ଅଯୋଧ୍ୟା,୦୭/୧୨: ଅଯୋଧ୍ୟାରେ ନିର୍ମିତ ହେଉଥିବା ରାମମନ୍ଦିରରେ ଜାନୁଆରୀ ୨୨ ତାରିଖରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ହେବ । ସେଥିଲାଗି ୭୦୦୦ ଲୋକଙ୍କୁ ନିମନ୍ତ୍ରଣ ପଠାଯାଉଛି । ସେମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ୍ ମୁଖ୍ୟ ମୋହନ ଭଗୱତଙ୍କ ସମେତ ୩ ହଜାର ଭିଭିଆଇପି ସାମିଲ ।
ଏହାଛଡା ସାରା ଦେଶରୁ ୪୦୦୦ ସାଧୁ ସନ୍ଥଙ୍କୁ ଡକାଯାଉଛି । ତାଲିକାରେ କ୍ରିକେଟର ସଚିନ୍ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କର ନାମ ରହିଛି । ସିନେମା ଜଗତରୁ କଙ୍ଗନା ରାଣାୱତ୍, ଅଭିନେତା ଅମିତାଭ ବଚ୍ଚନ, ଅକ୍ଷୟ କୁମାର ଏବଂ ଗାୟିକା ଆଶା ଭୋଁସଲେଙ୍କୁ ଡକାଯାଇଛି । ଦେଶର ପ୍ରମୁଖ ଶିଳ୍ପପତି ମୁକେଶ ଅମ୍ବାନି, ଗୌତମ ଆଦାନି, ରତନ ଟାଟାଙ୍କ ସହ ସାମ୍ବାଦିକମାନଙ୍କୁ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନିମନ୍ତ୍ରଣ କରିଛି । ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି, ପ୍ରାଣ ପ୍ରତିଷ୍ଠା ସମାରୋହ ଲାଗି ୫୦ଟି ଦେଶରୁ ଜଣେ ଜଣେ ପ୍ରତିନିଧିଙ୍କୁ ଡାକିବାକୁ ଉଦ୍ୟମ କରାଯାଉଛି। ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ୫୦ କରସେବକଙ୍କର ପରିଜନଙ୍କୁ ବି ଡକାଯାଇଛି ।