ଭବାନୀପାଟଣା, ୨୮/୦୯(ସନ୍ତୋଷ ସିଂଦେଓ): ଆନ୍ଧ୍ର ବିହନ ଭଲ ଅମଳ ଦେବ । ଏଭଳି ଲୋଭନୀୟ ପ୍ରତିଶ୍ରୁତି ଦେଇ ଗାଁଗାଁ ବୁଲି ହାଇବ୍ରିଡ୍ କପା ବିହନ ବିକିଥିଲେ ଆନ୍ଧ୍ର ବେପାରୀ । ଚାଷୀ ମଧ୍ୟ ଭଲ ଦି ପଇସା ରୋଜଗାର କରିବା ଆଶାରେ ବିହନ କିଣିଥିଲା । ହାଡ଼ଭଙ୍ଗା ପରିଶ୍ରମ ସାଙ୍ଗକୁ ଚାଷରେ ଖର୍ଚ୍ଚ କରିଥିଲା ପାଣି ଭଳି ଟଙ୍କା । ହେଲେ ଅନୁକୂଳ ପାଗ ସତ୍ତେ୍ୱ ଧୋକା ଦେଲା ବିହନ । ଗଛ ବଢ଼ିଲା । ଫୁଲ ଆସିଲା । ହେଲେ କପା ଫଳିଲାନି । କପା ଉତ୍ପାଦନରେ ଅଗ୍ରଣୀ କଳାହାଣ୍ଡି ଜିଲ୍ଲାରେ ଆନ୍ଧ୍ର ହାଇବ୍ରିଡ୍ ବିହନକୁ ଭରସା କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଆନ୍ଧ୍ରର ବିହନ ଉପରେ ଅଙ୍କୁଶ ନଲାଗିଲେ ଓଡ଼ିଶାରୁ କପାଚାଷ ବୁଡ଼ିଯିବ ବୋଲି ସେମାନେ ଖୋଲାଖୋଲି ଅଭିଯୋଗ କରିଛନ୍ତି ।
ଗତ ଆର୍ଥିକ ବର୍ଷରେ ରାଜ୍ୟରେ କପା ଉତ୍ପାଦନ ୧୩୫.୬୯ ପ୍ରତିଶତ ବୃଦ୍ଧି ନେଇ କୃଷି ବିଭାଗ ସୂଚନା ଦେଇଥିଲା । ସିଂହଭାଗ ଅମଳ କପା ଆସିଥିଲା କଳାହାଣ୍ଡି ଜିଲ୍ଲାରୁ । ଦୀର୍ଘ ୧୦ବର୍ଷ ହେଲା କଳାହାଣ୍ଡି ରାଜ୍ୟରେ ସର୍ବାଧିକ କପା ଉତ୍ପାଦନକାରୀ ଜିଲ୍ଲା ଭାବେ ସୁନାମ ଆଣିଛି । ଏହି କାରଣରୁ ଜିଲ୍ଲାର କପାମଣ୍ଡିକୁ ସମବାୟ ବିଭାଗ ପକ୍ଷରୁ ଜାତୀୟ ମଣ୍ଡିର ମାନ୍ୟତା ପ୍ରଦାନ କରାଯାଇଛି । ମାତ୍ର ବିଗତ ଦୁଇବର୍ଷ ହେବ ଜିଲ୍ଲାରେ କପାମଣ୍ଡି ଆଦୌ ଖୋଲାଯାଇନାହିଁ । ଉନ୍ନତମାନ ଓ ପ୍ରବଳ ଅମଳ ହେଉଥିବାରୁ ବାହାର ରାଜ୍ୟର କପା ବ୍ୟବସାୟୀ ସରକାରୀ ଧାର୍ଯ୍ୟ ଏମ୍ଏସ୍ପିଠାରୁ ଅଧିକ ଦରଦେଇ ଏହି ଧଳାସୁନାକୁ କିଣି ନେଉଛନ୍ତି । ଏବେ ନୂଆ ସମସ୍ୟା ଯୋଡ଼ିହୋଇଛି କଳାହାଣ୍ଡି କପା ଚାଷରେ । ଜିଲ୍ଲାର ଉନ୍ନତମାନର କପାକୁ ଆନ୍ଧ୍ର ବେପାରୀ ବୁଡ଼ାଇବାକୁ ବସିଛନ୍ତି । ନିମ୍ନମାନର ବିହନ କାରଣରୁ ଏକର ଏକର କପାଚାଷ ଉଜୁଡ଼ିବାକୁ ବସିଛି ।
