ଭୁବନେଶ୍ୱର, ୧୫।୫: ସେଲିବ୍ରିଟିଙ୍କୁ ମୋହରା କରିଛନ୍ତି ସାଇବର ଠକ । କେଉଁଠି ଏଆଇ(ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି) ଜରିଆରେ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଭିଡିଓକୁ ଏଡିଟିଂ କରି ଲୋଭନୀୟ ଅଫରର ଥୋପ ପକାଉଛନ୍ତି । ଆଉ କେଉଁଠି ଫିଲ୍ମଷ୍ଟାର ଗୋବିନ୍ଦାଙ୍କ ଜରିଆରେ ସ୍କାମ୍ର ପ୍ରଚାର କରାଉଛନ୍ତି । ସେଲିବ୍ରିଟିଙ୍କୁ ଦେଖି ଫସୁଛନ୍ତି ଲକ୍ଷ ଲକ୍ଷ ଲୋକ । କୋଟି କୋଟି ଟଙ୍କା ନେଇ ରଫୁ ଚକ୍କର ହୋଇଯାଉଛନ୍ତି ସାଇବର ଠକ । ସେଲିବ୍ରିଟିଙ୍କୁ ମୋହରା କରି ଏଭଳି ସ୍କାମ୍ରେ ଫସାଉଥିବା କାର୍ପଟଦାରମାନେ ପୁଣି ସକ୍ରିୟ ହୋଇଉଠିଛନ୍ତି । ବିଗତ ଦିନରେ ରାଜ୍ୟର ବିଭିନ୍ନ ସାଇବର ଥାନାରେ ଏଭଳି ଠକେଇ ନେଇ ମାଳମାଳ ଅଭିଯୋଗ ହୋଇଛି । ଏନେଇ ରାଜ୍ୟ ପୁଲିସ କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ତତ୍ପର ହୋଇଉଠିଛି । ଇଓଡବ୍ଲୁର ଏକ ବୈଷୟିକ ଟିମ୍ ସପ୍ତାହେ ଭିତରେ ସୋସିଆଲ ମିଡିଆରୁ ଏଭଳି ସେଲିବ୍ରିଟିଙ୍କ ପୁଳାପୁଳା ବିଜ୍ଞାପନ ସଂଗ୍ରହ କରିଛି ।
ଅଧିକାଂଶ ବିଜ୍ଞାପନ ଅନ୍ଲାଇନ୍ ପୁଞ୍ଜି ସ୍କିମ୍, କ୍ରିପ୍ଟୋ କରେନ୍ସିରେ ନିବେଶ, ୟୁଟ୍ୟୁବ୍ ଲାଇକ୍ ସ୍କାମ୍, ରେଟିଂ ସ୍କାମ୍ ଜନିତ । ଏଥିରେ ସେଲିବ୍ରଟି, ବିଜିନେସ୍ ଟାଇକୁନ୍ମାନଙ୍କ ଫଟୋ ଓ ଭିଡିଓକୁ ଏଆଇ ଜରିଆରେ ଏଡିଟିଂ କରାଯାଇ ସ୍କାମ୍ର ପ୍ରଚାର ପ୍ରସାର କରାଯାଉଛି । ଏଭଳି ସ୍କାମ୍ରେ ଅଧିକାଂଶ ମଧ୍ୟବିତ୍ତ ବର୍ଗ ଲୋକ ଓ କଲେଜ ଛାତ୍ରମାନେ ଫସୁଛନ୍ତି । ସୁପରଷ୍ଟାର, ଶିଳ୍ପପତି, କ୍ରିକେଟରଙ୍କ ଫଟୋ ଭିଡିଓ ଦେଖି ଏମାନେ ଭରସା କରି ଲକ୍ଷ ଲକ୍ଷ ଟଙ୍କା ନିବେଶ କରୁଛନ୍ତି । କ୍ରାଇମ୍ବ୍ରାଞ୍ଚର ସାଇବର ସେଲ୍ ବି ଏହି ସ୍କାମ୍ ଉପରେ ତୀକ୍ଷ୍ମ ନଜର ରଖିଛି । ଗତବର୍ଷ ଜୁଲାଇରେ ପାଖାପାଖି ୩୫ଟି ମଲଟିପୁଲ ଅନ୍ଲାଇନ୍ ପୁଞ୍ଜି ସ୍କାମ୍ର ପର୍ଦ୍ଦାଫାଶ କରିଥିଲା ଇଓଡବ୍ଲୁ । ତଦନ୍ତରୁ ଜଣାପଡିଥିଲା, ଡାଇସ୍, କ୍ୱିକ୍ରୁମି, ଫ୍ଲାଏ ଏଭିଏଟର, ଫୋରେକ୍ସ ଡାନା, ଲାଇଭ ୨୨ କ୍ୟାସ୍, ଏଫ୍ଟି୧୧, ୟୁଏନ୍ଓ, ଏମଭିପି ଟ୍ରେଡର, ଆଭିଏଟର ଏକ୍ସ, ସିଟି୫, ହୋମର ଆଲେକ୍ସଜେଣ୍ଡର ଭଳି ନକଲି ଆପ୍ ଖୋଲିଥିଲେ କାର୍ପଟଦାର । ଦେଶରେ ପାଖାପାଖି ଦେଢ଼କୋଟି ମୋବାଇଲ୍ ଉପଭୋକ୍ତା ଏସବୁ ଆପ୍କୁ ଡାଉନ୍ଲୋଡ କରିଥିଲେ ।
ସ୍କାମ୍ର କାର୍ପଟଦାରମାନେ ସୁପରଷ୍ଟାର ଅମିତାଭ ବଚ୍ଚନ, ଶିଳ୍ପପତି ମୁକେଶ ଅମ୍ବାନି, ରତନ ଟାଟା, କ୍ରିକେଟର ସଚିନ ତେନ୍ଦୁଲକର ଭଳି ସେଲିବ୍ରିଟିଙ୍କ ଫଟୋ ଓ ଭିଡିଓ ଦେଖାଇ ଲୋକଙ୍କୁ ଭୂଆଁ ବୁଲାଉଥିଲେ । ଇଓଡବ୍ଲୁ ଗତବର୍ଷ ଅଗଷ୍ଟରେ ଏସ୍ଟିଏ (ସୋଲାର ଟେକ୍ନୋ ଆଲିଆନ୍ସ) କ୍ରିପ୍ଟୋ ଟୋକେ୍ନ ନାଁରେ ଆଉ ବଡ଼ କ୍ରିପ୍ଟୋ ପୁଞ୍ଜି ସ୍କାମର ପର୍ଦ୍ଦାଫାଶ କରିଥିଲା । ସ୍କାମ୍ ମୁଖ୍ୟ (ଭାରତ) ଗୁରତେଜ ସିଂ ସିଦ୍ଧୁକୁ ରାଜସ୍ଥାନ ଶ୍ରୀଗଙ୍ଗାନଗରରୁ କାବୁ କରିଥିଲା । ସ୍କାମ୍ ଜରିଆରେ ଦେଶରୁ ପାଖାପାଖି ୧୦୦୦ରୁ ଅଧିକ କୋଟି ଟଙ୍କାର କାରବାର ହୋଇଥିଲା । ଲୋକଙ୍କୁ ଫସାଇବାକୁ ସେଲିବ୍ରିଟିଙ୍କୁ ମୋହରା ବନାଇଥିଲେ କାର୍ପଟଦାର । ଗତବର୍ଷ ଜୁଲାଇ ୩୦ରେ ଗୋଆର ଏକ ଦାମୀ ତାରକା ହୋଟେଲରେ ଆୟୋଜିତ ଏସଟିଏ ଇଭେଣ୍ଟରେ ଅଭିନେତା ଗୋବିନ୍ଦା ମୁଖ୍ୟ ଅତିଥି ସାଜିଥିଲେ ।
ଗୋବିନ୍ଦା ଏସଟିଏର ପ୍ରମୋସନ ଲାଗି ଅନେକ ଭିଡିଓ ବାର୍ତ୍ତା ଜାରି କରିଥିଲେ । ଗୋବିନ୍ଦାଙ୍କୁ ତଦନ୍ତ ପରିସରଭୁକ୍ତ କରିଥିଲା ଇଓଡବ୍ଲୁ । ଏସବୁ ସ୍କାମର କାର୍ପଟଦାର କେବଳ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ୍ ନୁହେଁ, ଦୁବାଇ, ହଂକଂ, ଚାଇନା ଓ ମାଲେସିଆରେ ଛପି ରହି ଦେଶରେ ଠକେଇ ଜାଲ ବିଛାଉଥିବା ଇଓଡବ୍ଲୁ ସୂଚାଇଥିଲା । ବିଦେଶୀ କାର୍ପଟଦାରମାନେ ପୁଣି ସକ୍ରିୟ ହୋଇଥିବା ଇଓଡବ୍ଲୁର ଅଧିକାରୀଙ୍କୁ ସୁରାକ୍ ମିଳିଛି । ବ୍ୟୁରୋ ଅଫ୍ ଇମିଗ୍ରେସନ ଯୋଗେ ଦେଶ ବାହାରେ ଲୁଚିଥିବା କାପର୍ଟଦାରଙ୍କ ନାଁରେ ଜାରି ହୋଇଥିବା ଲୁକ୍ ଆଉଟ୍ ସର୍କୁଲାର (ଏଲ୍ଓସି)କୁ ପୁଣି ସକ୍ରିୟ କରାଯାଇଛି ।