ଭୁବନେଶ୍ୱର,୨୫/୦୫:  ସ୍ୱାଭାବିକ ସମୟଠାରୁ ୮ ଦିନ ଆଗୁଆ  କେରଳରେ ପହଞ୍ଚିଛି ଦକ୍ଷିଣ-ପଶ୍ଚିମ  ମୌସୁମୀ ବାୟୁ । ଏପଟେ ଓଡ଼ିଶାରେ  ପ୍ରାକ୍‌ ମୌସୁମୀ ବର୍ଷା ଜାରି ରହିଛି ।  ଚାରିଆଡ଼େ ମେଘୁଆ ବାଦଲ, କେଉଁଠି  ଝିପିଝିପି, ଆଉ କେଉଁଠି ଅସରାଏ  ଲେଖାଏଁ ବର୍ଷା । 

ଅନୁମାନ କରାଯାଉଛି, କେରଳ  ଭଳି ଓଡ଼ିଶାକୁ ମଧ୍ୟ ଆଗୁଆ ଆସିବ ମୌସୁମୀ । ପ୍ରାୟ ଦୁଇ ସପ୍ତାହ ଆଗୁଆ ମୌସୁମୀ ଓଡ଼ିଶା ଛୁଇଁପାରେ, ଏଇ  ମାସ ଶେଷ ସୁଦ୍ଧା । ଉତ୍ତର-ପଶ୍ଚିମ  ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା  ଲଘୁଚାପ ହିଁ ମୌସୁମୀକୁ ଟାଣି ଆଣିବ । 

ଶିକ୍ଷା ଓ ଅନୁସନ୍ଧାନ (ସୋଆ)  ପରିଚାଳିତ ପରିବେଶ ଓ ଜଳବାୟୁ  କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡ. ଶରତ  ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ହେଲା, ରାଜ୍ୟରେ ଏବେ ଝିପିଝିପି ବର୍ଷା ଲାଗି ରହିବ । ଆସନ୍ତା ୨୬ କିମ୍ବା ୨୭ରେ  ଲଘୁଚାପ ସୃଷ୍ଟି ହୋଇପାରେ । ଏହା  ପ୍ରଭାବରେ ୨୭ ତାରିଖ ଅପରାହ୍ନରୁ  ବର୍ଷା ତୀବ୍ରତା ବଢ଼ିବ । ଆସନ୍ତା ୩୦  ରାତ୍ରି ପର୍ଯ୍ୟନ୍ତ ବର୍ଷା ଲାଗି ରହିପାରେ ।  

ଆସନ୍ତା ୨୮ ଓ ୨୯ ତାରିଖରେ ଉପକୂଳ ଅଞ୍ଚଳ ସମେତ ଅନ୍ୟ କେତେକ ଜିଲ୍ଲାରେ  ଅଧିକ ବର୍ଷା ସମ୍ଭାବନା ଅଛି । ମୟୂରଭଞ୍ଜ,  କେନ୍ଦୁଝର, ବାଲେଶ୍ୱର, ଭଦ୍ରକ,  ଯାଜପୁର, ଢେଙ୍କାନାଳ, ସୁନ୍ଦରଗଡ଼,  ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ  ଓ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ଅଧିକ  ରହିପାରେ । ଏହି ଲଘୁଚାପଜନିତ ବର୍ଷା ଭିତରେ ରାଜ୍ୟକୁ ମୌସୁମୀ ପ୍ରବେଶ  କରିପାରେ, ଆସନ୍ତା ୨୮ କିମ୍ବା ୨୯  ତାରିଖ ବେଳକୁ । ଅର୍ଥାତ୍‌ ସ୍ୱାଭାବିକ  ସମୟ ଜୁନ୍‌ ୧୨ ତାରିଖଠାରୁ ପ୍ରାୟ ଦୁଇ  ସପ୍ତାହ ଆଗୁଆ ଆସିପାରେ । ୨୦୦୯ରେ  ୨୫ ମେ’ ଓ ୧୯୯୯ରେ ୨୮ ମେ’ରେ  ମୌସୁମୀ ଓଡ଼ିଶା ଛୁଇଁଥିଲା। 