ଚଳିତ ଖରିଫ ଋତୁ ଆରମ୍ଭରୁ ଜିଲ୍ଲାରେ ମାତିଥିଲେ ଆନ୍ଧ୍ର ବେପାରୀ । ଅଧିକ ଅମଳ ଲାଳସା ଦେଖାଇ ଚାଷୀଙ୍କୁ ଧରାଇଥିଲେ ହାଇବ୍ରିଡ୍ କପା ବିହନ । ପ୍ୟାକେଟ୍ ପିଛା ପ୍ରାୟ ୧୩୦୦ ଟଙ୍କା ଦେଇ ଶହଶହ ଚାଷୀ ହାଇବ୍ରିଡ୍ ବିହନ କିଣିଥିଲେ । ଜୁନ୍ ମାସରୁ ଚାଷ ଆରମ୍ଭ ହୋଇଥିଲା । ଏକର ପିଛା ପାଖାପାଖି ୨୦ ହଜାର ଟଙ୍କା ଖର୍ଚ୍ଚ କରିଥିଲା । ଏଥର ସ୍ୱାଭାବିକ ବର୍ଷା ଓ ପାଗ ଅନୁକୂଳ ଥିବାରୁ ନିର୍ଦ୍ଧାରିତ ସମୟ ଅର୍ଥାତ୍ ଡିସେମ୍ବରରୁ ଅମଳ ପ୍ରକ୍ରିୟା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିଲା ଚାଷୀ । ମାତ୍ର ଆନ୍ଧ୍ର ବିହନ ଠକିଦେଲା । ଗଛ ଉଠିଲା । ଫୁଲ ଧରିଲା । ମାତ୍ର କପା ଆସିଲା ନାହିଁ । ଯାହାକୁ ନେଇ ଏବେ ହଜାର ହଜାର ଚାଷୀ ଚିନ୍ତାରେ ପଡ଼ିଛନ୍ତି । ବିଶେଷ କରି ଭବାନୀପାଟଣା, କେସିଙ୍ଗା, ଗୋଲାମୁଣ୍ଡା, ଜୁନାଗଡ଼ ଅଞ୍ଚଳର କପାଚାଷୀ କ୍ଷତି ସହିବା ଏକପ୍ରକାର ସ୍ପଷ୍ଟ ହୋଇଛି ।
ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଭବାନୀପାଟଣା, କେସିଙ୍ଗା ସମେତ ଅନ୍ୟ କେତେକ ଅଞ୍ଚଳର କପା ଚାଷୀଙ୍କ ମତାମତ ନିଆଯାଇଥିଲା । ଚାଷୀ ମଦନ ମେହେର କୁହନ୍ତି, ସେ ଆନ୍ଧ୍ର ବିହନରେ ପ୍ରାୟ ୩ ଏକର ଚାଷ କରିଥିଲେ । ଧାରକରି ପ୍ରାୟ ୩୦ହଜାର ଖର୍ଚ୍ଚ କରିଛନ୍ତି । ଗଛଗୁଡ଼ିକ ଛୋଟ ହୋଇଛି । ଆଦୌ କପା ହୋଇନାହିଁ । କୌଶଲ୍ୟା ଝାଙ୍କର ବି ଅନୁରୂପ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଆନ୍ଧ୍ର ବେପାରୀଙ୍କଠୁ କପା ବିହନ ଆଣି ପ୍ରାୟ ୪ଏକର ଜମିରେ ଚାଷ କରିଥିଲେ । ଗଛରେ ଫୁଲ ଧରିଲା । ହେଲେ କପା ଫଳିଲା ନାହିଁ । ଔଷଧ ପ୍ରୟୋଗ ସତ୍ତେ୍ୱ କିଛି ସୁଫଳ ମିଳିଲାନାହିଁ । ଚାଷ ବୁଡ଼ିବା ନିଶ୍ଚିତ ବୋଲି ସେ କହିଛନ୍ତି । ଚାଷୀ ରଘୁନାଥ ମେହେର ଦୁଇ ପ୍ୟାକେଟ ଆନ୍ଧ୍ର ବିହନ କିଣି ୩ ଏକର ଜମିରେ ଚାଷ କରିଥିଲେ । କେବଳ ଗୋଟେ ଦୁଇଟା ଫୁଲ ଧରିଛି । ତିନିଥର ଔଷଧ ଦେଇ ୮ ହଜାର ଖର୍ଚ୍ଚ କରିଥିଲେ ବି ସ୍ଥିତି ବଦଳିନି । ଚାଷୀ କେଶବ ମେହେର କହିଛନ୍ତି, ଆନ୍ଧ୍ର ବିହନ ସମ୍ପୂର୍ଣ୍ଣ ଫେଲ୍ ମାରିଛି । କୃଷି ବିଭାଗ ଚାଷୀଙ୍କୁ ଆବଶ୍ୟକ ତାଲିମ ଦେଉନି ।
