ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ହିଂସାର ହିଂସ୍ରତା

ବିଜୟ ଦାସ୍/୨୯।୫: ହିଂସା ହିଁ ଈର୍ଷା, ପର ପୀଡ଼ନ । ଏହାର ସୀମା ବଧ ପର୍ଯ୍ୟନ୍ତ । ହିଂସାର ଭୟାବହତା କାହାକୁ ଅଛପା ନୁହେଁ । ସତରେ ଏହା କ’ଣ ଏକ ସହଜାତ ପ୍ରବୃତ୍ତି ନା ଉଚ୍ଚ ସ୍ଥାନ ଅଧିଗ୍ରହଣ ପାଇଁ ଏକ ଆଗ୍ନେୟାସ୍ତ୍ର । ମଣିଷ ଭିତରେ ହିଂସା, ଘର ଭିତରେ ହିଂସା, ଘର ବାହାରେ ହିଂସା, ଏହି ହିଂସା ଶବ୍ଦଟି ଯେପରି ସାରା ସଂସାରକୁ ଅକ୍ତିଆର କରିନେଇଛି । ଏହା ଅନ୍ୟର କ୍ଷତି ପହଞ୍ଚାଇବାକୁ ତ ଯଥେଷ୍ଟ, କିନ୍ତୁ ବୁମେରାଂ ସଦୃଶ ଅଜାଣତରେ ନିଜର ହିଁ ବେଶୀ କ୍ଷତି କରୁଥାଏ । ହିଂସ୍ର ଜୀବ କହିଲେ ଯେପରି ଭୟର ବାତାବରଣ ଖେଳିଯାଏ, ହିଂସା ମାନବ କହିଲେ ତା’ଠାରୁ ଅଧିକ ଭୟ ଲାଗେ । କାରଣ, ହିଂସ୍ର ଜୀବଜନ୍ତୁ ବଣ ଜଙ୍ଗଲରେ ବାସ କରୁଥିଲାବେଳେ, ମଣିଷର ନିତି ସାକ୍ଷାତ ହେଉଥାଏ ସାଥିରେ ବସବାସ କରୁଥିବା ହିଂସ୍ର ମାନବମାନଙ୍କ ସହିତ । ବ୍ୟକ୍ତିଗତ ହିଂସା, ଘରୋଇ ହିଂସା, ରାଜନୈତିକ ହିଂସା ଇତ୍ୟାଦି ଶବ୍ଦମାନ ଅତି ଚିହ୍ନା ଚିହ୍ନା ଲାଗିଲେଣି । ଏହାର ହିଂସ୍ରତାର ଅବହାୱାରେ ଅଣନିଶ୍ୱାସୀ ମଣିଷ ଏବଂ ଅଣନିଶ୍ୱାସୀ ସମାଜ । ହିଂସା ପୁଣି ଜନ୍ମ ଦିଏ ପ୍ରତିହିଂସାକୁ ।  

ହିଂସାଠାରୁ ବେଶୀ ଭୟଙ୍କର ହୋଇଥାଏ ପ୍ରତିହିଂସା । ଆମେ ହିଂସା କରୁ କାହିଁକି ? ଏକ ଅସହନଶୀଳତାର ପତିରୂପ ହେଇପାରେ, ବିକଳାଙ୍ଗ ମାନସିକତାର ପ୍ରାଦୁର୍ଭାବ ଅବା ଅନ୍ୟର ସଫଳତା ସହ ନିଜର ବିଫଳତା ହେଇପାରେ । ଅସୂୟା, ଈର୍ଷା, ଦ୍ୱେଷ ଇତ୍ୟାଦି ଏହାର ପ୍ରତିଶବ୍ଦମାନ । କାହାର ଖୁସିରେ ନିଜକୁ ସାମିଲ ନକରିବାର ଅପାରଗ ପଣ, କାରଣ ଯାହା ହେଉନା କାହିଁକି ହିଂସାକୁ ଜନ୍ମ ଦିଏ । ମନ ଭିତରେ ନକାରାତ୍ମକ ଚିନ୍ତାଧାରାର ପ୍ରବାହ ବହେ । ପରେ ପରେ ଏହା ଏତେ ତୀବ୍ର