ପ୍ରମୁଖ ଖବର
  • ଆଜି ଓଡ଼ିଶାର ୨୧ ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
  • ||
  • ଗର୍ଭବତୀଙ୍କ ପେଟକୁ ନର୍ସ ଖୁନ୍ଦା ମାରିଥିବା ଅଭିଯୋଗ, ଚାଲିଗଲା ମା ଓ ଛୁଆଙ୍କ ଜୀବନ
  • ||
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌

ଡର୍ବାନ,୧୦/୧୨: ରବିବାର ଘରୋଇ ଦକ୍ଷିଣ  ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ  ଟି-ଟ୍ୱେଣ୍ଟି ଖେଳାଯିବ । ଭାରତୀୟ ଦଳ ଇତି  ମଧ୍ୟରେ ଜୋରଦାର ଅଭ୍ୟାସ କରିଛି । ବିଜୟ ସହ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଦଳ  ଯୋଜନା ପ୍ରସ୍ତୁତ କରିଛି । ଘରୋଇ ଦଳ ମଧ୍ୟ ଦିନିକିଆ ବିଶ୍ୱକପ୍‌ ଦୁଃଖକୁ ଭୁଲି ନୂଆ ଉତ୍ସାହ  ସହ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ମନସ୍ଥ କରିଛି ।  

ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ ବିଜୟ ପରେ ଭାରତୀୟ ଦଳର ମନୋବଳ ଦୃଢ ରହିଛି । ଯୁବ ଖେଳାଳିମାନଙ୍କୁ ନିର୍ଭୟରେ  ଖେଳିବା ପାଇଁ ଟିମ୍‌ ମ୍ୟାନେଜମେଣ୍ଟ ଅନୁମତି ଦେଇଛି । ପ୍ରତ୍ୟେକ ଖେଳାଳି ଡର୍ବାନ୍‌ରେ  ବିସ୍ଫୋରକ ବ୍ୟାଟିଂ ପାଇଁ ଅପେକ୍ଷା କରି ରହିଛନ୍ତି ।  

ପୂର୍ବ ରେକର୍ଡକୁ ଗଣନା କଲେ ରବିବାର ଭାରତୀୟ ଦଳର ପଲା ଭାରି ରହିବ । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୪ଟି  ଟି-ଟ୍ୱେଣ୍ଟି ସିରିଜ ମଧ୍ୟରୁ ଭାରତ ୨ଟି ସିରିଜ  ଜିତିଛି । ବାକି ୨ଟି ସିରିଜ ବରାବର ରହିଥିଲା ।  ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ୨୦୧୫ରେ ଟି-ଟ୍ୱେଣ୍ଟି ସିରିଜ ଜିତିଥିଲା । ଭାରତରେ ଅନୁଷ୍ଠିତ  ଉକ୍ତ ସିରିଜରେ ଦକ୍ଷିଣ ଆଫ୍ରିକା ୨-୦ରେ  ବିଜୟୀ ହୋଇଥିଲା ।  

ଶୁଭମନ ଗିଲ, ରବିନ୍ଦ୍ର ଜାଡେଜା, ମହମ୍ମଦ  ସିରାଜ ପ୍ରମୁଖ ଦଳକୁ ଫେରିବା ଫଳରେ ରବିବାର ଏକାଦଶ ଚୟନକୁ ନେଇ ଟଣା  ଓଟରା ହେବା ନିଶ୍ଚିତ। ଓପନିଂ ବିଭାଗରେ  ପରିବର୍ତ୍ତନ ହେବା ସ୍ୱାଭାବିକ । ଯଶସ୍ୱୀ ଜୈସ୍ୱାଲ, ଋତୁରାଜ ଗାଏକୱାଡ ଓ ଗିଲ୍‌ଙ୍କ ମଧ୍ୟରୁ  ୨ଜଣ ଓପନ୍‌ କରିବେ। ଶ୍ରେୟାସ ଆୟର  ଓ ସୂର୍ଯ୍ୟକୁମାର ଯାଦବ ଯଥାକ୍ରମେ ୩ ଓ  ୪ନଂ ସ୍ଥାନରେ ବ୍ୟାଟିଂ କରିବେ । ଜାଡେଜା  ଅଲ୍‌ରାଉଣ୍ଡର ସ୍ଥାନ ନେବେ। ସେହିପରି  ସ୍ପିନର ସ୍ଥାନ ପାଇଁ କୁଲଦୀପ ଯାଦବ ଓ ରବି  ବିଷ୍ଣୋଇଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ।  

ଦକ୍ଷିଣ ଆଫ୍ରିକା ଏକାଦଶରେ ଅନେକ  ନୂଆ ଖେଳାଳିଙ୍କୁ ଦେଖିବାକୁ ମିଳିବ । ଏଥର  ତେମ୍ବା ବଭୁମା ଓ କ୍ୱିଣ୍ଟନ ଡି କକ୍‌ ନଥିବାରୁ  ରିଜା ହେଣ୍ଡରିକ୍ସଙ୍କ ସହ ମାଥ୍ୟୁ ବ୍ରିଜକି ଓପନ୍‌  କରିବେ । ପେସ୍‌ ବୋଲର ନାନ୍ଦ୍ରେ ବର୍ଗର ଆସନ୍ତା  କାଲି ପଦାର୍ପଣ କରିବା ନିଶ୍ଚିତ । 

