ଭଞ୍ଜନଗର,୨୨/୧ : ପୂର୍ବରୁ ଗାଁର ଘରେ ଘରେ ଢିଙ୍କି ରହିଥିଲା । ଯେଉଁଥିରେ ଧାନ କୁଟା ଯାଏ । ଚାଉଳରୁ ଚୁନା ପ୍ରସ୍ତୁତ ହୁଏ । ହେଲେ ଏବେ ଆଉ ଢିଙ୍କି ଦେଖିବାକୁ ମିଳୁନାହିଁ । ଢିଙ୍କିର ଜାଗା ନେଇଛି ମେସିନ । ସବୁକିଛି କାମ ମେସିନ ଦ୍ବାରା ସହଜ ହୋଇଯାଉଛି । ଫଳରେ ଦିନେ ଆମ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଥିବା ଅନେକ ଜିନିଷ ଅଲୋଡ଼ା ହୋଇଗଲାଣି । ଠିକ୍ ଢିଙ୍କି ପରି । ଓଡିଆ ଚଳଣିରୁ ଢିଙ୍କି ହଜିବାକୁ ବସିଛି । ଅସ୍ତିତ୍ବ ହରାଇବାକୁ ବସିଛି । ଏବେ କେବଳ ଢିଙ୍କି ସ୍ମୃତି ହୋଇ ରହିଛି । ଆଗାମୀ ପିଢି କେବେଳ ଇତିହାସ ହୋଇ ରହିଯିବ ଢିଙ୍କି ।
ଆଗରୁ ଗାଁର ଘରେ ଘରେ ଢିଙ୍କି ଥିଲା । ଢିଙ୍କି ରହୁଥିବା ସ୍ଥାନକୁ ଢିଙ୍କିଶାଳ କୁହାଯାଏ । ଢିଙ୍କିରେ ଧାନରୁ ଚାଉଳ, ଚାଉଳରୁ ଚୁନା ସମେତ ହଳଦୀ, ମୁଗ, ବିରି ଆଦି ବିଭିନ୍ନ ସାମଗ୍ରୀ କୁଟାଯାଉଥିଲା । ଢିଙ୍କି କୁଟା ଚାଉଳ ମିଲ୍ ଚାଉଳ ଠାରୁ ସ୍ୱାସ୍ଥ୍ୟକର । ଏହି କାରଣରୁ ଏବେବି ଅନେକ ସ୍ୱାସ୍ଥ୍ୟ ସଚେତନ ଲୋକ ଢିଙ୍କି କୁଟା ଚାଉଳ ଅର୍ଡର କରି ଖାଉଛନ୍ତି । ଢିଙ୍କିକୁଟା ଧାନରୁ ଚାଉଳ ବାହାରିଲେ ମଧ୍ୟ ଧାନରେ କୁଣ୍ଡାଟି ଅତି ପତଳା ଚୋପା ଆକାରରେ ଲାଗିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ଅନ୍ୟପଟେ ଏହାଦ୍ୱାରା କୁଟୁଥିବା ଲୋକଙ୍କ ଶାରୀରିକ ପରିଶ୍ରମ ବ୍ୟାୟାମ ଭଳି ଉତ୍ତମ ସ୍ୱାସ୍ଥ୍ୟରକ୍ଷାରେ ସହାୟକ ହୁଏ । ବିଶେଷ କରି ମହିଳାମାନେ ଏହି କାର୍ଯ୍ୟ କରି ଆସୁଥିଲେ । କ୍ରମଶଃ ଚାଉଳ କଳର ବହୁଳ ବ୍ୟବହାର ଯୋଗୁଁ ଢିଙ୍କିରେ ଆଉ କିଏ ପରିଶ୍ରମ କରିବାକୁ ଚାହୁଁନାହାନ୍ତି । ତେଣୁ ଢିଙ୍କିର ବ୍ୟବହାର କମିଛି ।
ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ନିକଟରେ ଦୋମୁହାଁଣୀ ପଞ୍ଚାୟତର ପାହାଡ଼ ଉପରେ ଥିବା ଉପାନ୍ତ ଆଦିବାସୀ ଗାଁ ଗଅପଦରକୁ ଯାଇଥିଲେ । ସେଠାରେ ସମସ୍ତଙ୍କ ଘରେ ଢିଙ୍କି ଥିବା ଦେଖିଥିଲେ । ଆଧୁନିକତା ଛୁଇଁନଥିବା ଏହି ଗାଁରେ ଲୋକେ ଏବେବି ଢିଙ୍କି ବ୍ୟବହାର କରି କାଣ୍ଡିଆ ଉଷୁନା ଚାଉଳ ଖାଉଥିବାରୁ ସେମାନେ ବେଶ୍ ନିରୋଗ ରହିଛନ୍ତି । ଅନ୍ୟପଟେ ରାଜ୍ୟ ସରକାର ଢିଙ୍କିକୁଟା ଚାଉଳକୁ ଲୋକାଦୃତ କରିବାକୁ କିଛି ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀଙ୍କୁ କିଲୋ ଆକାରେ ପ୍ୟାକିଂ କରି ବଜାରରେ ଉପଲବ୍ଧ କରାଇବାକୁ ଯୋଜନା କରୁଥିବା ଜଣାଯାଇଛି । ଏହାଦ୍ୱାରା ଏସ୍ଏଚ୍ଜି ସଦସ୍ୟାମାନେ ରୋଜଗାର ପାଇବା ସହ ସ୍ୱାସ୍ଥ୍ୟ ଉପଯୋଗୀ କାଣ୍ଡିଆ ଚାଉଳ ମିଳିପାରିବ । ଏହାର ଚାହିଦା ଥିବାରୁ ଏକ୍ଷେତ୍ରରେ ଏସ୍ଏଚ୍ଜି ସଭ୍ୟାମାନଙ୍କୁ ତାଲିମ ପ୍ରଦାନ ସହ ବିକ୍ରିବଟା ସୁଯୋଗ ସୃଷ୍ଟି ଉପରେ ସରକାରୀସ୍ତରରେ ଉଦ୍ୟମର ଆବଶ୍ୟକତା ରହିଛି ।