ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସିଙ୍ଗଲ୍‌ ସ୍କ୍ରିନ୍‌ରେ ତାଲା, ମଲ୍ଟିପ୍ଲେକ୍ସ ଦର ଆକାଶଛୁଆଁ; କ୍ଷତି ସହୁଛନ୍ତି ଓଡ଼ିଆ ପ୍ରଯୋଜକ

ଭୁବନେଶ୍ୱର, ୨୯।୫(ଚାନ୍ଦିନୀ ମହାପାତ୍ର): ଦିନ ଥିଲା ସିନେମା ଟିକଟ ପାଇବା ପାଇଁ ଛୁରା ମାଡ଼ ହେଉଥିଲା । ଟିକଟ ଦଶଗୁଣା ଦରରେ କଳାବଜାର ହେଉଥିଲା । ସିନେମା ହଲ୍‌ ଆଗରେ ଦର୍ଶକଙ୍କ ଲମ୍ବା ଲାଇନ୍‌ ଲାଗୁଥିଲା । ହଲ୍‌ ନାଁ ରେ ସେ ଅଞ୍ଚଳର ନାମକରଣ ହୋଇଥିଲା । ଆଜି କିନ୍ତୁ ଅଲୋଡ଼ା ସିନେମା ହଲ୍‌ । ଓଡ଼ିଆ ସିନେମାର ମୂଳ ଆଧାର କୁହାଯାଉଥିବା ସିଙ୍ଗଲ୍‌ ସ୍କ୍ରିନ୍‌ରେ ଏବେ ତାଲା । କାଳକ୍ରମେ ସିନେମା ହଲ୍‌ ପାଲଟିଛି କଲ୍ୟାଣ ମଣ୍ଡପ ତ ଆଉ କିଛି ସ୍ଥାନରେ ମଲ୍‌ । ରାଜ୍ୟର ଅନ୍ୟ କୌଣସି ସହର ତ ଦୂର, ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ସିନେମା ହଲର ଏଭଳି ଶୋଚନୀୟ ସ୍ଥିତି ଦେଖିବାକୁ ମିଳୁଛି । ଏଠି ରବି ଟକିଜ୍‌, କଳ୍ପନା ହଲ୍‌ ଅଥବା ଏକାମ୍ର ହଲ୍‌ ସବୁ ବନ୍ଦ । ରବି ଟକିଜ୍‌ରେ କଲ୍ୟାଣ ମଣ୍ଡପ ଚାଲିଥିବାବେଳେ ଏକାମ୍ର ଓ କଳ୍ପନା ଭୂତକୋଠି ପାଲଟିଛି । ଏପଟେ ସାଧାରଣ ଦର୍ଶକଟିଏ ପାଇଁ ମଲ୍ଟିପ୍ଲେକ୍ସରେ ଟିକଟ ଦର ଆକାଶଛୁଆଁ । 

ସାଧାରଣ ସିଟ୍‌ର ଦର ୩୦୦ରୁ ୭୦୦ । ଭଲ ଫିଲ୍ମ ଆସିଲେ ଏହା ବଢ଼ି ୧୨୦୦ ଛୁଉଁଛି । କିନ୍ତୁ ସିଙ୍ଗିଲ୍‌ ସ୍କ୍ରିନ୍‌ ହଲ୍‌ ଗୁଡ଼ିକ ଭାଙ୍ଗି ମାଟିରେ ମିଶୁଛି । ସବୁ ଜାଣି ମଧ୍ୟ ସରକାର ନିରବ । ପଚାରିଲେ, ଉତ୍ତର ମିଳୁଛି, ଯୋଜନା ଚାଲିଛି । ଅନ୍ୟପକ୍ଷରେ ଡିଷ୍ଟ୍ରିବ୍ୟୁଟରମାନେ ସିଙ୍ଗଲ ସ୍କ୍ରିନ୍‌ ହଲ୍‌ ଉପରେ ଦାଉ ସାଧୁଛନ୍ତି । ହଲ୍‌ ବନ୍ଦ ହେବା ପଛରେ ସେମାନେ ବି ବଡ଼ କାରଣ । ତାଙ୍କ ଇଚ୍ଛାରେ ସିନେମା ପଡ଼ୁଛି ଆଉ ଉଠିଯାଉଛି । ବିଭିନ୍ନ ସିନେମା ପାଇଁ ତାଙ୍କର ଭିନ୍ନ ଭିନ୍ନ ବେପାର । ସେଥିରେ ଓଡ଼ିଆ ସିନେମା ଅଣନିଃଶ୍ୱାସୀ । ଗୋଦାବରୀଶ ମହାପାତ୍ରଙ୍କର କାଳଜୟୀ ଉପନ୍ୟାସ, ‘ମାଗୁଣିର ଶଗଡ଼’ କାହାଣୀରେ ଯେପରି ସମୟର ବିବର୍ତ୍ତନରେ ନୂଆ ଆସିଲେ ପୁରୁଣା ଅଦରକାରୀ ହୋଇପଡ଼େ, ଠିକ୍‌ ସେମିତି ମଲ୍ଟିପ୍ଲେକ୍ସ ଏବଂ ଓଟିଟି ଆସିବା ଫଳରେ ଅନେକ ସିଙ୍ଗିଲ୍‌ ସ୍କ୍ରିନ୍‌ ଏବେ ଅତୀତର ଗର୍ଭରେ ଲୁଚିଯାଇଛି ।