ରବିବାର ଅର୍ଶଦୀପ ସିଂହଙ୍କ  ଉପରେ ନଜର ରହିବ । ସେ ଚଳିତ ବର୍ଷ  ଭାରତ ପକ୍ଷରୁ ଟି-ଟ୍ୱେଣ୍ଟିରେ ସର୍ବାଧିକ  ୨୫ଟି ୱିକେଟ୍‌ ନେଇ ସାରିଛନ୍ତି । ମାତ୍ର  ଏକାଦଶରେ ସ୍ଥାନ ପାଇବା ପାଇଁ ତୀବ୍ର  ପ୍ରତିଦ୍ୱନ୍ଦ୍ୱିତା ହେବ । ଦୀପକ ଚହର, ଅର୍ଶଦୀପ,  ମୁକେଶ କୁମାର ଓ ମହମ୍ମଦ ସିରାଜଙ୍କ  ମଧ୍ୟରୁ ୩ଜଣଙ୍କୁ ସୁଯୋଗ ମିଳିପାରେ ।  

ଟସ୍‌ ଜିତିଲେ ବ୍ୟାଟିଂ: ୪୮ବର୍ଷ  ଧରି କିଙ୍ଗ୍‌ସମିଡ୍‌ ଗ୍ରାଉଣ୍ଡ୍‌ର ପିଚ୍‌ ଦାୟିତ୍ୱରେ  ଥିବା ୱିଲସନ ନଗୋବେସଙ୍କ କାର୍ଯ୍ୟକାଳ  ଶେଷ ହେବାକୁ ଯାଉଛି । ତାଙ୍କ କ୍ୟାରିୟର୍‌ର  ଶେଷ ପିଚ୍‌ରେ ରବିବାର ମ୍ୟାଚ୍‌ ଅନୁଷ୍ଠିତ  ହେବ । ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ରହିବ ।  ମାତ୍ର ରବିବାର ବର୍ଷା ସମ୍ଭାବନା ରହିଛି ।  ଦିନ ସାରା କଳା ବାଦଲ ଆକାଶକୁ ଘୋଡ଼ାଇ  ରଖିବ । ଫଳରେ କୋହଲା ପାଗରେ ପେସ୍‌ ବୋଲରମାନେ ପିଚ୍‌ରୁ ଫାଇଦା ଉଠାଇ  ପାରିବେ । ମୋଟ୍‌ ଉପରେ ଦେଖିବାକୁ ଗଲେ  ଟସ୍‌ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । 

ଏଠାରେ ଟସ୍‌କୁ ନେଇ ପୂର୍ବାନୁମାନ କରିବା  କଷ୍ଟକର । କିଙ୍ଗ୍‌ସମିଡ୍‌ ଗ୍ରାଉଣ୍ଡ୍‌ରେ ମୋଟ୍‌ ୧୯ଟି  ଟି-ଟ୍ୱେଣ୍ଟି ଖେଳାଯାଇଛି । ଏଥିରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୮ଟି ମ୍ୟାଚ୍‌ ଜିତିଛନ୍ତି  ଓ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ସମାନ  ସଂଖ୍ୟକ ମ୍ୟାଚ୍‌ ବିଜୟୀ ହୋଇଛନ୍ତି । ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ  ମଧ୍ୟରେ ଏହି ଗ୍ରାଉଣ୍ଡ୍‌ରେ ଖେଳାଯାଇଥିବା ମ୍ୟାଚ୍‌  ‘ଟାଇ’ ରହିଥିଲା । ଅନ୍ୟ ୨ଟି ମ୍ୟାଚ୍‌ ବର୍ଷା ଯୋଗୁଁ  ବାତିଲ ହୋଇଯାଇଥିଲା ।

ସମ୍ଭାବ୍ୟ ଦଳ

ଦକ୍ଷିଣ ଆଫ୍ରିକା: ରିଜା ହେଣ୍ଡରିକ୍ସ, ମାଥ୍ୟୁ  ବ୍ରିଜକି, ଆଡେନ ମାରକ୍ରମ(ଅଧିନାୟକ),  ଟ୍ରିଷ୍ଟନ ଷ୍ଟବ୍ସ/ହେନରିକ କ୍ଲାସେନ, ଡେଭିଡ୍‌  ମିଲର, ଡୋନୋଭାନ ଫେରେରା, ମାର୍କୋ  ଜାନସେନ, କେଶବ ମହାରାଜ, ଗେରାଲ୍ଡ  କୋଏଜି, ନାନ୍ଦ୍ରେ ବର୍ଗର, ତାବ୍ରେଜ ସାମସି । 

ଭାରତ: ଯଶସ୍ୱୀ ଜୈସ୍ୱାଲ୍‌, ଶୁଭମନ ଗିଲ୍‌/ ଋତୁରାଜ ଗାଏକୱାଡ୍‌, ଶ୍ରେୟାସ ଆୟର,  ସୂର୍ଯ୍ୟକୁମାର ଯାଦବ(ଅଧିନାୟକ),  ରିଙ୍କୁ ସିଂହ, ଜିତେଶ ଶର୍ମା, ରବିନ୍ଦ୍ର  ଜାଡେଜା, ଦୀପକ ଚହର, କୁଲଦୀପ  ଯାଦବ/ରବି ବିଷ୍ଣୋଇ, ମହମ୍ମଦ ସିରାଜ,  ଅର୍ଶଦୀପ ସିଂହ/ମୁକେଶ କୁମାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.