ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇପିଏସ୍‌ ଡିଏସ୍‌ କୁଟ୍ଟେଙ୍କୁ ସସ୍‌ପେଣ୍ଡ କଲେ ଭାରତୀୟ ନିର୍ବାଚନ କମିଶନ

ଭୁବନେଶ୍ୱର,୨୮/୫ : ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ୧୯୯୭ବ୍ୟାଚ୍ ଆଇପିଏସ୍ ଡିଏସ କୁଟ୍ଟେଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ଓ ତାଙ୍କୁ ଆସନ୍ତାକାଲି ଅପରାହ୍ନ ୩ଟା ସୁଦ୍ଧା ଦିଲ୍ଲୀରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଇଭିଏମ୍ ମେସିନ୍ ଭଙ୍ଗା ଘଟଣାରେ ଡିଏସ୍ କୁଟ୍ଟେଙ୍କୁ ମହଙ୍ଗା ପଡ଼ିଛି । ସେହିପରି ୨୦୧୦ବ୍ୟାଚ୍ ଆଇପିଏସ୍ ଆଶିଷ କୁମାର ସିଂଙ୍କ ସ୍ୱାସ୍ଥ୍ୟ ଖରାପର ଯାଂଚ ଭୁବନେଶ୍ୱର ଏମସ୍ ଡାକ୍ତର ବୋର୍ଡ କରିବାକୁ ଆଜି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୁପାରିଶ ଓ ରିପୋର୍ଟ ଆଧାରରେ ନିର୍ବାଚନ କମିଶନ ଆଜି ଆଇପିଏସ୍ ଅଫିସର ଡିଏସ କୁଟ୍ଟେ ଓ ଆଶିଷ ସିଂଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ଦୁଇ ଆଇପିଏସ୍ ଅଫିସର ନିର୍ବାଚନୀ ଗତିବିଧିରେ ସମ୍ପୃକ୍ତ ଥିବାର ସିଧାସଳଖ ପ୍ରମାଣ ବାରମ୍ବାର ମିଳିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡିଏସ୍ କୁଟ୍ଟେଙ୍କୁ ଚାକିରିରୁ ତତ୍କାଳ ପ୍ରଭାବରୁ ନିଲମ୍ବନ କରାଯିବା ସହ ତାଙ୍କୁ ନୂଆଦିଲ୍ଲୀସ୍ଥିତ ମୁଖ୍ୟ ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ଆସନ୍ତାକାଲି ଅପରାହ୍ନ ୩ଟା ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଡିଏସ କୁଟ୍ଟେଙ୍କ ବିରୁଦ୍ଧରେ ଥିବା ଚିଠା ଚାର୍ଜସିଟକୁ ରାଜ୍ୟ ମୁଖ୍ୟ ସଚିବଙ୍କୁ ଦେବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଡିଏସ କୁଟ୍ଟେଙ୍କ ବିରୁଦ୍ଧରେ ଚାକିରି ସର୍ତ୍ତାବଳୀ ଅନୁସାରେ ଆବଶ୍ୟକ ଚାର୍ଜସିଟ୍ ମେ’ ୩୦ତାରିଖ ସୁଦ୍ଧା ପ୍ରସ୍ତୁତ କରିବାକୁ ମଧ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଜାରି ହୋଇଛି ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୨୦୧୦ ବ୍ୟାଚ୍ ଆଇପିଏସ୍ ଆଶିଷ କୁମାର ସିଂ ଗତ ମେ’ ୪ତାରିଖରୁ ସ୍ୱାସ୍ଥ୍ୟ ଖରାପ ଦର୍ଶାଇ ଛୁଟିରେ ଅଛନ୍ତି । ମାତ୍ର ସେ ନିର୍ବାଚନୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେଇ ବାରମ୍ବାର ଖବର ଆସୁଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଯାଂଚ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ୱର ଏମସ ନିର୍ଦ୍ଦେଶକଙ୍କୁ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ କରି ୩୦ତାରିଖ ସୁଦ୍ଧା ତାଙ୍କର ସ୍ୱାସ୍ଥ୍ୟ ଯାଂଚ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ଆବଶ୍ୟକ ପ୍ରକ୍ରିୟା କରିବା ସହ ଶ୍ରୀ ସିଂ କେଉଁ ସବୁ ରୋଗ ପାଇଁ ଚିକିତ୍ସିତ ହେଉଛନ୍ତି, ତା’ର ବିସ୍ତୃତ ରିପୋର୍ଟ ମେ’ ୩୧ତାରିଖ ସୁଦ୍ଧା ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.