ଜଟଣୀ,୨୬/୦୮: ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ରବିବାର ଏଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଡିସିପି ପ୍ରତୀକ ସିଂଙ୍କ ପୌରୋହିତ୍ୟରେ ଆୟୋଜିତ ପ୍ରସ୍ତୁତି ବୈଠକରେ ପୂଜା ପେଣ୍ଡାଲ କର୍ମକର୍ତ୍ତା ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଚଳିତବର୍ଷ ୬୦ଟି ମଣ୍ଡପରେ ପୂଜା ପାଇବେ ଶ୍ରୀଗଣେଶ । ରହିଥିବା ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ସହିତ ସବୁବର୍ଷ ପରି ଚଳିତବର୍ଷ କିପରି ପୂଜା ଶାନ୍ତିଶୃଙ୍ଖଳାର ସହିତ ଆୟୋଜନ କରାଯିବ ସେନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇ ବିଭିନ୍ନ ନିଷ୍ପତି ନିଆଯାଇଥିଲା । ବିଶେଷକରି ସହରର ପ୍ରମୁଖ ସଡ଼କପଥରେ ହୋଇଥିବା ଖାଲଖମା ସମସ୍ୟାକୁ ପୂଜା ପୂର୍ବରୁ ଦାୟିତ୍ୱରେ ଥିବା ବିଭାଗ ଦୂରକରିବା ଓ ପୂଜା ସମୟରେ ବିଦ୍ୟୁତ୍ କାର ଯେପରି ନହେବ ପେଣ୍ଡାଲ କର୍ମକର୍ତ୍ତା ମତ ରଖିଥିଲେ । ଏଥିସହିତ ଅନ୍ୟାନ୍ୟ ସମସ୍ୟା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ ।
ସିଙ୍ଗଲ ୱିଣ୍ଡୋରେ ଅନୁମତି: ପୂଜା ପେଣ୍ଡାଲ ପାଇଁ ଅନୁମତି ଆଣିବାକୁ ଆଉ ବିଭିନ୍ନ ବିଭାଗକୁ ଦୌଡ଼ିବାକୁ ପଡ଼ିବ ନାହିଁ । ଚଳିତବର୍ଷ ପୂଜା ଓ ଭସାଣୀ ଶୋଭାଯାତ୍ରା ପାଇଁ ଗୋଟିଏ ସ୍ଥାନରୁ ତଥା ସିଙ୍ଗଲ ୱିଣ୍ଡୋ ମାଧ୍ୟମରେ ଅନୁମତି ପ୍ରଦାନ କରାଯିବ । ଜଟଣୀ ଥାନାରେ ୨ରୁ ୫ ତାରିଖ ମଧ୍ୟରେ ଆବେଦନ କରି ଏହିଠାରୁ ଅନୁମତି ମିଳିପାରିବ ବୋଲି ନିଷ୍ପତି ହୋଇଛି ।
ପୁଲିସ କଂଟ୍ରୋଲ ରୁମ୍ : ସେପେ୍ଟମ୍ବର ୭ ତାରିଖ ଗଣେଶ ପୂଜାରୁ ଭସାଣି ପର୍ଯ୍ୟନ୍ତ ଜଟଣୀ ଥାନାରେ ସ୍ୱତନ୍ତ୍ର କଂଟ୍ରୋଲ ରୁମ୍ ବ୍ୟବସ୍ଥା ରହିବ । ଏଠାରେ ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ରହି ଯେଉଠି ଯାହା ଆବଶ୍ୟକ ପଡ଼ିବ ତୁରନ୍ତ ସେବା ଯୋଗାଇ ଦିଆଯିବ ।
ପାରମ୍ପରିକ ବାଦ୍ୟରେ ଭସାଣୀ : ଜଟଣୀ ଗଣେଶପୂଜା ଭସାଣୀରେ ଆଉ ଡିଜେ ବାଜିବ ନାହିଁ । ଏହା ଉପରେ କଟକଣା ଜାରି ହୋଇଥିବା ଶ୍ରୀ ସିଂ କହିଛନ୍ତି । ପାରମ୍ପରିକ ବାଦ୍ୟରେ ଭସାଣୀ ଆୟୋଜିତ ହେବ । ଏପରିକି ବାଣ ଫୁଟାଇବା ଉପରେ କଟକଣା ରହିଥିବା ସେ କହିଥିଲେ ।
