ଢେଙ୍କାନାଳ,୨୮/୦୭: କାହାର ବାପାଙ୍କ ନାମରେ ତ କାହାର ଜେଜେବାପା କିମ୍ବା  ପଣ ଜେଜେବାପାଙ୍କ ନାମରେ ଜମି ରହିଛି । ବାଦବିବାଦରୁ ଭାଗବଣ୍ଟା ହୋଇ ପାରୁନି ।  ଏବେ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିବାକୁ ହେଲେ ଉତ୍ତରାଧିକାରୀ ପ୍ରମାଣପତ୍ର ବାହାର କରିବାକୁ ପଡୁଛି । ତାହା ବାହାର କରିବା ପରେ ଯେତେଜଣ ରେକର୍ଡ ଧାରକ ବା  ଉତ୍ତରାଧିକାରୀ ଅଛନ୍ତି ସମସ୍ତଙ୍କ ଠାରୁ  ଅନୁମତିପତ୍ର ଆଣିବା ପରେ ପଞ୍ଜୀକରଣ ହୋଇପାରୁଛି । ଯଦି କେଉଁ ଭାଇ ଅନୁମତି ନଦେଲା କଥା ସରିଲା । ହତାସ ହୋଇ ଫେରୁଛି ଚାଷୀ ।

ଚଳିତ ବର୍ଷ  ଚାଷୀ ପଞ୍ଜୀକରଣରେ ଆରମ୍ଭ ହୋଇଥିବା  ଉତ୍ତରାଧିକାରୀ ପ୍ରମାଣପତ୍ର ବ୍ୟବସ୍ଥାରେ  ଚାଷୀ ହତାସ ହୋଇପଡ଼ିଲେଣି । ପୁଣି  ଇ-କେୱାଇସି ଓ ଆଇରିସ୍‌(ଚକ୍ଷୁଡୋଳା) ସ୍କାନ ରହିଥିବା ବେଳେ ଇଣ୍ଟରନେଟ୍‌ ସମସ୍ୟା  ଓ ସରଭର ଡାଉନ୍‌ ଆହୁରି କନ୍ଦାଉଛି । ଚାଷ ସମୟରେ ଚାଷୀ ଚାଷ କରିବ ନାଁ ଏଭଳି  କାମରେ ଧାଇଁବ । ଯାହାକୁ ନେଇ ଚାଷୀର ଅକଲ ଗୁଡୁମ୍‌ ହୋଇଗଲାଣି । ଏହି କାରଣରୁ ଢେଙ୍କାନାଳ ଜିଲ୍ଲାରେ ସପ୍ତାହକ ମଧ୍ୟରେ  ମାତ୍ର ୨୭ ଶହ ଜଣ ଚାଷୀ ପଞ୍ଜୀକରଣ  କରିପାରିଛନ୍ତି ।   

ପୂର୍ବରୁ ଧାନ ବିକ୍ରି ପାଇଁ ଚାଷୀ ଜମି ପଟ୍ଟା ଦେଇ ପଞ୍ଜୀକରଣ କରିପାରୁଥିଲେ ।  ନିଜ ନାମରେ ଜମି ନଥିଲେ ହେଁ ବାପା,  କିମ୍ବା ଜେଜେ ବାପାଙ୍କ ନାମରେ ଥାଇ ସୁଧା ପଞ୍ଜୀକରଣ ହୋଇପାରୁଥିଲା । ଅନ୍ୟ ଉତ୍ତରାଧିକାରୀ ବା ଭାଇମାନଙ୍କ ଅନୁମତିକୁ  ସେତେ ଗୁରୁତ୍ୱ ଦିଆଯାଉନଥିଲା । ସମବାୟ ସମିତିର ସମ୍ପାଦକମାନେ ସ୍ଥାନୀୟ ଲୋକ  ହୋଇଥିବାରୁ କାହାର କେତେ ଭାଇ, କିଏ ଚାଷ କରୁଛନ୍ତି ଆଦି ଜାଣିଥିବାରୁ ତାହା ହେଇପାରୁଥିଲା । ଗୋଟିଏ ପ୍ଲଟ୍‌ ଜଣଙ୍କ ନାମରେ ପଞ୍ଜୀକରଣ କରାଯାଇପାରୁଥିଲା ।  ଚାଷୀ ସୁରୁଖୁରୁରେ ପଞ୍ଜୀକରଣ କରି ଧାନ  ଦେଇପାରୁଥିଲେ । ହେଲେ ଉତ୍ତରାଧିକାରୀ  ପ୍ରମାଣପତ୍ର, ଅନୁମତିପତ୍ର ଏବଂ ଆଇରିସ୍‌  ସ୍କାନକୁ ବାଧ୍ୟତାମୂଳକ କରିଦିଆଯାଇଥିବାରୁ  ଅଡୁଆ ହେଉଛି । ଚଳିତ ବର୍ଷ ଏହି  ପ୍ରକିୟାକୁ ସରକାର ଜଟିଳ କରିଦେଇଥିବା  ଚାଷୀ ଅଭିଯୋଗ କରିଛନ୍ତି । ଧାନର  ମୂଲ୍ୟ ସରକାର ଗତବର୍ଷ ଠାରୁ ୩୧ ଶହ  ଟଙ୍କା କରିଥିବାରୁ ପୂର୍ବରୁ ମଣ୍ଡିରେ ଧାନ  ଦେଉନଥିବା ଚାଷୀ ମଧ୍ୟ ଧାନ ଦେବାକୁ  ଆଗ୍ରହ ପ୍ରକାଶ କରି ପଞ୍ଜୀକରଣ ପାଇଁ ଆସି  ନିରାଶ ହେଉଛନ୍ତି ।   