ପ୍ରୋତ୍ସାହନ ମଧ୍ୟ ମିଳୁନାହିଁ । ତେଣୁ ଚାଷୀ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି ।ଏଭଳି ସମସ୍ୟା ଭିତରେ ଭଲ ଖବର ଆସିଛି ଓଡ଼ିଶାର ବିହନରୁ । ଯେଉଁ ଚାଷୀମାନେ ଦେଶୀ ବିହନ ଲଗାଇଥିଲେ, ସେମାନଙ୍କ ଜମିରେ ଭଲ କପା (ବଲ୍) ଫଳିଛି । ଗୋଟିଏ ଗୋଟିଏ କପାଗଛରେ ୮୦ରୁ ଅଧିକ ବଲ୍ ଧରିବା ସହ ଅମଳକ୍ଷମ ହୋଇସାରିଛି । ଏନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମଳୟ ପରିଡ଼ା କୁହନ୍ତି, ସରକାରୀସ୍ତରରେ କପା ବିହନ ଯୋଗାଇବାର ବ୍ୟବସ୍ଥା ନାହିଁ । ଚାଷୀ ବଜାରରେ ମିଳୁଥିବା କପା ବିହନ କିଣି ଚାଷ କରୁଛନ୍ତି । କେଉଁ ବିହନ ଠିକ୍ ଭାବେ ଅମଳଦେବ ତାହା କହିବା ମୁସ୍କିଲ । ତେବେ ଚାଷୀ ସଚେତନ ହେବା ଜରୁରୀ । ବିଭିନ୍ନ ସଂସ୍ଥାର ବେପାରୀ ତାଙ୍କ ଲାଭ ପାଇଁ ଚାଷୀ ପାଖକୁ ପହଞ୍ଚି ବିହନ ବିକ୍ରି କରୁଛନ୍ତି । ଚଳିତ ଖରିଫ ଋତୁରେ କଳାହାଣ୍ଡି ଜିଲ୍ଲାରେ ୭୧ ହଜାର ୪୦୦ ହେକ୍ଟର ଜମିରେ କପା ଚାଷ ହୋଇଛି । ଭଲ ଅମଳ ହେବା ଆଶା କରାଯାଉଛି । ଯେଉଁ ଅଞ୍ଚଳର ଚାଷୀ ବିହନ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି ଓ କେତେ ହେକ୍ଟର କ୍ଷତି ହୋଇଛି, ତାହାର ଅନୁଧ୍ୟାନ କରାଯିବ ବୋଲି ଶ୍ରୀ ପରିଡ଼ା କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଗୋଟିଏ ହେକ୍ଟର କପା ପାଇଁ ଦୁଇରୁ ଅଢ଼େଇ କେଜି ବିହନର ଆବଶ୍ୟକତା ପଡ଼ିଥାଏ । ହେଲେ କପା ବିହନରେ ଅଦ୍ୟାବଧି ଓଡ଼ିଶା ଆତ୍ମନିର୍ଭରଶୀଳ ହୋଇପାରିନାହିଁ । ଗୁଣାତ୍ମକ ମାନର କପା ଉତ୍ପାଦନ ସତ୍ତେ୍ୱ ଏହାର ଉପଯୋଗ ପାଇଁ ସୂତାକଳ ନାହିଁ। ରାଜ୍ୟ କୃଷି ବିଭାଗର ତଥ୍ୟ ଅନୁସାରେ, ୧୯୮୦ରେ ରାଜ୍ୟରେ ୫ ହଜାର ହେକ୍ଟରରେ କପା ଚାଷ ହୋଇ ମାତ୍ର ୫ ହଜାର ଗାଣ୍ଠି ଉତ୍ପାଦିତ ହେଉଥିଲା । ୨୦୧୩ରେ ଏହା ୧. ୨୩ ଲକ୍ଷ ହେକ୍ଟରକୁ ବୃଦ୍ଧି ପାଇଥିଲା । ଉତ୍ପାଦନ ପରିମାଣ ୨.୯୯ ଲକ୍ଷ ଗାଣ୍ଠିକୁ ବଢ଼ିଥିଲା। ୨୦୨୨ରେ ୨.୧୬ ଲକ୍ଷ ହେକ୍ଟରରୁ ଉତ୍ପାଦନ ୭.୪ଲକ୍ଷ ଗାଣ୍ଠିକୁ ବୃଦ୍ଧି ପାଇଥିଲା । ତେବେ କପାଚାଷର ବଡ଼ ଚ୍ୟାଲେଞ୍ଜ ହୋଇଛି ବିହନରେ ପରନିର୍ଭରଶୀଳତା, ଯାହା ଚାଷୀ ଏବଂ କୃଷି ବିଭାଗ ପାଇଁ ନୂଆ ଚ୍ୟାଲେଞ୍ଜ ପାଲଟିଛି ।