ପ୍ରମୁଖ ଖବର
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

ଆଗପଛ ହୋଇ ଚାଲିଗଲେ ମା’-ପୁଅ, ପୁଅର ସାପ କାମୁଡ଼ାରେ ମା’ର ହୃତ୍‌ଘାତରେ ମୃତ୍ୟୁ

ରାଜଗାଙ୍ଗପୁର, ୨୭।୪: ସାପ କାମୁଡ଼ାରେ ପୁଅର ଜୀବନ ଚାଲିଯିବା ପରେ ପୁଅକୁ ଝୁରି ଝୁରି ଚାଲିଗଲା ମା’ର ଜୀବନ । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ବୁଢ଼ାମ ପଞ୍ଚାୟତର ଢେଙ୍ଗୁରପାନି ଗ୍ରାମରେ । ମୃତକଙ୍କ ମା’ ହେଲେ ୩୮ ବର୍ଷୀୟ ସୁକାନ୍ତି କୁଜୁର ଏବଂ ପୁଅ ୬ ବର୍ଷୀୟ ଜ୍ଞାନଦୀପ କୁଜୁର ବୋଲି ଜଣାପଡ଼ିଛି ।

ଘଟଣା ମୁତାବକ, ଶୁକ୍ରବାର ଢେଙ୍ଗୁରପାନି ଗ୍ରାମର ବାସିନ୍ଦା ଅମିତ କୁଜୁରଙ୍କ ୬ ବର୍ଷର ବଡ଼ ପୁଅ ଜ୍ଞାନଦୀପ କୁଜୁର ସନ୍ଧ୍ୟା ସମୟରେ ଘର ବାହାରେ ଖେଳୁଥିଲେ । ଏହି ସମୟରେ କୌଣସି ବିଷାକ୍ତ ସାପ ତାଙ୍କୁ କାମୁଡ଼ିଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ରାଜଗାଙ୍ଗପୁର ସିଏଚସିକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ, ପରିବାର ଲୋକେ ଡାକ୍ତରଙ୍କ କଥାକୁ ଗ୍ରହଣ କରିନଥିଲେ ଏବଂ ପୁଅର ମୃତଦେହକୁ ଘରକୁ ନେଇଯାଇଥିଲେ । ପୁଅ ବଞ୍ଚିଯିବ ବୋଲି ଭାବି ଝଡ଼ାଫୁଙ୍ଖା କରିଥିଲେ ।  ସବୁ ପ୍ରୟାସ ପରେ ମଧ୍ୟ ପୁଅ କିନ୍ତୁ ଆଉ ଉଠି ନଥିଲା । 

ଅକାଳରେ ପୁଅର ମୃତ୍ୟୁ ହେବାରୁ ଜନ୍ମ କଲା ମା’ କୋହ ସମ୍ଭାଳି ପାରି ନଥିଲେ । କାନ୍ଦିକାନ୍ଦି ଶେଷରେ ଚେତା ହରାଇ ପଡ଼ିଯାଇଥିଲେ । ଚେତାଶୂନ୍ୟ ଅବସ୍ଥାରେ ରାତି ଅଧିଆ ତାଙ୍କୁ ଚିକିତ୍ସା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ଯାଞ୍ଚ ପରେ ମା’ଙ୍କୁ ମୃତ ଘୋଷଣା କରିଥିଲେ । ପ୍ରାଥମିକ ଯାଞ୍ଚ ପରେ ମା’ର ମୃତ୍ୟୁ ହୃତଘାତ ଯୋଗୁଁ ହୋଇଥିବା ନେଇ ଡାକ୍ତର ଅନୁମାନ କରିଥିଲେ  । ତେବେ ଶବ ବ୍ୟବଛେଦ ପରେ ମୃତ୍ୟୁର ଅସଲ କାରଣ ସ୍ପଷ୍ଟ ହେବ ବୋଲି ଡାକ୍ତର କହିଛନ୍ତି । 

ଆଗପଛ ହୋଇ ପୁଅ ଓ ମା’ ଉଭୟଙ୍କର ମୃତ୍ୟୁ ଖବର ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଗାଁରେ ଶୋକଳୁଳ ପରିବେଶ ସୃଷ୍ଟି ହୋଇଛି । ଏନେଇ ଖବର ପାଇ ଶନିବାର ସକାଳୁ ରାଜଗାଙ୍ଗପୁରର କଂଗ୍ରେସ ବିଧାୟକ ପ୍ରାର୍ଥୀ ଡ. ସିଏସ ରାଜନ୍ ଏକ୍କା ଏବଂ ବିଜେଡିର ଅନୀଲ ବରୁଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶୋକାକୁଳ ପରିବାର ଲୋକଙ୍କୁ ଶାନ୍ତ୍ୱନା ଦେବା ସହ ଆର୍ଥିକ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି । ତେବେ ଉଭୟଙ୍କର ମୃତଦେହକୁ ସିଏଚସିର ଶବଗୃହରେ ରଖାଯାଇଥିବା ବେଳେ ଡାକ୍ତରଖାନାରେ ଶୋକାକୁଳ ପରିବାର ଲୋକେ ରୁଣ୍ଡ ହୋଇଛନ୍ତି । ଘଟଣାରେ ପୁଲିସ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.