ଚାଷୀ ଯେଉଁ ପ୍ଲଟ୍‌ ଦେଇ ପଞ୍ଜୀକରଣ କରିବାକୁ ଚାହୁଁଛନ୍ତି ତାହା ତାଙ୍କ ନାମରେ ଥିଲେ ସହଜରେ ହୋଇଯାଉଛି । ମାତ୍ର  ଉକ୍ତ ପ୍ଲଟ୍‌ ବାପା, ଜେଜେବାପାଙ୍କ ନାମରେ  ରହିଥିଲେ ପ୍ରଥମେ ତାହାର ଉତ୍ତରାଧିକାରୀ  ପ୍ରମାଣପତ୍ର ବାହାର କରିବାକୁ ପଡୁଛି । ସମସ୍ତ ଉତ୍ତରାଧିକାରୀଙ୍କ ଠାରୁ ଅନୁମତିପତ୍ର  ଓ ଆଧାରକାର୍ଡ ନକଲ ଦେବାକୁ ପଡୁଛି ।  ଭାଇମାନଙ୍କ ସହ ବିବାଦ ଥିଲେ ଅନୁମତିପତ୍ର ଆଣିବା ଅସମ୍ଭବ ହୋଇପଡ଼ୁଛି। ଭାଗଚାଷୀ  ହୋଇଥିଲେ ମାଲିକଙ୍କ ଅନୁମତିପତ୍ର,  ଆଧାରକାର୍ଡ ସହ ମାଲିକଙ୍କୁ ସମିତିକୁ  ଆସିବାକୁ କୁହାଯାଉଛି । ଯାହା ଚାଷୀ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରୁଛି ।  

ସେହିପରି ପୂର୍ବରୁ ଧାନ ଦେବା  ସମୟରେ ହିଁ ଆଇରିସ୍‌ (ଚକ୍ଷୁଡୋଳା)  ସ୍କାନ କରିବାକୁ ପଡୁଥିଲା । ଏଥର  ପଞ୍ଚିକରଣ ସମୟରୁ ଆଇରିସ୍‌ ସ୍କାନ  କରାଯାଉଛି । ଇଣ୍ଟରନେଟ୍‌ ସବୁବେଳେ  ରହୁନଥିବାରୁ ସମସ୍ୟା ହେଉଛି । ସେହିପରି  ଆଧାରକାର୍ଡ ସହ ଆକାଉଣ୍ଟର ସଂଯୋଗ ପାଇଁ  ଇ-କେୱାଇସି କରିବାକୁ କୁହାଯାଇଥିବାରୁ  ସର୍ଭର ଡାଉନ ସମସ୍ୟା ସୃଷ୍ଟି କରୁଛି ।  ପଞ୍ଜୀକରଣ ପାଇଁ ନାନା ଗୋଲକଧନ୍ଦାରେ  ଚାଷୀ ହତାସ ହୋଇ ପଡ଼ିଲାଣି । ଏବେ  ଯେଉଁମାନଙ୍କ ନାଁରେ ଜମି ଅଛି ସେହିମାନେ  ପଞ୍ଜିକରଣ କରୁପାରୁଛନ୍ତି । ଏଣୁ ମାତ୍ର ୨୭  ଶହ ପଞ୍ଜୀକରଣ ହୋଇପାରିଛି । ଅନ୍ୟ ଚାଷୀ  ଏହି ଗୋଲକଧନ୍ଦାରେ ଫସି ପଞ୍ଜୀକରଣ  କରିନପାରିବା ଆଶଙ୍କା କରି ଅସନ୍ତୋଷ ବ୍ୟକ୍ତି  କରିବା ସହ ଆନ୍ଦୋଳନ ମୁହାଁ ହେଲେଣି ।

