ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶେଷ ଲଢ଼େଇ: ୬ ଲୋକସଭାରେ ଅଙ୍କ ଗୋଳମାଳ, କାହା ଖେଳ କିଏ ବିଗାଡ଼ିବ ?

ଭୁବନେଶ୍ୱର,୨୮/୦୫: ସବୁଠି ଚିତ୍ର ଓଲଟପାଲଟ । ଘନଘନ ଦଳଡିଆଁ । କିଏ ଏପଟୁ ଆସି ସେପଟୁ ଲଢ଼ୁଛନ୍ତି, ଆଉ କିଏ ସେପଟୁ ଆସି ଏପଟୁ । ଲେଖାଶ୍ରୀ ବିଜେପି ଛାଡ଼ି ବିଜେଡିରୁ ବାଲେଶ୍ୱର ସାଂସଦ ପ୍ରାର୍ଥୀ । ଜଗତସିଂହପୁରରେ ଶଙ୍ଖ ଶିବିରରୁ ଡେଇଁ ଅମରେନ୍ଦ୍ର ଦାସ ପଦ୍ମ ଟିକଟରେ ବିଧାନସଭା ପାଇଁ ଲଢ଼ୁଛନ୍ତି । ଭଦ୍ରକରେ ରାଜୁ ଦାସ ବିଜେଡିକୁ ଫେରିଥିବାବେଳେ ନିମାପଡ଼ାରେ ସମୀର ଦାସ ବିଜେପିର ପ୍ରଚାର ମଙ୍ଗ ଧରିଲେଣି । 

କଂଗ୍ରେସ ଛାଡ଼ି କେନ୍ଦ୍ରାପଡ଼ାରୁ ବିଜେଡିର ସାଂସଦ ପ୍ରାର୍ଥୀ ହୋଇଛନ୍ତି ଅଂଶୁମାନ ମହାନ୍ତି । କେନ୍ଦ୍ରାପଡ଼ା ବିଧାନସଭା ଆସନରେ ଭେଟେରାନ ଗଣେଶ୍ୱର ବେହେରା ଏଥର କଂଗ୍ରେସ ନୁହେଁ, ବିଜେଡିର ବିଧାୟକ ପ୍ରାର୍ଥୀ । ତାଙ୍କ ବିରୋଧରେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ବିଜେଡିର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ । 

ସୋରରେ ବିଜେପି ଟିକଟରେ ଲଢ଼ୁଛନ୍ତି ପର୍ଶୁରାମ ଧଡ଼ା । ନୀଳଗିରିରେ ସୁକାନ୍ତ ନାୟକ ଏଥର ବିଜେଡି ବିଧାୟକ ପ୍ରାର୍ଥୀ । ବିଜେଡିରୁ ବିଜେପି, ତା’ପରେ କଂଗ୍ରେସରେ ମିଶି ବରୀରୁ ଲଢ଼ୁଛନ୍ତି ଭେଟେରାନ ଦେବାଶିଷ ନାୟକ । କୋରେଇରେ ଆକାଶ ଦାସନାୟକ ଏଥର ବିଜେପି ପ୍ରାର୍ଥୀ । 

ଶେଷ ପର୍ଯ୍ୟାୟ ନିର୍ବାଚନ ହେଉଥିବା ୬ ଲୋକସଭା ଆସନରେ ଏଥର ଅଙ୍କ ପୂରା ଗୋଳମାଳ । କିଏ ବିଜେଡି ଛାଡ଼ି ବିଜେପିରୁ ପ୍ରାର୍ଥୀ, କିଏ ବିଜେପିରୁ ଡେଇଁ ବିଜେଡି ପ୍ରାର୍ଥୀ ହେଲେଣି । ଆହୁରି ଅନେକ ଟିକଟ ନ ପାଇ ବିଦ୍ରୋହୀ ହେଲେଣି । ଆଉ କିଛି ଛଦ୍ମବେଶୀ ବିଭୀଷଣ ବି କଇଁଚି ଧରି ବୁଲୁଛନ୍ତି ସବୁ ଦଳରେ । ଏହାକୁ ନେଇ ସବୁ ଦଳ ଟେନସନରେ । କାହା ଖେଳ କାଟୁ କରିବ, କାହାର ବିଗିଡ଼ିବ, ହିସାବ କାମ କରୁନି । 

