ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

ସଫଳ ଗଣତନ୍ତ୍ରର ଆଧାର

Published By : Prameya | May 23, 2025 2:45 PM

କାନାଡ଼ା, ଜର୍ମାନୀ ଭଳି କେତେକ  ଗଣତାନ୍ତ୍ରିକ ଦେଶରେ ବିରୋଧୀ  ଦଳମାନେ ଛାୟା ମନ୍ତ୍ରିମଣ୍ଡଳ ଗଢ଼ନ୍ତି ।  ଫଳରେ ସଂସଦରେ ଆଲୋଚନା  ଗଠନମୂଳକ ହୁଏ । କେତେକ ଦେଶରେ  ବିରୋଧୀ ଦଳକୁ ‘ଅପେକ୍ଷିତ ସରକାର’  ବୋଲି କୁହାଯାଏ, କାରଣ ସରକାର  କୌଣସି କାରଣରୁ ଅସମର୍ଥ ବା  ସଂଖ୍ୟାଲଘୁ ହୋଇଗଲେ ବିରୋଧୀ ଦଳ  ସରକାର ଗଢ଼ନ୍ତି ।

ବିରୋଧ କରିବା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ  ଅବିଚ୍ଛିନ୍ନ ଅଙ୍ଗ । ଏକଛତ୍ରବାଦୀ ଶାସନରେ  ଜଣେ ମଣିଷର ବା ଗୋଟିଏ ନିର୍ଦ୍ଦିଷ୍ଟ ଦଳର ଶାସନ  ଚାଲେ । କ୍ଷମତାହୀନ ଦଳ ବାହାରେ ଆଉ କାହାରିକୁ  ମୁହଁ ଖୋଲିବାକୁ ଦିଆଯାଏନାହିଁ । ମାତ୍ର ଗଣତନ୍ତ୍ରରେ  ଗୋଟିଏ ଦଳ ଶାସନରେ ଥାଆନ୍ତି, ମାତ୍ର ତା’ସହିତ  ଅନ୍ୟ ଏକାଧିକ ଦଳ ମଧ୍ୟ ଥାଆନ୍ତି । ସେମାନେ  ମଧ୍ୟ ଶାସନରେ ଏକ ଅପରିହାର୍ଯ୍ୟ ଅଙ୍ଗ । ପ୍ରାବନ୍ଧିକ  ଚିତ୍ତରଞ୍ଜନ ଦାସଙ୍କ ଭାଷାରେ "ସତ୍ୟ କେବଳ ଗୋଟିଏ  ବାଦରେ କିମ୍ବା ଆଦର୍ଶରେ ନାହିଁ, ତେଣୁ କୌଣସି ଦଳ  କଦାପି ସଂପୂର୍ଣ୍ଣ ସତ୍ୟର ପ୍ରତିନିଧିତ୍ୱ କରିପାରିବ ନାହିଁ ।  ତାକୁ ଅନ୍ୟମାନଙ୍କ କଥା ଶୁଣିବାକୁ ପଡ଼ିବ ଏବଂ ବିବିଧ  ମତର ଏକତ୍ର ସଂଘାତ ଅଥବା ସନ୍ତୁଳନରେ ଯାଇ ଅସଲ  ସତ୍ୟଟି ସମ୍ଭବ ହୋଇପାରିବ । 

