ନବରଙ୍ଗପୁର,୨୦।୬ : ୧୦ ଲକ୍ଷ ଟଙ୍କାରେ ବାଘ ଛାଲ ବିକ୍ରି ଉଦ୍ୟମ ବେଳେ ଚଢାଉ। ମହାବଳ ବାଘ ଛାଲ ଜବତ କରିଛି ବନବିଭାଗ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେଞ୍ଜ ଅନ୍ତର୍ଗତ ପାତ୍ରୀ ସଂରକ୍ଷିତ ଜଙ୍ଗଲରୁ ଏହି ବାଘ ଛାଲ ଜବତ କରିଛି ବନବିଭାଗ। ଏଥିରେ ଜଣଙ୍କୁ ବନବିଭାଗ ଗିରଫ କରିଥିବା ବେଳେ ଦୁଇ ଜଣ ଫେରାର ହୋଇଯାଇଛନ୍ତି । ଗିରଫ ଅଭିଯୁକ୍ତ ଜଣକ ହେଲେ ଡାବୁଗାଁ ଥାନା ଅନ୍ତର୍ଗତ ପାତ୍ରୀ ଗ୍ରାମର ଶିବୁନ ଟାକ୍ରୀ
ନବରଙ୍ଗପୁର ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସୂଚନା ଅନୁସାରେ ଗତ କିଛି ଦିନ ଧରି ଜିଲ୍ଲାରେ ମହାବଳ ବାଘ ଛାଲ କାରବାର ଚାଲୁଥିବା ନେଇ ଗୁପ୍ତ ସୂଚନା ପାଇବା ପରେ ବନବିଭାଗ ସତର୍କ ହୋଇଥିଲେ । ବାଘ ଛାଲ ବିକ୍ରି ପାଇଁ ଯୋଜନା କରାଯାଉଥିବା ନବରଙ୍ଗପୁର ବନ ଖଣ୍ଡ ଅଧିକାରୀ ଉଦୟନ ସୁବୁଦ୍ଧି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସିଏଫ୍ ସୁବାଷ ଚନ୍ଦ୍ର ଖୁଣ୍ଟିଆ ଓ ଡାବୁଗାଁ ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ଭତରା ଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରିଥିଲେ।
ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ପାତ୍ରି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପଛରେ ଥିବା ପାତ୍ରି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜଣେ ବ୍ୟକ୍ତି ଏକ ବ୍ୟାଗ ରେ ରୟାଲ ବେଙ୍ଗଲ ( ମହାବଳ ) ବାଘ ଛାଲ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବନ ବିଭାଗ କର୍ମଚାରୀ ମାନେ ଗ୍ରାହକ ସାଜି ବାଘ ଛାଲ କିଣିବା ବାହାନା ରେ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ତେବେ ବନ କର୍ମଚାରୀଙ୍କୁ ଦେଖି ଦୁଇ ଜଣ ଜଙ୍ଗଲ ଭିତରେ ଦୌଡି ପଳାଇଥିଲେ। ବନ କର୍ମଚାରୀ ଜଣକୁ କାବୁ କରିଥିବା ବେଳେ ତା ନିକଟରୁ ଏକ ବ୍ୟାଗ ରେ ମହାବଳ ବାଘ ର ଛାଲ ଜବତ କରିଥିଲେ। ବାଘ ଛାଲ କୁ ସିଲାଇ କରାଯାଇ ୧୦ ଲକ୍ଷ ଟଙ୍କା ରେ ବିକ୍ରି ଉଦ୍ଦେଶ୍ୟ ରେ ରଖା ଯାଇଥିଲା। ବନ କର୍ମଚାରୀ ବାଇକ୍ ସହ ଅଭିଯୁକ୍ତ ଶିବୁନ ଟାକ୍ରି କୁ ଗିରଫ କରିଛି। ଏଥିରେ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ତାହାର ଅଧିକ ତଦନ୍ତ ଜାରି ରହିଛି। ଗିରଫ ଅଭିଯୁକ୍ତ ଜଣକ ଡାବୁଗାଁ ଥାନା ଅନ୍ତର୍ଗତ ପାତ୍ରୀ ଗ୍ରାମର ଶିବୁନ ଟାକ୍ରୀ ବୋଲି ଜଣା ପଡିଛି। ଏ ନେଇ ବନ ବିଭାଗ ତରଫରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି। । ଅପରପକ୍ଷରେ ଏନେଇ ଅଧିକ ତଦନ୍ତ ଜାରି ରହିବା ସହିତ ଫେରାର ଦୁଇ ଆସାମୀ ଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଥିବା ଡିଏଫଓ ସୂଚନା ଦେଇଛନ୍ତି ।
ଆହୁରି ପଢନ୍ତୁ : ଏସଆଇଆର ପ୍ରସଙ୍ଗରେ ସିଇଓଙ୍କୁ ଭେଟିଲେ ବିଜେଡ଼ି ଟିମ୍, ତ୍ରୁଟି ସମ୍ପର୍କରେ କଲେ ଅବଗତ