୬ଟି ଲୋକସଭା ଆସନ ଭିତରୁ ୫ଟି ଉପକୂଳିଆ । ୪ଟି ଆସନ ବିଜେଡିର ଗଡ଼ ରହି ଆସିଛି-ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ । ବାଲେଶ୍ୱର, ମୟୂରଭଞ୍ଜକୁ ୨୦୧୯ରେ ବିଜେଡି ହାତରୁ ଛଡ଼ାଇ ନେଇଥିଲା ବିଜେପି । 

ଗତ ଥର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକରେ କଡ଼ା ଟକ୍କର ଥିଲା ବିଜେଡି-ବିଜେପି ଭିତରେ । ବିଜୟ ବ୍ୟବଧାନ ବାଲେଶ୍ୱରରେ ୧୨ ହଜାର ୯୫୬, ମୟୂରଭଞ୍ଜରେ ୨୫ ହଜାର ୨୫୬ ଓ ଭଦ୍ରକରେ ୨୮ ହଜାର ୮୦୩ ଥିଲା । 

ଏଥର ବି ଏ ତିନି ଆସନରେ କଡ଼ା ଟକ୍କର ଥିବା ଜଳଜଳ ଦିଶୁଛି । ଭଦ୍ରକ ଓ ବାଲେଶ୍ୱରରେ କଂଗ୍ରେସର ଉପସ୍ଥିତି ଲଢ଼େଇକୁ ତ୍ରିମୁଖୀ କରିଥିବାବେଳେ ବାକି ସବୁଠି ଲଢ଼େଇ ବିଜେଡି-ବିଜେପି ଭିତରେ । 

ମୟୂରଭଞ୍ଜ ଲଢ଼େଇ ବିଜେପି ପାଇଁ ସମ୍ମାନର ପ୍ରଶ୍ନ । ୨୦୧୯ରେ ବିଜେପି ସଭିଙ୍କୁ ଚମକାଇ ଦେଇଥିଲା । ଲୋକସଭା ଆସନ ସହ ୫ ବିଧାନସଭା ଆସନ ଦଖଲ କରିଥିଲା ଦଳ । ମାତ୍ର ଗତ ପଞ୍ଚାୟତ ଓ ପୌର ଭୋଟରେ ବିଜେଡିକୁ ବଡ଼ ସଫଳତା ମିଳିଛି ଜିଲ୍ଲାରେ ।  ଏଥର ଉଭୟ ଦଳର ପ୍ରାର୍ଥୀ ବି ବଦଳିଛନ୍ତି । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବଦଳରେ ରାଇରଙ୍ଗପୁର ବିଧାୟକ ନବକିଶୋର ମାଝୀ ବିଜେପିରୁ ଓ ଦେବାଶିଷ ମାର୍ଣ୍ଡିଙ୍କ ବଦଳରେ ଅଭିଜ୍ଞ ସୁଦାମ ମାର୍ଣ୍ଡିଙ୍କୁ ବିଜେଡି ପ୍ରାର୍ଥୀ କରିଛି ।  ଗତ ଲୋକସଭା ନିର୍ବାଚନ ବାରିପଦାରେ ୧୮ ହଜାର, ଯଶୀପୁରରେ ୧୦ ହଜାର, ସାରସକଣାରେ ୩୫୦୦, ରାଇରଙ୍ଗପୁରରେ ପ୍ରାୟ ୩ ହଜାର ଭୋଟରେ ଆଗୁଆ ଥିଲା ବିଜେପି । 

