ବରଗଡ଼,୧୯/୧୦: ପ୍ରୋତ୍ସାହନ ଅଭାବ ସାଙ୍ଗକୁ ବରଗଡ଼ ଚିନି କଳ ବନ୍ଦ ହେବା ପରେ ଜିଲ୍ଲାର ଅର୍ଥକାରୀ ଫସଲ ଆଖୁଚାଷ ଉଭେଇ ଯାଇଛି । ଅନ୍ୟପକ୍ଷରେ ଚିନାବାଦାମ, ମୁଗ,ବିରି ବଦଳରେ କପାଚାଷ ପ୍ରତି ଚାଷୀ ଆଗ୍ରହୀ ହୋଇଛନ୍ତି । ମାତ୍ର ସରକାରୀ ଉଦାସୀନତା ଯୋଗୁ ତାହା ଆଗକୁ ବଢ଼ିପାରୁନାହିଁ । ୫ ବର୍ଷ ତଳେ ଯେତିକି ଚାଷୀ କପା ଚାଷ କରୁଥିଲେ, ବର୍ତ୍ତମାନ ସେତିକିରେ ହିଁ ସୀମିତ ରହିଛି ।
ବରଗଡ଼ ଜିଲ୍ଲାର ଚିର ମରୁଡ଼ି ପ୍ରପୀଡ଼ିତ ପଦ୍ମପୁର ଉପଖଣ୍ଡର ପଦ୍ମପୁର, ପାଇକମାଳ, ଗାଇସିଲାଟ ଓ ଝାରବନ୍ଧ ବ୍ଲକରେ ବର୍ତ୍ତମାନ କପାଚାଷ କିଛି ମାତ୍ରାରେ ବ୍ୟାପକ ହୋଇସାରିଛି । ମାତ୍ର ମଣ୍ଡି ଅଭାବ, ବୀମା କ୍ଷେତ୍ରରେ ଅଗ୍ରହଣୀୟ, ଇନପୁଟ ସବସିଡ଼ିରେ ଅଣସମ୍ପୃକ୍ତି ଯୋଗୁଁ ଚାଷର ପରିମାଣ ଆଗକୁ ବଢ଼ିପାରୁନାହିଁ । ପଦ୍ମପୁର ଅଞ୍ଚଳର ପାଣିପାଗ କପାଚାଷ ପାଇଁ ଅନୁକୂଳ ଥିବାରୁ ଭଲ ଉତ୍ପାଦନ ହେଉଥିଲେ ମଧ୍ୟ ସାରା ଜିଲ୍ଲାରେ ଗୋଟେ ବି କପା ମଣ୍ଡି ନାହିଁ । ଚାଷୀ ବାହାର ରାଜ୍ୟର ମଧ୍ୟସ୍ଥିଙ୍କ ଉପରେ ଭରସା କରିବାକୁ ବାଧ୍ୟ ହେଉଛନ୍ତି ।
କପାର ସର୍ବନିମ୍ନ ସହାୟକ ଦର ୫୪୦ ଟଙ୍କା ବୃଦ୍ଧି ଘଟି କ୍ୱିଣ୍ଟାଲ ପ୍ରତି ଦର ବର୍ତ୍ତମାନ ୬୬୨୦ ଟଙ୍କାରେ ପହଞ୍ଚି ଥିଲେବି ମଣ୍ଡି ଓ ଆନୁଷଙ୍ଗିକ ସୁବିଧା ନଥିବାରୁ ନୂଆ ଚାଷୀ ଆଗ୍ରହୀ ହେଉନାହାନ୍ତି । ନିକଟବର୍ତ୍ତୀ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ରେ ହିଁ ପଶ୍ଚିମ ଓଡ଼ିଶାର ଏକମାତ୍ର କପା ମଣ୍ଡି ରହିଛି । ପାଟଣାଗଡ଼ ମଣ୍ଡି କର୍ମଚାରୀଙ୍କ ମନମୁଖି କାରବାର ଯୋଗୁଁ ହଟହଟା ହେଉଥିବାରୁ ଚାଷୀ ସେଠାକୁ ଯିବାକୁ ଅମଙ୍ଗ ହେଉଥିବା ଅଭିଯୋଗ କରିଛନ୍ତି । ବରଗଡ଼ ଚାଷୀ ଉନ୍ନତ ମାନର କପା ଉତ୍ପାଦନ କରୁଥିବାରୁ ବାହାର ରାଜ୍ୟରେ ଏହାର ବେଶ ଚାହିଦା ଅଛି । ମଧ୍ୟସ୍ଥିଙ୍କ ଜରିଆରେ ପଶ୍ଚିମବଙ୍ଗ ଓ ଗୁଜୁରାଟର କିଛି କପା ବ୍ୟବସାୟୀ ସିଧା ପଦ୍ମପୁର ଉପଖଣ୍ଡସ୍ଥ କପାଚାଷୀଙ୍କ ଖଳାରେ ଗାଡ଼ି ଲଗାଇ ମନଇଛା ଦରରେ କପା କିଣି ନେଉଛନ୍ତି । ଏଥିରୁ ମଧ୍ୟସ୍ଥିମାନେ ଭଲ ଦୁଇପଇସା ପାଉଛନ୍ତି । ମୋଟାମୋଟି ଭାବେ ବରଗଡ଼ କପା ଚାଷ ସମ୍ପୂର୍ଣ୍ଣ ଭାବେ ବଙ୍ଗାଳି ଓ ଗୁଜୁରାଟୀ ବେପାରୀଙ୍କ ଆଶ୍ରାରେ ରହିଛି । ଏହା ସତ୍ତେ୍ୱ ଜିଲ୍ଲା କୃଷି ବିଭାଗ କିମ୍ବା ରାଜ୍ୟ କୃଷି ବିଭାଗର କୌଣସି ସମ୍ପୃକ୍ତି ନଥିବାରୁ କପାଚାଷ ପ୍ରତି ଅଧିକ କୃଷକ ଆକର୍ଷିତ ହେଉନାହାନ୍ତି । ଫଳରେ ବରଗଡ଼ ଜିଲ୍ଲାର ଦ୍ୱିତୀୟ ସର୍ବାଧିକ ଅର୍ଥକାରୀ ଫସଲ କପାଚାଷ ଚାଷୀଙ୍କ ଠାରୁ ଧୀରେଧୀରେ ଦୂରେଇ ଯାଉଛି ।
ପ୍ରକାଶଯୋଗ୍ୟ, ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡରେ ବର୍ତ୍ତମାନ ୫ ହଜାର ହେକ୍ଟର ଜମିରେ କପାଚାଷ ହେଉଥିବା ବରଗଡ଼ କୃଷିବିଭାଗ ସୂତ୍ରରୁ ଜଣାପଡ଼ିଛି । ଏଥିରୁ ଭଲ ଅମଳ ଓ ଲାଭ ମିଳୁଥିବାରୁ ଚାଷୀଙ୍କର ଆଗ୍ରହ ଅଛି । କପାଚାଷର ପରିମାଣ ଅଧିକ ହୋଇଥିଲେବି ସରକାରୀ ଉଦାସୀନତାରୁ କାହାରି ପାଖରେ ସଠିକ ତଥ୍ୟ ରହୁନାହିଁ । ଚାହିଦାକୁ ଦୃଷ୍ଟିରେ ରଖି ବରଗଡ଼ କୃଷି ବିଭାଗ ତରଫରୁ ୨୦୨୩ରେ ଟେକ୍ନୋଲୋଜି ମିଶନ ଅନ କଟନ (ଟିଏମସି) ଯୋଜନାରେ ୨୦୦ ହେକ୍ଟର ଓ ଇଣ୍ଟେସିଭ ଏଗ୍ରିକଲଚର ପ୍ରୋଗ୍ରାମରେ ୭୦୦ ହେକ୍ଟରକୁ ନେଇ ମୋଟ ୯୦୦ ହେକ୍ଟର ଜମିରେ ପ୍ରଦର୍ଶନ ଚାଷ ପାଇଁ ଉତ୍ସାହିତ କରାଯାଇଥିବାରୁ କପାଚାଷ ପ୍ରତି ଜିଲ୍ଲା କୃଷି ବିଭାଗର ଉତ୍ସାହ ଏବଂ କପାଚାଷୀଙ୍କ ପ୍ରତି ଦାୟିତ୍ୱ ବେଶ ଅନୁମେୟ ବୋଲି କପାଚାଷୀ କ୍ଷୋଭ ପ୍ରକାଶ କରି କହିଛନ୍ତି । ବରଗଡ଼ କୃଷିବିଭାଗ ତରଫରୁ ଏଥିପାଇଁ କୌଣସି ଚାଷୀ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଉନଥିବା ବେଳେ ରୋଗପୋକ କ୍ଷେତ୍ରରେ ଆବଶ୍ୟକ ସର୍ବନିମ୍ନ ସୂଚନା ମଧ୍ୟ କୃଷି ଅଧିକାରୀ ଦେଇପାରୁ ନାହାନ୍ତି । ଦେଶୀ ସାଧନ ଭରସାରେ ଚାଷୀ ଚାଷବାସ କରୁଛି ।
