ବେଙ୍ଗଲୁରୁ, ୦୯/୦୨: ଆଜି କାଲିର ଦୁନିଆରେ ପ୍ରି-ୱେଡିଂ ସୁଟ୍ ଏକ ସାଧାରଣ କଥା । ତେବେ ପ୍ରି-ୱେଡିଂ ସୁଟ୍ ପାଇଁ କିଏ ରିସର୍ଟକୁ ଯାଉଛି ତ ଆଉ କିଏ ସମୁଦ୍ର କୂଳରେ କରୁଛି ଫଟୋ ସୁଟ୍ । ତେବେ ଜଣେ ଡାକ୍ତର ଅପରେସନ୍ ଥିଏଟର ଭିତରେ ପ୍ରି-ୱେଡିଂ ଫଟୋ ସୁଟ୍ କରି ବିବାଦ ଘେରକୁ ଆସିବା ପରେ ଚାକିରି ହରାଇଛନ୍ତି ।
ଏଭଳି ଘଟଣା ଘଟିଛି କର୍ଣ୍ଣାଟକର ଚିତ୍ରଦୁର୍ଗା ସରକାରୀ ହସ୍ପିଟାଲରେ । ଚିତ୍ରଦୁର୍ଗା ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ଅସ୍ଥାୟୀ ଡାକ୍ତର ଅଭିଷେକ ଅପରେସନ୍ ଥିଏଟରରେ ପ୍ରି-ୱେଡିଂ ସୁଟ୍ କରିଥିଲେ । ଉକ୍ତ ଭିଡିଓରେ ଡାକ୍ତର ଅଭିଷେକ ଜଣେ ରୋଗୀଙ୍କ ଅପରେସନ୍ କରୁଥିବା ବେଳେ ତାଙ୍କ ସାଥୀ ସହଯୋଗ କରୁଛନ୍ତି । ପ୍ରି-ୱେଡିଂ ସୁଟର ଥିମ ରହିଛି ମେଡିକାଲରେ ଚିକିତ୍ସା । ଶେଷରେ ରୋଗୀ ଜଣଙ୍କ ଚିକିତ୍ସା ପରେ ଉଠି କରି ବସୁଛନ୍ତି ।
ଉକ୍ତ ଭିଡିଓରେ ଏକାଧିକ ଲୋକ ଅପରେସନ୍ ଥିଏଟର ମଧ୍ୟରେ ଥିବା ଦେଖା ଯାଉଛି । ଲାଇଟ୍ କ୍ୟାମେରା ସହ ଅପରେସନ୍ ଥିଏଟରରେ ହୋଇଛି ପ୍ରି-ୱେଡିଂ ଭିଡିଓ ସୁଟ୍ । ଏବେ ସୋସିଆଲ୍ ମିଡିଆରେ ଉକ୍ତ ଭିଡିଓ ଜୋରଦାର୍ ଭାଇରାଲ୍ ହେଉଛି । ବିବାଦ ବଢ଼ିବା ପରେ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ ଡାକ୍ତର ଅଭିଷେକଙ୍କୁ ଚାକିରିରୁ ବିଦା କରିଛନ୍ତି ।
ସୋସିଆଲ୍ ମିଡିଆରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଲେଖିଛନ୍ତି, ସରକାରୀ ହସ୍ପିଟାଲର ଅପରେସନ୍ ଥିଏଟରରେ ପ୍ରି-ୱେଡିଂ ଫଟୋ ସୁଟ୍ କରିଥିବା ଡାକ୍ତରଙ୍କୁ ଚାକିରିରୁ ବାହାର କରି ଦିଆ ଯାଇଛି । ସରକାରୀ ଡାକ୍ତରଖାନା ଲୋକଙ୍କ ଚିକିତ୍ସା ସେବା ଲାଗି ରହିଛି । ଏହାକୁ ବ୍ୟକ୍ତିଗତ କାର୍ଯ୍ୟ ଲାଗି ବ୍ୟବହାର କରାଯାଇ ପାରିବ ନାହିଁ । ଡାକ୍ତରଙ୍କ ଏଭଳି କାର୍ଯ୍ୟକୁ କଦାପି ବରଦାସ୍ତ କରାଯିବ ନାହିଁ । ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଏବଂ ଡାକ୍ତର ସରକାରୀ ନିୟମ ଅନୁସାରେ ଦାୟିତ୍ୱ ନିର୍ବାହ କରିବା ଆବଶ୍ୟକ ।