ନବଙ୍କୁ ନେଇ ରାଇରଙ୍ଗପୁରରୁ ବଡ଼ ଭୋଟ ଲିଡ୍‌ ନେବାକୁ ବିଜେପି ଲକ୍ଷ୍ୟ ରଖିଛି । ଗତ ଥର ବିଜେଡି ବାଙ୍ଗିରିପୋଷୀରୁ ୫ ହଜାର, ମୋରଡ଼ାରୁ ୮ ହଜାର ଓ ଉଦଳାରେ ଅଳ୍ପ ଭୋଟରେ ଆଗୁଆ ଥିଲା । ୨୦୦୪ରେ ସୁଦାମ ଜେଏମଏମ ଟିକଟରେ ମୟୂରଭଞ୍ଜରୁ ସାଂସଦ ଥିଲେ । ଏଥର ସୁଦାମଙ୍କ ଉପସ୍ଥିତି ବାଙ୍ଗିରିପୋଷୀ ସମେତ ଅନ୍ୟ ଆସନରେ ଦଳକୁ ବଡ଼ ଭୋଟ ବ୍ୟବଧାନରେ ଆଗୁଆ ରଖିବ ବୋଲି ବିଜେଡି ଆଶାବାଦୀ ଅଛି ।   ଜେଏମଏମରୁ ୨୦୧୯ରେ ଲଢ଼ିଥିବା ଅଞ୍ଜଳି ସୋରେନ ୧ ଲକ୍ଷ ୩୫ ହଜାର ଭୋଟ ହାତେଇଥିଲେ । ଏଥର ବି ଅଞ୍ଜଳି ଲଢ଼ୁଛନ୍ତି ।  ଜେଏମଏମ ଭୋଟରୁ ସୁଦାମ ଓ ନବ ବି ଭାଗ ବସାଇବାକୁ ଏଥର ଲକ୍ଷ୍ୟ ରଖିଛନ୍ତି ।   ବିଜେପି ୨୦୧୯ ସ୍ଥିତି ରିପିଟ କରିବ କି ବିଜେଡି ପଞ୍ଚାୟତ ଭଳି ସଫଳତା ପାଇବ, ତାହା କହିବା କଷ୍ଟକର ।

ସବୁଠୁ ରୋଚକ ଲଢ଼େଇ ଏଥର ବାଲେଶ୍ୱରରେ । ବିଜେପିରୁ ପୁଣି ଥରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଲଢ଼ୁଛନ୍ତି । ପ୍ରତାପଙ୍କୁ ଚାଲେଞ୍ଜ ଦେଉଛନ୍ତି ବିଜେପି ଛାଡ଼ି ବିଜେଡିରୁ ପ୍ରାର୍ଥୀ ହୋଇଥିବା ଲେଖାଶ୍ରୀ । କଂଗ୍ରେସର ଭେଟେରାନ ଶ୍ରୀକାନ୍ତ ଜେନାଙ୍କ ରି-ଏଣ୍ଟ୍ରି ପରେ ଏଠି ତ୍ରିମୁଖୀ ଟକ୍କର । 

ଗତ ଥର ବିଜେଡି ୪.୮୩ ଲକ୍ଷ, ବିଜେଡି ୪.୭୦ ଲକ୍ଷ ଓ କଂଗ୍ରେସ ୧.୭୯ ଲକ୍ଷ ଭୋଟ ପାଇଥିଲା । ବିଜେପି ବଡ଼ସାହି, ବାଲେଶ୍ୱର, ନୀଳଗିରି, ରେମୁଣାରେ ବଡ଼ ବ୍ୟବଧାନରେ ଆଗୁଆ ଥିଲା । ବିଜେଡିକୁ ବସ୍ତା, ଭୋଗରାଇ ଓ ଜଳେଶ୍ୱର ଭଲ ଭୋଟ ଦେଇଥିଲା । 

