ମାଲକାନଗିରି/ମାଥିଲି, ୨୦/୮(ଆପ୍ର ) : ରାତିପାହିଲେ ପାଳିତ ହେବ ମାଥିଲି ଗୁଳିକାଣ୍ଡ ଦିବସ । ସେଥି ନିମନ୍ତେ ମାଥିଲି ଥାନା ପରିସରରେ ପ୍ରତିଷ୍ଠା ହୋଇଥିବା ସହିଦ ସ୍ତମ୍ବ ନିକଟରେ ଆଜି ଟେଣ୍ଟ ମରା କାର୍ଯ୍ୟ ଚାଲିଥିଲା। ଏହି ସମୟରେ ବିଦ୍ୟୁତ ଆଘାତରେ ଜଣେ ଯୁବକର ମୃତ୍ୟୁ ଘଟିଛି।ମୃତ ଯୁବକ ଜଣକ ହେଲେ ମାଥିଲି ବ୍ଲକ ଦଳପତି ଗୁଡା ପଞ୍ଚାୟତ ସଦର ଗ୍ରାମର ମାଧବ ମାଝୀଙ୍କ ପୁଅ ଲକ୍ଷ୍ମୀକାନ୍ତ ମାଝୀ (୨୦) ।
୨୧ତାରିଖ ଦିନ ମାଥିଲି ଗୁଳିକାଣ୍ଡ ଦିବସ ଓ ଶ୍ରଦ୍ଧାଞ୍ଜଳି ସଭା ମାଥିଲି ଥାନା ପରିସର ରେ ହେବା ପାଇଁ ସ୍ମୃତି କମିଟି ଓ ଥାନା ପକ୍ଷରୁ ସହିଦ ସ୍ମୃତି ସ୍ତମ୍ବ ନିକଟରେ ଟେଣ୍ଟ ମରାଯାଉଥିଲା। ଏହି ଟେଣ୍ଟ ମରା କାର୍ଯ୍ୟ ରେ ଦଳପତିଗୁଡା ଗ୍ରାମର ଲଷ୍ମୀକାନ୍ତ ମାଝୀ (୨୦)କାମ କରୁଥିଲେ। ବର୍ଷାରେ ସେ ଏକ ଓଦା ବାଉଁଶ ଟେଣ୍ଟ ଉପରକୁ ଉଠାଉ ଥିଲେ। ଏହି ସମୟରେ ଉକ୍ତ ବାଉଁଶଟି ଉପରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସିଯିବାରୁ ବିଦ୍ୟୁତ ଆଘାତରେ ଲଷ୍ମୀ କାନ୍ତ ଦୁରକୁ ଛିଟିକି ପଡି ଗୁରୁତର ଭାବେ ଆହତ ହୋଇଥିଲେ। ନିକଟରେ ଥିବା ଅନ୍ୟ କର୍ମଚାରୀ ଓ ପୁଲିସ ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇ ଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଲଷ୍ମୀ କାନ୍ତଙ୍କ ମୃତ୍ୟୁ ଘଟିଛି। ଯୁବକର ମୃତ୍ୟୁ ହେବା ପରେ ଲଷ୍ମୀ କାନ୍ତଙ୍କ ବାପା ଓ ଗ୍ରାମବାସୀ ଘଟଣା ସ୍ଥଳରେ ପହଁଚି ମୃତ ପରିବାରଙ୍କୁ କ୍ଷତି ପୂରଣ ଦେଵା ପାଇଁ ଅଡି ବସିଥିଲେ। ଘଟଣା ସ୍ଥଳରେ ମାଥିଲି ଥାନା ଅଧିକାରୀ ଦେବଦତ୍ତ ମଲିକ ଓ ଅନ୍ୟ ପୁଲିସ କର୍ମଚାରୀ ପହଁଚି ବୁଝା ସୁଝା କରି ମୃତ ଦେହ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।