ନୂଆଦିଲ୍ଲୀ : ସୁପରଷ୍ଟାର ଥଲାପତି ବିଜୟଙ୍କ ଏଣ୍ଟ୍ରି ପରେ ତାମିଲନାଡୁ ରାଜନୀତିରେ ଏବେ ପରିବର୍ତ୍ତନର ସୁଅ ଛୁଟିଛି। ଏହାର ସଦ୍ୟ ଦୃଶ୍ୟ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ନଜର ଆସିଛି। ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ବ୍ରଦର କହି ବାର୍ଥଡେ ୱିଶ୍ କରୁଥିବା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ, ଆଜି ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ତ ଦେଲେ , ହେଲେ ପୂର୍ବର ସେହି ଅନ୍ଦାଜ ବଦଳି ଯାଇଛି। ଏବେ ରାହୁଲ ଗାନ୍ଧୀ ତାଙ୍କର ବ୍ରଦର ହୋଇ ରହି ନାହାନ୍ତି। ସେ ଷ୍ଟାନିଲଙ୍କ ପାଇଁ ଏବେ କେବଳ ବିରୋଧୀ ନେତା। ଅନ୍ୟପଟେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟ ରାହୁଲ ଗାନ୍ଧୀଙ୍କୁ ସ୍ୱତନ୍ତ୍ର ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି।
ଉଲ୍ଲେଖନୀୟ ଯେ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ୧୯ ଜୁନ ଅର୍ଥାତ୍ ଶୁକ୍ରବାର ୫୬ ବର୍ଷ ପୂରିଛି। ଏହି ଅବସରରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ , ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ଅନେକ ନେତା ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। ଆଉ ଏହି ସବୁ ମଧ୍ୟରେ ସ୍ୱତନ୍ତ୍ର ବାର୍ତ୍ତା ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଛି। ଏଥିରେ ଗୋଟିଏ ହେଉଛି ବିଜୟଙ୍କର ବାର୍ତ୍ତା। ବିଜୟ ରାହୁଲ ଗାନ୍ଧୀଙ୍କୁ ବାର୍ଥଡେ ୱିଶ୍ କରି ‘ମାଇଁ ଡିୟର ବ୍ରଦର’ ଲେଖି ସମ୍ୱୋଧନ କରିଥିଲେ।
ତାମିଲଗା ଭେତ୍ରି କଶଗମ (ଟିଭିକେ)ର ଲିଡର ବିଜୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି – ମୋର ପ୍ରିୟ ଭାଇ, ଲୋକସଭାରେ ବିରୋଧୀ ଦଳର ମାନନୀୟ ନେତା ରାହୁଲ ଗାନ୍ଧୀ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା। ଆପଣ ଆମ ମହାନ ଦେଶ ଭାରତର ବିକାଶ , ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ଓ ସମାଜର ସବୁ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ଲଗାତାର ନିଜର ସ୍ୱର ଉଠାଉବା ଜାରି ରଖିଛନ୍ତି। ମୁଁ ଆପଣଙ୍କ ଦୀର୍ଘ ଆୟୁଷ ଓ ଦୀର୍ଘ ଜୀବନରେ ସଫଳତା କାମନା କରୁଛି।
Birthday greetings to Hon'ble Leader of Opposition Thiru. @RahulGandhi.
— M.K.Stalin (@mkstalin) June 19, 2026
Wishing you good health and happiness.
ଅନ୍ୟପଟେ ଏହି ଅବସରରେ ଡିଏମକେ ମୁଖ୍ୟଙ୍କ ଅସନ୍ତୁଷ୍ଟତାର ଏକ ଝଲକ ମଧ୍ୟ ଦେଖିବାକୁ ମିଳିଛି। ଗତ ବର୍ଷ ସୁଦ୍ଧା ରାହୁଲ ଗାନ୍ଧୀ ଓ ଷ୍ଟାଲିନଙ୍କ ମଧ୍ୟରେ ସଂପର୍କ ଖୁବ୍ ଘନିଷ୍ଠ ଓ ଆଦର୍ଶଗତ ମନେକରାଯାଉ ଥିଲା, କିନ୍ତୁ ଚଳିତ ବର୍ଷର ଟ୍ୱିଟ୍ରେ ସେ ନିବିଡ଼ତା ସଂପୂର୍ଣ୍ଣ ଗାଏବ ନଜର ଆସିଛି। ଗତବର୍ଷ ଷ୍ଟାଲିନ୍ ଏହି ଅବସରରେ ଲେଖି ଥିଲେ , ମୋର ଆଇଡୋଲଜିକାଲ ବ୍ରଦର ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା। ଆମେ ରକ୍ତରେ ନୁହେଁ, ବରଂ ବିଚାର ,ଦୂରଦର୍ଶିତା ଓ ଉଦ୍ଦେଶ୍ୟ ସହ ଜଡ଼ିତ। ଆପଣ ଦୃଢଭାବେ ଠିଆ ହୋଇଛନ୍ତି ଏବଂ ସାହସର ସହ ନେତୃତ୍ୱ ନେଉଛନ୍ତି। ଏକ ଉଜ୍ଜ୍ୱଳ ଭାରତ ଆଡ଼କୁ ଆମର ଯାତ୍ରା ,ବିଜୟ ଆମର ହେବ । ଅନ୍ୟପଟେ ଚଳିତ ବର୍ଷ ତାଙ୍କର ଅନ୍ଦାଜ ବଦଳିଯାଇ ଥିବାର ଦେଖିବାକୁ ମିଳିଛି। ଷ୍ଟାଲିନ ଲେଖିଛନ୍ତି –ମାନନୀୟ ବିରୋଧୀ ନେତା ଥିରୁ . ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଖୁସିର କାମନା କରୁଛି।
ଉଲ୍ଲେଖନୀୟ ଯେ, ଗତ ମେ ମାସରେ ହୋଇଥିବା ତାମିଲନାଡୁ ବିଧାନସଭା ନିର୍ବାଚନରେ ଷ୍ଟାଲିନଙ୍କ ନେତୃତ୍ୱରେ ଡିଏମକେକୁ ବଡ଼ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ି ଥିଲା। ନିର୍ବାଚନର ଫଳାଫଳ ପରେ ୬ ମେ’ ରେ କଂଗ୍ରେସ ହଠାତ୍ ଡିଏମକେରୁ ନିଜର ପୁରୁଣା ସଂପର୍କ ତୁଟାଇ ଦେଇଥିଲା ଏବଂ ବିଜୟଙ୍କ ଟିଭିକେକୁ ସରକାର ଗଠନ କରିବା ପାଇଁ ସମର୍ଥନ ଦେଇଥିଲା। ଏହାକୁ ନେଇ ଡିଏମକେ ଅସନ୍ତୋଷ ବ୍ୟକ୍ତ କରି କହିଥିଲା କଂଗ୍ରେସ ତାଙ୍କ ସହ ବିଶ୍ୱାସଘାତକତା କରିଛି।
ଏହା ସହ ମଧ୍ୟ ପଢନ୍ତୁ : ‘ ଚୀନର ଯେଉଁ ଲ୍ୟାବରୁ ବ୍ୟାପିଥିଲା କରୋନା ଭାଇରସ , USର ଟପ୍ ବୈଜ୍ଞାନିକ ତାକୁ ଦେଇ ଥିଲେ ପାଣ୍ଠି '