ଏହିପରି ଏକ ମୂଳଭୂତ  ବିଚାର ଓ ବିବେକ ଉପରେ ଗଣତନ୍ତ୍ର ଆଧାରିତ ହୋଇ  ରହିଥାଏ । ତେଣୁ ଏଥିରେ ବିବିଧତାକୁ ସମ୍ମାନ  ଦିଆଯାଏ, ଅପର ଆଉ ଜଣକୁ ସମ୍ମାନ ଦିଆଯାଏ,  କ୍ଷମତାର ଆସନରେ ବସିଥିବା ମଣିଷମାନେ ଯେ  ସଂପୂର୍ଣ୍ଣ ସତ୍ୟର ମୋଟେ ଅଧିକାରୀ ନୁହନ୍ତି, ସେହି କଥାଟିକୁ ସଂପୃକ୍ତ ସମସ୍ତେ ଏକ ମହତ୍ତ୍ୱପୂର୍ଣ୍ଣ  ମୂଳକଥା ବୋଲି ସ୍ୱୀକାର କରିନେଇଥାନ୍ତି, ଯିଏ  ସବୁଥିରୁ ଅଧିକ ବଳୁଆ ହୋଇ ନିର୍ବାଚନର  ରଣରେ ବିଜୟୀ ହୋଇ ଶାସନରେ ବସିଛି,  କେବଳ ସେଇ ଏକମାତ୍ର ସର୍ବେସର୍ବା ନୁହେଁ, ଅନ୍ୟ  ତଥାକଥିତ ଅଳ୍ପବଳମାନଙ୍କର ମଧ୍ୟ କିଛି କରିବାକୁ  ରହିଛି, ସେହି କଥାକୁ ଅଲବତ ସମ୍ମାନ ଓ ସ୍ୱୀକୃତି  ଦେବାକୁ ପଡ଼ିବ, ଗଣତନ୍ତ୍ରରେ ଏହାକୁ ହିଁ ସର୍ବପ୍ରଥମ  ଔଚିତ୍ୟ ଓ ଭଦ୍ରତା ବୋଲି ସ୍ୱୀକାର କରାଯାଇଥାଏ ।'  ମାତ୍ର ଅପରପକ୍ଷରେ ଯେଉଁମାନେ ବିରୋଧ କରନ୍ତି  ସେମାନଙ୍କ ବିରୋଧ ପଛରେ ଔଚିତ୍ୟ ଓ ବିବେକଚାଳିତ  ବିଚାରବୋଧ ରହିଥିବା ଦରକାର । କେବଳ ବିରୋଧ  କରିବା ପାଇଁ ବିରୋଧ କରିବା ସେମାନଙ୍କ ନୀତି ହେବା  ଠିକ୍‌ ନୁହେଁ।

