ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ୧୬୭ ଜଣଙ୍କ ବିରୋଧରେ ସଙ୍ଗିନ ମାମଲା, କଂଗ୍ରେସର ଭେଙ୍କଟରମଣ ସବୁଠୁ ଧନୀ
  • ||
  • ଭୁବନେଶ୍ୱର : ପିସିସି ପ୍ରଚାର କମିଟି ବୈଠକ, ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି
  • ||
  • ଆଇପିଏଲ୍‌ରେ ଆଜି ଦିଲ୍ଲୀ ଓ ଗୁଜୁରାଟ ମଧ୍ୟରେ ଟକ୍କର, ଅହମ୍ମଦାବାଦରେ ହେବ ମୁକାବିଲା
  • ||
  • ଦୁବାଇରେ ବର୍ଷାର ପ୍ରକୋପ, ଚାରିଆଡେ ଖାଲି ପାଣି ପାଣି, ଓମାନରେ ଚାଲିଗଲା ୧୮ ଜୀବନ
  • ||
  • ଭୁବନେଶ୍ଵର : ଅସହ୍ୟ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜ୍ୟ, ୪ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୧୮ ଓ ୧୯ରେ ୪୫ ଡିଗ୍ରୀ ଛୁଇଁବ
  • ||
  • ଭୁବନେଶ୍ଵର : ଆଜି ପବିତ୍ର ରାମନବମୀ, ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ରାମନବମୀ, ଆସିବେ ୨୫ ଲକ୍ଷ ଶ୍ରଦ୍ଧାଳୁ
  • ||

ମନ ନିର୍ମଳେ ଗଡ଼ିଆ ଗଙ୍ଗା..

ଏ ମଣିଷ ଈଶ୍ୱରଙ୍କର ଏକ ଅନବଦ୍ୟ ସୃଷ୍ଟି । ମଣିଷକୁ ପ୍ରାପ୍ତ ହୋଇଥିବା ଶରୀର ମୁଖ୍ୟତଃ ଦୁଇଟି ଅଂଶରେ ଗଢ଼ା । ସେଗୁଡ଼ିକ ହେଲା ମନ ଓ ଦେହ । ମନ ଓ ଦେହ ପରସ୍ପର ଜଡ଼ିତ । ମନ ଭଲ ନରହିଲେ ଦେହକୁ ପ୍ରଭାବିତ କରିଥାଏ । ଠିକ୍‌ ସେହିପରି ଦେହ ଭଲ ନଥିଲେ ମନକୁ ପ୍ରଭାବିତ କରିଥାଏ । ସାଧାରଣତଃ ଦେଖିବାକୁ ଗଲେ ମନ ସବୁବେଳେ ଦେହଠାରୁ ଉଚ୍ଚ ପାହାଚରେ ଥାଏ । ମନ ଶରୀରକୁ ନିୟନ୍ତ୍ରଣ କରିଥାଏ । ମାତ୍ର ଶରୀର ଦ୍ୱାରା ମନ ନିୟନ୍ତ୍ରଣ ହୋଇନଥାଏ । ଆଜିର ଦୁନିଆରେ ପରିବେଷ୍ଟନୀ ଏବଂ ମନର ସ୍ୱଚ୍ଛତା ଆମ ପାଇଁ ଓ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଅଛି । 

ହିନ୍ଦୀର ପୁରାତନ ଗୀତିକଥା କହେ "ମନ ମୈଲା ଔର ତନକୋ ଧୋୟେ' । କେବଳ ସାମ୍ପୋରେ ଶରୀରକୁ ଅନବରତ ଧୋଇଲେ ମଣିଷ ସ୍ୱଚ୍ଛତା ପ୍ରାପ୍ତ ହୁଏନାହିଁ । ଯେ ପର୍ଯ୍ୟନ୍ତ ମନର ସ୍ୱଚ୍ଛତା ଆସିନାହିଁ, ସେ ପର୍ଯ୍ୟନ୍ତ ମଣିଷ ନିଜକୁ ଶୁଦ୍ଧ ଓ ପବିତ୍ର ମଣିପାରିବ ନାହିଁ । ଏ ମଣିଷ ନିଜକୁ ସ୍ୱଚ୍ଛ ନକରିପାରିବା ଫଳରେ ପରିବେଶ ସମାଜରେ ସ୍ୱଚ୍ଛତାର ସ୍ରୋତ ପ୍ରବାହିତ ହୋଇପାରିବ ନାହିଁ । କାରଣ ଆମେ ଜାଣୁ ମନର ସ୍ୱଚ୍ଛତା ଓ ଆମ ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ମାନସିକ ସ୍ୱଚ୍ଛତା ମଣିଷକୁ ସଂସ୍କାର ଶିଖେଇଥାଏ । ସମୟକ୍ରମେ ସଂସ୍କାରିତ ପିଲା ବା କିଶୋରଟିଏ ସୁନାଗରିକ ହୋଇ ଗଢ଼ି ଉଠିଥାଏ । ପରିବେଶ ସ୍ୱଚ୍ଛତା ଓ ବ୍ୟକ୍ତିବିଶେଷ ସ୍ୱଚ୍ଛତା ସମୟକ୍ରମେ ମାନସିକ ସ୍ୱଚ୍ଛତା ଦ୍ୱାରା ପ୍ରଭାବିତ ହୋଇଥାଏ । ଗାନ୍ଧିଜୀଙ୍କ ଭାଷାରେ "ସ୍ୱଚ୍ଛତା ହିଁ ଦିବ୍ୟତ୍ୱର ଆଧାର' । 

ଏହା ଭକ୍ତିର ଆଧାରରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଛି ଯେଉଁଥିରେ ଆମେ ପ୍ରାୟତଃ ପାରିପାଶ୍ୱିର୍କ ସ୍ୱଚ୍ଛତା ବା ସମୁନ୍ନତ ପରିମଳ ବ୍ୟବସ୍ଥାକୁ ଦୃଷ୍ଟି ଦେଇଛୁ । ମାତ୍ର ମାନସିକ ସ୍ୱଚ୍ଛତା ଏକ ଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଯାହାକୁ ଅନ୍ତରର ସ୍ୱଚ୍ଛତା କୁହାଯାଇପାରେ । ସାଧାରଣତଃ ସ୍ୱଚ୍ଛତା ଏକ ଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଯାହାକୁ ଅନ୍ତରର ସ୍ୱଚ୍ଛତା କୁହାଯାଇପାରେ । ସାଧାରଣତଃ ସ୍ୱଚ୍ଛତା ଦୁଇ ପ୍ରକାରର, ପ୍ରଥମଟି ଅନ୍ତରର ସ୍ୱଚ୍ଛତା ଓ ଦ୍ୱିତୀୟଟି ବାହ୍ୟିକ ସ୍ୱଚ୍ଛତା । ଅନ୍ତରର ସ୍ୱଚ୍ଛତା ନିର୍ମଳ ମନ ଓ ଖୋଲା ହୃଦୟକୁ ବୁଝାଇଥାଏ । ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍‌ଙ୍କ ଭାଷାରେ ଅସଜଡ଼ା ଟେବୁଲ ଓ ଚେୟାର ହେଉଛି ଆମ ଅସଜଡ଼ା ମନର ପ୍ରତିଫଳନ । ସ୍ୱଚ୍ଛ ସୁନ୍ଦର ମନଟିଏ ଚାଲିଆସେ ନିଜ ପରିବେଷ୍ଟନୀକୁ ପରିଷ୍କାର ରଖିବାକୁ । ଠିକ୍‌ ସେହିପରି ସ୍ୱଚ୍ଛ ଏବଂ ନିର୍ମଳ ହୃଦୟରେ ବାହାରିପଡ଼େ ପରୋପକାର କରିବାକୁ ।