କଂଗ୍ରେସ ନେତା ଶ୍ରୀକାନ୍ତ ୨୦୦୯ରେ ୩.୧୩ ଲକ୍ଷ ଭୋଟ ପାଇ ଜିତିଥିବାବେଳେ ୨୦୧୪ରେ ୨ ଲକ୍ଷ ୭୭ ହଜାର ଭୋଟ ପାଇ ତୃତୀୟରେ ଥିଲେ । ବାଲେଶ୍ୱରରେ ଶ୍ରୀକାନ୍ତଙ୍କର ନିଜସ୍ୱ ଭୋଟ ବ୍ୟାଙ୍କ ଥିବାବେଳେ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ବି ନିର୍ଦ୍ଦଳୀୟ ଲଢ଼ିବା ଗଣିତକୁ ଜଟିଳ କରିଛି । 

ଏହାବାଦ୍‌ ନୀଳଗିରିରେ ବିଧାୟକ ସୁକାନ୍ତ ନାୟକ ବିଜେଡିରୁ ଓ ସନ୍ତୋଷ ଖଟୁଆ ବିଜେପିରୁ ଲଢ଼ୁଛନ୍ତି । ସିମୁଳିଆରେ ଜ୍ୟୋତି ପ୍ରାଣିଗ୍ରାହୀ, ଭୋଗରାଇରେ ଅନନ୍ତ ଦାସଙ୍କ ଟିକଟ କାଟିଛି ବିଜେଡି । ନିତ୍ୟାନନ୍ଦ ସାହୁଙ୍କୁ ହଟାଇ ବସ୍ତାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀଙ୍କୁ ବିଜେଡି ପ୍ରାର୍ଥୀ କରିଛି । ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ବିଜେଡିରୁ ବିଦା ହୋଇ ନିର୍ଦ୍ଦଳୀୟ ଲଢ଼ୁଥିବାବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସୁଦର୍ଶନ ଜେନା । ରଘୁନାଥ ମହାନ୍ତି ବିଜେପି ଛାଡ଼ିବା ପରେ ନୀରବ ବସିଛନ୍ତି । ଏମିତି ଗଣିତ ସଭିଙ୍କ ହିସାବକୁ ବିଗାଡ଼ି ଦେଇଛି । 

ଲଗାତାର ୬ ଥର ଭଦ୍ରକ ଲୋକସଭା ଆସନକୁ ଜିତି ଆସୁଥିବା ବିଜେଡି ପାଇଁ ୨୦୧୯ ଲଢ଼େଇ କାଠିକର ପାଠ ଥିଲା । ମାତ୍ର ୨୮ ହଜାର ଭୋଟରେ ବିଜେଡିର ମଞ୍ଜୁଲତା ମଣ୍ଡଳଙ୍କଠାରୁ ବିଜେପିର ଅଭିମନ୍ୟୁ ସେଠୀ । ଅଭିମନ୍ୟୁ ହେଉଛନ୍ତି ବିଜେଡିର ପୂର୍ବତନ ୫ ଥରିଆ ସାଂସଦ ଅର୍ଜୁନ ସେଠୀଙ୍କ ପୁଅ । ଏଥର ପୁଣି ମଞ୍ଜୁଲତା-ଅର୍ଜୁନ ଟକ୍କର । କଂଗ୍ରେସରୁ ଲଢ଼ୁଛନ୍ତି ଭେଟେରାନ ଅନନ୍ତ ସେଠୀ । 

ଗତ ଥର ଅନନ୍ତଙ୍କ ଝିଅ ମଧୁମିତା ସେଠୀ କଂଗ୍ରେସରୁ ଲଢ଼ି ୨ ଲକ୍ଷ ଭୋଟ ପାଇଥିଲେ । ଏଥର ଭଣ୍ଡାରିପୋଖରୀ, ବାସୁଦେବପୁର ଓ ଭଦ୍ରକ ବିଧାନସଭା ଆସନରେ କଂଗ୍ରେସର ବିଧାୟକ ପ୍ରାର୍ଥୀ କଡ଼ା ଟକ୍କର ଦେଉଥିବାବେଳେ ଅଭିଜ୍ଞ ଅନନ୍ତଙ୍କ ଉପସ୍ଥିତି ଲୋକସଭା ଲଢ଼େଇକୁ ତ୍ରିମୁଖୀ ଆଡ଼କୁ ନେଉଛି । 

