ମୋହନା, ୨୬/୦୯: ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ କୌଣସି ଶିଳ୍ପ କେନ୍ଦ୍ର ନାହିଁ । ଲୋକେ କାମ ପାଉନାହାନ୍ତି । ପରିବାର ଚଳାଇବା ପାଇଁ ଅନ୍ୟ ଜିଲ୍ଲାରେ ମଜୁରି ଖଟୁଛନ୍ତି । ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । ଏଭଳି ସ୍ଥିତିରେ ଜିଲ୍ଲାର ମହେନ୍ଦ୍ରଗଡ଼ସ୍ଥିତ ରେଶମ ସୂତାକଟା ଓ ବଳାକେନ୍ଦ୍ର ବନ୍ଦ ପଡ଼ିଛି । ଉତ୍ପାଦନ ହ୍ରାସ, ଚାଷୀଙ୍କୁ ଉପଯୁକ୍ତ ପାରିଶ୍ରମିକ ନ ମିଳିବା, ମାନ୍ଦା ବଜାରୀକରଣ ବ୍ୟବସ୍ଥା ଆଦି କାରଣରୁ ଏହି କେନ୍ଦ୍ରରେ ୨୦ ବର୍ଷ ହେଲା ତାଲା ଝୁଲୁଛି ।
୧୯୯୩ ମସିହାରେ ଖୋଲିଥିଲା ଏହି କେନ୍ଦ୍ର । ସ୍ଥାନୀୟ ଚାଷୀଙ୍କ ଆବଶ୍ୟକତା ଏବଂ ଅଞ୍ଚଳର ଲୋକଙ୍କୁ କାମ ଯୋଗାଇବା ପାଇଁ ମହେନ୍ଦ୍ରଗଡ଼ରେ ଏହି ସୂତାକଟା କେନ୍ଦ୍ର ଶୁଭାରମ୍ଭ ହୋଇଥିଲା ।
ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହାର ଉଦ୍ଘାଟନ କରିଥିଲେ । କେନ୍ଦ୍ରରେ କୋଟିକୋଟି ଟଙ୍କାର ବିଭିନ୍ନ ସରଞ୍ଜାମ ଥିଲା । ଅଞ୍ଚଳର ପ୍ରାୟ ୫ ଶହରୁ ଅଧିକ ଚାଷୀ ଏହି କେନ୍ଦ୍ର ସହ ଜଡ଼ିତ ହୋଇଥିଲେ । ଏହାବାଦ୍ କୁଶପଲ୍ଲୀ, ମହେନ୍ଦ୍ରଗଡ଼, ମକାପଦା, ସୁଗୁବା, କାକିଲି, ଛେଳିଗଡ଼, ତିଳିଗାଁ, ରଣାଲଇ, ଲବାରସିଂ, ରାୟପୁର ଆଦି ଗାଁର ପ୍ରାୟ ୪ ଶହ ମହିଳା ଏହି କେନ୍ଦ୍ର ଦ୍ୱାରା ରୋଜଗାର ପାଉଥିଲେ । ଗୋଟିଏ ଘରେ ରେଶମ ପୋକଗୁଡ଼ିକୁ ଭାଡ଼ି ଭଳି ସଜାଇ ରଖିବା ପରେ ପୋକଗୁଡ଼ିକୁ ତୁତ୍ଗଛର ପତ୍ର ଖାଇବାକୁ ଦିଆଯାଉଥିଲା । ତୁତ୍ଚାଷ ସହ ରେଶମ ପୋକ ପାଳି ଲାଭାନ୍ୱିତ ହେଉଥିଲେ ସ୍ଥାନୀୟ ଚାଷୀ । ରେଶମ ପୋକଗୁଡ଼ିକ ରେଶମ ସୂତା ଗୋଳା ବାନ୍ଧିବା ପରେ ସେଗୁଡ଼ିକୁ ବଏଲିଂ ପରେ ସୂତା କାଟି ବଳା କରୁଥିଲେ ମହିଳା । ପ୍ରତିଦିନ ପ୍ରତ୍ୟେକ ମହିଳା ୨ରୁ ୩ କିଲୋ ସୂତା ପ୍ରସ୍ତୁତ କରୁଥିଲେ । କିଲୋ ପିଛା ୧୫ ଟଙ୍କା ଲେଖାଏଁ ହିସାବରେ ପ୍ରତ୍ୟେକ ମାସକୁ ୧୫୦୦ରୁ ୧୮୦୦ ଟଙ୍କା ରୋଜଗାର କରିପାରୁଥିଲେ ।