ରୂପ ନିଏ ଯେ, ଅନ୍ୟର ବିରାଟ କ୍ଷତି କରିବା ସଙ୍ଗେ ସଙ୍ଗେ ନିଜର ମଧ୍ୟ ଅମାପ କ୍ଷତି କରିଥାଏ । ନିଜର ଉନ୍ନତି ପଥରେ ଅନେକ ସୁଯୋଗ ଆସେ । ଏମିତି ନୁହେଁ ଯେ, ସଦା ସର୍ବଦା କେହି ଦୁଃଖ କଷ୍ଟର କଙ୍କରିତ ପଥର ଯାତ୍ରୀ ହୋଇଥାଏ । ଏସବୁ ସୁଯୋଗକୁ ହାତଛଡ଼ା କରିବାର ଅର୍ଥ, ହତାଶାକୁ ନିମନ୍ତ୍ରଣ କରିବା । ସେହିପରି ସମାନ ସ୍ତରର ବ୍ୟକ୍ତି ଯଦି ସୁଯୋଗର ସଦୁପଯୋଗ କରି ନିଜର ନିଜ ପରିବାର ବିକାଶ କଲା, ତାକୁ ସାବାସୀ ଦେବା ପରିବର୍ତ୍ତେ ତା’ଠାରୁ ବିକାଶର ସୂତ୍ର ଶିଖିବା ବ୍ୟତିରକେ ଈର୍ଷା କରିବା ହିଁ ହିଂସା ଉଦ୍ରେକ କରିବା ନିଜ ଭିତରେ । 

କୌଣସି ପ୍ରତିଯୋଗିତାରେ ହାର-ଜିତ୍‌ର କଥା ଅଧା ଅଧା । କେହି ଜଣେ ଜିତେ ଏକ ସମୟରେ । ଆମେ ହାରିଗଲେ ଆମର ସମୟକୁ ଅପେକ୍ଷା ନକରି ଭାଙ୍ଗିପଡ଼ିବା ବୋକାମିର ପରିଚୟ । ‘ଡିପ୍ରେସନ’ ପରି ଇଂରାଜୀ ଶବ୍ଦ ଆଜିକାଲି ବହୁଳ ବ୍ୟବହୃତ । ଏହା ଆମକୁ ବଢ଼ିବାରେ ସହାୟକ ହୋଇନଥାଏ । କିନ୍ତୁ ପଛକୁ ଫେରି ନିଜର ଭୁଲ୍‌ଭଟକା ସଜାଡ଼ିବାକୁ ମଧ୍ୟ ଦେଇନଥାଏ । ସ୍ଥିର ହୋଇ ରହିଯାଏ ଜୀବନ । ଏଠାରେ ମନେରଖିବା ଉଚିତ୍‌, ବାଘ ଶିକାର କରିବା ପୂର୍ବରୁ ଦୁଇପାଦ ପଛକୁ ଫେରେ, କାରଣ ଠିକ୍‌ ଆକ୍ରମଣ କରି ଲକ୍ଷ୍ୟ ଭେଦ କରିବାର, ସଫଳତା ପାଇବାର ଏ ସତର୍କ ପ୍ରକ୍ରିୟା । ଠିକ୍‌ ପ୍ରସ୍ତୁତି ପାଇଁ ସାପେକ୍ଷ ସମୟର ଅପେକ୍ଷା, ଏହି ହିଂସାଭାବକୁ ନିଶ୍ଚେ ଦୂରକୁ ଠେଲିଦିଏ । ଏଥକୁ ହିଂସାର ଶିକାର ହେଉଥିବା ବ୍ୟକ୍ତି ପାଖକୁ ଯିବା । ଏଠାରେ ବାଜି ଜିତିଥିବା ପ୍ରତିଯୋଗୀ ମଧ୍ୟ ମନେ ରଖିବା ଉଚିତ ଯେ, ହାରିଥିବା ବ୍ୟକ୍ତି ବା ବ୍ୟକ୍ତିମାନେ ଦୁଃଖୀ ହୋଇଥାଆନ୍ତି । ତେଣୁ ସେମାନଙ୍କ ମନୋବଳ ବଢ଼ାଇବା ପରିବର୍ତ୍ତେ ନିଜର ବାହାଦୁରୀ ଦେଖେଇ ହେଲେ ଈର୍ଷା ଆସେ । କଟା ଘାଆରେ ଚୂନ ଦେଲେ ଯେପରି ଯନ୍ତ୍ରଣା