ହେଲେ ମୁଖ୍ୟ ଲଢ଼େଇ ପୁଣି ବିଜେଡି-ବିଜେପି ଭିତରେ । ୟା’ ଭିତରେ ରାଜୁ ଦାସ ବିଜେଡିକୁ ଫେରିବା ଧାମନଗରରେ ବିଜେପିର ଚିନ୍ତା ବଢ଼ାଇଥିବାବେଳେ ସୋରରେ ପର୍ଶୁରାମ ଧଡ଼ା ବିଜେଡିର ଟେନସନ ବଢ଼ାଇଛନ୍ତି । ପ୍ରଫୁଲ୍ଲ ସାମଲ ଓ ସଞ୍ଜୀବ ମଲ୍ଲିକଙ୍କ ଆସନ ଅଦଳବଦଳ କରିଛି ବିଜେଡି । ଭଦ୍ରକ ପୌର ଅଧ୍ୟକ୍ଷା ଗୁଲମକି ବିଜେଡିରେ ମିଶିଥିବାବେଳେ ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ।  ଚାନ୍ଦବାଲିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡିକୁ କଡ଼ା ଟକ୍କର ଦେଉଥିବାବେଳେ ଭଣ୍ଡାରିପୋଖରୀରେ କଂଗ୍ରେସର ନିରଞ୍ଜନ ପଟ୍ଟନାୟକ ବି ବିଜେଡିକୁ ଚାଲେଞ୍ଜ ଦେଉଛନ୍ତି । 

ଗତ ଥର ବିଜେଡି ଭଣ୍ଡାରିପୋଖରୀ ଓ ବାସୁଦେବପୁରରୁ ୧୫ ହଜାର ଲେଖାଏଁ, ଭଦ୍ରକରୁ ୧୦ ହଜାର, ଚାନ୍ଦବାଲିରୁ ୮ ହଜାର, ସିମୁଳିଆରୁ ୩ ହଜାର ଭୋଟ ବ୍ୟବଧାନରେ ଆଗୁଆ ଥିଲା । ବିଜେପି  ସୋରରୁ ୧୩ ହଜାର ଓ ଧାମନଗରରୁ ୭ ହଜାର ବ୍ୟବଧାନରେ ଆଗୁଆ ଥିଲା । ଗତ ଥର ବିଜେଡି ୬, ବିଜେପି ଗୋଟିଏ ବିଧାନସଭା ଆସନ ଜିତିଥିଲା । ଏଥର ଉଭୟ ଦଳ ଭିତରେ କଡ଼ା ଲଢ଼େଇ । କିଛି ବି ହୋଇପାରେ । 

୧୯୯୯ରୁ ଯାଜପୁର ଲୋକସଭା ବିଜେଡି ଖାତାରେ ଅଛି । ଏଥର ବିଜେଡିରୁ ପୁଣି ଶର୍ମିଷ୍ଠା ସେଠୀ ପ୍ରାର୍ଥୀ ଥିବାବେଳେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନୂଆ ମୁହଁ ଦେଇଛନ୍ତି । ବିଜେପିରୁ ରବିନାରାୟଣ ବେହେରା, କଂଗ୍ରେସରୁ ଅଞ୍ଚଳ ଦାସ ପ୍ରାର୍ଥୀ । ୧ ଲକ୍ଷ ଭୋଟରେ ବିଜେଡି ଗତ ଥର ଏ ଆସନ ଜିତିଥିଲା । ବିଜେଡିର ଗଡ଼ ଯାଜପୁର । ୭ରୁ ୭ ବିଧାନସଭା ବିଜେଡି ପାଖରେ ରହିଛି । 