ଏହି କେନ୍ଦ୍ର ଆରମ୍ଭ ହେବା ପରେ ପ୍ରାୟ ୧୦ ବର୍ଷ ଧରି ସୁରୁଖୁରୁରେ ଚାଲିଲା । ପରେ ୨୦୦୪ରୁ ଏହା ବନ୍ଦ ହୋଇଯାଇଛି । କେନ୍ଦ୍ରର ଖର୍ଚ୍ଚ ତୁଳନାରେ ଉତ୍ପାଦନ ହ୍ରାସ ପାଇଲା । କାରଣ ଚାଷୀଙ୍କ ପରିଶ୍ରମ ତୁଳନାରେ ଉପଯୁକ୍ତ ପାରିଶ୍ରମିକ ମିଳିଲାନି । ମାନ୍ଦା ହୋଇଗଲା ବଜାରୀକରଣ ବ୍ୟବସ୍ଥା । ଠିକ୍ ସେହି ସମୟରେ ମୋହନା, ଚନ୍ଦ୍ରଗିରି ଅଞ୍ଚଳରେ ମକାଚାଷ ଆରମ୍ଭ ହେଲା । ଏହି ଚାଷରୁ କମ୍ ସମୟରେ ଅଧିକ ଲାଭ ପାଉଥିବାରୁ ଅଧିକାଂଶ ଚାଷୀ ରେଶମ ଚାଷରୁ ମୁହଁ ମୋଡ଼ି ମକାଚାଷରେ ମାତିଲେ । କେନ୍ଦ୍ରକୁ କଞ୍ଚାମାଲ୍ ଯୋଗାଇବାରେ ଆଗ୍ରହ ହରାଇ ବସିଲେ ଚାଷୀ । ଏସବୁ କାରଣ ପାଇଁ କେନ୍ଦ୍ରରେ ତାଲା ଝୁଲାଇ ଦିଆଗଲା ।
ପୂର୍ବରୁ ଏହି କେନ୍ଦ୍ରରେ କାର୍ଯ୍ୟରତ କେତେକ ମହିଳା କହନ୍ତି, ଏହି କେନ୍ଦ୍ର ଚାଲୁଥିଲେ ଆଜିକାର ସମୟରେ ମାସକୁ ପ୍ରାୟ ୧୦ ହଜାର ଟଙ୍କା ରୋଜଗାର ହେଉଥାନ୍ତା । କୋଟିକୋଟି ଟଙ୍କାର ମେସିନ୍ ଏବେ ଖତ ଖାଉଛି । କେନ୍ଦ୍ରଟି ଭୂତକୋଠି ପାଲଟିଛି । ପୂର୍ବରୁ ଭଲ ରୋଜଗାର କରୁଥିବା ମହିଳା ଏବେ ମଜୁରି ଲାଗି ପରିବାର ଚଳାଉଥିବା କହିଛନ୍ତି । ବର୍ତ୍ତମାନ ସରକାର ଏହି କେନ୍ଦ୍ରକୁ ପୁଣି ଆରମ୍ଭ କଲେ ସେମାନେ ରୋଜଗାରର ଉତ୍ତମ ମାଧ୍ୟମ ପାଇପାରିଥାନ୍ତେ ।
କେନ୍ଦ୍ର ଆରମ୍ଭବେଳେ ମାତ୍ର ୧୦ ଟଙ୍କାରେ ଜଗୁଆଳି ଦାୟିତ୍ୱରେ ଥିଲେ କୁଶପଲ୍ଲୀ ଗାଁର ନାରାୟଣ ରଇତ । ଏବେ ଅଚଳ କେନ୍ଦ୍ରର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଅଛନ୍ତି ନିରଞ୍ଜନ ଭୂୟାଁ । ସେମାନେ କହିଛନ୍ତି, ଏବେ ହାତଗଣତି ଚାଷୀ ତୁତ୍ଚାଷ କରିବା ସହ ରେଶମ ପୋକ ପାଳନ କରୁଛନ୍ତି । ଏଠାରେ ସୂତାକଟା କେନ୍ଦ୍ର ବନ୍ଦ ରହିଛି । ଏଣୁ ରେଶମ ପୋକ ଦ୍ୱାରା ପ୍ରସ୍ତୁତ ରେଶମ କୋଷାକୁ ବଏଲିଂ ପାଇଁ ବିଶାଖାପାଟଣା ପଠାଯାଉଛି।
ଅପରପକ୍ଷରେ ନିକଟରେ ପାରଳାଖେମୁଣ୍ଡିରେ ଆୟୋଜିତ ଜିଲ୍ଲାସ୍ତରୀୟ ବିକାଶ ମେଳାରେ ରେଶମ ପୋକ ଓ ଚାଷ ସମ୍ପର୍କିତ ପ୍ରଦର୍ଶନୀ ଷ୍ଟଲ୍ ହୋଇଥିଲା । ଏହି ଷ୍ଟଲ୍ ପରିଦର୍ଶନ କରି ଖୁସିବ୍ୟକ୍ତ କରିଥିଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଗଜପତି ଜିଲ୍ଲାରେ ତୁତ୍ଚାଷର ବିକାଶ ସାଙ୍ଗକୁ ସୂତାକଟା ଓ ବଳା କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବାକୁ ମନ୍ତ୍ରୀ ଗଜପତି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଣୁ ହୁଏତ ଏହି କେନ୍ଦ୍ର ପୁଣି ଚାଲୁ ହୋଇପାରେ ବୋଲି ଆଶା ଉଜ୍ଜୀବିତ ହୋଇଛି ।