ବସ୍ତୁବାଦୀ ଓ ପାର୍ଥିବ ଜୀବନରେ ମଣିଷର ମନ କାମ, କ୍ରୋଧ, ଲୋଭ, ମାୟା ଅହଙ୍କାର, ନିର୍ଦ୍ଦୟତା, ଈର୍ଷା, ଦ୍ୱେଷ ଇତ୍ୟାଦି ଦ୍ୱାରା ପ୍ରଦୂଷିତ ହୋଇଥାଏ । ଫଳରେ ବ୍ୟକ୍ତି ନିଜେ କଳୁଷିତ ହୁଏ ଏବଂ ପରୋକ୍ଷରେ ସମାଜକୁ କଳୁଷିତ କରାଇଥାଏ । ହିଂସା ଯେକୌଣସି ଜାତିର ପ୍ରଗତିର ମୁଖ୍ୟ ପ୍ରତିବନ୍ଧକ ସାଜିଥାଏ । ତେଣୁ ଏସବୁ ଦୁର୍ଗୁଣରୁ ନିଜକୁ ଦୂରେଇ ରଖିବାକୁ ହେଲେ ମଣିଷ ସକାରାତ୍ମକ ଚିନ୍ତାଧାରାର ବଶବର୍ତ୍ତୀ ହେବାକୁ ପଡ଼ିବ । ନିଜର ବିଚାର, ବିବେକ ଓ ଭାବନାକୁ ମଇଳାମୁକ୍ତ କରିବାକୁ ପଡ଼ିବ । ଏଥିପାଇଁ ମହାତ୍ମାଙ୍କ ଆଦର୍ଶ, ଭଲ ଦେଖିବା, ଭଲ ଶୁଣିବା, ଭଲ କହିବା ଇତ୍ୟାଦି ଆମମାନଙ୍କୁ ଆପଣେଇବାକୁ ପଡ଼ିବ ଯାହା ଆଜି ସମୟ ପାଇଁ ଅତ୍ୟନ୍ତ ଅପରିହାର୍ଯ୍ୟ । ମନକୁ ନିର୍ମଳ ରଖିବାକୁ ହେଲେ ସତଚିନ୍ତନ, ସତଭାବନା, ଭଗବତ୍‌ ଚିନ୍ତନ ପ୍ରତି ଆସକ୍ତ ହେବାକୁ ପଡ଼ିବ । 

ଦୈନନ୍ଦିନ ଜୀବନରେ ମନ ଦୂଷିତ ହେଲେ ମଣିଷ ଆସ୍ତେ ଆସ୍ତେ ରୋଗଗ୍ରସ୍ତ ହୋଇପଡ଼େ । ବ୍ୟକ୍ତିଟି ଭ୍ରଷ୍ଟାଚାରୀ ଅଳସୁଆ ଓ ବ୍ୟଭିଚାରୀ ହେବାକୁ ଲାଗେ । ସାଂସାରିକ ଅଶାନ୍ତି ଓ ଦୁଃଖ, ଲାଗି ରହିଥାଏ । ମନ ନିର୍ମଳ ରହିଲେ ଆତ୍ମା ପବିତ୍ର ହୋଇ ରହେ । ମନ ନିର୍ମଳ ରଖିବାର ଅନ୍ୟ ଉପାୟ ହେଉଛି ଯୋଗ, ସତ୍‌ସଙ୍ଗ, ଆଧ୍ୟାତ୍ମିକ ଚିନ୍ତନ । ମନର ନିର୍ମଳତା ଏବଂ ଶାରୀରିକ ସ୍ୱାସ୍ଥ୍ୟ ଯୋଗଦ୍ୱାରା ପ୍ରଭାବିତ ହୋଇଥାଏ । ଯୋଗଗୁରୁ ମହର୍ଷି ବାବା ରାମଦେବଙ୍କର ଅଷ୍ଟାଙ୍ଗ ଯୋଗଚକ୍ର ସ୍ୱାସ୍ଥ୍ୟ ଉନ୍ନତି ଓ ମାନସିକ ଶାନ୍ତି ପ୍ରଦାନ କରିଥାଏ । ଯାହାର ସୋପାନ ହେଲା: ନାମ-ନିୟମ, ଆସନ-ପ୍ରାଣାୟମ, ପ୍ରତ୍ୟାହାର-ଧାରଣ, ଧ୍ୟାନ-ସମାଧି ଏହି ସୋପାନ ଅନୁଯାୟୀ ଶ୍ରୀଗୁରୁଙ୍କର ଯୋଗ ସାଧନ କଲେ ମନ ଓ ହୃଦୟକୁ ନିର୍ମଳ ପରେ ସୁଫଳ ପ୍ରାପ୍ତ ହୋଇଥାଏ ।