ସଂପ୍ରତି ଯେଉଁ ଦଳ ବା ଦଳଗୁଡ଼ିକ ସଂଖ୍ୟାଗରିଷ୍ଠତା  ହାସଲ କରିନପାରି ସରକାର ଗଢ଼ିପାରୁନାହାନ୍ତି ସେହି  ଦଳକୁ ବିରୋଧୀ ଦଳ କୁହାଯାଉଛି । ଏବେ ସାଧାରଣ  ଲୋକ ବିରୋଧୀ ଦଳ କହିଲେ ବୁଝନ୍ତି- ଯେଉଁମାନେ  ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ବିରୋଧ କରନ୍ତି, ମାଇକ୍‌  ଭାଙ୍ଗନ୍ତି, ଚୌକି ଫୋପାଡ଼ନ୍ତି, ବିଲ୍‌ ଚିରନ୍ତି, ବାଚସ୍ପତିଙ୍କ  ନିର୍ଦ୍ଦେଶ ମାନନ୍ତିନାହିଁ, ତାଙ୍କ ଟେବୁଲ ଉପରକୁ ଚଢ଼ନ୍ତି,  ବ୍ୟକ୍ତିଗତ ଆରୋପ ପ୍ରତ୍ୟାରୋପ କରନ୍ତି, ଝାଞ୍ଜ ବଜାନ୍ତି,  ପ୍ଲାକାର୍ଡ଼ ଦେଖାନ୍ତି ଓ ବିଧାନସଭା ବା ସଂସଦକୁ ଅଚଳ  କରନ୍ତି । ଗଣତନ୍ତ୍ରରେ ସଂଖ୍ୟାଲଘୁ ଦଳର ମଧ୍ୟ ଏକ  ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି । ସରକାରୀ କଳ ଦ୍ୱାରା ଯଦି  କ୍ଷମତାର ଅପବ୍ୟବହାର ହେଉଥାଏ ତାକୁ ରୋକିବା  ହେଉଛି ଏହି ଦଳର କାମ। ପୁନଶ୍ଚ ଗଠନମୂଳକ ପ୍ରସ୍ତାବ  ଦେବା ମଧ୍ୟ ଏହାର ସାମ୍ବିଧାନିକ କର୍ତ୍ତବ୍ୟ ଓ ସରକାରୀ  ଦଳ ତାକୁ ସକାରାତ୍ମକ ଭାବରେ ଗ୍ରହଣ କରିବା ଉଚିତ ।  ମାତ୍ର ସଂପ୍ରତି ଭାରତରେ ଉଭୟ ସରକାରୀ ଦଳ ଓ  ବିରୋଧୀ ଦଳ ନିଜ ନିଜର ଭୂମିକା ଠିକ୍‌ଭାବରେ ନିର୍ବାହ  କରୁନଥିବାର ଲକ୍ଷ୍ୟ କରାଯାଉଛି । ପ୍ରତ୍ୟେକ କ୍ଷେତ୍ରରେ  ବିରୋଧୀ ଦଳ ସରକାରଙ୍କୁ ବିରୋଧ କରୁଛି ଓ ବିରୋଧୀ  ଦଳର ପ୍ରସ୍ତାବକୁ ସରକାରୀ ଦଳ ଗ୍ରହଣ କରୁନାହିଁ ।  ପରସ୍ପର ପରସ୍ପରକୁ ଶତ୍ରୁ ମଣୁଛନ୍ତି । ସରକାରୀ ଦଳ  ଯେ ସର୍ବଦା ଠିକ୍‌ କାର୍ଯ୍ୟ କରୁଥିବ ଏଥିରେ କୌଣସି  ନୈଶ୍ଚିତ୍ୟ ନାହିଁ । ମଣିଷ ଓ ପଶୁ ମଧ୍ୟରେ ପାର୍ଥକ୍ୟ  ହେଉଛି-ପଶୁ ଭୁଲ୍‌ କରେ, କିନ୍ତୁ ଭୁଲ୍‌କୁ ସଂଶୋଧନ  କରିପାରେନାହିଁ, କାରଣ ତାର ବିଚାରବୋଧ ନାହିଁ । ମାତ୍ର  ମଣିଷ ଭୁଲ୍‌ କଲେ ତାକୁ ସଂଶୋଧନ କରିପାରେ, କାରଣ  ତାର ବିଚାରଶକ୍ତି ଅଛି । ଯେତେବେଳେ ସରକାରୀ ଦଳ  କିଛି ଭୁଲ୍‌ କରିବସେ, ସେତେବେଳେ ବିରୋଧୀ ଦଳର  ବିରୋଧ ସରକାରୀ ଦଳକୁ ତାର ନିଷ୍ପତ୍ତିର ପୁନର୍ବିଚାର  କରିବା ପାଇଁ ସୁଯୋଗ ଦିଏ । ଅନେକ କ୍ଷେତ୍ରରେ ଭୁଲ୍‌  ସଂଶୋଧିତ ହୋଇଯାଏ । 

