ନୂଆଦିଲ୍ଲୀ,୩୦।୩: ଖରାଦିନ ଆରମ୍ଭ ହୋଇଯାଇଛି। ତାପମାତ୍ରା ଧିରେ ଧିରେ ବଢିବାରେ ଲାଗିଛି। ଏହାକୁ ଧ୍ୟାନରେ ରଖି ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ବିରାଜମାନ ରାମଲାଲାଙ୍କୁ ଆଜି ଆରାମଦାୟକ ସୁତା ପୋଷାକ ପରିଧାନ କରାଯାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦିଆଯାଇଛି। ପୋଷ୍ଟରେ ଲେଖାଯାଇଛି, ଗ୍ରୀଷ୍ମ ଋତୁ ଆଗମନ ଓ ନିରନ୍ତର ବଢୁଥିବା ତାପମାତ୍ରା କାରଣରୁ ଆଜିଠାରୁ ଭଗବାନ ରାମ ସରକାର ସୁତା ବସ୍ତ୍ର ଧାରଣ କରିବେ।
ପ୍ରଭୂଙ୍କ ପକ୍ଷରୁ ଆଜି ଧାରଣ କରାଯାଇଥିବା ବସ୍ତ୍ର ହସ୍ତନିର୍ମିତ ସୁତାରେ ତିଆରି ହୋଇଛି, ଯାହାକୁ ପ୍ରାକୃତିକ ନୀଳ ରଙ୍ଗରେ ତିଆରି କରାଯାଇଛି। ଏହା ସହିତ ଫୁଲରେ ସଜା ଯାଇଛି।’ ଏହି ପୋଷ୍ଟ ସହିତ ରାମଲାଲାଙ୍କ ଖୁବ୍ ସୁନ୍ଦର ଓ ମନୋମହକ ଫଟୋ ସେୟାର କରାଯାଇଛି।
କିଛି ଦିନ ପୂର୍ବରୁ ରାମଲାଲା ନିଜର ଭକ୍ତଙ୍କ ସହିତ ହୋଲି ଖେଳିବା ଓ ପିଚକାରୀ ମଧ୍ୟ ଧାରଣ କରିଥିଲେ। ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର କହିଛି, ରଙ୍ଗୋତ୍ସବ ଅବସରରେ ଭଗବାନ ଶ୍ରୀରାମଲାଲା ସରକାର ଭକ୍ତଙ୍କ ସାଙ୍ଗରେ ହୋଲି ଖେଳିଥିଲେ। ପ୍ରଭୁ ଆଜି ଏକ ପିଚକାରୀ ଧରିଛନ୍ତି। ପୋଷ୍ଟ କରାଯାଇଥିବା ଭିଡିଓରେ ପୂଜାରୀଙ୍କୁ ରାମଲାଲାଙ୍କ ଉପରେ ଫୁଲ ବର୍ଷା କରୁଥିବାର ଦେଖିବାକୁ ମିଳିଥିଲା।