ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଘର କିଣିବା ତ ଦୂରର କଥା, ଭଡ଼ା ଦେବାକୁ ଅସମର୍ଥ ଆମେରିକୀୟ: ରିପୋର୍ଟ

ଓ୍ବାଶିଂଟନ ଡିସି: ଭଡ଼ାଟିଆଙ୍କ ଲାଗି ଘର ଭଡ଼ା ଦେବା କଷ୍ଟସାଧ୍ୟ ବ୍ୟାପାର ହେବାରେ ଲାଗିଛି । ଭାରତ ଭଳି ବିକାଶଶୀଳ ରାଷ୍ଟ୍ରରେ ଏହି ସମସ୍ୟା ସୀମିତ ହୋଇ ରହିନାହିଁ । ବିକଶିତ ରାଷ୍ଟ୍ର ଆମେରିକାରେ ଏବେ ଘର ଭଡ଼ା ବିଷମ ସମସ୍ୟା ହୋଇ ଛିଡ଼ା ହୋଇଛି । ଜାନୁଆରୀ ମାସରେ ବହୁ ଆମେରିକୀୟ ଘର ଭଡ଼ା ଦେଇପାରି ନାହାନ୍ତି । ଏନେଇ ହାଭାର୍ଡ ବିଶ୍ବବିଦ୍ୟାଳୟର ଜଏଣ୍ଟ ସେଣ୍ଟର ଫର ହାଉସିଂ ଷ୍ଟଡିଜ୍‌ ରିପୋର୍ଟରୁ ଜଣାପଡ଼ିଛି । ଅଧାରୁ ଅଧିକ ଭଡ଼ାଟିଆ ନିଜ ରୋଜଗାରର ୩୦ ପ୍ରତିଶତ କେବଳ ଘର ଭଡ଼ା ଲାଗି ଖର୍ଚ୍ଚ କରୁଛନ୍ତି । ସେହିଭଳି ମଧ୍ୟମ ରୋଜଗାର ଶ୍ରେଣୀରେ ଥିବା ଲୋକେ ଏହାଠାରୁ ଅଧିକ ଖର୍ଚ୍ଚ କରୁଥିବା ଜଣାପଡ଼ିଛି । 

 ଆମେରିକାରେ ପ୍ରାୟ ଦୁଇ ଦଶନ୍ଧୀ ହେଲା ଏହି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଘର ଭଡ଼ା ଖର୍ଚ୍ଚ ବହନ କରିବା ଆମେରିକୀୟଙ୍କ ଲାଗି ଚିନ୍ତାର କାରଣ ପାଲଟିଛି । ସେପଟେ କମ୍‌ ରୋଜଗାର କରୁଥିବା ଲୋକମାନଙ୍କ ପାଇଁ ଘର ଭଡ଼ା ଦେବା ଅତ୍ୟନ୍ତ କଷ୍ଟସାଧ୍ୟ ବୋଲି ଗବେଷକ ସୋଫିଆ ଓ୍ବେଡିନ୍‌ କହିଛନ୍ତି ।  ରିପୋର୍ଟରୁ ଜଣାପଡ଼ିଛି ଯେ, ୨୨.୪ ମିଲିୟନ୍‌ ପରିବାର ଘର ଭଡ଼ା ବାବଦକୁ ୩୦ ପ୍ରତିଶତରୁ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି । ସେହିଭଳି ୧୨.୧ ମିଲିୟନ୍‌ ପରିବାର ଘର ଭଡ଼ା ପାଇଁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କାରଣ ସେମାନଙ୍କର ରୋଜଗାରର ଅଧା ଅର୍ଥ କେବଳ ଘର ଭଡ଼ାରେ ଚାଲିଯାଉଛି । 