ମଣ୍ଡପରେ ସିସି ଟିଭି କ୍ୟାମେରା, ପାର୍କିଂ : ପୂଜା ସମୟରେ ଭିଡ଼ ହେବା ତଥା ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କର୍ମକର୍ତାମାନେ ସେମାନଙ୍କ ପେଣ୍ଡାଲରେ ସିସିଟିଭି ଟିଭି କ୍ୟାମେରା ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଥିଲା ା ଏଥିସହ ପେଣ୍ଡାଲ ନିକଟରେ ପାର୍କିଂ ସୁବିଧା କରିବା ସହ ସ୍ୱେଚ୍ଛାସେବୀ ନିୟୋଜନ କରି ଭିଡ଼ ନିୟନ୍ତ୍ରଣରେ ପୁଲିସକୁ ସହଯୋଗ କରିବାକୁ କୁହାଯାଇଥିଲା । ନିଶାଡିଙ୍କ
ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ : ପୂଜା ଓ ଭସାଣୀ ସମୟରେ ନିଶା ସେବନକରି ବିଶୃଙ୍ଖଳା ସୃଷ୍ଟି କଲେ ନିଶାଡିଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହ ଅଶାଳୀନ କାର୍ଯ୍ୟକଳାପ ଓ ଅଶ୍ଲୀଳ ନୃତ୍ୟ ଯେପରି ପରିବେଷଣ ନହେବ ତା ଉପରେ ପୁଲିସ ସତର୍କ ଦୃଷ୍ଟି ରଖିବ । ଏହା ଦୃଷ୍ଟିକୁ ଆସିଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ପୂଜା ପେଣ୍ଡାଲ କର୍ମକର୍ତା ଦୃଷ୍ଟି ଦେବାକୁ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଥିଲା ।
ତୋରଣ ପାଇଁ ସୁରକ୍ଷା ପ୍ରମାଣପତ୍ର: ପୂଜା ପେଣ୍ଡାଲ ମାନଙ୍କର ହେଉଥିବା ସୁଉଚ୍ଚ ତୋରଣ ପୂର୍ବ ବର୍ଷମାନଙ୍କରେ ଭାଙ୍ଗିଯିବା ନଜିର ରହିଛି। ଦୁର୍ବଳ ଷ୍ଟ୍ରକ୍ଚର ଯୋଗୁଁ ଏପରି ହେଉଥିବାରୁ ସୌଭାଗ୍ୟକୁ କେହି ମୃତାହତ ହୋଇନଥିଲେ ମଧ୍ୟ ବାଇକ୍, କାର୍ ଆଦି ପୂର୍ବରୁ କ୍ଷତିଗ୍ରସ୍ତ ହୋଇଛି । ଏଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ତୋରଣ ନିର୍ମାଣ ପାଇଁ ପୂର୍ତ ବିଭାଗ ଠାରୁ ସୁରକ୍ଷା ସାର୍ଟିଫିକେଟ ଆଣିବା ପାଇଁ ନିୟମ ଜାରି କରାଯାଇଛି । ଡିସିପି ପ୍ରତୀକ ସିଂ କହିଥିଲେ ଏହି ପ୍ରସିଦ୍ଧ ପୂଜାକୁ ସୂଚାରୁ ରୂପେ ପରିଚାଳନା କରାଯିବା ଉପରେ ଆଲୋଚନା ହୋଇଥିଲା। ଅଧିକ ଭିଡ଼ ହେଉଥିବା ସ୍ଥାନ ଚିହ୍ନଟ କରାଯାଇ ସେଠାରେ ପୁଲିସ ମୁତୟନ କରାଯିବ । ପୂଜା ଭସାଣୀ ପାଇଁ ରହିଥିବା ନିୟମ ପାଳନ କରିବାକୁ ସମସ୍ତ ପୂଜା ପେଣ୍ଡାଲ କର୍ମକର୍ତ୍ତାଙ୍କୁ କୁହାଯାଇଥିଲା । ଗତବର୍ଷ ତୁଳନାରେ ଏବର୍ଷ ପୂଜା ପେଣ୍ଡାଲ ସଂଖ୍ୟା ବୃଦ୍ଧି ପାଇଥିବାରୁ ଅଧିକ ପୁଲିସଫୋର୍ସ ମୁତୟନ କରାଯିବ ବୋଲି କହିଥିଲେ ।
ପ୍ରସ୍ତୁତି ବୈଠକରେ ଏସିପି ତାପସ ପ୍ରଧାନ, ଇନ୍ସପେକ୍ଟର ସୌମ୍ୟକାନ୍ତ ବଳିଆରସିଂହ,ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପଟ୍ଟଯୋଶୀ, ଅତିରିକ୍ତ ତହସିଲଦାର ମଧୁସ୍ମିତା ନନ୍ଦ, ପୌରାଧ୍ୟକ୍ଷ ଅନନ୍ତ ବେହେରା, ବ୍ୟବସାୟୀ ମହାସଂଘ ସଭାପତି ସୁଦର୍ଶନ ସୁନ୍ଦରାୟ,ଭସାଣୀ କମିଟି ସଭାପତି ସଂଗ୍ରାମ ରାଉତରାୟଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।