ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ଓଡ଼ିଶା ପୁଲିସ ଇଂରାଜୀ ମୋହରେ ଉବୁଟୁବୁ: ସିସିଟିଏନ୍‌ଏସ୍‌ରେ ଅଟକିଛି ମାତୃଭାଷାର ଅସ୍ମିତା

ଜଗତସିଂହପୁର,୨୫/୦୨(ସିଦ୍ଧାର୍ଥ ଦାସ): ସିସିଟିଏନ୍‌ଏସ୍‌ ବା କ୍ରାଇମ୍‌ କ୍ରିମିନାଲ ଟ୍ରାକିଂ ନେଟୱର୍କ ସିଷ୍ଟମ୍‌ । ମହାରାଷ୍ଟ୍ର ପୁଲିସର ସିସିଟିଏନ୍‌ଏସ୍‌ ଖୋଲିଲେ ଗୋଟିଏ ପରେ ଗୋଟିଏ ଏତଲା ଦୃଷ୍ଟିକୁ ଆସେ । ଏଥିରେ ଅଭିଯୋଗର ବିବରଣୀ, ଦଫା ସବୁକିଛି ମରାଠୀରେ ଲେଖାଯାଇଥିବା ଦେଖିବାକୁ ମିଳେ । ସେହିପରି କର୍ଣ୍ଣାଟକ ପୁଲିସର ସିସିଟିଏନଏସ୍‌ରେ ଯେକୌଣସି ଥାନାର ତଥ୍ୟ ଖୋଲିଲେ ଏତଲାର ବିବରଣୀ, ଦଫା ସବୁକିଛି କନ୍ନଡ଼ ଭାଷାରେ ଉଲ୍ଲିଖିତ ଥିବା ଦେଖିବାକୁ ମିଳେ । ଉଭୟ ମରାଠୀ ଓ କନ୍ନଡ଼ ସେସବୁ ରାଜ୍ୟର ମାତୃଭାଷା ।

ଏବେ ଦେଖିବା ଓଡ଼ିଶା ପୁଲିସର ସିସିଟିଏନଏସ୍‌ । ଏହା ଖୋଲିଲେ ମାତୃଭାଷା (ଓଡ଼ିଆ)ର ଚିହ୍ନବର୍ଣ୍ଣ ଦେଖିବାକୁ ମିଳେନାହିଁ । ସବୁକିଛି ରେକର୍ଡ କେବଳ ଇଂରାଜୀରେ ଉଲ୍ଲିଖିତ । ଦେଶର ପ୍ରାୟ ସମସ୍ତ ରାଜ୍ୟର ପୁଲିସ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେଇଥିବା ବେଳେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ପୁଲିସ ଇଂରାଜୀ ମୋହରେ ଉବୁଟୁବୁ । ସିସିଟିଏନ୍‌ଏସ୍‌ରେ ଓଡ଼ିଆ ଭାଷାର ପ୍ରଚଳନକୁ ଗୁରୁତ୍ୱ ଦିଆଯାଇନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଅମଳରେ ଥାନା ଗୁଡ଼ିକରେ କେସ୍‌ ଡାଏରୀ ଓଡ଼ିଆରେ ଲେଖିବାକୁ ପୁଲିସ ବିଭାଗକୁ ନିର୍ଦ୍ଦେଶ ରହିଥିଲା । ନିକଟ ଅତୀତରେ ହାଇକୋର୍ଟ  ଓଡ଼ିଆ ଭାଷାକୁ ଅଗ୍ରାଧିକାର ଦେବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି । ତଥାପି ଓଡ଼ିଆ ଭାଷାର ଅସ୍ମିତା ରାଜ୍ୟ ପୁଲିସ ନିୟନ୍ତ୍ରଣାଧୀନ ସିସିଟିଏନ୍‌ଏସ୍‌ କ୍ଷେତ୍ରରେ କବର ତଳେ ରହିଛି ।