ଏକାମ୍ର ସିନେମା ହଲ୍‌

ରସୁଲଗଡ଼-ଲକ୍ଷ୍ମୀସାଗର ରାସ୍ତା କଡ଼ରେ ଥିଲା ଏକମ୍ର ସିନେମା ହଲ୍‌ । ଯେଉଁଠି ନୂଆ ନୂଆ ଚଳଚ୍ଚିତ୍ରର ପୋଷ୍ଟର ଲାଗୁଥିଲା । ଏହାକୁ ଦେଖିବା ପାଇଁ ଲୋକମାନେ ବହୁଳ ଭାବେ ଉତ୍ସାହିତ ରହୁଥିଲେ । କିନ୍ତୁ ତାହା ଏବେ ଭୂତ କୋଠି ପାଲଟିଛି । ପରିତ୍ୟକ୍ତ ଅବସ୍ଥାରେ ପରିଚୟ ଓ ଅସ୍ତିତ୍ୱ ହରାଇ ବସିଛି । ମଝିରେ କିଛି ଦିନ ସେଠାରେ ହଲ୍‌ ସମ୍ମୁଖ ଭାଗରେ ବିଭିନ୍ନ ଦୋକାନ ଖୋଲିଥିଲା । ଏବେ କିନ୍ତୁ ପୂରା ବନ୍ଦ ।

କଳ୍ପନା ସିନେମା ହଲ୍‌  

ରବି ପରି କଳ୍ପନା ସିନେମା ହଲ୍‌ ନାଁରେ ବି କଳ୍ପନା ଛକ ହୋଇଥିଲା । ଏବେ ଛକ ଅଛି ହେଲେ ହଲ୍‌ ନାହିଁ । ସଭିଙ୍କର ସ୍ମୃତି ପାଲଟିଛି । ଏହି ହଲ୍‌ ଦିନେ କଲେଜ ପିଲାଙ୍କର ମନୋରଞ୍ଜନର ମାଧ୍ୟମ ସାଜିଥିଲା । ବହୁଲୋକ ଏଠାକୁ ଆସି ଚଳଚ୍ଚିତ୍ର ଦେଖୁଥିଲେ । ଏବେ ପରିକଳ୍ପନା ହୋଇ ରହିଯାଇଛି କଳ୍ପନା । ଅଧା ଭଙ୍ଗା ହୋଇ ପଡ଼ିରହିଛି । ଶୁଣିବାକୁ ମିଳୁଥିଲା ସେଠି ମାର୍କେଟ୍‌ କମ୍ପେ୍ଲକ୍ସ ହେବାର ଯୋଜନା ରଖିଛନ୍ତି ମାଲିକ । ଏବେ ମ୍ୟୁଜିୟମ୍‌ ଛକ ଉତ୍କଳ କନିକା ଗାଲେରିଆରେ ଉଭୟ ରବି ଓ ଏକାମ୍ର ହଲ୍‌ର ଅଭାବ ପୂରଣ କରିବାକୁ ନୂଆ ମଲ୍ଟିପ୍ଲେକ୍ସ ପିଭିଆର୍‌ ଖୋଲିଯାଇଛି ।

