ଭୁବନେଶ୍ୱର,୧୧/୧୧: ଦୀପାବଳିରେ ରାତି ୧୦ ଟା ପରେ ବାଣ ଫୁଟାଇ ପାରିବେନି । କେବଳ ସବୁଜ ବାଣ ହିଁ ଫୁଟାଇ ପାରିବେ । ଯଦି କେହି ଏହି ନିୟମ ଲଂଘିବେ କି ଶଦ୍ଦଯୁକ୍ତ ବାଣ ଫୁଟାଇବେ । ତେବେ ଆଇନ୍ ମୁତାବକ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅମାନିଆମାନେ ତଣ୍ଡ ଗଣିବେ, ନଚେତ୍ ଜେଲ୍ ଯିବେ । ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଶୁକ୍ରବାର ଟୁଇନ୍ସିଟିବାସୀଙ୍କୁ ଏହି କଡ଼ାବାଣୀ ଶୁଣାଇଛନ୍ତି ।
ଦୀପାବଳି ପାଇଁ ବାଣ ବିକିବା ଓ ଫୁଟାଇବା ଉପରେ କମିଶନରେଟ୍ ପୁଲିସ କଟକଣା କଷିଛି । ଏହି ନିୟମକୁ କଡ଼ାକଡି଼ କରିବାକୁ ସବୁ ଥାନା ଅଧିକାରୀଙ୍କୁ ଶ୍ରୀ ପ୍ରିୟଦର୍ଶୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ବେଆଇନ୍ ବାଣ ଫୁଟା ରୋକିବାକୁ ସ୍ୱତନ୍ତ୍ର ଟିମ୍ ଗଢ଼ାଯାଇଥିବା ସେ ସୂଚନା ଦେଇଛନ୍ତି । ଅଭିଭାବକଙ୍କ ଉପସ୍ଥିତିରେ ନାବାଳକମାନେ ବାଣ ଫୁଟାଇବାକୁ ଶ୍ରୀ ପ୍ରିୟଦର୍ଶୀ ପରାମର୍ଶ ଦେଇଛନ୍ତି । ସିଧାସଳଖ ହାତରେ ବାଣ ନ ଫୁଟାଇବା, ଗୃହପାଳିତ ପଶୁଙ୍କୁ ଦୂରେଇ ରଖିବା, ବାଣଫୁଟା ସ୍ଥାନରେ ପାଣି ବାଲ୍ଟି ଓ ବାଲି ରଖିବା, ବାଣ ଫୁଟାଇବା ବେଳେ ସୂତା ବସ୍ତ୍ର ପିନ୍ଧିବାକୁ ସେ ଅନୁରୋଧ କରିଛନ୍ତି । କୌଣସି ଅଘଟଣ ଘଟିଲେ, ତୁରନ୍ତୁ ୧୧୨ ଓ ଦମକଳ କେନ୍ଦ୍ର (୧୦୧)କୁ ଫୋନ୍ କରିବାକୁ କୁହାଯାଇଛି ।
ବାଣ ବିକ୍ରିରେ କଟକଣା
ବାଣ ବିକିବାରେ ମଧ୍ୟ ଢ଼େର୍ କଟକଣା ଲାଗିଛି । କେବଳ ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ୍ ସେଫ୍ଟି ଅର୍ଗାନାଇଜେସନ (ପେସୋ) ଦ୍ୱାରା ଅନୁମୋଦିତ ସବୁଜ ବାଣ ବିକାଯିବ । ଦୋକାନରେ କୌଣସିମତେ ତୈଳ ଜାତୀୟ ପଦାର୍ଥ, ଗ୍ୟାସ୍ ଲ୍ୟାମ୍ପ, କ୍ୟାଣ୍ଡେଲ ଭଳି ଦହନଶୀଳ ପଦାର୍ଥ ରହିବନି । ଦୋକାନୀମାନେ ଅଗ୍ନି ପ୍ରତିହତ ପାଇଁ ଯନ୍ତ୍ର ସହ ପାଣି ଡ୍ରମ୍ ଓ ବାଲି ବସ୍ତା ଗଚ୍ଛିତ ରଖିବେ । ଟିଣ ଚାଦରରେ ଦୋକାନ ବନାଯିବ । ଦୋକାନଗୁଡି଼କ ଭିତରେ ୩ ମିଟର ବ୍ୟବଧାନ ରହିବ । ଗୋଟିଏ ଲାଇନ୍ରେ ବାଣ ଦୋକାନ ରହିବ । ଦୋକାନଠୁ ୧୦୦ ମିଟର ପରିଧି ଭିତରେ କୌଣସି ଶିକ୍ଷାନୁଷ୍ଠାନ, ମାର୍କେଟ, ବାସଭବନ, ହସ୍ପିଟାଲ ରହିବ ନାହିଁ । ବଡ଼ କଥା ହେଲା, ଅନ୍ଲାଇନ୍ ସପିଂ ସଂସ୍ଥା ପକ୍ଷରୁ ବାଣ ବିକାଯାଇପାରିବନି ।
ଫୁଟାଇବା ବେଳେ ପରାମର୍ଶ
ବାଣ ଫୁଟାଇବା ପାଇଁ ଜାରି ହୋଇଥିବା କଟକଣାଗୁଡି଼କ ହେଲା, ଜନବସତି ଠାରୁ ଦୂର ଖୋଲା ପଡ଼ିଆରେ ସାମୂହିକ ବାଣ ଫୁଟାଇ ପାରିବେ । ବାଣ ଫୁଟାଇବା ସମୟରେ ଆଶୁ ଚିକିତ୍ସା ବାକ୍ସ ପାଖରେ ରଖନ୍ତୁ । ଯଦି କିଛି ବାଣ ବଳୁଛି, ତାକୁ ପାଣିରେ ବୁଡ଼ାଇ ଦିଅନ୍ତୁ । ହସ୍ପିଟାଲ୍, ନର୍ସିଂହୋମ୍, ସ୍ୱାସ୍ଥ୍ୟକେନ୍ଦ୍ର, ଶିକ୍ଷାନୁଷ୍ଠାନ, କୋର୍ଟ, ଧାର୍ମିକ ଅନୁଷ୍ଠାନ ଓ ଅନ୍ୟ ସାଇଲେନ୍ସ ଜୋନ୍ରେ ବାଣ ଫୁଟି ପାରିବନାହିଁ ।