ଏହି ପ୍ରସଙ୍ଗରେ ମନେପଡ଼େ  ଜଣେ ବିଶିଷ୍ଟ ପ୍ରାଞ୍ଜପୁରୁଷର ବକ୍ତବ୍ୟ: ଜୀବନ୍ତୁ ମେ  ଶତୃଗଣାଃ ସଦୈବ, ତେଷାଂ ପ୍ରସାଦାତ୍‌ ସୁବିଚକ୍ଷଣୋଦ ହଂ । ଯେ ଯେ ଯଥା ମାଂ ପ୍ରତିବାଧୟନ୍ତି, ତେ ତେ ତଥା  ମାଂ ପ୍ରତିବୋଧୟନ୍ତି । ଅର୍ଥାତ୍‌- ମୋ ଶତ୍ରୁଗଣ ସର୍ବଦା  ବଞ୍ଚିରହନ୍ତୁ, କାରଣ ତାଙ୍କ ପ୍ରସାଦରୁ ମୁଁ ଆହୁରି ବିଚକ୍ଷଣ  ହୋଇପାରୁଛି । ଯଦିଓ ସେମାନେ ମୋତେ ପ୍ରତିରୋଧ  କରନ୍ତି, ତଦ୍ଦ୍ୱାରା ମୁଁ ଜାଗ୍ରତ ହୁଏ । ନିଜର ଭୁଲ୍‌ ତ୍ରୁଟିକୁ  ସୁଧାରିବା ପାଇଁ ସୁଯୋଗ ପାଏ । ଠିକ୍‌ ସେହିପରି  ଗଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ୱାସ କରୁଥିବା ବାମଣ୍ଡାର  ରାଜା ସୁଢଳଦେବଙ୍କୁ କେହି ତର୍କରେ ବିରୋଧ କଲେ  ସେ କହୁଥିଲେ "ମୋ ସହିତ ପ୍ରତିପକ୍ଷତା କଲେ ମୁଁ  ନୂତନ କିଛି ଶିକ୍ଷାଲାଭ କରିବାର ସୁଯୋଗ ପାଇବି,  ମୋର ରାଜସମ୍ମାନ ସ୍ମରଣ କରି ଯେପରି ମୋର ମତକୁ  ନିଜ ମତ ବୋଲି ଗ୍ରହଣ କରିବେନାହିଁ । ଆପଣଙ୍କ  ସମକକ୍ଷ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରୁଛନ୍ତି ବୋଲି  ମନେ କରିବେ । ମୁଁ ଯାହା ଜାଣେ ସେଥିରେ ସମ୍ମତ  ହେବା ସହଜ କାର୍ଯ୍ୟ, ମୋର ମୂର୍ଖ ପ୍ରଜା ମଧ୍ୟ ତାହା  କରିପାରନ୍ତି, ଆପଣ ଆପଣଙ୍କ ପକ୍ଷ ସମର୍ଥନରେ ପଟୁତା  ପ୍ରଦର୍ଶନ କଲେ ହିଁ ମୁଁ ସୁଖୀ ହେବି ।' ଏହି ବକ୍ତବ୍ୟରୁ  ପ୍ରତ୍ୟେକ ସରକାର ଶିକ୍ଷା କରିବା ଉଚିତ ଓ ବିରୋଧୀ  ଦଳକୁ ଦମନ ନକରି ତାଙ୍କ ସ୍ୱରକୁ ଏକ ସତର୍କଘଣ୍ଟି  ଭାବରେ ଗ୍ରହଣ କରିବା ଉଚିତ । ଏହା ହେଉଛି ଏକ  ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା । 

ଅପରପକ୍ଷରେ ବିରୋଧୀ ଦଳର ବିରୋଧ କରିବାର  ଅଧିକାର ରହିଛି । ମାତ୍ର ପ୍ରସଙ୍ଗ ସହ ଜଡ଼ିତ ତଥ୍ୟ  ପରିବେଷଣ କରି ଓ ତର୍କ ଉପସ୍ଥାପନ କରି ବିରୋଧ  କରିବା ହେଉଛି ଗଣତାନ୍ତ୍ରିକ ମୂଲ୍ୟବୋଧ । ମାତ୍ର ଏବେ  ଦେଖାଯାଉଛି ଘଣ୍ଟା ପିଟି, ଝାଞ୍ଜ ବଜାଇ, ତୂରୀ ବଜାଇ,  ବାଚସ୍ୱତିଙ୍କ ପୋଡିଅମକୁ ଚଢ଼ି ମାଇକ ଭାଙ୍ଗି, ପରସ୍ପର  ମଧ୍ୟରେ ମୁଥ ମରାମରି ହୋଇ, ଅପଶବ୍ଦ ବ୍ୟବହାର  କରି ବିରୋଧୀ ଦଳ ପ୍ରତିବାଦ କରୁଛି । ବିଡ଼ମ୍ବନା  ହେଉଛି, ଆଜି ଯେଉଁ ଦଳ ସରକାରରେ ଅଛି ବିରୋଧୀ  ଦଳର ଏତାଦୃଶ କାର୍ଯ୍ୟକୁ ନିନ୍ଦା କରି ଅଗଣତାନ୍ତ୍ରିକ  କହୁଛି । ମାତ୍ର ସେହି ଦଳ ଯେତେବେଳେ ବିରୋଧୀ  ଦଳର ଭୂମିକା ନିର୍ବାହ କରୁଛି, ସେହିଭଳି ପ୍ରତିବାଦକୁ  ଆପଣେଇ ନେଉଛି । 