 ୨୦୦୧ରୁ ୨୦୨୨ ମଧ୍ୟରେ ଘର ଭଡ଼ା ୨୧ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଭଡ଼ାଟିଆଙ୍କ ରୋଜଗାର କେବଳ ୨ ପ୍ରତିଶତ ବଢ଼ିଛି । ସେପଟେ ଅନେକ ଘର ମାଲିକ କରୋନା ମହାମାରୀ ସମୟରେ ଘର ଭଡ଼ା କମ୍‌ କରିଥିଲେ । ହେଲେ ଏବେ ହଠାତ ସେମାନେ ଘର ଭଡ଼ା ଅତ୍ୟଧିକ ବଢ଼ାଇ ଦେଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି । ଆମେରାକରେ ଯେଉଁମାନେ ଘର କିଣିବାକୁ ସମର୍ଥ ହେଉନାହାନ୍ତି ସେମାନେ ଘର ଭଡ଼ା ନେବାକୁ ବାଧ୍ୟ ହେଉଛନ୍ତି । ଘରଟିଏ ଭଡ଼ା ନେବା ଲାଗି ଲୋକମାନେ ନିଜର ଅନ୍ୟ ସଉକ କମ୍‌ କରୁଛନ୍ତି । କେହି କେହି ଖାଦ୍ୟ ଏବଂ ସ୍ବାସ୍ଥ୍ୟ ଉପରେ କମ ଖର୍ଚ୍ଚ କରୁଥିବା ବେଳେ କେହି କେହି ଖୋଲାରେ ରହିବାକୁ ବାଧ୍ୟ ହେଉଛନ୍ତି । 

 ଆମେରିକାର କାଲିଫର୍ଣ୍ଣିଆ, ନ୍ୟୁୟର୍କ ଏବଂ ଓ୍ବାଶିଂଟନ୍‌ରେ କମ୍ପାନି ଅଧିକ ଥିବାରୁ ସେଠାରେ ଘର ଭଡ଼ା ମଧ୍ୟ ବହୁତ ଅଧିକ । ଏହି ସହରଗୁଡ଼ିକରେ ଘର ଭଡ଼ା ନେଇ ଜୀବନ ଚଳାଇବା ଅତ୍ୟନ୍ତ କଷ୍ଟସାଧ୍ୟ ବୋଲି ରିୟଲ ଇଷ୍ଟେଟ୍‌ ବିଶେଷଜ୍ଞ ଆଣ୍ଡ୍ରିୟୁ ଲୋକେନଥ କହିଛନ୍ତି । ସେପଟେ ଆମେରିକାରେ ଘର ଭଡ଼ା ସମସ୍ୟା ‘ଜେନ୍‌-ଜେଡ୍‌’ (୧୨-୨୭ ବର୍ଷ)ଙ୍କ ଲାଗି ଅଧିକ ଆହ୍ବାନ ସୃଷ୍ଟି କରିଛି । ଏହି ବୟସର ୩୧ ପ୍ରତିଶତ ସେମାନଙ୍କ ଅଭିଭାବକଙ୍କ ସହ ରହୁଥିବା ବେଳେ ୨୭ ପ୍ରତିଶତ ଘର ଭଡ଼ା ଖର୍ଚ୍ଚ ବହନ କରିପାରୁନାହାନ୍ତି । ସେହିଭଳି ୪୨ ପ୍ରତିଶତ ୪୪-୫୯ ବର୍ଷୀୟ ବ୍ୟକ୍ତି ଏବଂ ୬୦-୭୮ ଆୟୁ ବର୍ଗର ୨୫ ପ୍ରତିଶତ ବ୍ୟକ୍ତି ଘର ଭଡ଼ା ଦେବାକୁ ଅନ୍ୟ ଖର୍ଚ୍ଚ କମ୍‌ କରୁଛନ୍ତି । ସେପଟେ ରିପୋର୍ଟରେ ଦର୍ଶାଯାଇଛି ଯେ, ୪୬ ପ୍ରତିଶତ ଆମେରିକୀୟ କେବେ ବି ଘରଟିଏ କିଣିପାରିବେ ନାହିଁ ବୋଲି ବିଶ୍ବାସ କରୁଛନ୍ତି । 

  • prameyanews
  • PrameyaOdia
  • prameya
  • America
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.