ନାସନାଲ୍‌ କ୍ରାଇମ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି) ଦ୍ୱାରା କାର୍ଯ୍ୟକାରୀ ହୋଇଛି ସିସିଟିଏନ୍‌ଏସ୍‌ ବ୍ୟବସ୍ଥା । ପୁଲିସ କାର୍ଯ୍ୟରେ ସଂପୂର୍ଣ୍ଣ ସ୍ୱଚ୍ଛତା ରଖିବାର ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ସିସିଟିଏନ୍‌ଏସ୍‌ ବ୍ୟବସ୍ଥାକୁ କେବଳ କୋଲକତାକୁ ଛାଡ଼ି ଦେଲେ ଦେଶର ସମସ୍ତ ରାଜ୍ୟ ଗ୍ରହଣ କରି ନେଇଛନ୍ତି । ସିସିଟିଏନ୍‌ଏସ୍‌ ବ୍ୟବସ୍ଥାରେ ଜିଡି ବା ଜେନେରାଲ୍‌ ଡାଏରୀ ଲିପିବଦ୍ଧ ଠାରୁ ଆରମ୍ଭ କରି ଏତଲା, ତଦନ୍ତ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ, ଜବତ ତାଲିକା, ଗିରଫ ସଂପର୍କିତ ବିବରଣୀ, ଫାଇନାଲ ଫର୍ମ ବା ଚାର୍ଜସିଟ୍‌, ଅପମୃତ୍ୟୁ, ମାଲଖାନା, ଦୁର୍ଘଟଣା, ନିଖୋଜ ମାମଲା ସଂପର୍କୀୟ ଆଦି ସମସ୍ତ ତଥ୍ୟକୁ ଲିପିବଦ୍ଧ କରାଯାଉଛି । ସ୍ୱଚ୍ଛତା ଦୃଷ୍ଟିରୁ ସିସିଟିଏନ୍‌ଏସ୍‌ ବେଶ୍‌ ଗ୍ରହଣୀୟ । ଉକ୍ତ ବ୍ୟବସ୍ଥାରେ ସମସ୍ତ ରାଜ୍ୟର ଆଞ୍ଚଳିକ ଭାଷାରେ କାର୍ଯ୍ୟ କରାଯିବାକୁ ସଫ୍ଟୱେର ପ୍ରସ୍ତୁତ ହୋଇଛି । ଏହି ସଫ୍ଟୱେର ମାଧ୍ୟମରେ ଓଡ଼ିଶା ପୁଲିସ ମଧ୍ୟ ଓଡ଼ିଆ ଭାଷାକୁ ସିସିଟିଏନ୍‌ଏସ୍‌ରେ କାର୍ଯ୍ୟକାରୀ କରିପାରିବେ । କିନ୍ତୁ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଭାଷାକୁ ଏକ୍ଷେତ୍ରରେ ପୁଲିସ ପ୍ରଶାସନ ବାଦ୍‌ ଦେଇଛି । ଶାସ୍ତ୍ରୀୟ ମାନ୍ୟତା କ୍ଷେତ୍ରରେ ପୂରା ଦେଶରେ ଓଡ଼ିଆ ଷଷ୍ଠ ଭାଷା । ପ୍ରଥମ ଆଦି ଭାଷା ମଧ୍ୟ । ଏହାସତ୍ତେ୍ୱ ଓଡ଼ିଶା ପୁଲିସ ସିସିଟିଏନ୍‌ଏସ୍‌ରେ ଇଂରାଜୀ ଭାଷାକୁ ଜାବୁଡ଼ି ଧରିଛନ୍ତି ।  ଏହା ରାଜ୍ୟ ସରକାରଙ୍କ ଲକ୍ଷ୍ୟ କ୍ଷେତ୍ରରେ ବଡ଼ ଅନ୍ତରାୟ ।

ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବା ସହ ବ୍ୟାପକ ପ୍ରଚାର ପ୍ରସାର କ୍ଷେତ୍ରରେ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ବିଦ୍ୟାଳୟଠାରୁ ମହାବିଦ୍ୟାଳୟ ସ୍ତରରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଆ ଭାଷା ଉପରେ ଆଲୋଚନାଚକ୍ର କରାଯାଉଛି । କେରଳ ଭଳି ସର୍ବାଧିକ ଶିକ୍ଷିତ ସଚେତନ ରାଜ୍ୟ କେବେଠାରୁ ଇଂରାଜୀ ଭାଷାର ହାତ ଛାଡ଼ି ନିଜର ଆଞ୍ଚଳିକ ଭାଷାକୁ ସିସିଟିଏନ୍‌ଏସ୍‌ରେ କାର୍ଯ୍ୟକାରୀ କରିଥିବା ସ୍ଥଳେ ଓଡ଼ିଶା ଏବେବି ବିଦେଶୀ ଭାଷା ଇଂରାଜୀକୁ କୋଳେଇଛି ।

