ପ୍ରମୂଖ ଖବର

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବାଲେଶ୍ଵର, ବାରିପଦା, ଓ କେନ୍ଦ୍ରାପଡ଼ାରେ କରିବେ ପ୍ରଚାର

ଭୁବନେଶ୍ୱର, ୨୯/୦୫ : ବୁଧବାର ଶେଷ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କେନ୍ଦ୍ରାପଡ଼ା, ବାଲେଶ୍ୱରର ରେମୁଣା ଓ ବାରିପଦାରେ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । 

ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ଓଡ଼ିଶାକୁ ଆସି ନିର୍ବାଚନୀ ଜନସଭାରୁ ବିଜେଡି ସରକାରଙ୍କ ଏକ୍ସପାଏରୀ ତାରିଖ ସହ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥର ତାରିଖ ଦେଇ ଯାଇଥିଲେ ପ୍ରଧାନମନ୍ତ୍ରୀ । ସେଇକଥାକୁ ବେଶ ଦମ୍ଭର ସହ ମଙ୍ଗଳବାର ପୁଣି ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି । ସେ କହିଛନ୍ତି ଯେ, ସଂପର୍କ ପଛ । ଓଡ଼ିଶାର ଭବିଷ୍ୟତ ଆଗ । ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ ମୋର ସଂପର୍କ ବହୁତ ଭଲ । ମାତ୍ର ନିର୍ବାଚନ ସମୟରେ ଓଡ଼ିଶାର ଉଜ୍ଜଳ ଭବିଷ୍ୟତକୁ ବାଛିଲି । ନବୀନଙ୍କ ସହ ସଂପର୍କକୁ ବଳି ଚଢ଼ାଇବାକୁ ପ୍ରସ୍ତୁତ ହେଲି । ଓଡ଼ିଶାରେ ଏଥର ବିଜେପି ସରକାର ନିଶ୍ଚିତ । ଓଡ଼ିଶାକୁ ଶେଷ ଦଫା ଭୋଟଭିକ୍ଷା କରିବାକୁ ଆସିବା ପୂର୍ବରୁ ଏମିତି ଦମ୍ଭ ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତୀୟ ଖବର ସରବରାହ ସଂସ୍ଥା ଏଏନ୍‌ଆଇକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସେ ଏହା କହିଛନ୍ତି । ଓଡ଼ିଶା ସଂପର୍କରେ ମୋଦି କହିଛନ୍ତି, ଖୁବଶୀଘ୍ର ଓଡ଼ିଶାର ଭାଗ୍ୟ ବଦଳିବାକୁ ଯାଉଛି । ରାଜ୍ୟରେ ସରକାର ପରିବର୍ତ୍ତନ ନିଶ୍ଚିତ ହେବ । ଦେଶର ସମୃଦ୍ଧ ରାଜ୍ୟର ତାଲିକାରେ ଓଡ଼ିଶାର ନାଁ ରହିଛି । ମାତ୍ର ଏହି ସମୃଦ୍ଧ ରାଜ୍ୟରେ ଅଧିକ ଗରିବୀ ରହିଛି । ଜୁନ୍‌ ୪ ହେଉଛି ବିଜେଡି ସରକାରର ଏକ୍ସପାରୀ ତାରିଖ । ଜୁନ୍‌ ୧୦ ରେ ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । 

ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ୨୫ବର୍ଷରେ ରାଜ୍ୟର କୌଣସି ଉନ୍ନତି ହୋଇନି । ରାଜ୍ୟ ପଛୁଆ ହୋଇ ରହିଛି । ବିଜେପି କ୍ଷମତାକୁ ଆସିଲେ ବିକାଶ ଆଗକୁ ଦୌଡ଼ିବ । ଓଡ଼ିଶାର ଅସ୍ମିତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଓଡ଼ିଶାର ବ୍ୟବସ୍ଥାକୁ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବନ୍ଧକ ରଖିଛନ୍ତି । ଏଥିରୁ ରାଜ୍ୟକୁ ମୁକୁଳାଇବାକୁ ହେବ । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.