ଗତ ଥର ବିଜେଡି ୫.୪୪ ଲକ୍ଷ, ବିଜେପି ୪.୪୨ ଲକ୍ଷ ଓ କଂଗ୍ରେସ ମାତ୍ର ୮୩ ହଜାର ଭୋଟ ପାଇଥିଲା । କୌଣସି ଗୋଟିଏ ବି ବିଧାନସଭାରୁ ବିଜେପି ଆଗୁଆ ନଥିଲା । ଏଥର ବରୀରେ ସୁନନ୍ଦା ଦାସଙ୍କ ଟିକଟ କାଟି ବିଶ୍ୱ ମଲ୍ଲିକଙ୍କୁ ବିଜେଡି ପ୍ରାର୍ଥୀ କରିଥିବାବେଳେ  ଭେଟେରାନ ଦେବାଶିଷ ନାୟକ ବିଜେପିରୁ ନିରାଶ ହେବା ପରେ ଶେଷ ମୂହୂର୍ତ୍ତରେ ଏଥର କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି । ବଡ଼ଚଣାରେ ଅମର ଶତପଥୀଙ୍କ ଟିକଟ କାଟି ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ମଇଦାନରେ ଓହ୍ଲାଇଛି । କୋରେଇରେ ପ୍ରଣବ ପ୍ରକାଶ ଦାସଙ୍କ ମା’ ସନ୍ଧ୍ୟାରାଣୀ ଦାସଙ୍କ ବିରୋଧରେ ବିଜେପିରୁ ପ୍ରାର୍ଥୀ ଅଛନ୍ତି ପୂର୍ବତନ ବିଧାୟକ ତଥା ଅଭିନେତା ଆକାଶ ଦାସନାୟକ । କିଛି ବିଧାନସଭା ଆସନରେ କଡ଼ା ଏଥର ଟକରାଟକରି ସ୍ଥିତି ବିଜେଡି-ବିଜେପି ଭିତରେ । ତେବେ ବିଜେଡିର ଅଭେଦ ଦୁର୍ଗକୁ ଭେଦିବା ବିଜେପି ପାଇଁ ଏଥର ବି ବଡ଼ ଚାଲେଞ୍ଜ ।

କେନ୍ଦ୍ରାପଡ଼ା ଲୋକସଭା ବିଜେଡିର ଗଡ଼ । ଲଗାତାର ୬ ଥର ଜିତିଲାଣି ବିଜେଡି । ୭ରୁ ୭ ବିଧାନସଭା ଆସନ ବି ବିଜେଡି ଦଖଲରେ । ଗତ ଥର ବିଜେଡି ଟିକଟରେ ଅଭିନେତା ଅନୁଭବ ମହାନ୍ତି ଏହି ଲୋକସଭା ଆସନରୁ ବିଜେପିର ହେଭିୱେଟ ନେତା ବୈଜୟନ୍ତ ପଣ୍ଡାଙ୍କୁ ପ୍ରାୟ ଦେଢ଼ ଲକ୍ଷ ଭୋଟ ବ୍ୟବଧାନରେ ହରାଇଥିଲେ । 

ଏଥର ବିଜେଡିରୁ ସାଂସଦ ପ୍ରାର୍ଥୀ ଅଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ଅଂଶୁମାନ ।  ଜାତୀୟ ରାଜନୀତିରେ ଦବ୍‌ଦବା ବଢ଼ାଇଥିବା  ବୈଜୟନ୍ତଙ୍କ ପାଇଁ ଏଥର ଲଢ଼େଇ ସମ୍ମାନର ପ୍ରଶ୍ନ । ଗତ ଥର କୌଣସି ବିଧାନସଭା ଆସନରୁ ବୈଜୟନ୍ତ ଆଗୁଆ ନଥିଲେ । ଗଣେଶ୍ୱର ବେହେରା ଓ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡିରୁ ବିଧାୟକ ପ୍ରାର୍ଥୀ ବିଜେଡିର ବଳ ବଢ଼ାଇଛି । 