ପୁଣି କପାକୁ କୃଷିବୀମା ପରିସରଭୁକ୍ତ କରାଯାଇନାହିଁ କି ଆଜି ଯାଏ ସରକାର ଏହାକୁ ଇନପୁଟ ସବସିଡ଼ିରେ ସାମିଲ କରିନାହାନ୍ତି । ତେଣୁ କୌଣସି ବିପଦ ଆପଦରେ କ୍ଷତିପୂରଣ ଶୂନ ଥିଲେବି ଚାଷୀ ନିଜକୁ ବାଜି ଲଗାଇ କପାଚାଷ ମୁଣ୍ଡାଇଛି । ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ଏହି ଧଳାସୁନା(କପା) ର ଢେର ଚାହିଦା ଥିବାରୁ ଚାଷୀ କପାଚାଷ ମୁହାଁ ହୋଇଥିବା ବେଳେ ଏଠି ବଜାର ସୁବିଧା ନପାଇ ଚାଷୀ ବାହାର ରାଜ୍ୟ ବେପାରୀ ହାତରେ ନିଜ କଷ୍ଟୋପାର୍ଜିତ ଉତ୍ପାଦନକୁ ଟେକି ଦେବାକୁ ଉଚିତ ମଣୁଛନ୍ତି । ସେହିପରି ଉତ୍ପାଦିତ କପାର ମାନ ଅପେକ୍ଷାକୃତ ଭଲ ଥିବାରୁ ପଶ୍ଚିମବଙ୍ଗର ବେପାରୀ କ୍ୱିଣ୍ଟାଲ ପ୍ରତି ଅଧିକ ଟଙ୍କା ଦେଇ କିଣିନେଉଛନ୍ତି । କପା ପାଇଁ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ସର୍ବନିମ୍ନ ସହାୟକ ଦର (ଏମଏସପି) ମଧ୍ୟ ଚର୍ଚ୍ଚାକୁ ଟାଣି ହୋଇଛି । ପ୍ରକାଶ ଥାଉକି, ବିଜୟା ଦଶମୀରେ କପା କିଣିଲେ ଶୁଭ ହେଉଥିବା ବିଶ୍ୱାସ ରହିଥିବାରୁ ବାହାର ରାଜ୍ୟର ବେପାରୀ ଦଶମୀରୁ ହିଁ ଗାଡ଼ି ଧରି ପଦ୍ମପୁର ଉପଖଣ୍ଡକୁ ଆସି ଚାଷୀଙ୍କ କ୍ଷେତକୁ ଯାଇ କପା କିଣି ନିଅନ୍ତି ।
ଏନେଇ ବରଗଡ଼ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅମିୟ ସାହୁଙ୍କୁ ପଚାରିବା ପରେ ବିଭାଗ ତରଫରୁ ପୂର୍ବାପେକ୍ଷା କପାଚାଷ ପାଇଁ ଅଧିକ ପଦକ୍ଷେପ ନିଆଯାଇଛି ।ସେଥିପାଇଁ ପ୍ରତିବର୍ଷ ୧୫ରୁ ୨୦ ପ୍ରତିଶତ କପାଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। କପାଚାଷରେ ରୋଗପୋକଜନିତ ସମସ୍ୟାର ସମାଧାନ ପାଇଁ ବୈଷୟିକ ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଇଛି । ଜିଲ୍ଲାରେ କପାମଣ୍ଡି କାହିଁକି ଖୋଲୁନାହିଁ ବୋଲି ପଚାରିବା ପରେ ବେସରକାରୀ ଭାବେ ଚାଷୀମାନେ ଅଧିକ ପ୍ରାପ୍ୟ ପାଉଥିବାରୁ ପଦକ୍ଷେପ ନିଆଯାଇନାହିଁ । ଏଥିରେ ବ୍ୟତିକ୍ରମ ଦେଖାଦେଲେ କୃଷିବିଭାଗ ନିଶ୍ଚିତ ଭାବେ ପଦକ୍ଷେପ ନେବ ବୋଲି ପ୍ରକାଶ କରି ଶ୍ରୀ ସାହୁ ଆଉ କିଛିବର୍ଷ ଭିତରେ ବରଗଡ଼ କପାଚାଷୀଙ୍କ ହବ୍ ହେବ ବୋଲି ପ୍ରକାଶ କରିଛନ୍ତି ।