ପ୍ରତ୍ୟେକ ଦଳ ନିଜକୁ ଶୃଙ୍ଖଳିତ  ଓ ଅନ୍ୟ ଦଳକୁ ବିଶୃଙ୍ଖଳିତ ଓ ଅଗଣତାନ୍ତ୍ରିକ କହି  ପରିଶେଷରେ ସବୁଦଳ ନିଜକୁ ଅଗଣତାନ୍ତ୍ରିକ ପ୍ରମାଣ  କରୁଛନ୍ତି । ଏହି ପ୍ରସଙ୍ଗରେ ବିଶିଷ୍ଟ ଲେଖକ ମନୋଜ  ଦାସଙ୍କ ଏକ ଉଦାହରଣ ମନେପଡ଼େ । ଥରେ ଜଣେ  ନେତା କହିଲେ, ବିରୋଧୀମାନେ ପ୍ରଚାର କହୁଛନ୍ତି ମୁଁ  କୁଆଡ଼େ ଗୋଟେ ଗୁଣ୍ଡା । ଏଠାରେ ସିନା ସେମାନେ ମୋର  ବଦନାମ କରୁଛନ୍ତି । ଥରେ ମୋ ଇଲାକାକୁ ଆସି କଥା  କହନ୍ତୁ ସେମାନେ କିପରି ଅକ୍ଷତ ଅବସ୍ଥାରେ ଫେରିବେ  ଦେଖିବା । ନେତା ଜଣକ ନିଜକୁ ଗୁଣ୍ଡା ନୁହେଁ ବୋଲି  ପ୍ରମାଣ କରିବାକୁ ଯାଇ ଆଚରଣରେ ସେ ଜଣେ ଗୁଣ୍ଡା  ବୋଲି ପ୍ରମାଣ କଲେ । ଠିକ୍‌ ସେପରି, ପ୍ରତ୍ୟେକ ଦଳର  ନେତା ଆଚରଣରେ ପ୍ରମାଣ କରନ୍ତି ଯେ, ସେମାନେ ଏକା  ଲାଉର ମଞ୍ଜି । ଏହା ଗଣତନ୍ତ୍ର ପାଇଁ ବିପଜ୍ଜନକ । 

