କଟକ,୨୧/୧୧: ମାହାଙ୍ଗା ଡବଲ୍ ମର୍ଡର ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୬ ତାରିଖରେ ହେବ ବୋଲି ସାଲେପୁର ଜେଏମ୍ଏଫସିଙ୍କ ଅଦାଲତ ଧାର୍ଯ୍ୟ କରିଛନ୍ତି । ଏହି ମାମଲାରେ ମହଲତ ଲୋଡି ବିଧାୟକ ପ୍ରତାପ ଜେନା ଦାଏର କରିଥିବା ଟାଇମ୍ ପିଟିସନ୍ ଉପରେ ସେହିଦିନ ଶୁଣାଣି ହେବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।
ବିଧାୟକ ଶ୍ରୀ ଜେନାଙ୍କୁ ଗତ ଅକ୍ଟୋବର ୩୧ରେ ଅଦାଲତରେ ହାଜର ହେବାକୁ ସାଲେପୁର ଜେଏମ୍ଏଫସିଙ୍କ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସେ ବ୍ୟକ୍ତିଗତ ହାଜିରାରୁ ଛାଡ଼୍ ପାଇଁ ଅଦାଲତରେ ଏକ ପିଟିସନ୍ ରୁଜୁ କରିଥିଲେ । ଏଥିସହ ସିଆରପିସିର ଧାରା ୨୦୫ (ଆଇନଜୀବୀଙ୍କ ଜରିଆରେ ହାଜର ପାଇଁ ପ୍ରାର୍ଥନା)ରେ ଶୁଣାଣି ପାଇଁ ସେ ପ୍ରାର୍ଥନା କରିଥିଲେ ।
ଅପରପକ୍ଷରେ ଆବେଦନକାରୀ ରଞ୍ଜିତ ବରାଳ ଏହାକୁ ବିରୋଧ କରି ଆଉ ଏକ ପିଟିସନ୍ ରୁଜୁ କରିଥିଲେ । ଶ୍ରୀ ଜେନା ଏକ ଟାଇମ୍ ପିଟିସନ୍ ମଧ୍ୟ ରୁଜୁ କରିଥିଲେ । ଏହି ମାମଲାରେ ରାୟ ପ୍ରକାଶ କରି ଅଦାଲତ କହିଛନ୍ତି, ଅଭିଯୁକ୍ତ ଶ୍ରୀ ଜେନାଙ୍କ ପକ୍ଷରୁ ହାଇକୋର୍ଟର ଆଦେଶ ସଂକ୍ରାନ୍ତ କପିକୁ ଦାଖଲ କରାଯାଇଥିଲା । ତେଣୁ ଏହି ମାମଲାରେ ତାଙ୍କ ପକ୍ଷ ରଖିବା ଲାଗି ସମୟ ଦେବାକୁ ପ୍ରାର୍ଥନା କରିଥିଲେ। ଏହି ଆବେଦନ ଉପରେ ଡିସେମ୍ବର ୧୯ ତାରିଖ ପରେ ଜବାବ ରଖିବା ଲାଗି ଅନୁମତି ଦେବାକୁ କୁହାଯାଇଥିଲା । ଏହାକୁ ଗ୍ରହଣ କରି ଅଦାଲତ ଟାଇମ୍ ପିଟିସନ୍ ଉପରେ ଶୁଣାଣି ପାଇଁ ଅନୁମତି ଦେଇଛନ୍ତି ।