ମନର ମଇଳା ମସ୍ତିଷ୍କରେ ଐଶ୍ୱରିକ ଭାବନା ବଦଳରେ ଆସୁରିକ ପ୍ରବୃତ୍ତି ଉଦ୍ରେକ କରିଥାଏ । ମଣିଷ ଈଶ୍ୱର ଭାବନା ଏବଂ ସତ୍‌କର୍ମ ଠାରୁ ଦୂରେଇଯାଏ । କୁକର୍ମର କରାଳ ପ୍ରଭାବ ମନକୁ ମାଡ଼ିବସେ । ଏ ପ୍ରସଙ୍ଗରେ ଏକ ସତ୍ୟ ଘଟଣାଟି ଉପସ୍ଥାପନ କରିବାକୁ ମନେକରେ । ବିଶିଷ୍ଟ ଦାର୍ଶନିକ ସକ୍ରେଟିସଙ୍କ ପିଲାବେଳର କଥା । ଏକଦା ସକ୍ରେଟିସ୍‌ ତାଙ୍କ ସାଙ୍ଗ ସହିତ ଖେଳିବା ସମୟରେ କିଛି ଝଗଡ଼ା ହୁଏ । ଝଗଡ଼ା ଅତ୍ୟଧିକ ମାତ୍ରାରେ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ ଖରାପ ଭାଷାରେ ଗାଳିଗୁଲଜ ଆରମ୍ଭ ହୁଏ । ଏହା ଦେଖି ସକ୍ରେଟିସ୍‌ଙ୍କ ମାଆ ଦୌଡ଼ିଆସି ତାଙ୍କ ପୁଅକୁ ଧରି ଆଣି କହିଲେ- ବାବୁରେ ଏ କ’ଣ କଲୁ? ପାଟିକୁ ମଇଳା କରି କଳୁଷିତ କଲୁ । ସଙ୍ଗେ ସଙ୍ଗେ ପିଲାକୁ ନେଇ ତାର ହାତ ଓ ପାଟିକୁ ଧୋଇଦେଇ ସଫା କରିଦେଲେ । ଆଉ କହିଲେ- ଏମିତି ମଇଳା କଥା ପାଟିରେ ପୂରାନି, ଏଗୁଡ଼ିକ ମନର ପ୍ରଚଣ୍ଡ କ୍ଷତିକାରକ ଏବଂ ମନକୁ ଦୂଷିତ କରିବ । ମାଆଙ୍କଠାରୁ ଏକଥା ଶୁଣି ସକ୍ରେଟିସ୍‌ ନିଜକୁ ସଂଶୋଧିତ କରିଥିଲେ ଏବଂ ମାଆଙ୍କଠାରେ ପ୍ରତିଜ୍ଞା କରିଥିଲେ କି ଆଉ ସେପରି କରିବେନାହିଁ । ଯାହାଫଳରେ ଭବିଷ୍ୟତରେ ଜଣେ ବିଶ୍ୱପ୍ରସିଦ୍ଧ ଦାର୍ଶନିକ ଭାବରେ ଉଭା ହୋଇପାରିଥିଲେ । 

ଆପଣମାନେ ବୁଢ଼ୀ ମାଉସୀର ଗଳ୍ପ ସମସ୍ତେ ଜାଣିଥିବେ । ଯିଏ ଜଗନ୍ନାଥଙ୍କୁ ସ୍ୱୟଂ ଯାଇ ପାଖରେ ଦର୍ଶନ କରିନପାରି ନିଜ ମନର ପବିତ୍ରତା ଓ ଭକ୍ତି ବଳରେ ବାଡ଼ିପଟ ମଞ୍ଚା ଉପରେ ଜଗନ୍ନାଥ ମହାପ୍ରଭୁଙ୍କର ଆବାହନ ଦେଖିପାରିଥିଲା । ଯାହାକି ମନ ନିର୍ମଳ ଥିଲେ ଗଡ଼ିଆଗଙ୍ଗା ଓଡ଼ିଆରେ ତଥାକଥିତ ପ୍ରବାଦର ପ୍ରମାଣ ଦିଏ । ଜଗନ୍ନାଥଙ୍କ ପରମଭକ୍ତ ସାଲବେଗ ସାତଶହ ପଚାଶ କୋଶ ଚାଲି ଚାଲି ପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବାରୁ ଜାଣି ରଥ, କିଛି ସମୟ ପାଇଁ ବାଟରେ ଅଟକାଇ ଦେଇଥିଲେ ପ୍ରଭୁ ଜଗନ୍ନାଥ । ଏହା ହେଉଛି ସ୍ୱଚ୍ଛ ଓ ନିର୍ମଳ ମନର ଭକ୍ତି ଭାବନାର ପରିଚୟ । ତେଣୁ ଆମ ମନର ସ୍ୱଚ୍ଛତା ଓ ପବିତ୍ରତାକୁ ବଜାୟ ରଖିବା । ତତ୍‌ ସଙ୍ଗେ ସଙ୍ଗେ ଏକ ଆଦର୍ଶ ବ୍ୟକ୍ତିତ୍ୱର ପରିଚୟ ଦେବା ଏବଂ ସମାଜକୁ ସ୍ୱଚ୍ଛ ରଖିବାରେ ଚେଷ୍ଟିତ ହେବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.