ପୂରା ଜିଲ୍ଲାରେ ବିଜୟଙ୍କ ପ୍ରଭାବ ରହିଛି ।  ଅଂଶୁମାନ, ଗଣେଶ୍ୱରଙ୍କ ଯୋଗଦାନ କଂଗ୍ରେସର ଭୋଟ ବ୍ୟାଙ୍କକୁ ବିଜେଡିକୁ ଟାଣିପାରିବ କି ନାହିଁ, ତାହା ଉପରେ ସଭିଙ୍କ ନଜର । ଗତ ଥର କଂଗ୍ରେସ ୧ ଲକ୍ଷ ୧୩ ହଜାର ଭୋଟ ପାଇଥିଲା । ବିଜେଡି ଏଥର ବିଜୟ ବ୍ୟବଧାନ ବଢ଼ାଇବ କି ବୈଜୟନ୍ତଙ୍କ ଚାଲ୍‌ ସଫଳ ହେବ, ତାହା ଜୁନ୍‌ ୪ରେ ଜଣାପଡ଼ିବ । 

  ଜଗତସିଂହପୁର ଲୋକସଭା ବି ବିଜେଡିର ଗଡ଼ ରହି ଆସିଛି । ଗତ ଥର ୨ ଲକ୍ଷ ୭୧ ହଜାର ଭୋଟ ବ୍ୟବଧାନରେ ବିଜେଡିର ରାଜଶ୍ରୀ ମଲ୍ଲିକ ବିଜେପିର ବିଭୁ ତରାଇଙ୍କୁ ହରାଇଥିଲେ । ରାଜଶ୍ରୀ ୬.୧୯ ଲକ୍ଷ, ବିଭୁ ୩.୪୮ ଲକ୍ଷ, କଂଗ୍ରେସର ପ୍ରତିମା ୨.୩୯ ଲକ୍ଷ ଭୋଟ ପାଇଥିଲେ । ଏଥର ପୁଣି ରାଜଶ୍ରୀ-ବିଭୁ ଟକ୍କରରେ । କଂଗ୍ରେସରୁ ରବୀନ୍ଦ୍ର ସେଠୀ ଲଢ଼ୁଛନ୍ତି । 

ଗତ ଥର ୭ଟି ଯାକ ବିଧାନସଭା ଆସନ ବିଜେଡି ଜିତିଥିଲା । ସମସ୍ତ ଆସନରୁ ବିଜେଡିର ସାଂସଦ ପ୍ରାର୍ଥୀ ଆଗୁଆ ଥିଲେ । ଟିକଟ ନ ପାଇ ନିମାପଡ଼ାରେ ସମୀର ଦାସ ବିଜେପିକୁ ଡେଇଁବା, ଜଗତସିଂହପୁରରେ ଅମରେନ୍ଦ୍ର ବିଜେପିରୁ ଲଢ଼ିବା ଘଟଣା ବିଜେଡିର ଚିନ୍ତା ବଢ଼ାଇଛି । ଏହାବାଦ୍‌ ପାରାଦୀପ ଓ ବାଲିକୁଦା ଏରସମାରେ ବିଜେଡି-ବିଜେପି ଭିତରେ ଟକ୍କର ଜୋରଦାର ଥିବା କୁହାଯାଉଛି । ତ୍ରିର୍ତ୍ତୋଲ ଓ କାକଟପୁରରେ ବି ଲଢ଼େଇ ଦେଖିବାକୁ ମିଳୁଛି ।  ଚିରଞ୍ଜୀବ ବିଶ୍ୱାଳ ବିଜେଡିରେ ମିଶିବା ପରେ ବିଜେଡିର ବଳ ବଢ଼ିଥିବାବେଳେ କଂଗ୍ରେସ ଦୁର୍ବଳ ହୋଇଛି । ଏସବୁ ଘଟଣାକୁ ଦେଖିଲେ ଏଥର ବିଜେଡି-ବିଜେପି ଭିତରେ ସିଧା ଲଢ଼େଇ ହେଉଥିବା ଦେଖିବାକୁ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.