କାନାଡ଼ା, ଜର୍ମାନୀ ଭଳି କେତେକ ଗଣତାନ୍ତ୍ରିକ  ଦେଶରେ ବିରୋଧୀ ଦଳମାନେ ଛାୟା ମନ୍ତ୍ରିମଣ୍ଡଳ  ଗଢ଼ନ୍ତି । ଫଳରେ ସଂସଦରେ ଆଲୋଚନା ଗଠନମୂଳକ  ହୁଏ । କେତେକ ଦେଶରେ ବିରୋଧୀ ଦଳକୁ "ଅପେକ୍ଷିତ  ସରକାର' ବୋଲି କୁହାଯାଏ, କାରଣ ସରକାର କୌଣସି  କାରଣରୁ ଅସମର୍ଥ ବା ସଂଖ୍ୟାଲଘୁ ହୋଇଗଲେ  ବିରୋଧୀ ଦଳ ସରକାର ଗଢ଼ନ୍ତି । ଏଣୁ ବିଶିଷ୍ଟ ସ୍ତମ୍ଭକାର  ଭଗବାନ ପ୍ରକାଶ ଏକ ପ୍ରବନ୍ଧରେ କହିଛନ୍ତି, ଗଣତନ୍ତ୍ରରେ  ଯେଉଁ ସଂଖ୍ୟାଲଘୁ ଦଳକୁ ବିରୋଧୀ ଦଳ କୁହାଯାଉଛି  ତାକୁ ବିରୋଧୀ ଦଳ କୁହାନଯାଇ ବିକଳ୍ପ ଦଳ  କୁହାଯିବା ଉଚିତ । ବିରୋଧୀ ଦଳ କହିବା ଦ୍ୱାରା ଦଳର  ସଦସ୍ୟ ଧରିନେଉଛନ୍ତି ଯେ ସେମାନଙ୍କ କାମ ହେଉଛି  ସବୁବେଳେ ବିରୋଧ କରିବା । ସେମାନେ ଏହି ଭ୍ରାନ୍ତ  ଧାରଣାରୁ ମୁକ୍ତ ହେବା ଦରକାର । ସେମାନେ ନିଜକୁ  ସରକାରୀ ଦଳର ଏକ ବିକଳ୍ପ ଭାବରେ ପ୍ରତିପାଦିତ  କରିବା ଆବଶ୍ୟକ । ସଂସଦୀୟ ଗଣତନ୍ତ୍ରରେ ବିରୋଧୀ  ଦଳ ନିଜ ସଂକୁଚିତ ସଂଖ୍ୟାକୁ ନେଇ ବିଚଳିତ ହେବା  ଉଚିତ ନୁହେଁ । ସର୍ବଦା ନିଷ୍ପକ୍ଷ ବା ନିରପେକ୍ଷ ମନୋଭାବ  ନେଇ ଦେଶର ବୃହତ୍ତର ସ୍ୱାର୍ଥ ପାଇଁ କାମ କରିବା  ବିରୋଧୀ ଦଳର ସାମ୍ବିଧାନିକ କର୍ତ୍ତବ୍ୟ । ବିଡ଼ମ୍ବନାର  ବିଷୟ ଯେ, ସଂପ୍ରତି ଭାରତରେ ଉଭୟ ସରକାରୀ ଓ  ବିରୋଧୀ ଦଳ ଆଦର୍ଶଚ୍ୟୁତ ହୋଇଯାଇଛନ୍ତି । 

କଳେବଳେ-କୌଶଳେ ନିର୍ବାଚନ ଲଢ଼ିବାକୁ ଓ ଜିତିବାକୁ  ସେମାନେ ଯେତିକି ଆଗ୍ରହ ପ୍ରକାଶ କରୁଛନ୍ତି ଗଣତାନ୍ତ୍ରିକ  ପ୍ରକ୍ରିୟା ଅନୁସରଣ କରିବା ପାଇଁ ସେତିକି ଅନିଚ୍ଛା  ପ୍ରକାଶ କରୁଛନ୍ତି । ଏଥିପାଇଁ ଜୟପ୍ରକାଶ ନାରାୟଣ ଏକ  ଦଳମୁକ୍ତ ସରକାର ଗଢ଼ିବା ପାଇଁ ଆହ୍ୱାନ ଦେଇଥିଲେ ।  ସବୁ ବର୍ଗର ପ୍ରତିନିଧି ଓ ଅଭିଜ୍ଞ ଲୋକଙ୍କୁ ନେଇ ଏକ  ଜାତୀୟ ସରକାର ଗଢ଼ାଯିବା ଉଚିତ ବୋଲି ସେ ମତ  ଦେଉଥିଲେ । ଏବେ ମଧ୍ୟ ଛୋଟ ନିଉଏ, ଟୁଭୁଲୁ ଭଳି  ଛୋଟ ଦ୍ୱୀପରେ ରାଜନୈତିକ ଦଳବିହୀନ ସରକାର  ପ୍ରଚଳିତ ଥିଲେ ହେଁ ଭାରତ ଭଳି ବୃହତ ଗଣତନ୍ତ୍ରରେ  ଏହା ସଫଳ ହେବା ସମ୍ଭବ ନୁହେଁ । ଏଣୁ ସରକାରୀ ଦଳ  ଓ ତଥାକଥିତ ବିରୋଧୀ ଦଳ (ଯାହାକୁ ବିକଳ୍ପ ଦଳ  କହିବା ବେଶୀ ସମୀଚୀନ)ର ସୁସହାବସ୍ଥାନ ହିଁ ସଫଳ  ଗଣତନ୍ତ୍ରର ଆଧାର ହୋଇପାରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.