ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୨୦ କୋଟିର କୋକେନ୍‌ ଜବତ ଘଟଣା: ନୂଆବର୍ଷ ପାଇଁ ନିଶା ବେପାରୀଙ୍କ ପାଖକୁ ଆସିଥିଲା କୋକେନ୍‌ ! ଗିରଫ ହୋଇପାରନ୍ତି ୧୦ରୁ ଅଧିକ

ପାରାଦୀପ,୦୩/୧୨: ପାରାଦୀପ ବନ୍ଦରରେ ଲାଗିଥିବା ବିଦେଶୀ ଜାହାଜ ଦେବୀ ପନୋରମାରୁ ୨୨୦ କୋଟି ଟଙ୍କାର କୋକେନ୍‌ ଜବତ ହେବା  ମାମଲାର ଛାନ୍‌ଭିନ୍‌ ଏବେ ଜାରି ରହିଛି । ଶନିବାର  ଦିନତମାମ୍‌ ଅଟକ ଥିବା ଜାହାଜରେ କଷ୍ଟମ୍‌ସ୍‌  ଓ ଏନ୍‌ସିବି ଟିମ୍‌ ତଦନ୍ତ ଓ ଜେରା ଚଳାଇଥିବା  ବେଳେ ଖୁବ୍‌ଶୀଘ୍ର ୧୦ରୁ ଅଧିକ ଲୋକଙ୍କୁ ଏହି  ମାମଲାରେ ଗିରଫ କରାଯାଇପାରେ ବୋଲି ସୂଚନା  ମିଳିଛି । ଆଗକୁ ନୂଆବର୍ଷ ଆସୁଥିବାରୁ କେତେକ  ବଡ଼ ଚୋରା ନିଶା ବେପାରୀଙ୍କୁ ଏହି କୋକେନ୍‌  ଯୋଗାଣ ପାଇଁ ଯୋଜନା ହୋଇଥିବା କଥା ମଧ୍ୟ  ତଦନ୍ତ ବେଳେ ସନ୍ଦେହ ପରିସରକୁ ଆସିଛି ।  

ଗତ ଗୁରୁବାର ରାତିରେ ଜାହାଜରୁ ୨୨  କିଲୋଗ୍ରାମ୍‌ କୋକେନ୍‌ ଧରାପଡ଼ିବା ପରେ  ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା ।  ମାମଲାର ତଦନ୍ତଭାର କଷ୍ଟମ୍‌ସ୍‌ ବିଭାଗ ହାତରେ  ଥିବା ବେଳେ ଶନିବାର ପୁଣି ଏସ୍‌ଟିଏଫ୍‌ର ଡଗ୍‌  ସ୍କାଡ୍‌ ଜାହାଜକୁ ତନ୍ନତନ୍ନ କରି ଖୋଜିଛନ୍ତି ।  ଅଧିକ କିଛି ନମିଳିବାରୁ ସ୍କାଡ୍‌ ଫେରି ଯାଇଛି ।  କଷ୍ଟମ୍‌ସ୍‌ ବିଭାଗ ସହିତ ଏନ୍‌ସିବିର ଏକ ଟିମ୍‌ ମଧ୍ୟ  ତଦନ୍ତରେ ସାମିଲ ହୋଇଛି । କଷ୍ଟମ୍‌ସ୍‌ ବିଭାଗର  ଏକ ୨୦ରୁ ୨୫ ଜଣିଆ ଦଳ ଏହି ତଦନ୍ତରେ  ସାମିଲ ଥିବା ବେଳେ କମିସନର, ଆସିଷ୍ଟାଣ୍ଟ୍‌  କମିସନର, ସୁପରିଣ୍ଟେଣ୍ଡେଣ୍ଟ୍‌, ଆପ୍ରାଇଜର୍‌ ଭଳି  ଉଚ୍ଚପଦସ୍ଥ ଅଧିକାରୀମାନେ ଟିମ୍‌ରେ ଅଛନ୍ତି । 

ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ, ପ୍ରାୟ ୧୦ ଜଣଙ୍କୁ ଏହି  ମାମଲାରେ ଗିରଫ କରାଯାଇପାରେ । ଜାହାଜର  କ୍ର‌୍ୟୁ ସଦସ୍ୟଙ୍କ ସମେତ ଅଟକ ଥିବା ୨୧ ବିଦେଶୀ  ନାଗରିକଙ୍କୁ ମାରାଥନ୍‌ ଜେରା କରାଯାଇ ତଥ୍ୟ ଆଦାୟ  କରାଯାଉଛି । ଜାହାଜରେ ଲାଗିଥିବା ସିସିଟିଭିରୁ  ଯାହାକିଛି ଫୁଟେଜ୍‌ ମିଳିଛି ସେଥିରେ ଜାହାଜ ବାହାର  କିଛି ଲୋକଙ୍କର ସଂପୃକ୍ତି ଏହି କାରବାରରେ ଥିବା  ସନ୍ଦେହ ପରିସରକୁ ଆସିଛି । ଆଗକୁ ନୂଆବର୍ଷ  ଥିବାରୁ କେତେକ ଚୋରା ନିଶା ବେପାରୀଙ୍କୁ  ଯୋଗାଇବାକୁ ଯୋଜନା କରାଯାଇ ନିଶାଦ୍ରବ୍ୟ  ଆସିଥିବା କଥା ତଦନ୍ତରୁ ଆଭାସ ମିଳୁଛି । ଗତକାଲି  ରାତିରେ ଜଗତସିଂହପୁର ଏସ୍‌ପି ରାହୁଲ ପିଆର୍‌  ପାରାଦୀପ ଆସି ପୂରା ଘଟଣା ସମ୍ପର୍କରେ ବୁଝିଛନ୍ତି ।  

ଅଟକ ଏମ୍‌ଭି ଦେବୀ ପନୋରମା ଜାହାଜ  ବର୍ତ୍ତମାନ ପିଆଇସିଟିର ବର୍ଥରେ ଲାଗିଥିବା ବେଳେ  ବନ୍ଦରର ପଣ୍ୟ କାରବାର ବ୍ୟାହତ ହୋଇଛି ।  ଯେଉଁଥିପାଇଁ ବର୍ଥିଂ ଚାର୍ଜ ବାବଦକୁ ପିଆଇସିଟି  ସଂପୃକ୍ତ ଜାହାଜ କମ୍ପାନୀ ପାଖରୁ ଦିନକୁ ୪ ଲକ୍ଷ  ଟଙ୍କା ନେବ ବୋଲି ଜଣାପଡ଼ିଛି । ଖାଲି ଏତିକି ନୁହେଁ  ବରଂ ଇଣ୍ଡୋନେସିଆର ଯେଉଁ କମ୍ପାନି ଜାହାଜରେ  ମାଲ୍‌ ପରିବହନ କରିବାକୁ ବୁକିଂ କରିଛି ସେ କମ୍ପାନୀ  ମଧ୍ୟ ଜାହାଜ କମ୍ପାନୀଠୁ ଦିନକୁ ୩୦ ହଜାର ଡଲାର୍‌  ଜରିମାନା ନେବ ବୋଲି ଜଣାପଡ଼ିଛି । ଜାହାଜ ଦିନେ  ଅଟକ ରହିଲେ ଆନୁମାନିକ ୩୦ ଲକ୍ଷ ଟଙ୍କାର କ୍ଷତି  ସହିବାକୁ ପଡ଼ିବ ବୋଲି କୁହାଯାଉଛି । ଜାହାଜ  ଏବେ ପିଆଇସିଟି ବର୍ଥରେ ସପ୍ତାହେରୁ ଅଧିକ  ଦିନ ଅଟକ ରହିପାରେ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.