ଓଡ଼ିଶାର ସମସ୍ତ ତଦନ୍ତକାରୀ ଶାଖାରେ ସିସିଟିଏନ୍‌ଏସ୍‌କୁ ଗୁରୁତ୍ୱ ଦିଆଯାଇଛି । ପୂର୍ବରୁ ପୁଲିସ ଅଫିସରମାନେ ଖାତାପତ୍ରରେ କେସ୍‌ ସମ୍ବନ୍ଧୀୟ ଦସ୍ତାବିଜ୍‌ରେ ଆବଶ୍ୟକ ପଡ଼ିଲେ ଅଦଳବଦଳ କରିପାରୁଥିଲେ । ମାତ୍ର ସିସିଟିଏନ୍‌ଏସ୍‌ କାର୍ଯ୍ୟକାରୀ ପରଠୁ ତଦନ୍ତକାରୀ ଅଫିସରମାନଙ୍କ ଏହି ମନ୍‌ମାନି ବନ୍ଦ ହୋଇଯାଇଛି । ଏବେ ଏହି ଇଂରାଜୀ ଭାଷା ଅନେକ ଏଏସ୍‌ଆଇଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ବିଶେଷକରି ଇଂରାଜୀରେ ଦଖଲ କମ୍‌ ରହିଥିବାରୁ ଜିଡି ଏଣ୍ଟ୍ରି କରିବା ସମୟରେ ଏମାନଙ୍କର ଯଥେଷ୍ଟ ଭାଷାଗତ ଜ୍ଞାନ ଭୁଲ ରହୁଛି । କେତେକ ସ୍ଥଳେ ତ ଇଂରାଜୀ ଅନୁବାଦ କରିବା ସମୟରେ ଅଭିଯୋଗକାରୀ ଦେଇଥିବା ଦରଖାସ୍ତର ପ୍ରକୃତ ଭାବାର୍ଥ ବଦଳି ଯାଉଛି । ସମ୍ଭବତଃ ସିସିଟିଏନ୍‌ଏସ୍‌ରୁ ଦୂରେଇ ରହିବା ପାଇଁ ବହୁ ଏଏସ୍‌ଆଇ ଥାନା ଛାଡ଼ି ସ୍ପେଶାଲ ବ୍ରାଞ୍ଚ୍‌ ଭଳି ଅନ୍ୟ ତଦନ୍ତକାରୀ ସଂସ୍ଥାକୁ ବଦଳି ପାଇଁ ଦରଖାସ୍ତ କରୁଥିବା ଚର୍ଚ୍ଚା ହେଉଛି । 

ଅପରପକ୍ଷେ ଥାନା ତଥା ଜିଲ୍ଲାସ୍ତରରେ କାର୍ଯ୍ୟରତ ପୁଲିସ ଅଫିସରମାନେ ଇଂରାଜୀକୁ ପ୍ରାଧାନ୍ୟ ଦେବା ପଛର କେତେକ କାରଣ ରହୁଛି । ଖାସ୍‌କରି ଇଂରାଜୀରେ ଇନ୍ସପେକ୍ଟର ଲେଖାଯାଉଥିବା ବେଳେ ଓଡ଼ିଆରେ ତାହା ଆରକ୍ଷୀ ନିରୀକ୍ଷକ ଭାବେ ସମ୍ବୋଧନ କରାଯାଏ । ଅର୍ଥାତ ଓଡ଼ିଆ ଭାଷାରେ ଯୁକ୍ତାକ୍ଷର ଅଧିକ ଏବଂ କେତେକ ଶବ୍ଦର ପ୍ରକୃତ ଓଡ଼ିଆ ଜଣା ରହୁନଥିବାରୁ ଓଡ଼ିଶା ପୁଲିସ ଇଂରାଜୀକୁ ଭୁଲ ଠିକ ଭାବେ ଗଣ୍ଠିଧନ କରିଛନ୍ତି । 

ଅବସରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ମହନ୍ତ ମଧ୍ୟ ମାତୃଭାଷାର ଗରିମା ରଖିବା ସମସ୍ତଙ୍କ କର୍ତ୍ତବ୍ୟ ଓ ଦାୟତ୍ୱବୋଧ ବୋଲି ‘ପ୍ରମେୟ’କୁ କହିଛନ୍ତି । ତେଣୁ ଓଡ଼ିଶାରେ ସିସିଟିଏନ୍‌ଏସ୍‌କୁ ଓଡ଼ିଆ ଭାଷାରେ କାର୍ଯ୍ୟକାରୀ କରିବାର ଯଥାର୍ଥତା ରହୁଛି । ସରକାର ବିଶ୍ୱସ୍ତରରେ ଓଡ଼ିଆ ଭାଷା ସାହିତ୍ୟକୁ ପହଞ୍ଚାଇବାକୁ ଚାହୁଁଥିବାରୁ ଓଡ଼ିଶା ପୁଲିସ ପ୍ରଶାସନ ମଧ୍ୟ ଏଦିଗରେ ପଦକ୍ଷେପ ନେବା ଜରୁରି । ଏହାଦ୍ୱାରା ତୃଣମୂଳସ୍ତରରେ ସିସିଟିଏନ୍‌ଏସ୍‌ରେ କାର୍ଯ୍ୟ କରୁଥିବା ପୁଲିସ ଅଫିସରମାନେ ନିଶ୍ଚିତ ଭାବେ ଉତ୍ସାହିତ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.