ଚାଷୀ ପଞ୍ଜୀକରଣ କମାଇବାକୁ ଫନ୍ଦ

ଅଶୋକ ସାହୁ

ମଣ୍ଡିରେ ବିଭିନ୍ନ ପ୍ରକାର ସମସ୍ୟା  କାରଣରୁ ଅନେକ ଚାଷୀ ମଣ୍ଡିରେ  ଧାନ ଦେଇନଥାନ୍ତି । ଗତବର୍ଷ  ଠାରୁ ଧାନର ମୂଲ୍ୟ କୁଇଣ୍ଟାଲ୍‌  ପ୍ରତି ୩୧ଶହ ଟଙ୍କା ହେବା  ପରେ ବହୁ ସଂଖ୍ୟାରେ  ଚାଷୀ ଏଥର ମଣ୍ଡିରେ ଧାନ  ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏଣୁ କିଭଳି  ଅଧିକ ଚାଷୀ ପଞ୍ଚିକରଣ କରିନପାରିବେ ସେଥିପାଇଁ  ସରକାର ଏପରି ଉତ୍ତରାଧିକାରୀ ପ୍ରମାଣପତ୍ର ଓ ଅନୁମତିପତ୍ର  ଫନ୍ଦି କରିଛନ୍ତି । ଏପରି ହେଲେ ବହୁ ଚାଷୀ ପଞ୍ଜୀକରଣରୁ  ବାଦ୍‌ ପଡ଼ିଯିବେ । ସରକାର ପଦକ୍ଷେପ ନନେଲେ ଚାଷୀ  ଆନ୍ଦୋଳନକୁ ଓହ୍ଲାଇବେ ।

ଜଟିଳ ବ୍ୟବସ୍ଥାରେ ଚାଷୀ ହନ୍ତସନ୍ତ

ଅନିଲ କୁମାର ଭୂତିଆ,ସଭାପତି, କୁଆଳୁ ସମବାୟ ସମିତି

ବର୍ତ୍ତମାନ ଚାଷର ସମୟ । ତଳି  ପକାଇବା, ରୋଇବାରେ ଚାଷୀ ବ୍ୟସ୍ତ ।  ଏହି ସମୟରେ ପଞ୍ଜିକରଣ ନାଁରେ  ଏଭଳି ଜଟିଳ ବ୍ୟବସ୍ଥାରେ ପଡ଼ି  ଚାଷୀ ହନ୍ତସନ୍ତ ହେଉଛନ୍ତି ।  ଚାଷୀ କାଗଜପତ୍ର ପାଇଁ  ଧାଇଁଲେ, ଚାଷ କରିବେ  କେତେବେଳେ । ବିଭିନ୍ନ ବିବାଦ ଯୋଗୁଁ ଜମି ଭାଗବଣ୍ଟା  ହୋଇନଥିବା ବେଳେ ଏବେ ସାମନ୍ୟ ଧାନ ବିକିବା ନିମନ୍ତେ  ଜମି ବିକିବା ଭଳି ସମସ୍ତଙ୍କ ଅନୁମତି ଖୋଜିବା ଅତି ଜଟିଳ ପ୍ରକ୍ରିୟା। ଚାଷୀ ଅକଳରେ ପଡ଼ି ସମିତିରେ କେବଳ ପାଟିତୁଣ୍ଡ  କରୁଛନ୍ତି । ଆଗକୁ ଏ ସମସ୍ୟା ଆହୁରି ବଢ଼ିବ । ସରକାର ତୁରନ୍ତ  ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।