ରାଜ୍ୟରେ ୩୦୦ ହଲ୍‌ ଥିଲା । ବେସରକାରୀ ତଥ୍ୟ କହୁଛି, ସିଙ୍ଗିଲ୍‌ ସ୍କ୍ରିନ୍‌ ଓ ମଲ୍ଟିପ୍ଲେକ୍ସ ମିଶି ୬୮ଟି ରହିଛି । ମାତ୍ର ସରକାରୀ ତଥ୍ୟ କହୁଛି ସିଙ୍ଗଲ୍‌ ସ୍କ୍ରିନ୍‌ ସଂଖ୍ୟା ୫୨ । ଏନେଇ ସରକାର ସ୍ପଷ୍ଟ ବି କରିଛନ୍ତି । ଗତ ମାର୍ଚ୍ଚ ୧୭ ତାରିଖରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏ ସମ୍ପର୍କିତ ପ୍ରଶ୍ନରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଗୃହରେ ଦର୍ଶାଇଥିଲେ, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ଦ୍ୱାରା ଅନୁମୋଦିତ ୫୨ଟି ପ୍ରେକ୍ଷାଳୟ ରହିଛି । ଏଠାରେ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦିଷ୍ଟ ସମୟ ପାଇଁ ପ୍ରଦର୍ଶିତ ହେବାର ପ୍ରାବଧାନ ରହିଛି । ରାଜ୍ୟରେ ନୂତନ ପ୍ରେକ୍ଷାଳୟ ନିର୍ମାଣ ପାଇଁ ସରକାର ଓଡ଼ିଶା ଚଳଚ୍ଚିତ୍ର ନୀତି-୨୦୧୯ ପ୍ରଣୟନ କରିଛନ୍ତି । 

ଉକ୍ତ ନୀତି ଅନୁସାରେ ନୂଆ ପ୍ରେକ୍ଷାଳୟ ନିର୍ମାଣ ପାଇଁ ପ୍ରୋତ୍ସାହନ ରାଶିର ମଧ୍ୟ ବ୍ୟବସ୍ଥା ରହିଛି । ବର୍ତ୍ତମାନ ମଲ୍ଟିପ୍ଲେକ୍ସ ଦୁନିଆରେ ସିଙ୍ଗଲ୍‌ ସ୍କ୍ରିନ୍‌ ଚଲାଇବା ଭାରି କଷ୍ଟକର ବ୍ୟାପାର । ସବୁ ସୁବିଧା ଦୃଷ୍ଟିରୁ ଲୋକ ମଲ୍ଟିପ୍ଲେକ୍ସକୁ ଯାଉଥିବାବେଳେ ସିଙ୍ଗଲ୍‌ ସ୍କ୍ରିନ୍‌କୁ ମୁହଁମୋଡ଼ୁଛନ୍ତି । ସେଥିପାଇଁ ଭୁବନେଶ୍ୱରରେ ଥିବା ଏସ୍‌ କମ୍ପେ୍ଲକ୍ସ ଏବେ ସିନେପ୍ଲେକ୍ସରେ ପରିଣତ ହୋଇଛି । ବାକି କେଶରୀ ଏବଂ ମହାରାଜା ହଲ୍‌ ମାଲିକ ଅତ୍ୟାଧୁନିକ ଶୈଳୀରେ ହଲ୍‌ ଭିତର ପରିବର୍ତ୍ତନ କରିଛନ୍ତି । ଅନେକ ହଲ୍‌ ମାଲିକ କିଛି ନୂଆ କରି ପୁଣି ଆରମ୍ଭ କରୁଛନ୍ତି । ଆଉ କିଛି ହଲ୍‌ ଭାଙ୍ଗି ଅନ୍ୟ ବ୍ୟବସାୟ କରୁଛନ୍ତି । ନଚେତ୍‌ ଆଇନକ୍ସ ଭଳି ବିଭିନ୍ନ କମ୍ପାନିମାନଙ୍କୁ ଚୁକ୍ତିରେ ଦେଇ ବଞ୍ଚୁଛନ୍ତି । ପୁରୀ ସହରରେ ଆଦୌ ହଲ୍‌ ନାହିଁ । ସେଠି ଭରସା ସାଜିଛି ଟାଉନ୍‌ ହଲ୍‌, ସଂସ୍କୃତି ଭବନ । ତେଣୁ ସରକାର ଓଡ଼ିଆ ସିନେମାର ଏ କ୍ଷେତ୍ରକୁ ଗୁରୁତ୍ୱ ଦେବାର ସମୟ ଆସିଛି । କାରଣ ଏକାଧିକ ଓଡ଼ିଆ ସିନେମା ମୁକ୍ତିଲାଭ କରିବାକୁ ବହୁ ସମସ୍ୟା ହେଉଛି । ଯାହାକୁ ନେଇ କ୍ଷତି ସହୁଛନ୍ତି ଓଡ଼ିଆ ପ୍ରଯୋଜକ ।

 

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.