କଟକ,୧୫।୯: କୋରାପୁଟ ଓ ମାଲକାନଗିରି ଅଞ୍ଚଳରେ ଦେଖାଯାଉଥିବା ଦେଶୀ ପ୍ରଜାତିର ଭେଜାଗୁଡା କୁକୁଡ଼ା ସହିତ ଫୁଲବାଣୀ କୁକୁଡ଼ାଙ୍କୁ ମିଳିବ ଜାତୀୟ ମାନ୍ୟତା । ଏ ନେଇ ନ୍ୟାସନାଲ ବ୍ୟୁରୋ ଅଫ୍ ଆନିମଲ୍ ଜେନେଟିକ୍ ରିସର୍ଚ୍ଚ (ଏନ୍ବିଏଜିଆର୍)କୁ ସୁପାରିସ କରାଯାଇଛି । ଏହି ପ୍ରଜାତିର କୁକୁଡ଼ାଙ୍କ ଉପରେ ଗବେଷଣା କରି ଓୟୁଏଟିର ପ୍ରାଣୀ ପ୍ରଜନନ ବିଭାଗର ବୈଜ୍ଞାନିକ ପ୍ରଫେସର ଡାକ୍ତର ସୁଶାନ୍ତ କୁମାର ଦାସ ବ୍ୟୁରୋକୁ ଏହି ସୁପାରିସ କରିଛନ୍ତି । ଏହି ପ୍ରଜାତି ଜାତୀୟ ମାନ୍ୟତା ପାଇବା ପରେ ଦେଶରେ କୁକୁଡ଼ା ପ୍ରଜାତିଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇବ । ପ୍ରଫେସର ଦାସ କହିଛନ୍ତି, ଭେଜାଗୁଡ଼ା କୁକୁଡ଼ା ଅନ୍ୟ କୁକୁଡ଼ାଙ୍କ ତୁଳନାରେ ବଡ଼ ଓ ବହୁତ ଚତୁର । ବନ୍ୟଜନ୍ତୁ ଓ ଶିକାରୀଙ୍କ କବଳରୁ ନିଜକୁ ଏହି କୁକୁଡ଼ା ରକ୍ଷା କରିବାରେ ସକ୍ଷମ । ଏହି କୁକୁଡ଼ା ସାଧାରଣତଃ ଜଙ୍ଗଲରେ ବୁଲନ୍ତି । ଜଙ୍ଗଲରେ କଟାସ କିମ୍ବା ବିଲୁଆମାନେ ଏହି କୁକୁଡ଼ାଙ୍କୁ ଶିକାର କରିପାରନ୍ତି ନାହିଁ । ଏମାନେ ନିଜ ଛୁଆଙ୍କୁ ପାଳନ କରିବାରେ ବେଶ୍ ଦକ୍ଷ ।
ସେହିପରି ଫୁଲବାଣୀ କୁକୁଡ଼ା ବହୁତ ଉଚ୍ଚକୁ ଉଡ଼ିବାରେ କ୍ଷମତା ରଖନ୍ତି । ଏହି କୁକୁଡ଼ା ୩୦ଫୁଟରୁ ୫୦ଫୁଟ ଉଚ୍ଚ ପର୍ଯ୍ୟନ୍ତ ଉଡ଼ିପାରନ୍ତି । ଏହା ପୂର୍ବରୁ ମୟୂରଭଞ୍ଜର ହାଂସଲି କୁକୁଡ଼ାଙ୍କୁ ମଧ୍ୟ ମାନ୍ୟତା ମିଳିସାରିଛି । ହାଂସଲି କୁକୁଡ଼ା ଲଢ଼େଇରେ ଭାଗ ନିଅନ୍ତି । କୁକୁଡ଼ାଙ୍କ ବ୍ୟତୀତ ଡାକ୍ତର ଦାସ ଏବେ ରାଇଘର ଓ ଘୁମୁଷରୀ ଛେଳିକୁ ମଧ୍ୟ ଜାତୀୟ ମାନ୍ୟତା ପାଇଁ ସୁପାରିସ କରିଛନ୍ତି । ରାଇଘର ଛେଳିର ରଙ୍ଗ ସାମାନ୍ୟ ଲାଲଚିଆ ହୋଇଥିବା ବେଳେ ଘୁମୁଷରୀ ଛେଳିର ରଙ୍ଗ କଳା । ଏହି ଦୁଇ ଛେଳି ପାଳନ କରୁଥିବା ଚାଷୀଙ୍କୁ ଏମାନଙ୍କ ବାବଦରେ କୌଣସି ଖର୍ଚ୍ଚ କରିବାକୁ ପଡ଼ିନଥାଏ । କାରଣ ଏମାନେ ଘାସ, ପତ୍ର ଖାଇ ସୁସ୍ଥ ସବଳ ହେଉଥିବା ବେଳେ ଏମାନଙ୍କ ଶରୀରରେ ରୋଗ ପ୍ରତିରୋଧକାରୀ ଶକ୍ତି ଅନ୍ୟ ଛେଳିଙ୍କ ତୁଳନାରେ ଯଥେଷ୍ଟ ଅଧିକ । ଏମାନଙ୍କ ମାଂସ ମଧ୍ୟ ଅନ୍ୟ ଛେଳିଙ୍କ ତୁଳନାରେ ଅଧିକ ସୁସ୍ୱାଦୁକର । ପୂର୍ବରୁ ଡାକ୍ତର ଦାସଙ୍କ ସୁପାରିସରେ ବିଞ୍ଚାରପୁରୀ, ଘୁମୁଷରୀ, ଖରିଆର ଓ ମୋଟୁ ଗାଈକୁ ଜାତୀୟ ମାନ୍ୟତା ମିଳିସାରିଛି । ଦେଶ ସ୍ୱାଧୀନ ପରେ ଦେଶରେ ସମୁଦାୟ ୩୦ ପ୍ରଜାତିର ଗାଈ ଥିଲେ ।
ଓଡ଼ିଶା ଏକମାତ୍ର ରାଜ୍ୟ ଯିଏ କି ଉପରୋକ୍ତ ୪ ପ୍ରଜାତିର ଗାଈଙ୍କୁ ଜାତୀୟ ମାନ୍ୟତା ଦେଇ ଏହି ସଂଖ୍ୟାକୁ ୩୪ କରିଥିଲା । ବର୍ତ୍ତମାନ ଦେଶରେ ଗାଈ ପ୍ରଜାତିଙ୍କ ସଂଖ୍ୟା ୫୦ ଛୁଇଁଛି ବୋଲି ଡାକ୍ତର ଦାସ କହିଛନ୍ତି । ଏହାବାଦ୍ କେନ୍ଦ୍ରାପଡ଼ା ମେଣ୍ଢାଙ୍କୁ ମଧ୍ୟ ଜାତୀୟ ମାନ୍ୟତା ମିଳିବା ସହିତ ଚିଲିକା, କଳାହାଣ୍ଡି ଓ କୋରାପୁଟର ମନ୍ଦା ଅଞ୍ଚଳର ମଇଁଷିଙ୍କୁ ଜାତୀୟ ମାନ୍ୟତା ମିଳି ସାରିଛି । ଏହିସବୁ ପ୍ରଜାତିର ଗାଇ, ମଇଁଷି ଓ ମେଣ୍ଢାଙ୍କ ଚାହିଦା ଏବେ ରାଜସ୍ଥାନ, ଆନ୍ଧ୍ର ଓ ତେଲଙ୍ଗାନା ଆଦି ରାଜ୍ୟରେ ଯଥେଷ୍ଟ ଅଧିକ ରହିଛି । ଓଡ଼ିଶାର ଚାଷୀମାନେ ମଧ୍ୟ ଏହାଦ୍ୱାରା ଯଥେଷ୍ଟ ଲାଭବାନ୍ ହେଉଛନ୍ତି ।
ଜାତୀୟ ମାନ୍ୟତା ମିଳିବା ପୂର୍ବରୁ କେନ୍ଦ୍ରାପଡ଼ା ମେଣ୍ଢାର ମୂଲ୍ୟ ଦୁଇରୁ ଅଢ଼େଇ ହଜାର ଥିଲା । ମାତ୍ର ଏବେ ଏହି ମେଣ୍ଢାଙ୍କ ମୂଲ୍ୟ ୮ରୁ ୧୦ହଜାର ଟଙ୍କାରେ ପହଞ୍ଚିଥିବା ସେ କହିଛନ୍ତି । ବିଶେଷକରି ବାହାର ରାଜ୍ୟର ବିରିୟାନୀରେ ଏହି ମେଣ୍ଢାଙ୍କ ମାଂସକୁ ବ୍ୟବହାର କରାଯାଉଥିବାରୁ ଆନ୍ଧ୍ର, ତେଲଙ୍ଗାନା ରାଜ୍ୟର ମେଣ୍ଢା ଚାଷୀମାନେ କେନ୍ଦ୍ରାପଡ଼ା ମେଣ୍ଢା ପ୍ରଜାତିର ବିକାଶ ପାଇଁ ଯୋଜନା କରୁଛନ୍ତି । ଓଡ଼ିଶାରେ ଏବେ ବିଞ୍ଚାରପୁରୀ, ଖରିଆର ଗାଈ ସହିତ ଚିଲିକା ମଇଁଷି ଓ କେନ୍ଦ୍ରାପଡ଼ା ମେଣ୍ଢାଙ୍କ ସଂରକ୍ଷଣ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଡାକ୍ତର ଦାସ କହିଛନ୍ତି ।