ଭାରତୀୟ ପାଣିପାଗ ବିଭାଗ  (ଆଇଏମ୍‌ଡି) ଘୋଷଣା କରିଛି,  ମୌସୁମୀ ଆଜି କେରଳ ଛୁଇଁଛି ।  ସ୍ୱାଭାବିକ ସମୟ (ଜୁନ୍‌ ୧) ଠାରୁ ପ୍ରାୟ ସପ୍ତାହେ ଆଗରୁ । ଗତବର୍ଷ ଆସିଥିଲା  ମେ’ ୩୦ ତାରିଖରେ । ଗତ ୧୬ ବର୍ଷ  ଭିତରେ ଚଳିତବର୍ଷ ମୌସୁମୀ ଅତି ଶୀଘ୍ର  ଆସିଛି । ଏହା ପୂର୍ବରୁ ୨୦୦୯ରେ ୨୩  ମେ’ରେ ମୌସୁମୀ କେରଳ ପହଞ୍ଚିଥିଲା,  ଯାହାକି ୯ ଦିନ ଆଗୁଆ ଥିଲା ।ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଉତ୍ତର ଉପକୂଳ  ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ଅଛି । ଏହା ପ୍ରଭାବରେ ରାଜ୍ୟରେ  ବର୍ଷା ଲାଗି ରହିଛି । ଏଭଳି ପାଗ ବର୍ତ୍ତମାନ ଜାରି ରହିବ । 

୨୭ରେ  ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ  ସମ୍ଭାବନା ଅଛି । ଏହା ପ୍ରଭାବରେ ବର୍ଷା ଆହୁରି ବଢ଼ିପାରେ । ପୂର୍ବାନୁମାନ  ହେଲା, ରବିବାର (୨୫ ତାରିଖ) ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନ ଓ  ଉତ୍ତର ଓଡ଼ିଶାର ଅଳ୍ପ କିଛି ଜାଗାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା  ଅଛି । ରାୟଗଡ଼ା, କୋରାପୁଟ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ,  କେନ୍ଦୁଝରରେ ପ୍ରବଳ ବର୍ଷା, ୩୦-୪୦ କିମି ବେଗରେ ପବନ,  ବଜ୍ରପାତ ହୋଇପାରେ । ମାଲକାନଗିରି, ବାଲେଶ୍ୱର, ସୋନପୁର,  ଝାରସୁଗୁଡ଼ା, ସମ୍ବଲପୁର, କନ୍ଧମାଳରେ ବି ବଜ୍ରପାତ, ପବନ ଆଶଙ୍କା  ଅଛି । ବର୍ତ୍ତମାନ ଏଭଳି କାଳବୈଶାଖୀ ବର୍ଷା ଲାଗି ରହିବ । ୨୮,  ୨୯ ଓ ୩୦ରେ ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ହୋଇପାରେ । 

