ଇସଲାମାବାଦ,୧୩।୧୧ : ଓ୍ବାନଡେ ବିଶ୍ୱକପ ୨୦୨୩ ପାକିସ୍ତାନ ଦଳ ପାଇଁ ବହୁତ ଖରାପ ଥିଲା। ଏଥର ମଧ୍ୟ ସେ ସେମିଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଛି। ବାବର ଆଜାମଙ୍କ ଅଧିନାୟକତ୍ୱରେ ଦଳ ୯ ଟି ମ୍ୟାଚ ମଧ୍ୟରୁ ମାତ୍ର ୪ ଟି ଜିତି ଟୁର୍ନାମେଣ୍ଟରୁ ବାଦ ପଡିଥିଲା। ଏହି ଟୁର୍ନାମେଣ୍ଟରୁ ବାଦ୍ ପଡିବା ପରେ ପାକିସ୍ତାନ ଦଳ ନିଜ ଦେଶରେ ପହଞ୍ଚିଛି। ସେମାନେ ପାକିସ୍ତାନରେ ପହଞ୍ଚିବା ମାତ୍ରେ ଦଳର ଜଣେ ବରିଷ୍ଠ ସଦସ୍ୟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହି ସଦସ୍ୟ ଜଣକ ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ପାକିସ୍ତାନ ଦଳର ବୋଲିଂ କୋଚ୍ ମୋର୍ନେ ମର୍କେଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଉଲ୍ଲେଖନୀୟ ଯେ, ଏଥର ବିଶ୍ୱକପରେ ପାକିସ୍ତାନୀ ବୋଲରଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା ଏବଂ ସେମାନେ ପରାଜୟର ସବୁଠାରୁ ବଡ କାରଣ ହୋଇଥିଲେ। ପାକିସ୍ତାନ କ୍ରିକେଟ୍ ବୋର୍ଡ ଯଥା ପିସିବିଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ମର୍କେଲ ଚଳିତ ବର୍ଷ ଜୁନ୍ରେ ଏହି ପଦବୀ ଗ୍ରହଣ କରିଥିଲେ। ପାକିସ୍ତାନ ଦଳ ସହିତ ତାଙ୍କର ୬ ମାସ ଚୁକ୍ତି ହୋଇଥିଲା।
ପାକିସ୍ତାନ କ୍ରିକେଟ ବୋର୍ଡ ଏବେ ମର୍ନେ ମର୍କେଲଙ୍କ ରିପ୍ଲେସମେଣ୍ଟ ଘୋଷଣା କରି ନାହିଁ। ବୋର୍ଡ କହିଛି ସେ ଉଚିତ ସମୟରେ ତାଙ୍କର ରିପ୍ଲେସମେଣ୍ଟର ଘୋଷଣା କରିବ। ବର୍ତ୍ତମାନ ଆଗାମୀ କିଛି ଦିନ ମଧ୍ୟରେ ପାକିସ୍ତାନ କ୍ରିକେଟ୍ ଦଳର ସପୋର୍ଟ ଷ୍ଟାଫରେ ଆଉ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଏବେ ପାକିସ୍ତାନ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଏହାର ପରବର୍ତ୍ତୀ ସିରିଜ୍ ଖେଳିବ। ଏହି ଯାତ୍ରା ୧୪ ଡିସେମ୍ବରରୁ ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ଏଭଳି ପରିସ୍ଥିତିରେ ଏହି ସିରିଜ୍ ପୂର୍ବରୁ ନୂତନ ବୋଲିଂ କୋଚ୍ ଉପରେ ନିଷ୍ପତ୍ତି ନିଆଯାଇପାରେ।