ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାର୍ଚ୍ଚ ୭ରୁ ପଞ୍ଚମ ଟେଷ୍ଟ: ରାହୁଲ ଖେଳିବା ନେଇ ଆଶଙ୍କା, ଲଣ୍ଡନ୍‌ରେ ଚିକିତ୍ସିତ ହେବେ

ଧର୍ମଶାଳା,୨୯/୦୨:ପ୍ରଥମ ଟେଷ୍ଟରେ  ଆହତ ହୋଇଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ କେଏଲ୍‌ ରାହୁଲ ଆଗାମୀ ପଞ୍ଚମ ଟେଷ୍ଟ ଖେଳିବା ନେଇ ମଧ୍ୟ ଆଶଙ୍କା ଦେଖା ଦେଇଛି । ଆସନ୍ତା ମାସ  ୭ ତାରିଖରୁ ଧର୍ମଶାଳାରେ ପଞ୍ଚମ ଟେଷ୍ଟ ଆରମ୍ଭ ହେବ । ରାହୁଲଙ୍କୁ ଫିଟ୍‌ ହେବା ପାଇଁ ସମୟ ଲାଗିବ ବୋଲି ଜଣା ପଡ଼ିଛି । ତେବେ ବିସିସିଆଇ ରାହୁଲଙ୍କ ଆହତ ସମସ୍ୟା ଓ ଚିକିତ୍ସା ସମ୍ପର୍କିତ ତଥ୍ୟ ଗୋପନ ରଖିଛି । 

ପ୍ରଥମ ଟେଷ୍ଟରେ ରାହୁଲ ଆହତ  ହୋଇଥିଲେ । ତାଙ୍କ ଡାହାଣ ଜଙ୍ଘ ସମ୍ମୁଖଭାଗ ମାଂସପେଶୀରେ ଆଘାତ ଲାଗିଥିଲା । ତୃତୀୟ  ଟେଷ୍ଟ ବେଳକୁ ସେ ଫିଟ୍‌ ହୋଇଯିବେ ବୋଲି ଆଶା କରାଯାଉଥିଲା । ଶେଷ ୩ଟି ଟେଷ୍ଟ ପାଇଁ  ଦଳ ଘୋଷଣା କରାଯିବା ସମୟରେ ରାହୁଲ ୯୦ପ୍ରତିଶତ ଫିଟ୍‌ ହୋଇ ସାରିଥିବା ମଧ୍ୟ ବିସିସିଆଇ ସ୍ପଷ୍ଟ କରିଥିଲା । ମାତ୍ର ଏହାପରଠୁ ତାଙ୍କ ବିଷୟରେ କୌଣସି ତଥ୍ୟ ପ୍ରକାଶ କରାଯାଉ ନାହିଁ ।  ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍‌  ଏକାଡେମୀ (ଏନ୍‌ସିଏ)ରେ ରାହୁଲ  ଫିଟ୍‌ନେସ୍‌ ଉପରେ ନଜର ରଖାଯାଇଛି ।  

ମିଳିଥିବା ସୂଚନା ଅନୁଯାୟୀ ରାହୁଲ ନିକଟରେ  ଲଣ୍ଡନ ଯାତ୍ରା କରି ଜନୈକ ସ୍ପେଶାଲିଷ୍ଟଙ୍କ ନିକଟରେ ଆହତ ସମସ୍ୟା ଜନିତ ରିପୋର୍ଟ ଦେଖାଇଛନ୍ତି । ତେଣୁ ଏତେ ଶୀଘ୍ର ସେ  କ୍ରିକେଟ୍‌ ମଇଦାନକୁ ଫେରିବା ସମ୍ଭାବନା ନାହିଁ । ରାହୁଲ ଗତ ବର୍ଷ ଆଇପିଏଲ୍‌ ସମୟରେ  ଆହତ ହୋଇଥିଲେ । ଡାହାଣ ଜଙ୍ଘର ଉକ୍ତ ମାଂସ ପେଶୀରେ ଆଘାତ ଲାଗିଥିଲା ଓ ସେ  ଉକ୍ତ ସ୍ଥାନରେ ଅସ୍ତ୍ରୋପଚାର କରିଥିଲେ । 

ସେହିପରି ଚତୁର୍ଥ ଟେଷ୍ଟରୁ ବିଶ୍ରାମ  ନେଇଥିବା ପେସ୍‌ ବୋଲର ଯଶପ୍ରୀତ ବୁମରା  ପଞ୍ଚମ ଟେଷ୍ଟ ପୂର୍ବରୁ ଦଳକୁ ଫେରିବା  ଏକ ପ୍ରକାର ନିଶ୍ଚିତ ରହିଛି । ମାତ୍ର ମ୍ୟାଚ୍‌  ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍‌ ଦେଖିବା ପରେ ବୁମରାଙ୍କ ଖେଳିବା ଉପରେ ନିଷ୍ପତ୍ତି ନିଆଯିବ । ବୁମରା ପ୍ରଥମ ୩ଟି ଟେଷ୍ଟ  ଖେଳିଥିଲେ । ଚତୁର୍ଥ ଟେଷ୍ଟରୁ ତାଙ୍କୁ ବିଶ୍ରାମ  ଦିଆଯାଇଥିଲା । ତୃତୀୟ ଟେଷ୍ଟରେ ବିଶ୍ରାମ ନେଇଥିବା ମହମ୍ମଦ ସିରାଜ ତାଙ୍କ ସ୍ଥାନରେ  ଖେଳିଥିଲେ । ଭାରତ ୩-୧ରେ ସିରିଜ  ଜିତି ସାରିଛି । ତେଣୁ ବୁମରାଙ୍କୁ ଖେଳାଇବା ସେତେ ଜରୁରି ନୁହେଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.