ଢେଙ୍କାନାଳ, ୦୧/୧୨ : ଢେଙ୍କାନାଳ ଜିଲ୍ଲାରେ କମୁନି ଏଡ୍ସ ରୋଗୀଙ୍କ ସଂଖ୍ୟା । ଶିଳ୍ପାଞ୍ଚଳ ପରିପୁଷ୍ଟ ଢେଙ୍କାନାଳ ଜିଲ୍ଲାରେ ବିଭିନ୍ନ କାରଣ ଯୋଗୁଁ ଏଡ୍ସ ବୃଦ୍ଧି ଚିନ୍ତାର ବିଷୟ ହୋଇଛି । ଗତ ୫ ବର୍ଷର ୧୫୪ ଜଣ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଏବେ ସୁଦ୍ଧା ୧୩୪ ଜଣ ଚିକିତ୍ସାଧୀନ ଅଛନ୍ତି । ଉଦ୍ବେଗର ବିଷୟ, ଆକ୍ରାନ୍ତଙ୍କ ମଧ୍ୟରେ ଅନେକ ଗର୍ଭବତୀ ରହିଛନ୍ତି ।
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ, ୨୦୧୯ରେ ଜିଲ୍ଲାର ୧୮ ହଜାର ୨୦୩ ଜଣଙ୍କୁ କାଉନ୍ସେଲିଂ କରାଯାଇଥିଲା । ସେଥିମଧ୍ୟରୁ ୧୮ ହଜାର ୧୩ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା ବେଳେ ୪୮ ଜଣଙ୍କ ଦେହରେ ଏଡ୍ସ ଭୂତାଣୁ ରହିଥିବା ଚିହ୍ନଟ ହୋଇଥିଲା । ସେହିବର୍ଷ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ୨୦୨୦ ମସିହାରେ ୧୩ ହଜାର ୧୫୫ ଜଣଙ୍କୁ କାଉନ୍ସେଲିଂ କରାଯାଇ ୧୩ ହଜାର ୪୬ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୪ ଜଣଙ୍କୁ ଏଡ୍ସ କବଳିତ କରିଥିଲା । ଏହି ବର୍ଷ ୩ ଜଣ ପ୍ରାଣ ହରାଇଥିଲେ । ୨୦୨୧ ମସିହାରେ ୧୬ ହଜାର ୧୧୧ ଜଣଙ୍କୁ କାଉନ୍ସେଲିଂ କରାଯାଇ ୧୬ ହଜାର ୯୮ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ୧୯ ଜଣଙ୍କ ଦେହରେ ଏଡ୍ସ ଭୂତାଣୁ ଥିବା ଚିହ୍ନଟ ହୋଇଥିଲା । ୩ ଜଣ ପ୍ରାଣ ହରାଇଥିଲେ ।
୨୦୨୨ ମସିହାରେ ୧୬ ହଜାର ୬୪୧ ଜଣଙ୍କୁ କାଉନ୍ସେଲିଂ କରାଯାଇ ୧୬ ହଜାର ୬୪୦ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ୩୨ ଜଣଙ୍କ ଦେହରେ ଏଡ୍ସ ଭୂତାଣୁ ଥିବା ଚିହ୍ନଟ ହୋଇଥିଲା । ଏ ବର୍ଷ ସର୍ବାଧିକ ୫ ଜଣ ପ୍ରାଣ ହରାଇଥିଲେ । ସେହିପରି ୨୦୨୩ ଅକ୍ଟୋବର ମାସ ପର୍ଯ୍ୟନ୍ତ ୧୭ ହଜାର ୫୬୩ ଜଣଙ୍କୁ କାଉନ୍ସେଲିଂ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ ହଜାର ୫୬୦ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଛି । ତନ୍ମଧ୍ୟରୁ ୩୧ ଜଣଙ୍କ ଦେହରେ ଏଡ୍ସ ଭୂତାଣୁ ଥିବା ଚିହ୍ନଟ ହୋଇଛି । ଗଲା ୧୦ ମାସରେ ୨ ଜଣ ପ୍ରାଣ ହରାଇ ସାରିଲେଣି । ଏଚ୍ଆଇଭି ପଜିଟିଭ୍ ଚିହ୍ନଟ ହୋଇଥିବା ୧୫୪ ଜଣଙ୍କ ମଧ୍ୟରୁ ୧୩୪ ଜଣ ରୋଗୀ ଡାକ୍ତରଙ୍କ ସହ ଯୋଗାଯୋଗରେ ରହି ପ୍ରତିମାସରେ ଔଷଧ ନେଉଛନ୍ତି । ମାତ୍ର ଅନ୍ୟ ୨୦ ଜଣ ସ୍ୱାସ୍ଥ୍ୟ ବିଭାଗ ତାଲିକାରୁ ଅନ୍ତର୍ଦ୍ଧାନ ଅଛନ୍ତି । ସେମାନେ ସ୍ୱାସ୍ଥ୍ୟ ବିଭାଗ ସହିତ ଯୋଗାଯୋଗରେ ନାହାନ୍ତି । ଏଚ୍ଆଇଭି ପଜିଟିଭ୍ ହୋଇଥିବା ୧୦୭ ଜଣ ରୋଗୀଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ମାସିକ ୫୦୦ ଟଙ୍କା ଲେଖାଏଁ ଭତ୍ତା ଦିଆଯାଉଛି ।
ଜିଲ୍ଲାର ବିଶେଷ ଭାବରେ ଶିଳ୍ପାଞ୍ଚଳଗୁଡ଼ିକରେ ଏହି ରୋଗୀଙ୍କ ସଂଖ୍ୟା ଅଧିକ ଥିବା କୁହାଯାଉଛି । ଏଥିସହ ଜିଲ୍ଲା ମଧ୍ୟ ଦେଇ ୫୫ ନଂ. ଓ ୫୩ ନଂ. ଜାତୀୟ ରାଜପଥ ଯାଇଛି । ରାଜପଥରେ ବହୁ ସଂଖ୍ୟାରେ ଲାଇନ୍ ଟ୍ରକ୍ ଯାତାୟତ କରୁଛି । ଶିଳ୍ପ ଓ ଖଣିଖାଦାନ ଅଞ୍ଚଳ ହୋଇଥିବାରୁ ବହୁସଂଖ୍ୟାରେ ବାହାର ରାଜ୍ୟରେ ବହୁ ଗାଡ଼ି ଏଠାକୁ ଆସୁଛି । ସେହିପରି ବାହାର ରାଜ୍ୟରେ ବହୁ ଶ୍ରମିକ ଜିଲ୍ଲାରେ କାମ କରୁଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ଡ୍ରାଇଭର ଓ ଶ୍ରମିକ ଶ୍ରେଣୀର ବୋଲି କୁହାଯାଉଛି । ସ୍କୁଲ୍, କଲେଜ, ଜାତୀୟ ରାଜପଥରେ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ଜିଲ୍ଲା ଆଇସିଡିଏସ୍ ସୁପର୍ଭାଇଜର ରୁଦ୍ରନାରାୟଣ ମିଶ୍ର କହିଛନ୍ତି। ଚିକିତ୍ସା ଅପେକ୍ଷା ଏଥିପ୍ରତି ସତର୍କ ଓ ସଚେତନ ରହିଲେ ଏହି ମାରାତ୍ମକ ରୋଗରୁ ରକ୍ଷା ମିଳିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।