କୋରେଇ, ୧୯/୦୬ : ସୁସଜ୍ଜିତ ଗାଡ଼ିରେ ଆସିଲେ ବର । ଡିଜେ ବଜାଇ ନାଚିଲେ ବରଯାତ୍ରୀ । ଉତ୍ସାହିତ ବର ନିଜେ ମଧ୍ୟ ନାଚିଲେ । ବରଗାଡ଼ି ପହଞ୍ଚିଲା ଗ୍ରାମର ସିଦେ୍ଧଶ୍ୱରୀ ମା’ଙ୍କ ପୀଠରେ । ସେଠି ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲା କନ୍ୟା । ଧୂମଧାମରେ ହେଲା ବିବାହ । ହେଲେ କନ୍ୟା ବେଶରେ ସଜେଇ ହୋଇଥିଲେ ଆଉ ଜଣେ ପୁରୁଷ । ଯାଜପୁର ଜିଲ୍ଲା କୋରେଇ ବ୍ଲକ ବନ୍ଦାଳୋ ପଞ୍ଚାୟତ ଗହ୍ମାରିଆ ଗ୍ରାମରେ ହୋଇଥିବା ଏହି ‘ଅଣ୍ଡିରା ବିବାହ’ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ, ଚଳିତ ବର୍ଷ ବର୍ଷା ଋତୁ ଆରମ୍ଭ ହୋଇ ସାରିଛି । ମାତ୍ର ଏଯାବତ୍‌ ଆଖିଦୃଶିଆ ବର୍ଷା ହେଉନାହିଁ । ଅନ୍ୟପକ୍ଷରେ ‘ଏଲ୍‌ ନିନୋ’ ପ୍ରଭାବରେ ଖୁବ୍‌ କମ୍‌ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି । ଗ୍ରୀଷ୍ମପ୍ରବାହ ଏଯାବତ୍‌ ଜାରି ରହିଛି । ଗହ୍ମାରିଆ ଗ୍ରାମରେ ଏକ ପରମ୍ପରା ରହିଛି ‘ଅଣ୍ଡିରା ବିବାହ’ କରାଇଲେ ସ୍ୱାଭାବିକ ବର୍ଷା ହୁଏ । ଏହି ବିବାହ କରାଗଲେ ରିଷ୍ଟ ଖଣ୍ଡନ ହୋଇ ନିଶ୍ଚିତ ବର୍ଷା ହୋଇଥାଏ ବୋଲି ବିଶ୍ୱାସ ରହିଛି । ୨୫ବର୍ଷ ତଳେ ଏପରି ବିବାହ ହୋଇଥିଲା । ପରେ ଆଉ ଆୟୋଜନ ହୋଇନାହିଁ ବୋଲି ଗ୍ରାମବାସୀଙ୍କଠାରୁ ସୂଚନା ମିଳିଛି । ଚଳିତ ଥର ଅନିୟମିତ ବର୍ଷା ପାଇଁ ଗ୍ରାମବାସୀ ଏହି ପରମ୍ପରାକୁ ପୁଣି ଥରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଚଳିତ ମାସ ୧୭ ତାରିଖ ଦିନ ଏହି ନିଆରା ବିବାହ ଉତ୍ସବ ପାଇଁ ତିଥି ନିର୍ଦ୍ଧାରଣ କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ବିଷ୍ଣୁ ଚରଣ ରଥଙ୍କ ମଧ୍ୟସ୍ଥତାରେ ବର ଭାବେ ଯତିନ ଖଟୁଆ ଓ କନ୍ୟା ଭାବେ କାଳନ୍ଦି ନାୟକ ବିବାହ ପାଇଁ ରାଜି ହୋଇଥିଲେ । ବିବାହ ପାଇଁ ଗହ୍ମାରିଆ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସିଦେ୍ଧଶ୍ୱରୀଙ୍କ ପୀଠରେ ବେଦି ପ୍ରସ୍ତୁତ କରାଗଲା । ସାରା ଗ୍ରାମବାସୀ ବିବାହ ଆୟୋଜନରେ ମାତିଲେ । ସନ୍ଧ୍ୟାରେ ଡିଜେ ଓ ବାଜା ବଜାଇ, ବାଣ ଫୁଟାଇ ସୁସଜ୍ଜିତ କାର୍‌ରେ ଗାଁ ମୁଣ୍ଡରୁ ବର ବାହାରିଥିଲା । ବରଯାତ୍ରୀରେ ସମସ୍ତ ଗ୍ରାମବାସୀ ସାମିଲ ହୋଇ ନାଚି ନାଚି ବରକୁ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । ସେଠାରେ ବର ପିତା ଭାବେ ଲକ୍ଷ୍ମଣ ଖଟୁଆ ଓ କନ୍ୟା ପିତା ମାନଗୋବିନ୍ଦ ନାୟକ ଉପସ୍ଥିତ ରହି ବିବାହ କରାଇଥିଲେ । ସଂପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ ଉଭୟଙ୍କ ବିବାହ ହୋଇଥିଲା । ପରେ କନ୍ୟାକୁ ସମସ୍ତେ ବର ସହିତ ବିଦାୟ ଦେଇଥିଲେ । ମନ୍ଦିର ନିକଟରେ ଆୟୋଜନ ହୋଇଥିବା ଭୋଜିରେ ଗ୍ରାମବାସୀ ସାମିଲ ହୋଇଥିଲେ । କାଳନ୍ଦି ନାୟକ, ବିଜୟ ଖଟୁଆ, ସୁନିଲ ରଥ, ଲକ୍ଷ୍ମଣ ନାୟକ, ରାଇ ଖଟୁଆ, ନଟବର ଜେନା, ଘଣ୍ଟେଶ୍ମର ଜେନା, ବଳରାମ ଦେହୁରୀ, ବସନ୍ତ ଖଟୁଆ, ଛତୁ ଖଟୁଆ, ଦୀନବନ୍ଧୁ ଖଟୁଆ, ଟୁନା ଜେନା, ଗଣେଶ ପ୍ରସାଦ ଜେନା, ଟେରୁ ମଲ୍ଲିକ, ପୀତବାସ ସାହୁ, ନଟବର ସାହୁ, ମାଧବ ଖଟୁଆ, କାଳନ୍ଦି ମଲ୍ଲିକ, ସଦାନନ୍ଦ ମଲ୍ଲିକ, ଅଜୟ ମହାକୁଡ଼, ଭୀମସେନ ମହାକୁଡ଼, ବିଜୟ ଦାଶ, ଟିକି ନାୟକ, ସୁରେନ୍ଦ୍ର ଦେହୁରୀ, ମନୁଆ ଦେହୁରୀ, ବିକ୍ରମ ଖଟୁଆଙ୍କ ସମେତ ସମୂହ ଗ୍ରାମବାସୀ ଏହାକୁ ଆୟୋଜନ କରିଥିଲେ। 

ଆହୁରି ପଢନ୍ତୁ- 'ଆମ ବସ୍‌'କୁ ଘାରିଛି ରାଜସ୍ୱ ନିଶା, ବ୍ୟାଗ୍‌ ଧରି ଉଠିଲେ ଦେବାକୁ ପଡ଼ୁଛି ଯାତ୍ରୀର ଅଧା ଭଡ଼ା