ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ହେବ ସିଏପିଏଫ୍‌ କନଷ୍ଟେବଳ ନିଯୁକ୍ତି ପରୀକ୍ଷା, ୫୦ ଲକ୍ଷ ପ୍ରାର୍ଥୀ ଦେବେ ପରୀକ୍ଷା

Published By : Prameya | February 12, 2024 9:01 AM

ନୂଆଦିଲ୍ଲୀ,୧୨/୦୨: ଆସନ୍ତା ସପ୍ତାହରୁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ୍‌)ର କନଷ୍ଟେବଳ (ଜେନେରାଲ୍‌ ଡ୍ୟୁଟି) ନିଯୁକ୍ତି ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ପ୍ରାୟ ୫୦ ଲକ୍ଷ ପ୍ରାର୍ଥୀ ଏହି ପରୀକ୍ଷାର ସମ୍ମୁଖୀନ ହେବେ । ତେବେ ଇଂରାଜୀ ଓ ହିନ୍ଦୀ ବ୍ୟତୀତ ଓଡ଼ିଆକୁ ମିଶାଇ ମୋଟ ୧୩ଟି ଆଞ୍ଚଳିକ ଭାଷାରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ରବିବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଏହା ଜଣାପଡ଼ିଛି । ପୂର୍ବରୁ କେବଳ ଇଂରାଜୀ ଓ ହିନ୍ଦୀରେ ସିଏପିଏଫ୍‌ କନଷ୍ଟେବଳ ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହେଉଥିଲା । ଅର୍ଥାତ ଏହି ଦୁଇଟି ଭାଷାରେ ହିଁ ପ୍ରଶ୍ନପତ୍ର ଆସୁଥିଲା ଏବଂ ପ୍ରାର୍ଥୀମାନେ ଏହି ଭାଷାରେ ଉତ୍ତର ଲେଖୁଥିଲେ । ପ୍ରଥମ ଥର ପାଇଁ ଏହା ଆଞ୍ଚଳିକ ଭାଷାରେ ଆୟୋଜନ ହେବାକୁ ଯାଉଛି ।

ଏ ପ୍ରସଙ୍ଗରେ ଜଣେ ସରକାରୀ ମୁଖପାତ୍ର କହିଛନ୍ତି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉଦ୍ୟମକ୍ରମେ ମନ୍ତ୍ରଣାଳୟ ଏହି ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛି । କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳଗୁଡ଼ିକରେ ଯେମିତି ଅଧିକରୁ ଅଧିକ ସ୍ଥାନୀୟ ଯୁବଗୋଷ୍ଠୀ ସାମିଲ ହେବେ, ସେଥିଲାଗି ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହନ ଦିଆଯାଇଛି । ୪୮ ଲକ୍ଷ ପ୍ରାର୍ଥୀ ଏହି ପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି । ଅନ୍ୟ ଯେଉଁ ଆଞ୍ଚଳିକ ଭାଷାରେ ସିଏପିଏଫ୍‌ କନେଷ୍ଟବଳ (ଜିଡି) ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ, ସେଗୁଡ଼ିକ ହେଉଛି ଅସମିୟା, ବଙ୍ଗଳା, ଗୁଜରାଟୀ, ମରାଠୀ, ମାଲାୟଲମ, କନ୍ନଡ଼, ତାମିଲ, ତେଲୁଗୁ, ଉର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ ଓ କୋଙ୍କଣୀ ।

ମୁଖପାତ୍ର ଜଣକ ଆହୁରି କହିଛନ୍ତି, କନଷ୍ଟେବଳ (ଜିଡି) ପରୀକ୍ଷା ହେଉଛି ଅନ୍ୟତମ ଫ୍ଲାଗ୍‌ସିପ୍‌ ପରୀକ୍ଷା, ଯାହା ଷ୍ଟାଫ ସିଲେକ୍ସନ୍‌ କମିଶନ (ଏସ୍‌ଏସ୍‌ସି) ଦ୍ୱାରା ପରିଚାଳିତ ହୋଇଥାଏ । ଦେଶବ୍ୟାପୀ ଲକ୍ଷ ଲକ୍ଷ ଯୁବ ପ୍ରାର୍ଥୀଙ୍କୁ ଏହା ଆକୃଷ୍ଟ କରିଥାଏ । ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା କରାଇବା ସକାଶେ ଏସ୍‌ଏସ୍‌ସି ଦ୍ୱାରା ଏକ ବୁଝାମଣା (ଏମ୍‌ଓୟୁ) ସ୍ୱାକ୍ଷର କରାଯାଇଛି । ହିନ୍ଦୀ ଓ ଇଂରାଜୀରେ ମଧ୍ୟ ପରୀକ୍ଷା ଅନୁଷ୍ଠିତ ହେବ । ଏହି କ୍ରମରେ ଏସ୍‌ଏସ୍‌ସି ୧୩ଟି ଆଞ୍ଚଳିକ ଭାଷା ଏବଂ ହିନ୍ଦୀ ଓ ଇଂରାଜୀରେ ପରୀକ୍ଷା କରାଇବା ପାଇଁ ବିଜ୍ଞପ୍ତି ଜାରି କରିଛି । ଏହି ନୂଆ ପଦକ୍ଷେପ ଦ୍ୱାରା ସମସ୍ତଙ୍କୁ ସମାନ ନିଯୁକ୍ତି ସୁଯୋଗ ମିଳିପାରିବ ।

ଉଲ୍ଲେଖଯୋଗ୍ୟ, ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ ଦ୍ୱାରା ପ୍ରତିବର୍ଷ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆର୍‌ପିଏଫ୍‌), ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌), କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌), ଇଣ୍ଡୋ-ତିବେତାନ ସୀମା ପୁଲିସ (ଆଇଟିବିପି) ଏବଂ ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି) ଭଳି ବାହିନୀରେ ନିଯୁକ୍ତି ଲାଗି ପରୀକ୍ଷା ଅନୁଷ୍ଠିତ ହୋଇଥାଏ । ଏହି ବଳଗୁଡ଼ିକରେ ବର୍ତ୍ତମାନ ପ୍ରାୟ ୧୦ ଲକ୍ଷ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଏହି ସଶସ୍ତ୍ର ବଳଗୁଡ଼ିକ ଦେଶବ୍ୟାପୀ ବିଭିନ୍ନ ସୁରକ୍ଷା କାର୍ଯ୍ୟରେ ମୁତୟନ ହୋଇଥାନ୍ତି । ଆଇନ ଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ସୁରକ୍ଷା, ଜବାବୀ କାର୍ଯ୍ୟାନୁଷ୍ଠାନ ଏବଂ ସୀମା ସୁରକ୍ଷା ଆଦି କାର୍ଯ୍ୟରେ ଏମାନଙ୍କୁ ମୁତୟନ କରାଯାଏ । ବର୍ତ୍ତମାନ ୬ଟି ସିଏପିଏଫ୍‌ ଯଥା ବିଏସ୍‌ଏଫ୍‌, ସିଆରପିଏଫ୍‌, ସିଆଇଏସ୍‌ଏଫ୍‌, ଆଇଟିବିପି, ଏସ୍‌ଏସ୍‌ବି ଏବଂ ଆସାମ ରାଇଫଲ୍ସରେ ୭୦ ହଜାରରୁ ଅଧିକ ପଦ ଖାଲି ପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.