ହୁଏ, ସେହିପରି କାହାର ପରାଜୟତା ଓ ଅସହାୟତାକୁ କଟାକ୍ଷ କଲେ ତାହା ଯନ୍ତ୍ରଣା ଦିଏ । ଏହି ଯନ୍ତ୍ରଣାରୁ ହିଂସା ଓ ପରେ ପରେ ପ୍ରତିହିଂସା ଆସେ । ହିଂସ୍ର ପ୍ରାଣୀମାନେ ମଧ୍ୟ ଆଦର ପାଇଲେ ବଶତା ସ୍ୱୀକାର କରୁଛନ୍ତି । ମଣିଷ କ’ଣ ସ୍ନେହ ଆଦର ପାଇଲେ ଏ ହିଂସ୍ରତା ଭୁଲିଯାଇପାରିବ ନାହିଁ । ଅସଲରେ ବଞ୍ଚିବା ଓ ଭଲରେ ବଞ୍ଚିବା ପାଇଁ ସର୍ବଦା ଧାଁଦଉଡ଼ ଲାଗିଥାଏ । 

ଏହି ପ୍ରକ୍ରିୟା ସର୍ବପ୍ରଥମେ ସୁଯୋଗ ହାତେଇବାକୁ ସଭିଙ୍କର ଇଚ୍ଛା । ସୁଯୋଗ ହାତେଇବା ନୁହେଁ, ସୁଯୋଗ ତିଆରି କରିବାର ଅଛି । ନିଜ ପାଇଁ ଏବଂ ଅନ୍ୟମାନଙ୍କ ପାଇଁ ଯେଉଁ କୃଷକର କ୍ଷେତ ହସୁଛି, ସେ ନିଶ୍ଚେ କିଛି ସୁଯୋଗ ତିଆରି କରିଛି ଫସଲ ପାଇଁ । ଅପହୁଞ୍ଚ ପାଣି ନାଳରୁ ନିଜ କ୍ଷେତକୁ ଛୋଟ ଧାରା ତିଆରି କରିଛି ଏବଂ ପ୍ରତିମୁହୂର୍ତ୍ତରେ ସଜାଗ ରହିଛି ରୋଗ ପୋକ ଦାଉରୁ ଫସଲକୁ ରକ୍ଷା କରିବାକୁ । ତାର ଭଲ ଫସଲକୁ ହିଂସା କରିବାର ନାହିଁ ବରଂ ତା’ଠାରୁ ଜ୍ଞାନ ନେଇ ନିଜ କ୍ଷେତକୁ ସେହିପରି କରିବା ଉଚିତ । ହିଂସାର କାରଣ ଅନେକ ରହିଛି । ଧନକୁ ହିଂସା, ମାନ ସମ୍ମାନକୁ ଈର୍ଷା, ସୌନ୍ଦର୍ଯ୍ୟକୁ ଅସୁହାଣି ପଣ ଏବଂ ଜ୍ଞାନକୁ ପରଶ୍ରୀକାତରତା । ଏସବୁର କାରଣ ନିଜ ସାମର୍ଥ୍ୟ ଉପରେ ବିଶ୍ୱାସ ରଖିନପାରିବା । ‘ମୁଁ ମୋ ପରି, ମୁଁ କାହାରିଠାରୁ କମ୍‌ ନୁହେଁ କି ବେଶୀ ନୁହେଁ’ ଏକ ଆତ୍ମବିଶ୍ୱାସ ଯାହା ଅସହିଷ୍ଣୁତାକୁ ଦୂରରେ ରଖେ । ଘରୋଇ ହିଂସାର ମୂଳ କାରଣ ଅବୁଝାମଣା । ପରସ୍ପରକୁ ବୁଝିପାରିଲେ, ଅନ୍ୟର ଇଚ୍ଛାକୁ ସମ୍ମାନ ଜଣାଇଲେ ହିଁ ହିଂସା ଆସିବ ନାହିଁ । ବ୍ୟକ୍ତିଗତ ସ୍ୱାର୍ଥପରତା ହିଁ ଅଶାନ୍ତିର ମୂଳ କାରଣ । ଏହାଛଡ଼ା ଭୁଲ୍‌ ହେଉ କି ଠିକ୍‌ ହେଉ, ମେରି ରାୟ ହେଉଛି ନିଜ ସିଦ୍ଧାନ୍ତକୁ ଅନ୍ୟ ଉପରେ ଲଦିଦେବା । ଯେକୌଣସି ଘରୋଇ ସମସ୍ୟାର ସମାଧାନ ଯଦି ପରିବାର ସଦସ୍ୟଙ୍କ ସହମତିରେ ପନ୍ଥା ଦ୍ୱାରା ହୁଏ, ତେବେ ସମାଧାନ ସହଜ ତ ହିଂସାର ସ୍ଥାନ ନାହିଁ । 

