ଭୁବନେଶ୍ୱର,୨୭/୦୯: ଭରତପୁର ଥାନାରେ ହଙ୍ଗମା ଘଟଣାକୁ ନେଇ ବିବାଦ ଥମିବାର ନାଁ ନେଉନି । ଏହି ଘଟଣାରେ ନିଲମ୍ବିତ ୪ ପୋଲିସ କର୍ମଚାରୀଙ୍କ ହେବ ନାର୍କୋ ଟେଷ୍ଟ । ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ହାଜର ହେବେ ୪ ପୋଲିସ କର୍ମଚାରୀ । ଏହା ସହିତ ବ୍ରେନ୍ ମ୍ୟାପିଂ ଏବଂ ପଲିଗ୍ରାଫ ଟେଷ୍ଟ ମଧ୍ୟ କରାଯିବ । ଏଥିପାଇଁ କୋର୍ଟର ଅନୁମତି ଲୋଡିଲା କ୍ରାଇମବ୍ରାଞ୍ଚ । ୪ ଜଣଙ୍କ ସହମତି ମିଳିଲେ କୋର୍ଟ ନେବ ନିଷ୍ପତ୍ତି । ପୂର୍ବରୁ ଭରତପୁର ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ମିଛଧରା ପରୀକ୍ଷା ପାଇଁ କ୍ରାଇମବାଞ୍ଚଙ୍କୁ ଅନୁମତି ପ୍ରଦାନ କରିଥିଲେ। ଶ୍ରୀ ମିଶ୍ରଙ୍କୁ ଖୁବଶୀଘ୍ର ଗୁଜରାଟ ଗାନ୍ଦୀନଗରରେ ପଲିଗ୍ରାଫ ଟେଷ୍ଟ ହେବ।
ସୂଚନା ଥାଉକି, ଆର୍ମି ମେଜର ଓ ତାଙ୍କ ବାନ୍ଧବୀ ୧୪ ତାରିଖ ରାତିରେ ପଟିଆରୁ ଭରତପୁରକୁ ରାତିରେ ଆସୁଥିଲେ । ରାସ୍ତାରେ ୨ଟି କାର୍କୁ ସେ ଓଭରଟେକ୍ କରିଥିଲେ । କାର୍ରେ ଥିବା ଯୁବକମାନେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ଅଟକାଇ ଦୁର୍ବ୍ୟବହାର ସହ ଆକ୍ରମଣ କରିଥିଲେ। ଏନେଇ ରାତିରେ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ ମେଜର ଓ ତାଙ୍କ ବାନ୍ଧବୀ । ତେବେ ସେଠାରେ ପୋଲିସ ସହ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା। ଏହା ପରେ ଉଭୟଙ୍କୁ ପୁଲିସ ନିର୍ଯାତନା ଦେଇଥିଲା। ଏପରିକି ମେଜରଙ୍କ ବାନ୍ଧବୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଥାନାରେ ଅଭିଯୋଗ କରିବାକୁ ଆସି ପୋଲିସ ଠାରୁ ମାଡ ଖାଇବା ଓ ନିର୍ଯାତନା ଦିଆଯିବା ଅଭିଯୋଗ ହେବା ପରେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଡିଜିପି ୱାଇବି ଖୁରାନିଆ । ଏଥିସହ ୫ ପୋଲିସ ଅଫିସରଙ୍କୁ ଡିଜିପି ନିଲମ୍ଵିତ କରିଥିଲେ। ବର୍ତ୍ତମାନ ରାଜଧାନୀର ଭାରତପୁର ଥାନାର ଏହି କାଣ୍ଡ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।