହତ ବ୍ଲାକ୍‌ହୋଲଗୁଡ଼ିକ ପ୍ରାରମ୍ଭିକ ବ୍ରହ୍ମାଣ୍ଡରେ କିଭଳି ବଢ଼ିଥିଲେ ।