ମନ ମିଳିବା, ମନ ମାନିନେବା ଭିତରେ ତଫାତ୍‌ ଅଛି । ସମାନ ଚିନ୍ତାଧାରାର ମଣିଷ ବନ୍ଧୁ ହୋଇଯାଆନ୍ତି । କିନ୍ତୁ ବିପରୀତ ଚିନ୍ତାଧାରାକୁ ମାନିନେବା ନିଶ୍ଚେ ବିଜ୍ଞଜନର ତର୍ଜମା କରିବା । ଏମିତିରେ ବିପରୀତମୁଖୀ ଚିନ୍ତାଧାରା ପରସ୍ପରକୁ ଆକୃଷ୍ଟ କରେ । ଯେମିତିକି ମୁଁ ଯାହା ଭାବି ପାରିନାହିଁ, ଅନ୍ୟ ଜଣେ ଭାବିଛି । ପୁଣି ଅନ୍ୟ ଜଣେ ମୋ ଭାବନାକୁ ସମ୍ମାନ ଜଣାଉଛି । ରାଜନୈତିକ ହିଂସାର ମୁଖ୍ୟ କାରଣ ଅତିଶୟ କୌଣସି ଦଳର ବିଚାରଧାରାକୁ ବିଶ୍ୱାସ କରିବା, ଅନ୍ୟ ଦଳର ଆଭିମୁଖ୍ୟକୁ ନିନ୍ଦା କରିବା । ତର୍କ ଦ୍ୱାରା ଏହାର ବିଶ୍ଳେଷଣ ନକରି ଅନ୍ଧସ୍ତାବକ ପାଲଟିବା ହିଁ ହିଂସାର କାରଣ । ଏଥିରେ ବ୍ୟକ୍ତିଗତ ସ୍ୱାର୍ଥ, ଚାଟୁକାରିତା ଏବଂ ଅସୂୟା ହିଁ ବିଶେଷ ଭୂମିକା ନେଇଥାଏ । 

ଯଦିଓ ଭୋଟଦାନକୁ ଆମେ ମୌଳିକ ଅଧିକାର ବୋଲି ଜାଣୁ, କିନ୍ତୁ ଏହା କାହାର କାହାର ବନ୍ଧା ପଡ଼ିଥାଏ । ନେତା ପାଖରେ ହେଉ କି ଦଳ ପାଖରେ ହେଉ । ରାଜନୈତିକ ବିଚାରଧାରା ସମାଜର ମଙ୍ଗଳ ପାଇଁ, ବିକଶିତ ସମାଜ ପାଇଁ ଏବଂ ଜନତାଙ୍କ ସୁଖ ସୁବିଧା ପାଇଁ । କିନ୍ତୁ ଏହା ଯଦି ଗଣତାନ୍ତ୍ରିକ ନହୋଇ ରାଜତାନ୍ତ୍ରିକ ହେଇଯାଏ ତେବେ ହିଂସା ହିଁ ସ୍ଥାନ ପାଏ । ଶାସକ ଓ ଶାସନ ଏକ ବ୍ୟବସ୍ଥା, କୌଣସି ବ୍ୟକ୍ତିବିଶେଷ ନୁହେଁ । ଯଦିଓ ସବୁଠାରୁ ଦକ୍ଷ ବ୍ୟକ୍ତି ଏହାକୁ ପରିଚାଳନା କରନ୍ତି । ଭୁଲ୍‌ଭଟକାର ପ୍ରତିବାଦ କେବେ ହିଂସା ଉଦ୍ରେକ ପାଇଁ ନୁହେଁ । କାରଣ ଆମ ଦେଶର ପ୍ରତିବାଦର ପ୍ରକ୍ରିୟା ହେଉଛି ଅହିଂସା । ଚାଲନ୍ତୁ, ହିଂସାର ହିଂସ୍ରତାକୁ ବୁଝିବା ଏବଂ ହିଂସାରୁ କ୍ଷାନ୍ତ ହେବା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.