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ଡ.  ମନୋରମା ମହାନ୍ତି କହିଛନ୍ତି, ଲଘୁଚାପ ସମ୍ଭାବନା ଅଛି ।  ମାତ୍ର ବାତ୍ୟାର କୌଣସି ସମ୍ଭାବନା ନାହିଁ । ତେଣୁ ଏଭଳି ଗୁଜବରେ ବିଶ୍ୱାସ କରି ଅଯଥାରେ ଆତଙ୍କିତ ହୁଅନ୍ତୁ ନାହିଁ ।  ରାଜ୍ୟରେ ବର୍ଷା ଯୋଗୁ ତାତି ପୂରା ଛୁ’ ହୋଇଯାଇଛି ।  ପ୍ରାୟତଃ ତାପମାତ୍ରା ୩୧-୩୩ ଡିଗ୍ରୀ ଭିତରେ ଅଛି ।  ଦାରିଙ୍ଗିବାଡ଼ି, ମାଲକାନଗିରିରେ ପାରଦ ୩୦ ଡିଗ୍ରୀ ତଳକୁ  ଖସି ଆସିଥିଲା । ଭବାନୀପାଟଣାରେ ସର୍ବାଧିକ ୩୮, ବୌଦ୍ଧ  ୩୭.୨, ସମ୍ବଲପୁର ୩୬.୪, ହୀରାକୁଦ ୩୫.୫, କୋରାପୁଟ  ୩୫.୭ ଡିଗ୍ରୀ ସେଲସିୟସ ଥିଲା । ସନ୍ଧ୍ୟା ସୁଦ୍ଧା କୋରାପୁଟରେ  ୪୫ ମିଲିମିଟର, ଭୁବନେଶ୍ୱରରେ ୩୭ ମିମି, ଅନୁଗୁଳରେ  ୩୬, ଖୋର୍ଦ୍ଧାରେ ୨୨, କଟକରେ ୧୮.୪, ଦାରିଙ୍ଗବାଡ଼ି ୧୨,  ତାଳଚେରରେ ୧୨.୪, ବାରିପଦା ୧୦.୪ ମିମି ବର୍ଷା ହୋଇଥିଲା ।  ବାଲେଶ୍ୱର, ଚାନ୍ଦବାଲି, ଜଗତସିଂହପୁର, କେନ୍ଦ୍ରାପଡ଼ା, ସୋନପୁର,  ବଲାଙ୍ଗିର, ଝାରସୁଗୁଡ଼ା, ପାରାଦୀପରେ ହାଲୁକା ବର୍ଷା ହୋଇଛି ।  ବର୍ତ୍ତମାନ ତାତିରୁ ଆଶ୍ୱସ୍ତି ମିଳିଛି । 

ସୋଆ ସିଇସି ନିର୍ଦ୍ଦେଶକ  ଡ. ସାହୁ କହିଛନ୍ତି, ୩୦ ତାରିଖ ଯାଏଁ ଓଡ଼ିଶାରେ ବର୍ଷା ରହିବ ।  ତା’ପରେ ବର୍ଷା କମିବ । ଏପରିକି ଜୁନ୍‌ ୨ ତାରିଖ ବେଳକୁ ପୁଣି  ଗରମ ବଢ଼ିପାରେ । ଆଇଏମ୍‌ଡି ଅନୁସାରେ ମୌସୁମୀ ରବିବାର ସୁଦ୍ଧା  ତାମିଲନାଡୁ ଓ କର୍ଣ୍ଣାଟକର କେତେକ ଅଞ୍ଚଳ ଛୁଇଁପାରେ । ଜୁନ  ୪ ତାରିଖ ସୁଦ୍ଧା ଏହା କେନ୍ଦ୍ରୀୟ ଓ ପୂର୍ବ ଭାରତରେ ପ୍ରବେଶ  କରିବା ସମ୍ଭାବନା ଅଛି । ଗତ ଏପ୍ରିଲରେ ଆଇଏମଡି ଆକଳନ  କରିଥିଲା, ଏଥର ମୌସୁମୀ ଋତୁରେ ଏଲ୍‌-ନିନୋର କୌଣସି  ସମ୍ଭାବନା ନାହିଁ । 

ଚଳିତବର୍ଷ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ । ଗତ ୧୫୦ ବର୍ଷ ଭିତରେ କେରଳରେ ମୌସୁମୀ ପହଞ୍ଚିବାର  ତାରିଖ ଭିନ୍ନ ଭିନ୍ନ ରହିଆସିଛି । ୧୯୧୮ରେ ମୌସୁମୀ ମେ  ୧୧ ତାରିଖରେ କେରଳ ପହଞ୍ଚିଥିଲା, ଯାହାକି ସର୍ବକାଳୀନ  ରେକର୍ଡ । ସେହିପରି ୧୯୭୨ରେ ଜୁନ ୧୮ ତାରିଖରେ କେରଳ  ଛୁଇଁଥିଲା ମୌସୁମୀ, ଯାହାକି ସବୁଠାରୁ ବିଳମ୍ବିତ ତାରିଖ ।