ଢେଙ୍କାନାଳ,୨୮/୦୭: କାହାର ବାପାଙ୍କ ନାମରେ ତ କାହାର ଜେଜେବାପା କିମ୍ବା ପଣ ଜେଜେବାପାଙ୍କ ନାମରେ ଜମି ରହିଛି । ବାଦବିବାଦରୁ ଭାଗବଣ୍ଟା ହୋଇ ପାରୁନି । ଏବେ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିବାକୁ ହେଲେ ଉତ୍ତରାଧିକାରୀ ପ୍ରମାଣପତ୍ର ବାହାର କରିବାକୁ ପଡୁଛି । ତାହା ବାହାର କରିବା ପରେ ଯେତେଜଣ ରେକର୍ଡ ଧାରକ ବା ଉତ୍ତରାଧିକାରୀ ଅଛନ୍ତି ସମସ୍ତଙ୍କ ଠାରୁ ଅନୁମତିପତ୍ର ଆଣିବା ପରେ ପଞ୍ଜୀକରଣ ହୋଇପାରୁଛି । ଯଦି କେଉଁ ଭାଇ ଅନୁମତି ନଦେଲା କଥା ସରିଲା । ହତାସ ହୋଇ ଫେରୁଛି ଚାଷୀ ।
ଚଳିତ ବର୍ଷ ଚାଷୀ ପଞ୍ଜୀକରଣରେ ଆରମ୍ଭ ହୋଇଥିବା ଉତ୍ତରାଧିକାରୀ ପ୍ରମାଣପତ୍ର ବ୍ୟବସ୍ଥାରେ ଚାଷୀ ହତାସ ହୋଇପଡ଼ିଲେଣି । ପୁଣି ଇ-କେୱାଇସି ଓ ଆଇରିସ୍(ଚକ୍ଷୁଡୋଳା) ସ୍କାନ ରହିଥିବା ବେଳେ ଇଣ୍ଟରନେଟ୍ ସମସ୍ୟା ଓ ସରଭର ଡାଉନ୍ ଆହୁରି କନ୍ଦାଉଛି । ଚାଷ ସମୟରେ ଚାଷୀ ଚାଷ କରିବ ନାଁ ଏଭଳି କାମରେ ଧାଇଁବ । ଯାହାକୁ ନେଇ ଚାଷୀର ଅକଲ ଗୁଡୁମ୍ ହୋଇଗଲାଣି । ଏହି କାରଣରୁ ଢେଙ୍କାନାଳ ଜିଲ୍ଲାରେ ସପ୍ତାହକ ମଧ୍ୟରେ ମାତ୍ର ୨୭ ଶହ ଜଣ ଚାଷୀ ପଞ୍ଜୀକରଣ କରିପାରିଛନ୍ତି ।
ପୂର୍ବରୁ ଧାନ ବିକ୍ରି ପାଇଁ ଚାଷୀ ଜମି ପଟ୍ଟା ଦେଇ ପଞ୍ଜୀକରଣ କରିପାରୁଥିଲେ । ନିଜ ନାମରେ ଜମି ନଥିଲେ ହେଁ ବାପା, କିମ୍ବା ଜେଜେ ବାପାଙ୍କ ନାମରେ ଥାଇ ସୁଧା ପଞ୍ଜୀକରଣ ହୋଇପାରୁଥିଲା । ଅନ୍ୟ ଉତ୍ତରାଧିକାରୀ ବା ଭାଇମାନଙ୍କ ଅନୁମତିକୁ ସେତେ ଗୁରୁତ୍ୱ ଦିଆଯାଉନଥିଲା । ସମବାୟ ସମିତିର ସମ୍ପାଦକମାନେ ସ୍ଥାନୀୟ ଲୋକ ହୋଇଥିବାରୁ କାହାର କେତେ ଭାଇ, କିଏ ଚାଷ କରୁଛନ୍ତି ଆଦି ଜାଣିଥିବାରୁ ତାହା ହେଇପାରୁଥିଲା । ଗୋଟିଏ ପ୍ଲଟ୍ ଜଣଙ୍କ ନାମରେ ପଞ୍ଜୀକରଣ କରାଯାଇପାରୁଥିଲା । ଚାଷୀ ସୁରୁଖୁରୁରେ ପଞ୍ଜୀକରଣ କରି ଧାନ ଦେଇପାରୁଥିଲେ । ହେଲେ ଉତ୍ତରାଧିକାରୀ ପ୍ରମାଣପତ୍ର, ଅନୁମତିପତ୍ର ଏବଂ ଆଇରିସ୍ ସ୍କାନକୁ ବାଧ୍ୟତାମୂଳକ କରିଦିଆଯାଇଥିବାରୁ ଅଡୁଆ ହେଉଛି । ଚଳିତ ବର୍ଷ ଏହି ପ୍ରକିୟାକୁ ସରକାର ଜଟିଳ କରିଦେଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଧାନର ମୂଲ୍ୟ ସରକାର ଗତବର୍ଷ ଠାରୁ ୩୧ ଶହ ଟଙ୍କା କରିଥିବାରୁ ପୂର୍ବରୁ ମଣ୍ଡିରେ ଧାନ ଦେଉନଥିବା ଚାଷୀ ମଧ୍ୟ ଧାନ ଦେବାକୁ ଆଗ୍ରହ ପ୍ରକାଶ କରି ପଞ୍ଜୀକରଣ ପାଇଁ ଆସି ନିରାଶ ହେଉଛନ୍ତି ।
ଚାଷୀ ଯେଉଁ ପ୍ଲଟ୍ ଦେଇ ପଞ୍ଜୀକରଣ କରିବାକୁ ଚାହୁଁଛନ୍ତି ତାହା ତାଙ୍କ ନାମରେ ଥିଲେ ସହଜରେ ହୋଇଯାଉଛି । ମାତ୍ର ଉକ୍ତ ପ୍ଲଟ୍ ବାପା, ଜେଜେବାପାଙ୍କ ନାମରେ ରହିଥିଲେ ପ୍ରଥମେ ତାହାର ଉତ୍ତରାଧିକାରୀ ପ୍ରମାଣପତ୍ର ବାହାର କରିବାକୁ ପଡୁଛି । ସମସ୍ତ ଉତ୍ତରାଧିକାରୀଙ୍କ ଠାରୁ ଅନୁମତିପତ୍ର ଓ ଆଧାରକାର୍ଡ ନକଲ ଦେବାକୁ ପଡୁଛି । ଭାଇମାନଙ୍କ ସହ ବିବାଦ ଥିଲେ ଅନୁମତିପତ୍ର ଆଣିବା ଅସମ୍ଭବ ହୋଇପଡ଼ୁଛି। ଭାଗଚାଷୀ ହୋଇଥିଲେ ମାଲିକଙ୍କ ଅନୁମତିପତ୍ର, ଆଧାରକାର୍ଡ ସହ ମାଲିକଙ୍କୁ ସମିତିକୁ ଆସିବାକୁ କୁହାଯାଉଛି । ଯାହା ଚାଷୀ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରୁଛି ।
ସେହିପରି ପୂର୍ବରୁ ଧାନ ଦେବା ସମୟରେ ହିଁ ଆଇରିସ୍ (ଚକ୍ଷୁଡୋଳା) ସ୍କାନ କରିବାକୁ ପଡୁଥିଲା । ଏଥର ପଞ୍ଚିକରଣ ସମୟରୁ ଆଇରିସ୍ ସ୍କାନ କରାଯାଉଛି । ଇଣ୍ଟରନେଟ୍ ସବୁବେଳେ ରହୁନଥିବାରୁ ସମସ୍ୟା ହେଉଛି । ସେହିପରି ଆଧାରକାର୍ଡ ସହ ଆକାଉଣ୍ଟର ସଂଯୋଗ ପାଇଁ ଇ-କେୱାଇସି କରିବାକୁ କୁହାଯାଇଥିବାରୁ ସର୍ଭର ଡାଉନ ସମସ୍ୟା ସୃଷ୍ଟି କରୁଛି । ପଞ୍ଜୀକରଣ ପାଇଁ ନାନା ଗୋଲକଧନ୍ଦାରେ ଚାଷୀ ହତାସ ହୋଇ ପଡ଼ିଲାଣି । ଏବେ ଯେଉଁମାନଙ୍କ ନାଁରେ ଜମି ଅଛି ସେହିମାନେ ପଞ୍ଜିକରଣ କରୁପାରୁଛନ୍ତି । ଏଣୁ ମାତ୍ର ୨୭ ଶହ ପଞ୍ଜୀକରଣ ହୋଇପାରିଛି । ଅନ୍ୟ ଚାଷୀ ଏହି ଗୋଲକଧନ୍ଦାରେ ଫସି ପଞ୍ଜୀକରଣ କରିନପାରିବା ଆଶଙ୍କା କରି ଅସନ୍ତୋଷ ବ୍ୟକ୍ତି କରିବା ସହ ଆନ୍ଦୋଳନ ମୁହାଁ ହେଲେଣି ।
ଚାଷୀ ପଞ୍ଜୀକରଣ କମାଇବାକୁ ଫନ୍ଦ
ଅଶୋକ ସାହୁ
ମଣ୍ଡିରେ ବିଭିନ୍ନ ପ୍ରକାର ସମସ୍ୟା କାରଣରୁ ଅନେକ ଚାଷୀ ମଣ୍ଡିରେ ଧାନ ଦେଇନଥାନ୍ତି । ଗତବର୍ଷ ଠାରୁ ଧାନର ମୂଲ୍ୟ କୁଇଣ୍ଟାଲ୍ ପ୍ରତି ୩୧ଶହ ଟଙ୍କା ହେବା ପରେ ବହୁ ସଂଖ୍ୟାରେ ଚାଷୀ ଏଥର ମଣ୍ଡିରେ ଧାନ ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏଣୁ କିଭଳି ଅଧିକ ଚାଷୀ ପଞ୍ଚିକରଣ କରିନପାରିବେ ସେଥିପାଇଁ ସରକାର ଏପରି ଉତ୍ତରାଧିକାରୀ ପ୍ରମାଣପତ୍ର ଓ ଅନୁମତିପତ୍ର ଫନ୍ଦି କରିଛନ୍ତି । ଏପରି ହେଲେ ବହୁ ଚାଷୀ ପଞ୍ଜୀକରଣରୁ ବାଦ୍ ପଡ଼ିଯିବେ । ସରକାର ପଦକ୍ଷେପ ନନେଲେ ଚାଷୀ ଆନ୍ଦୋଳନକୁ ଓହ୍ଲାଇବେ ।
ଜଟିଳ ବ୍ୟବସ୍ଥାରେ ଚାଷୀ ହନ୍ତସନ୍ତ
ଅନିଲ କୁମାର ଭୂତିଆ,ସଭାପତି, କୁଆଳୁ ସମବାୟ ସମିତି
ବର୍ତ୍ତମାନ ଚାଷର ସମୟ । ତଳି ପକାଇବା, ରୋଇବାରେ ଚାଷୀ ବ୍ୟସ୍ତ । ଏହି ସମୟରେ ପଞ୍ଜିକରଣ ନାଁରେ ଏଭଳି ଜଟିଳ ବ୍ୟବସ୍ଥାରେ ପଡ଼ି ଚାଷୀ ହନ୍ତସନ୍ତ ହେଉଛନ୍ତି । ଚାଷୀ କାଗଜପତ୍ର ପାଇଁ ଧାଇଁଲେ, ଚାଷ କରିବେ କେତେବେଳେ । ବିଭିନ୍ନ ବିବାଦ ଯୋଗୁଁ ଜମି ଭାଗବଣ୍ଟା ହୋଇନଥିବା ବେଳେ ଏବେ ସାମନ୍ୟ ଧାନ ବିକିବା ନିମନ୍ତେ ଜମି ବିକିବା ଭଳି ସମସ୍ତଙ୍କ ଅନୁମତି ଖୋଜିବା ଅତି ଜଟିଳ ପ୍ରକ୍ରିୟା। ଚାଷୀ ଅକଳରେ ପଡ଼ି ସମିତିରେ କେବଳ ପାଟିତୁଣ୍ଡ କରୁଛନ୍ତି । ଆଗକୁ ଏ ସମସ୍ୟା ଆହୁରି ବଢ଼ିବ । ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।