ପ୍ରମୂଖ ଖବର

ନାବାଳିକା ଝିଅକୁ ବଳାତ୍କାର, ବାପା ନିଜ ଗୁପ୍ତାଙ୍ଗ କାଟିବାରୁ ଅବସ୍ଥା ସଙ୍କଟାପନ୍ନ

ଭୁବନେଶ୍ୱର, ୨୯।୫: ମୈତ୍ରୀ ବିହାର ଥାନାରେ ଏକ ଅଭାବନୀୟ ଘଟଣା ଘଟିଛି । ନାବାଳିକା ଝିଅକୁ ବଳାତ୍କାର କରି ଗିରଫ ହୋଇଥିବା ଅଭିଯୁକ୍ତ ବାପା ଥାନା ପାଇଖାନାରେ ଏକ ବ୍ଲେଡ୍‌ ଯୋଗେ ନିଜ ଗୁପ୍ତାଙ୍ଗ କାଟି ଆତ୍ମହତ୍ୟା ଉଦ୍ୟମ କରିଛି । ତା' ବେକ ଓ ହାତରେ ମଧ୍ୟ ଗଭୀର କ୍ଷତ ସୃଷ୍ଟି ହୋଇଛି । ଗୁରୁତର ଅବସ୍ଥାରେ ତାକୁ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ତା' ଅବସ୍ଥା ସଙ୍କଟାପନ୍ନ ରହିଛି । ଅଭିଯୁକ୍ତ ସପରିବାର ସାଲିଆ ସାହିରେ ରହୁଛନ୍ତି । ସୋମବାର ପତ୍ନୀ ନଥିବାବେଳେ ଅଭିଯୁକ୍ତ ନିଜ ୧୪ ବର୍ଷୀୟ ବଡ଼ଝିଅକୁ ବଳାତ୍କାର କରିଥିଲା । ମା’ ଫେରିଲା ପରେ ନାବାଳିକା ସବୁ କହିଥିଲା । ଏନେଇ ନାବାଳିକାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ସୋମବାର ବିଳମ୍ବିତ ରାତିରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । 

ମଙ୍ଗଳବାର ଅପରାହ୍ଣରେ ତାଙ୍କୁ କୋର୍ଟଚାଲାଣ କରିବା ପୂର୍ବରୁ ଡାକ୍ତରଖାନା ନେବାକୁ ପୁଲିସ ପ୍ରସ୍ତୁତ ହେଉଥିଲା । ଏହି ସମୟରେ ଅଭିଯୁକ୍ତ ପରିଶ୍ରା ବାହାନାରେ ଶୌଚାଳୟ ଯାଇଥିଲେ । ମାତ୍ର ଦୀର୍ଘସମୟ ଧରି ବାହାରିନଥିଲେ । ହଠାତ୍‌ ତାଙ୍କ ଚିତ୍କାର ଶୁଣି ପୁଲିସ ପାଇଖାନା କବାଟ ଭାଙ୍ଗି ଅଭିଯୁକ୍ତଙ୍କୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରିଥିଲା । ତାଙ୍କ ବେକ, ହାତ ଓ ଗୁପ୍ତାଙ୍ଗରୁ ପ୍ରବଳ ରକ୍ତସ୍ରାବ ହେଉଥିଲା । ତୁରନ୍ତ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଅଭିଯୁକ୍ତଙ୍କ ଗୁପ୍ତାଙ୍ଗ ମିଳିନଥିଲା । ଥାନା ପାଇଖାନାରେ ଗୁପ୍ତାଙ୍ଗ ରହିଯାଇଥିବା ଜଣାପଡ଼ିବା ପରେ ପୁଲିସ ଆସି ନେଇଥିଲା । ଏହା ପରେ ଅଭିଯୁକ୍ତଙ୍କ ଅସ୍ତ୍ରୋପଚାର କରାଯାଇଛି । ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଅନ୍ୟପକ୍ଷରେ ଏନେଇ ଡିସିପି ପ୍ରତୀକ ସିଂ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସେଣ୍ଟ୍ରି ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.