ନୂଆଦିଲ୍ଲୀ,୦୪/୧୧: ଆମେରିକାରେ ବେଆଇନ ଭାବେ ପ୍ରବେଶ କରିଥିବା ଭାରତୀୟଙ୍କ ମଧ୍ୟରୁ ପ୍ରାୟ ୯୭ ହଜାର ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ୨୦୨୨ ଅକ୍ଟୋବରରୁ ୨୦୨୩ ଭିତରେ ଗିରଫ କରାଯାଇଥିବା ଆମେରିକା କଷ୍ଟମ୍ ଆଣ୍ଡ୍ ବର୍ଡର ପ୍ରୋଟେକ୍ସନ ରିପୋର୍ଟରୁ ଜଣାପଡ଼ିଛି । ଗିରଫ ହୋଇଥିବା ୯୬,୯୧୭ ଜଣଙ୍କ ମଧ୍ୟରୁ ୩୦,୦୧୦ ଜଣ ଭାରତୀୟଙ୍କୁ ଆମେରିକା-କାନାଡା ସୀମାରୁ ଧରାଯାଇଛି । ସେହିପରି ୪୧,୭୭୦ ଭାରତୀୟଙ୍କୁ ଆମେରିକା-ମେକ୍ସିକୋ ସୀମାରୁ ଗିରଫ କରାଯାଇଛି ।
ଆମେରିକୀୟ ସାଂସଦ ଜେମ୍ସ ଲାଙ୍କ୍ଫୋର୍ଡ ସଂସଦରେ କହିଛନ୍ତି, ବର୍ଷକ ଭିତରେ ପ୍ରାୟ ୪୫ ହଜାର ଭାରତୀୟ ବେଆଇନ ଭାବେ ଆମେରିକାର ଦକ୍ଷିଣ ସୀମା ପାର କରିଛନ୍ତି । ସେହି ଭାରତୀୟଙ୍କୁ ନିଜ ଦେଶରେ ଭୟ ଅନୁଭବ ହେଉଛି । ଆମେରିକୀୟ ମିଡିଆ ଅନୁସାରେ,ଭାରତରେ ରାଜନୈତିକ ଏବଂ ଧାର୍ମିକ ଉତ୍ପୀଡ଼କ କାରଣରୁ ଆମେରିକାକୁ ଆସୁଥିବା ଭାରତୀୟଙ୍କ ସଂଖ୍ୟା ବଢ଼ିଛି । ସେହିପରି ଆର୍ଥିକ ସ୍ତରରେ ଦୁର୍ବଳ ହେବା, ନିଯୁକ୍ତି ନ ମିଳିବା ମଧ୍ୟ ଆଉ ଏକ ବଡ଼ କାରଣ ।
ରିପୋର୍ଟ ଅନୁସାରେ, ୨୦୨୧ରୁ ୨୦୨୨ ମଧ୍ୟରେ ମେକ୍ସିକୋ ଦେଇ ଆମେରିକା ପଶିଥିବା ଭାରତୀୟଙ୍କ ସଂଖ୍ୟା ଶହେ ଗୁଣ ବଢ଼ିଛି । ୨୦୨୦ରେ ୧୯,୮୮୩ ଏବଂ ୨୦୨୧ରେ ୩୬,୬୬୨ ଜଣ ଭାରତୀୟ ଏହି କାରଣରୁ ଗିରଫ ହୋଇଥିଲେ । ଥିଙ୍କ ଟ୍ୟାଙ୍କ୍ ନ୍ୟୁ ଆମେରିକାନ୍ ଇକୋନୋମି ମୁତାବକ, ଆମେରିକାରେ ବେଆଇନ ଭାବେ ପ୍ରବେଶ କରୁଥିବା ଲୋକଙ୍କ ମଧ୍ୟରୁ ଭାରତୀୟ ତୃତୀୟ ସ୍ଥାନରେ ରହିଛନ୍ତି ।ଆମେରିକାର ବାସିନ୍ଦା ହେବା ଆଶାରେ ସେମାନେ ନିଜ ଜୀବନକୁ ବାଜିରେ ଲଗାଉଛନ୍ତି । ଭାରତୀୟ କାନାଡା ସୀମା ଦେଇ ଆମେରିକାରେ ପ୍ରବେଶ କରୁଥିବା ନେଇ ୨୦୨୨ରେ ଆମେରିକୀୟ ଫେଡେରାଲ ଏଜେନ୍ସି ପର୍ଦ୍ଦାଫାସ କରିଥିଲା । ଏକ ଗ୍ୟାଙ୍ଗ ଏହି କାର୍ଯ୍ୟ କରୁଥିଲା । ପରେ ଗ୍ୟାଙ୍ଗ ମୁଖ୍ୟ ଯଶପାଲ ଗିଲ୍କୁ ଗିରଫ କରାଯାଇଥିଲା ।
ତଦନ୍ତକାରୀ ଅଧିକାରୀ କହିଥିଲେ ଯେ, ଏହି ସିଣ୍ଡିକେଟ ଜରିଆରେ ହଜାର ହଜାର ଭାରତୀୟ ବେଆଇନ ଭାବେ ଉବର କ୍ୟାବ୍ରେ ଆମେରିକାରେ ପହଞ୍ଚୁଥିଲେ । ଏଥିପାଇଁ ଯଶପାଲ ଜଣଙ୍କ ପିଛା ୨୩ରୁ ୫୫ ଲକ୍ଷ ଟଙ୍କା ନେଉଥିଲା । ଯଶପାଲ ସେମାନଙ୍କୁ ପର୍ଯ୍ୟଟକ ଭିସା ଦେଇ କାନାଡାରେ ପହଞ୍ଚାଉଥିଲା । ସେଠାରୁ ସେମାନଙ୍କ ଲାଗି ନକଲି ଦସ୍ତାବିଜ ବନାଉବା ସହ ଉବର କ୍ୟାବ୍ ଜରିଆରେ ଆମେରିକା ପଠାଉଥିଲା ।